News18 Odia Digital
ନୂଆ ଦିଲ୍ଲୀ: G20 ବୈଠକରେ ଭାଗ ନେଇ କୋଭିଡ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ୨୦୨୨ ଶେଷ ସୁଦ୍ଧା ଭାରତରେ ୫ଶହ କୋଟି ଟିକା ପ୍ରସ୍ତୁତ ହୋଇପାରିବ ବୋଲି ବୈଠକରେ ସେ ଘୋଷଣା କରିଛନ୍ତି।
କରୋନା ବିରୋଧ ଲଢ଼େଇ ପାଇଁ ଦେଶ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟ ଦରକାର। ଭାରତ ସବୁବେଳେ ବିଶ୍ୱର ଲୋକମାନଙ୍କୁ କିପରି ସ୍ୱାସ୍ଥ୍ୟ ସୁବିଧା ମିଳିପାରିବ ସେନେଇ ଚେଷ୍ଟା କରୁଛି। ଏକ ବିଶ୍ୱ, ଏକକ ସ୍ୱାସ୍ଥ୍ୟ ନୀତିରେ ଭାରତ ବିଶ୍ୱାସ କରି ଆସିଛି ବୋଲି ମୋଦି କହିଛନ୍ତି।
ସେ ଆହୁରି କହିଛନ୍ତି, ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କରୋନା ସଂକ୍ରମଣ ବେଳେ ୧୫୦ଟି ଦେଶକୁ କୋଭିଡ୍ ଟିକା ଯୋଗାଇ ଦିଆଯାଇଥିଲା। ସୂଚନାନୁଯାୟୀ WHO ଏପର୍ଯ୍ୟନ୍ତ ଭାରତର ସ୍ୱଦେଶୀ ଟିକା କୋଭାକ୍ସିନକୁ ସ୍ୱୀକୃତି ଦେଇ ନାହିଁ। ପ୍ରକ୍ରିୟା ଚାଲିଛି କିନ୍ତୁ ଏଥିରେ ଲଗାତର ଭାବରେ ବିଳମ୍ବ ହେଉଛି। ଗୋଟିଏ ପଟେ ସେ କରୋନା କାଳରେ ସମଗ୍ର ବିଶ୍ୱକୁ ସାହାଯ୍ୟ କରିବା ବିଷୟରେ କହିଛନ୍ତି, ଅନ୍ୟପଟେ ଟିକା ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ଅପିଲ କରିଛନ୍ତି।
ଟିକା ପ୍ରସ୍ତୁତ ହେବା ଦ୍ୱାରା କରୋନା ବୈଶ୍ୱିକ ସଂକ୍ରମଣକୁ ରୋକିବାରେ ବଡ ସହାୟତା ମିଳିବ। କିନ୍ତୁ ଏଥିପାଇଁ WHO ଦ୍ୱାରା ଭାରତୀୟ ଟିକା କୋଭାକ୍ସିନ୍କୁ ଶୀଘ୍ର ମାନ୍ୟତା ଦେବା ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।