ରାଜ୍ୟରେ ଖୋଲିବ ଅଧିକ କୋଭିଡ଼ କେନ୍ଦ୍ର; କ୍ୱାରେଣ୍ଟାଇନ୍ କେନ୍ଦ୍ରରେ CCTV କ୍ୟାମେରା ଲାଗିବ

କ୍ୱାରେଣ୍ଟାଇନ୍ କେନ୍ଦ୍ରଗୁଡ଼ିକରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସେଠାରେ ସାମାଜିକ ଦୂରତା ନିୟମର କଡ଼ାକଡ଼ି ପାଳନ କରେଇବା ସହିତ ସେହି କେନ୍ଦ୍ରଗୁଡ଼ିକର ଆଖପାଖରେ ଧାରା ୧୪୪ ଲାଗୁ କରାଯିବ ।

ରାଜ୍ୟରେ ଖୋଲିବ ଅଧିକ କୋଭିଡ଼ କେନ୍ଦ୍ର; କ୍ୱାରେଣ୍ଟାଇନ୍ କେନ୍ଦ୍ରରେ CCTV କ୍ୟାମେରା ଲାଗିବ
ଯାଜପୁରରେ ଏକ କ୍ୱାରେଣ୍ଟାଇନ କେନ୍ଦ୍ର ବାହାରେ ସ୍ୱାସ୍ଥ୍ୟ କର୍ମୀ ଓ ସରକାରୀ ଅଧିକାରୀମାନେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ବଢ଼ିଚାଲିଥିବା ସଂଖ୍ୟାକୁ ଆଖିରେ ରଖି ସରକାର ଅଧିକ କୋଭିଡ଼ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି । କମ୍‌ ଲକ୍ଷଣ ଦେଖା ଯାଉଥିବା ବ୍ୟକ୍ତି ସେହି କେନ୍ଦ୍ରଗୁଡ଼ିକରେ ରହି ପାରିବେ, ଫଳରେ କୋଭିଡ୍‌ ହସ୍ପିଟାଲଗୁଡ଼ିକ ଉପରେ ଅଧିକ ଚାପ ରହିବନି ।

ସଙ୍ଗରୋଧ (କ୍ୱାରେଣ୍ଟାଇନ୍‌) କେନ୍ଦ୍ରଗୁଡ଼ିକରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସେଠାରେ ସାମାଜିକ ଦୂରତା ନିୟମର କଡ଼ାକଡ଼ି ପାଳନ ସହିତ ସ୍ଵଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଆଇ.ଇ.ସି. ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ । ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିବା ସହିତ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ସିସିଟିଭି କ୍ୟାମେରା ବି ଲଗାଯିବ ଓ ସେହି କେନ୍ଦ୍ରଗୁଡ଼ିକର ଆଖପାଖରେ ୧୪୪ ଧାରା ଲାଗୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ପାଖାପାଖି ୮୦ରୁ ୮୫ ପ୍ରତିଶତ ଲୋକଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖାଯାଉନାହିଁ । କିନ୍ତୁ ସୁରତରୁ ଫେରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ଅଧିକାଂଶ ଲୋକଙ୍କ ମଧ୍ୟରେ ଲକ୍ଷଣ ଦେଖା ଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଟ୍ରେନରେ ଆସି ଗଞ୍ଜାମ ପହଞ୍ଚୁଛନ୍ତି ପ୍ରବାସୀ ଓଡ଼ିଆମାନେ ।


ଏହା ବି ପଢ଼ନ୍ତୁ: 

ମମତା ପଶ୍ଚିମ ବଙ୍ଗର ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ ଅନୁମତି ଦେଉନାହାନ୍ତି: ଅମିତ ଶାହା

ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୬,୦୦୦ ପ୍ରବାସୀ ଓଡିଶା ଫେରିଛନ୍ତି । ବାହାରୁ ଫେରୁଥିବା ପ୍ରବାସୀଙ୍କ ପାଇଁ ୬,୭୯୮ଟି ଗ୍ରାମ ପଢ୍ଚାୟତରେ ୧୨,୦୦୦ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଥିବା ବେଳେ ୫ ଲକ୍ଷ ବେଡ଼ର ବ୍ୟବସ୍ଥା କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଗତ କାଲି ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ ଅବଧି ୧୪ ଦିନ ପରିବର୍ତ୍ତେ ୨୮ ଦିନ ବୃଦ୍ଧି କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ନେଇଥିଲେ । ଏହି ଅବଧି ମଧ୍ୟରେ ୨୧ ଦିନ ସରକାରୀ କ୍ୱାରେଣ୍ଟାଇନ ଓ ସାତ ଦିନ ହୋମ୍‌ କ୍ୱାରେଣ୍ଟାଇନରେ ରହିବେ ପ୍ରବାସୀ ଓଡ଼ିଆମାନେ । ୧୪ ଦିନର କ୍ଵରେଣ୍ଟଇନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଉ ନ ଥିବାରୁ ଇନକ୍ୟୁବେସନ ଅବଧି ବୃଦ୍ଧି କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

ବର୍ଦ୍ଧିତ କ୍ୱାରେଣ୍ଟାଇନ୍‌ ସମୟରେ ପ୍ରବାସୀମାନେ ନିଜ ନିଜ ସଙ୍ଗରୋଧ କେନ୍ଦ୍ରରେ ବିକାଶମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବେ । ସଙ୍ଗରୋଧ କେନ୍ଦ୍ର ପରିସରରେ ସ୍ଵଚ୍ଛତା କାମ, ବଗିଚା କାମ, ଗଛ ଲଗାଇବା ଓ ଚୂନ ମାରିବା ଭଳି କାମ କରିପାରିବେ ସେମାନେ। ଦଶ ଦିନ ପାଇଁ ପ୍ରବାସୀମାନଙ୍କୁ ଏଭଳି କାମ ଯୋଗାଇଦିଆଯିବ । ସେଥି ପାଇଁ ଦୈନିକ ୧୫୦ ଟଙ୍କା ଲେଖାଏଁ ମଧ୍ୟ ପକେଟ ମନି ଭାବେ ମଧ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ପଞ୍ଜିକରଣ କରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀଙ୍କୁ ସଫଳତାର ସହିତ ସଙ୍ଗରୋଧ ଅବଧି ସାରି ଘରକୁ ଫେରିବା ସମୟରେ ୨,୦୦୦ ଟଙ୍କା ଇନସେଣ୍ଟିଭ ସହିତ କରିଥିବା କାର୍ଯ୍ୟର ପାରିଶ୍ରମିକ ପ୍ରଦାନ କରାଯିବ ବୋଲି କହିଛନ୍ତି ବାଗଚୀ । ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ସହ ଯେଉଁମାନେ ଚାହିଁବେ ନିଜ ଆଡୁ ରୋଷେଇରେ ସହଯୋଗ କରିବା ଓ ଖାଇବାକୁ ଦେବା ଭଳି ସହଯୋଗ କରିପାରିବେ । ଏହା ବାଦ ସଙ୍ଗରୋଧରେ ରହୁଥିବା ପ୍ରବାସୀଙ୍କୁ ଯୋଗ, ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରକଳା ଓ ଖବରକାଗଜ ଭଳି  କାର୍ଯ୍ୟରେ ବି ନିୟୋଜିତ କରିପାରିବେ ଅସ୍ଥାୟୀ କେନ୍ଦ୍ରର ନୋଡାଲ ଅଫିସର । ଏ ନେଇ ସରକାର ବିଧିବଦ୍ଧ ନିର୍ଦେଶନାମା ଜାରି କରିଛନ୍ତି ।

ଏହା ବି ପଢ଼ନ୍ତୁ: 

ସୁରତ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଖାଦ୍ୟ ରୁଚୁନି; ଭିଡିଓ ବନେଇ ଅଭିଯୋଗ କଲେ

ଏହା ବି ପଢ଼ନ୍ତୁ: 

CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ପରୀକ୍ଷା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବ
First published: May 9, 2020, 6:38 PM IST
corona virus btn
corona virus btn
Loading