ସାମାନ୍ୟ ଲକ୍ଷଣ ଥିଲେ ବା ଲକ୍ଷଣ ନ ଥିଲେ ଘରେ ପୃଥକବାସରେ ରହି ପାରିବେ ପ୍ରବାସୀ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି କହି ସରକାର ଲୋକଙ୍କୁ ବିଚଳିତ ନ ହେବାକୁ ପରାମର୍ଶ ଦେଇଛନ୍ତି । ଆଜି ରାଜ୍ୟରେ ଏକା ସାଙ୍ଗରେ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନୂଆ ନିୟମ ବିଷୟରେ ସୂଚନା ଦେଉଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନୂଆ ନିୟମ ବିଷୟରେ ସୂଚନା ଦେଉଛନ୍ତି ।

  • Share this:
News18 Odia Digital

ଭୁବନେଶ୍ୱର: ଏଣିକି ନୂଆ ନିୟମ ଅନୁସାରେ କରୋନା ଭାଇରସ୍‌ ସଂକ୍ରମଣର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବା କୌଣସି ଲକ୍ଷଣ ଦେଖାଯାଉନଥିବା ବ୍ୟକ୍ତି ନିଜ ଘରେ ପୃଥକବାସରେ ରହିପାରିବେ । କିନ୍ତୁ ସେମାନଙ୍କ ହାତରେ ଅଲିଭା କାଳିର ଷ୍ଟାମ୍ପ ଲଗାଯିବ ଓ ଘର କାନ୍ଥରେ କ୍ୱାରେଣ୍ଟାଇନ ଷ୍ଟିକର ଲଗାଯିବ । ଯେଉଁ ମାନଙ୍କ ଘରେ ଅଲଗା କୋଠରୀ ଓ ଅଲଗା ଶୌଚାଳୟ ଥିବ କେବଳ ସେହି ଲୋକଙ୍କୁ ଘରେ ରହିବା ପାଇଁ ଅନୁମତି ଦିଆଯିବ।

ରାଜ୍ୟରେ କରୋନା ମୁକାବିଲାରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ନିଜ ଘରେ ପୃଥକବାସରେ ଥିବା ବ୍ୟକ୍ତିଙ୍କର ଯଦି ପରବର୍ତ୍ତୀ ମୁହୂର୍ତ୍ତରେ କିଛି ସମସ୍ୟା ଉପୁଜେ ତେବେ ତାଙ୍କୁ କୋଭିଡ ସେଣ୍ଟରକୁ ଅଣାଯିବ । ଏହି ନିୟମ କେବଳ ସହରାଞ୍ଚଳ ପାଇଁ ଲାଗୁ କରାଯିବ ବୋଲି ସେ କହିଛନ୍ତି।

ନୂଆ ନିୟମ ଅନୁସାରେ ପ୍ରବାସୀମାନେ ଫେରିବା ପରେ ସରକାରଙ୍କ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରହିବେ । ସରପଞ୍ଚମାନେ କ୍ୟାମ୍ପଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ କୌଣସି ପ୍ରବାସୀ ଠାରେ କିଛି ଲକ୍ଷଣ ପରିଲକ୍ଷିତ ହେଲେ କୋଭିଡ ହସ୍ପିଟାଲକୁ ପଠାଇବା ବ୍ୟବସ୍ଥା କରିବେ । ଗର୍ଭବତୀ, ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁ, କିମ୍ବା ଦିବ୍ୟାଙ୍ଗମାନଙ୍କ ପରୀକ୍ଷା ଉପରେ ପ୍ରାଥମିକତା ଦେବା ସହ କିଛି ଲକ୍ଷଣ ପରିଲକ୍ଷିତ ନ ହେଲେ ହୋମ୍‌ କ୍ୱାରେଣ୍ଟିଇନରେ ରହି ପାରିବେ ବୋଲି କୁହାଯାଇଛି ।

ଗଞ୍ଜାମରେ ଟ୍ରେନରେ ଆସି ପହଞ୍ଚୁଥିବା ପ୍ରବାସୀ ଓଡ଼ିଆମାନେ


ଦିନକୁ ଦିନ ରାଜ୍ୟରେ କାୟା ମେଲାଉଛି କରୋନା ଭାଇରସ୍‌ ସଂକ୍ରମଣ । ଗୋଟେ ପରେ ଗୋଟେ ଜିଲ୍ଲାକୁ କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୧ଟି ଜିଲ୍ଲା ସଂକ୍ରମିତ ତାଲିକାରେ ସାମିଲ ହେଲେଣି । ଆଜି ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଞ୍ଚିଛି । ତେବେ ଆଗକୁ ସଂଖ୍ୟା ଆହୁରି ବଢିବ ବୋଲି ସରକାର ଆକଳନ କରିଛନ୍ତି । ପ୍ରବାସୀମାନେ ରାଜ୍ୟକୁ ଆସୁଥିବାରୁ ସଂଖ୍ୟା ଢେର ବଢିବାର ଆଶଙ୍କା ରହିଛି । କିନ୍ତୁ ଏଥିରେ ବିଚଳିତ ନ ହେବାକୁ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: ରାଜ୍ୟରେ ମେ ୨୦ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍ ଖାତା ଦେଖା; ୨୦ ଦିନରେ ସରିବ

ଶେଷ ୨୪୧ ଜଣ ଚିହ୍ନଟ ଆକ୍ରାନ୍ତଙ୍କ  ମଧ୍ୟରୁ ୨୨୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି, ଯାହାକି ଆସ୍ୱସ୍ତିର ଖବର ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ସରପଞ୍ଚମାନେ କ୍ୱାରେଣ୍ଟାଇନ ସେଣ୍ଟର ଉପରେ ନଜର ରଖିବା ସହ ଟିକିନିକ ଖବର ସରକାରଙ୍କୁ ଜଣାଇବାକୁ କୁହାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କର କୌଣସି ଲକ୍ଷଣ ପରିଲକ୍ଷିତ ହୁଏ ସେ ନେଇ ଜଣାଇବାକୁ ସରପଞ୍ଚମାନଙ୍କୁ ସରକାର ପରାମର୍ଶ ଦେଇଛନ୍ତି।

‘‘ଦୁଇ ଦିନ ପୂର୍ବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ ଥିଲା । ଆଜି ପ୍ରାୟ ୪୦୦ ପାଖାପାଖି ପହଞ୍ଚିଛି । ଆଗକୁ ଆହୁରି ବଢ଼ିବ । କିନ୍ତୁ ଏଥିରେ କିଛି ବିଚଳିତ ହେବାର ନାହିଁ । ରୋଗକୁ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଧରି ରଖିବାର ଅଛି । ବର୍ତ୍ତମାନ ବିଚଳିତ ହେବାର ସମୟ ନୁହେଁ କି କାହାକୁ ଦାୟୀ କରିବାର ସମୟ ନୁହେଁ । ଯାହା ହେଉଛି ତାହାର ଆକଳନ କରାଯାଇଛି,’’ କହିଛନ୍ତି ଆଇ.ଇ.ସି. ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ।

ଏହା ବି ପଢ଼ନ୍ତୁ: କାଲି ଠାରୁ ଦେଶରେ ଟ୍ରେନ୍ ଚାଲିବା ଆରମ୍ଭ ହେବ; ଆପଣ ଟିକେଟ୍ ବୁକିଂ କରିପାରନ୍ତି

ଆଜି ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମୋଟ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି – ଗଞ୍ଜାମରୁ ୧୨, କେନ୍ଦ୍ରାପଡ଼ାରୁ ୧, ସୁନ୍ଦରଗଡ଼ରୁ ୧ ଓ ଅପରାହ୍ଣରେ ଯାଜପୁର, କଟକ ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର ହେଉଛି ଯେ ଏକା ସାଙ୍ଗରେ ୧୭ ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୭, ଭୁବନେଶ୍ୱରରୁ ୫, ଭଦ୍ରକରୁ ୩ ଓ ବାଲେଶ୍ୱରରୁ ୨ ଜଣ ରହିଛନ୍ତି । ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ: ଲକଡାଉନ୍‌ର ସବୁ ନିୟମ ମାନି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
Published by:Anand Shankar Thankur Das
First published: