କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ମିଶ୍ରିତ ଡୋଜ ପରୀକ୍ଷା ପାଇଁ DCGI ଅନୁମତି ଦେଲା (ପ୍ରତୀକାତ୍ମକ ଛବି)
News18 Odia Digital
ନୂଆ ଦିଲ୍ଲୀ : ଦେଶର ଟିକାକରଣରେ ବ୍ୟବହୃତ ଦୁଇଟି ପ୍ରମୁଖ କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ମିଶ୍ରିତ ଡୋଜର କ୍ଲିନିକାଲ ପରୀକ୍ଷଣ ଓ ଅଧ୍ୟୟନକୁ ଅନୁମୋଦନ ମିଳିଛି । କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ର ଡୋଜ କାମ କରୁଛି କି ନାହିଁ, ତାର ଅନୁଧ୍ୟାନ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ (DCGI) ଅନୁମତି ପ୍ରଦାନ କରିଛି । ମିଶ୍ରିତି ଡୋଜ ଉପରେ ଅଧ୍ୟୟନ ଓ ପରୀକ୍ଷା ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ହେବ ବୋଲି ସୂଚନା ମିଳିଛି ।
ଜୁଲାଇ ୨୯ରେ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନର ଏକ ବିଶେଷଜ୍ଞ କମିଟି ମିଶ୍ରିତ ଡୋଜର ଅଧ୍ୟୟନ ପାଇଁ ସୁପାରିଶ କରିଥିଲା । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନଠାରୁ ଏହି ଅଧ୍ୟୟନ ଭିନ୍ନ ହେବ । ଏହାପୂର୍ବରୁ ଉଭୟ ଟିକାର ମିଶ୍ରିତ ମାତ୍ରାରେ ଊପରେ ଆଇସିଏମଆର ଏକ ଅଧ୍ୟୟନ କରିଥିଲା । କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ମିଶ୍ରଣରୁ ସକରାତ୍ମକ ପରିଣାମ ମିଳୁଥିବା ଦାବି କରାଯାଇଥିଲା । ଦୁଇଟି ଟିକାର ଭିନ୍ନ ଭିନ୍ନ ଡୋଜ ନେଲେ ଲୋକଙ୍କ ନିକଟରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି ବୋଲି ICMR କହିଥିଲା । ଏବେ ଆନୁଷ୍ଠାନିକ ଭାବେ ଏହାର ଷ୍ଟଡି କରିବାକୁ ଏବେ ଅନୁମତି ଦେଇଛି DCGI ।
ଜଣେ ବ୍ୟକ୍ତି ଭିନ୍ନ ଭିନ୍ନ ଭ୍ୟାକ୍ସିନର ଦୁଇଟି ଡୋଜ ନେଲେ ଏହାର ପରିଣାମ କିଭଳି ରହୁଛି ଜାଣିବା ପାଇଁ ଆଇସିଏମଆର ପକ୍ଷରୁ ଏଭଳି ଗବେଷଣା କରାଯାଇଥିଲା । ଗବେଷଣାରେ ୯୮ ଜଣଙ୍କୁ ସାମିଲ କରାଯାଇଥିଲା । ଆଉ ସେଥି ମଧ୍ୟରୁ ୪୦ ଜଣଙ୍କୁ କୋଭିସିଲ୍ଡର ଦୁଇଟି ଡୋଜ୍, ୪୦ ଜଣଙ୍କୁ କୋଭାକ୍ସିନର ଦୁଇଟି ଡୋଜ୍ ଏବଂ ଅନ୍ୟ ୧୮ ଜଣଙ୍କୁ ପ୍ରଥମେ କୋଭିସିଲ୍ଡ ଓ ପରେ କୋଭାକ୍ସିନ ଟିକା ଦିଆଯାଇଥିଲା । ତେବେ ଯେଉଁମାନଙ୍କୁ ଦୁଇଟି ଅଲଗା ଅଲଗା ଡୋଜ ଦିଆଯାଇଥିଲା, ସେମାନଙ୍କଠାରେ ଅନ୍ୟମାନଙ୍କ ତୁଳନାରେ କରୋନାର ଆଲଫା, ବିଟା ଓ ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧୀ ଇମ୍ୟୁନୋଜେନେସିଟି ପ୍ରୋଫାଇଲ ବେଶ ପ୍ରଭାବୀ ରହିଥିଲା। ଖାଲି ସେତିକି ନୁହେଁ ଏହା ନିରାପଦ ବୋଲି ବି ICMR ଦାବି କରିଥିଲା ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।