ଏହି ମାସ ଏଭେରେଷ୍ଟ ଚଢ଼ିବାର ଥିଲା, ହେଲେ ଏବେ ପରିବା ଦୋକାନ ଚଳାଉଛନ୍ତି ନୀଳାଚଳ

ଦେଶ ବିଦେଶରେ ୧୧ଟି ପର୍ବତ ଚଢ଼ି ନାଆଁ କରିଥିବା ପର୍ବତାରୋହୀ ନୀଳାଚଳ ପରିଡ଼ା ଲକଡ଼ାଉନ ବେଳେ ଭୁବନେଶ୍ୱରରେ ପରିବା, ସଉଦା ଓ ଔଷଧର ଫ୍ରି ହୋମ ଡେଲିଭରି କରି ଲୋକଙ୍କ ସେବା କରୁଛନ୍ତି ।

ଏହି ମାସ ଏଭେରେଷ୍ଟ ଚଢ଼ିବାର ଥିଲା, ହେଲେ ଏବେ ପରିବା ଦୋକାନ ଚଳାଉଛନ୍ତି ନୀଳାଚଳ
ନିଜ ପରିବା ଦୋକାନରେ ଏକ ଷଣ୍ଢକୁ କିଛି ପରିବା ଖାଇବାକୁ ଦେଉଛନ୍ତି ନୀଳାଚଳ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡ଼ାଉନ ପାଇଁ ରାଜ୍ୟ ସମେତ ସାରା ଦେଶରେ ବନ୍ଦ ରହିଛି କ୍ରୀଡ଼ା ପ୍ରଶିକ୍ଷଣ । ବାତିଲ ହୋଇଛି ବିଭିନ୍ନ ପୂର୍ବନିର୍ଦ୍ଧାରିତ ପ୍ରତିଯୋଗିତା । ଏଭଳି ସ୍ଥିତିରେ ଘରେ ନ ବସି ଲୋକଙ୍କ ସେବା ପାଇଁ  ପରିବା ବିକୁଛନ୍ତି ଓଡ଼ିଶାର ଯୁବ ପର୍ବତାରୋହୀ ନୀଳାଚଳ ପରିଡ଼ା । ହୋମ ଡେଲିଭରି ବ୍ୟବସ୍ଥା ମଧ୍ୟ ରଖିଛନ୍ତି । ପରିବା ସହ ଔଷଧ ଓ ଗ୍ରୋସେରି ଭଳି ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଘରେ ଜିନିଷ ପହଞ୍ଚାଉଛନ୍ତି ସେ ।

‘ମାସ୍କ ନାହିଁ ତ ପରିବା ନାହିଁ’ ବୋଲି ଲେଖି ନିଜ ଦୋକାନ ଆଗରେ ଏକ ବୋର୍ଡ ମାରିଛନ୍ତି ନୀଳାଚଳ । ଗ୍ରାହକ ଆସିଲେ ଆଗ ସାନିଟାଇଜରରେ ହାତ ସଫା କରିବାକୁ କହୁଛନ୍ତି । ତା’ ପରେ ତାଙ୍କୁ ପରିବା ବିକୁଛନ୍ତି । ଏ ଭଳି ସଚେତନତା ସହ ଭୁବନେଶ୍ୱର ଡେଲଟା ଛକରେ ପରିବା ବ୍ୟବସାୟ କରୁଛନ୍ତି ନୀଳାଚଳ ।

ଜଣେ ପର୍ବତରୋହୀ ହୋଇଥିବା ସତ୍ତ୍ୱେ ନୀଳାଚଳ ଲକଡ଼ାଉନ ସମୟରେ ଲୋକଙ୍କୁ ସହଯୋଗ କରିବା ପାଇଁ ଏହି ବ୍ୟବସାୟ ଚଳାଇଛନ୍ତି ବୋଲି କହିଛନ୍ତି । ‘‘କଟକଣା ପାଇଁ ଲୋକେ ଘରୁ ବାହାରୁନାହାନ୍ତି । ଏହି ସମୟରେ ବରିଷ୍ଠ ନାଗରିକ ଓ ବସ୍ତି ବାସିନ୍ଦଙ୍କୁ ପରିବା ସହ ସଉଦା ଓ ଔଷଧ ପହଞ୍ଚାଇ ଦେଉଛି ମୁଁ । ଏ ନେଇ ହୋମ ଡେଲିଭରି ବ୍ୟବସ୍ଥା ରଖିଛି । ବିନା ମୂଲ୍ୟରେ ଲୋକଙ୍କ ଘରେ ସେମାନଙ୍କ ଆବଶ୍ୟକୀୟ ଜିନିଷ ପହଞ୍ଚାଇ ଦେଉଛି,’’ ସେ କହିଛନ୍ତି ।

ଏକ ସଫଳ ପର୍ବତାରୋହଣ ପରେ ହାତରେ ତିରଙ୍ଗା ଧରିଛନ୍ତି ନୀଳାଚଳ ।


ଏହି ଯୁବ ପର୍ବତାରୋହୀଙ୍କ ଏ ଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି । ‘‘ସେ ପର୍ବତାରୋହଣ ପରି ଦୁଃସାହସିକ କ୍ରୀଡ଼ାରେ ସାମିଲ ହେବା ପାଇଁ ଅନେକ ପରିଶ୍ରମ କରିଛନ୍ତି । ଅନେକ କଷ୍ଟ ସହିଛନ୍ତି । ନିଜେ କଷ୍ଟ ସହି ଏବେ ଅନ୍ୟକୁ ସେବା ଯୋଗାଇଛନ୍ତି । ଭଗବାନ ତାଙ୍କୁ ସହାୟ ହୁଅନ୍ତୁ, ଆଉ ସେ ବହୁତ ଆଗକୁ ଯାନ୍ତୁ,’’ କହିଛନ୍ତି ଡେଲଟା ଛକ ବାସିନ୍ଦା ରୀନା ପରିଡ଼ା ।

ଏବେ ଯାଏ ୧୧ଟି ପର୍ବତାରୋହଣ କରିଛନ୍ତି ନୀଳାଚଳ । ସବୁଠାରୁ ଉଚ୍ଚ ୨୦,୫୦୦ ଫୁଟ ଉଚ୍ଚ ଲେହର ଷ୍ଟକ କାଙ୍ଗ୍ରି ପର୍ବତ ଉପରକୁ ଚଢ଼ିଛନ୍ତି ସେ । ଚଳିତ ମାସରେ ତାଙ୍କର ଏଭେରେଷ୍ଟ ପର୍ବତାରୋହଣ କରିବାର ଯୋଜନା ଥିଲା । ସେଥି ପାଇଁ ଅନେକ ପରିଶ୍ରମ କରିଥିଲେ । ବହୁତ କଷ୍ଟରେ ଅର୍ଥ ସଂଗ୍ରହ ବି କରିଥିଲେ । ହେଲେ କରୋନା ମହାମାରୀ ପାଇଁ ତାହା ବାତିଲ ହୋଇଛି ।

ନିଜ ପରିବା ଦୋକାନରେ ବ୍ୟସ୍ତ ନୀଳାଚଳ


‘‘ଏବେ ଅକ୍ଟୋବରରେ ରୁଷିଆର ମାଉଣ୍ଟ ଏଲବୃସ ଯିବାର ଅଛି । ସେଥି ପାଇଁ ପ୍ରସ୍ତୁତ ହେଉଛି । ସେତେବେଳକୁ ଏହି ମହାମାରୀ କବଳରୁ ବିଶ୍ୱ ମୁକୁଳି ଯିବା ବୋଲି ଆଶା କରୁଛି,’’ କହିଛନ୍ତି ନୀଳାଚଳ ।

ଲକଡ଼ାଉନ ପାଇଁ ଏବେ ସବୁ ଜିମ୍‌ ବନ୍ଦ ଥିବାରୁ ଘରେ ବ୍ୟାୟାମ କରୁଛନ୍ତି ସେ । ବାକି ସମୟରେ ପରିବା ବ୍ୟବସାୟ କରି ଲୋକଙ୍କୁ ସହଯୋଗ କରୁଛନ୍ତି । ବିଜୁପଟ୍ଟନାୟକ ହିମାଳୟ ପର୍ବତାରୋହଣରେ ଭାଗ ନେଇଥିବା ନୀଳାଚଳ ଜଣେ ସଫଳ ପର୍ବତରୋହୀ ଭାବେ ନିଜର ପରିଚୟ ସୃଷ୍ଟି କରିବା ସହ ରାଜ୍ୟ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।

"କ୍ରୀଡ଼ା ଦୁନିଆରୁ ବାହାରି ଏବେ ପରିବା ବ୍ୟବସାୟ କରି ବେଶ ଖୁସି ଅଛି ମୁଁ । ଏ ଭଳି ପରିସ୍ଥିତିରେ ଖାଲି ଘରେ ବସିଲେ ହେବନି । କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବାକୁ ହେବ,’’ କହିଛନ୍ତି ନୀଳାଚଳ ।

ଏହା ବି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନା

ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ

ଏହା ବି ପଢ଼ନ୍ତୁ: ୧୪୯ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ରାତିରେ ଦୁବାଇରୁ ଭୁବନେଶ୍ୱର ଆସୁଛି ବିମାନ

ଏହା ବି ପଢ଼ନ୍ତୁ: ଆଜି ଗୋଟେ ଦିନରେ ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଏ ଯାଏଁ ମୋଟ ୬୨୪

ଏହା ବି ପଢ଼ନ୍ତୁ: ଚାକିରୀଜୀବୀ ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତି
First published: May 14, 2020, 8:03 PM IST
corona virus btn
corona virus btn
Loading