ଚମକିବ ଓଡ଼ିଶା କ୍ରିକେଟର ଭାଗ୍ୟ; ୫୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଅକାଡେମୀ

ଏହି ଅତ୍ୟାଧୁନିକ କ୍ରିକେଟ ଅକାଡେମୀ ପାଇଁ କଟକ-ଭୁବନେଶ୍ବର ମଝିରେ ଥିବା ଚାରିଟି ସ୍ଥାନ ଚିହ୍ନଟ କରାଯାଇଛି । ଏହା ୩୦ରୁ ୪୦ ଏକର ଜାଗାରେ ତିଆରି ହେବ ଓ ଏଥିରେ ଦୁଇରୁ ତିନୋଟି କ୍ରିକେଟ୍ ଗ୍ରାଉଣ୍ଡ ରହିବ ।

ଚମକିବ ଓଡ଼ିଶା କ୍ରିକେଟର ଭାଗ୍ୟ; ୫୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଅକାଡେମୀ
ଓସିଏର ସି.ଇ.ଓ. ସୁବ୍ରତ ବେହେରା
  • News18 Odia
  • Last Updated: August 2, 2020, 10:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟରେ ପ୍ରତିଷ୍ଠା ହେବ ଏକ ଅତ୍ୟାଧୁନିକ କ୍ରିକେଟ ଅକାଡେମୀ । ଦୁଇରୁ ତିନିଟି କ୍ରିକେଟ ଗ୍ରାଉଣ୍ଡ, ସୁଇମିଂ ପୁଲ୍‌, ଜିମ୍‌ ଓ ଖେଳାଳିମାନଙ୍କ ପାଇଁ ରହିବାର ବ୍ୟବସ୍ଥା ସହ ୨୦ରୁ ୪୦ ଏକର ପରିମିତ ସ୍ଥାନରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ କରି ଏହି ଆଦର୍ଶ କ୍ରିକେଟ ଅକାଡେମି ତିଆରି କରିବା ଲକ୍ଷ ରଖିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ।

ଏଥି ପାଇଁ କଟକ-ଭୁବନେଶ୍ବର ମଝିରେ ଥିବା ଚାରିଟି ସ୍ଥାନ ଚିହ୍ନଟ କରାଯାଇଛି । ସେଥିରୁ ଗୋଟିଏକୁ ଚୟନ କରାଯିବ । ଏହା ସହ ବାରବାଟୀ ଷ୍ଟାଡିୟମର ପୁନଉଦ୍ଧାର ସହିତ ଜିଲ୍ଲା ସ୍ତରରେ ଟର୍ଫ ୱିକେଟ ତିଆରି ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଏବଂ ଆପେକ୍ସ କାଉଁସିଲ ବୈଠକରେ ଏହା ଅନୁମୋଦିତ ହୋଇଥିବା ଓସିଏ ପକ୍ଷରୁ ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦିଆଯାଇଛି ।

‘‘ନିକଟ ଭବିଷ୍ୟତରେ ଓସିଏ ଏକ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଅକାଡେମୀ ନିର୍ମାଣ କରିବାକୁ ଯାଉଛି । ଏହା କଟକ ଓ ଭୁବନେଶ୍ୱର ମଧ୍ୟରେ ୩୦ ରୁ ୪୦ ଏକର ଜାଗାରେ ତିଆରି ହେବ। ସେଠାରେ ଦୁଇରୁ ତିନୋଟି ଗ୍ରାଉଣ୍ଡ ରହିବ । ସେଠାରେ ପ୍ରଶିକ୍ଷଣ ନେବାକୁ ଥିବା କ୍ରିକେଟ ଖେଳାଳିଙ୍କ ରହିବା ବ୍ୟବସ୍ଥା ବି ରହିବ। ଏଥି ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି,’’ କହିଛନ୍ତି ଓସିଏର ସି.ଇ.ଓ. ସୁବ୍ରତ ବେହେରା।

ବର୍ତ୍ତମାନର ଓଡ଼ିଶା କ୍ରିକେଟ ଅକାଡ଼େମି


ଓଡିଶା କ୍ରିକେଟକୁ ପୁଣି ଥରେ ଛିଡ଼ା କରିବା ପାଇଁ ଗତ ବର୍ଷ ଭିଜନ-୨୦୨୪ ନାମରେ ଏକ କାର୍ଯ୍ୟକ୍ରମ ହାତକୁ ନେଇଥିଲା ଓସିଏ । ଏହି କ୍ରମରେ ତୃଣମୂଳ ସ୍ତରରୁ ଖେଳାଳି ଚିହ୍ନଟ କରିବା ସହିତ ସେମାନଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟ ମଧ୍ୟ ସାମିଲ ଥିଲା । ତେବେ ଜିଲ୍ଲା ତଥା କ୍ଲବ ସ୍ତରରେ ମ୍ୟାଚଗୁଡ଼ିକ ଆୟୋଜନ କରି ଏହି କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲା ଓସିଏ ।

କିନ୍ତୁ କରୋନା କଟକଣା ଯୋଗୁଁ ତାହା ଚାରି ମାସ ହେଲା ବନ୍ଦ ରହିଛି । ଓସିଏ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଉଦୀୟମାନ ଖେଳାଳିମାନେ । ଏକ ଅତ୍ୟାଧୁନିକ କ୍ରିକେଟ ଅକାଡେମି ଦ୍ବାରା ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ଖୋଳାଳିମାନେ କହିଛନ୍ତି । କିନ୍ତୁ କେବଳ ବ୍ୟବସ୍ଥା କରି ଦେଲେ ହେବ ନାହିଁ, ବରଂ ଏହାକୁ ସଠିକ ଢଙ୍ଗରେ ପରିଚାଳନା କରିବା ଦରକାର ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ।

‘‘ଆମେ ଯେଉଁମାନେ କ୍ରିକେଟ ଖେଳୁଛୁ ବା ଯେଉଁମାନେ ଆଗକୁ ଚୟନ ହୋଇ ଆସିବେ ସେମାନଙ୍କ ପାଇଁ ନୂଆ କୋଚମାନଙ୍କ ଆବଶ୍ୟକତା ରହିଛି । ନୂଆ କରି ହେବାକୁ ଥିବା ଏହି ଅକାଡେମୀରେ ସବୁ ପ୍ରକାର ର ସୁବିଧା ସୁଯୋଗ ଆମକୁ ମିଳିବ। ଅଫ୍‌ ସିଜିନରେ ଆମେ ଅଭ୍ୟାସ ବି କରି ପାରିବୁ । ଆମର ପ୍ରଦର୍ଶନ ବଢ଼ିଯିବ,’’ କହିଛନ୍ତି ୧୬ ବର୍ଷରୁ କମ ବୟସ ବର୍ଗର କ୍ରିକେଟ ଖେଳାଳି ଅର୍ପିତ ଶର୍ମା।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ରିୟା ଓ ତାଙ୍କ ପରିବାର ପାଇଁ ପାଲଟିଥିଲେ ATM; ଇଡି ବି ତଦନ୍ତ କରୁଛି

ଏହା ବି ପଢ଼ନ୍ତୁ: ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେ

ପୂର୍ବତନ ରଣଜୀ ଖେଳାଳୀ ପବନ ଅଗ୍ରୱାଲ କହିଛନ୍ତି, ‘‘ଓସିଏ ଯେଉଁ ପରିକଳ୍ପନା କରିଛି ତାହା ନିଶ୍ଚିତ ପ୍ରଶଂସନୀୟ । ଏବେ ଯେଉଁ ଅକାଡେମୀଟି ରହିଛି ସେଠି ସ୍ଥାନ ଅଭାବରୁ ଅଭ୍ୟାସ ହୋଇ ପାରୁନାହିଁ । ଅନ୍ତର୍ଜାତୀୟ ସ୍ତରର ନୂଆ ଅକାଡେମୀ ହେଲେ ଆମ ପିଲାମାନେ ଭଲ ଭାବରେ ଅଭ୍ୟାସ କରିପାରିବେ। ଯଦି ସଠିକ ଭାବରେ ଏହି ଅକାଡେମୀକୁ ପରିଚାଳନା କରାଯିବ, ତାହେଲେ ଦୁଇ ତିନି ବର୍ଷରେ ଆମେ ଓଡ଼ିଶା କ୍ରିକେଟରେ ପରିବର୍ତ୍ତନ ଦେଖି ପାରିବା ।’’



ତେବେ ୨୦୨୩ ମସିହାରେ ଏହି ନୂଆ ଅକାଡେମୀରେ ଖେଳ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଓସିଏ । କରୋନା କଟକଣା ଯୋଗୁଁ ଚାରି ମାସ ଧରି କ୍ରିକେଟ ଅଭ୍ୟାସ ବନ୍ଦ ରହିଥିବା ବେଳେ ବିସିସିଆଇର ନିର୍ଦ୍ଦେଶନାମାକୁ ଅପେକ୍ଷା କରାଯାଇଛି । ଅକ୍ଟେବର ମାସରେ କ୍ରିକେଟ ଅଭ୍ୟାସ ଆାରମ୍ଭ ହୋଇପାରେ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।
Published by: Anand Shankar Thankur Das
First published: August 2, 2020, 10:16 PM IST
corona virus btn
corona virus btn
Loading