ମୁଣ୍ଡରେ ବସ୍ତା, ହାତରେ ବାଲଟି, କଟକରୁ ମଧ୍ୟ ପ୍ରଦେଶ ବାହାରିଲେ ୪୭ ଲୋକ; ସାହାଯ୍ୟ ପାଇଲେ

କାରଖାନା ମାଲିକ ମାସେ ଖାଇବାକୁ ଦେଇ ଲକଡାଉନ ଅବଧି ବଢ଼ିବା ପରେ ଆଉ ଖାଇବାକୁ ନ ଦେବାରୁ ଶ୍ରମିକମାନେ କଟକ ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ କରିଥିଲେ । ହେଲେ କିଛି ଫଳ ମିଳି ନ ଥିଲା ବୋଲି ସେମାନେ କହିଛନ୍ତି ।

ଦହିସରା ଗ୍ରାମ ନିକଟରେ ମଧ୍ୟ ପ୍ରଦେଶର ଶ୍ରମିକମାନଙ୍କ ସହ ତିଗିରିଆ ତହସିଲଦାର ପରେଶ କୁମାର ନାୟକ

ଦହିସରା ଗ୍ରାମ ନିକଟରେ ମଧ୍ୟ ପ୍ରଦେଶର ଶ୍ରମିକମାନଙ୍କ ସହ ତିଗିରିଆ ତହସିଲଦାର ପରେଶ କୁମାର ନାୟକ

  • Share this:
ସନ୍ତୋଷ ବାରିକ | News18 Odia Digital

ଆଠଗଡ଼: କଟକରେ ଏକ କାରଖାନାରେ କାମ କରୁଥିବା ମଧ୍ୟ ପ୍ରଦେଶର ଦଳେ ଶ୍ରମିକ ଲକଡାଉନ ଯୋଗୁଁ ଦୁଇ ମାସ ତଳେ କାମ ଧନ୍ଦା ହରେଇ ଏବେ ଭୋକ ଉପାସରୁ ବର୍ତ୍ତିବା ପାଇଁ ନିଜ ରାଜ୍ୟକୁ ପାଦରେ ଚାଲିଚାଲି ଯିବା ଆରମ୍ଭ କରିଥିଲେ । ମହିଳା ଓ ସାନ ପିଲା ଥିବା ଏହି ୪୭ ଜଣିଆ ଦଳ ଚାଲି ଚାଲି ଆସି ଆଠଗଡ ଥାନା ଅନ୍ତର୍ଗତ ଦହିସରା ଗ୍ରାମ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ସହାୟତା ମିଳିଥିଲା ।

ଏହି ୪୭ ଜଣ ପ୍ରବାସୀ ଶ୍ରମିକ ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର ବାସିନ୍ଦା । ସେମାନେ କଟକ ସହରରେ ରହି ARCS ନାମକ ଏକ ପାଇପ କାରଖାନାରେ କାମ କରୁଥିଲେ । ଲକଡାଉନ ହେବା ଫଳରେ ଦୁଇ ମାସ ହେବ କାମ ବନ୍ଦ ହେବା ଯୋଗୁଁ କାରଖାନାର ମାଲିକ ସେମାନଙ୍କୁ ମାସେ ଖାଇବାକୁ ଦେଇଥିଲେ, ମାତ୍ର ଲକଡାଉନର ଅବଧି ବଢ଼ିବା ପରେ ଆଉ ଖାଇବାକୁ ନ ଦେବାରୁ ସେମାନେ କଟକ ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ କରିଥିଲେ । ହେଲେ କିଛି ଫଳ ନ ମିଳିବାରୁ ବାଧ୍ୟ ହୋଇ ସେମାନେ ଭୋର୍‌ ଭୋର୍‌ ନିଜ ଜିନିଷ ପତ୍ର ଧରି ହଜାରେ କିଲୋମିଟର ପାଖାପାଖି ବାଟ ପାଦରେ ଚାଲି ଚାଲି ଯିବା ପାଇଁ ବାହାରିଥିଲେ ।

‘‘ସରକାରୀ ନିୟମ ମୁତାବକ ଯାହା ଡକ୍ୟୁମେଣ୍ଟ ଆବଶ୍ୟକ ସେସବୁ ଆମେ ପ୍ରଶାସନକୁ ଦେଇଥିଲୁ, କିନ୍ତୁ କୈଣସି ଅଧିକାରୀ ଆମ ଗୁହାରୀ ଶୁଣି ନ ଥିଲେ । ଖାଇବାକୁ ନ ପାଇବାରୁ ଆମେ ନିଜ ଗାଁକୁ ଫେରିବା ପାଇଁ ଆଜି ଭୋର୍‌ ୪ଟା ସମୟରେ ବାହାରିଥିଲୁ । ଆମ ଦଳରେ ଅଛନ୍ତି ୧୪ ଜଣ ମହିଳା, ୨୫ ଜଣ ପୁରୁଷ ଓ ୮ ଜଣ ଛୁଆ,’’ କହିଛନ୍ତି ପ୍ରବାସୀ ଶ୍ରମିକ ବାପୁ ସିଂହ ।

ଏହି ୪୭ ଜଣିଆ ଦଳରେ ୧୪ ଜଣ ମହିଳା, ୨୫ ଜଣ ପୁରୁଷ ଓ ୮ ଜଣ ଛୁଆ ଅଛନ୍ତି ।


ସେହି ଦଳରେ ଥିବା ଆଉ ଜଣେ ଶ୍ରମିକ କମଲ ସିଂହ କହିଛନ୍ତି, ‘‘ଆମେ ଜାଣୁ ଯେ ରାସ୍ତା ଖୁବ୍‌ ଲମ୍ବା, ଆଉ ଆମକୁ ବହୁତ କଷ୍ଟ ହେବ । ମାତ୍ର ଆମେ ପହଞ୍ଚିଯିବୁ ବୋଲି ଆଶା ଓ ବିଶ୍ୱାସରେ ବାହାରିଛୁ ।’’

ଏହି ପ୍ରବାସୀ ଶ୍ରମିକମାନଙ୍କ ମୁଣ୍ଡରେ ଥିଲା ବସ୍ତା ଓ ହାତରେ ବାଲଟି ଓ ଡେକିଚି । ମହିଳାମାନେ କୋଳରେ ଛୁଆମାନଙ୍କୁ କାଖେଇ ପ୍ରଚଣ୍ଡ ଖରାରେ ରାସ୍ତାରେ ଚାଲି ଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସେମାନେ କଟକ ସହର ଠାରୁ ପ୍ରାୟ ୩୫ କିମି ଚାଲି ଚାଲି ଆସି ଆଠଗଡ଼ ଥାନା ଅନ୍ତର୍ଗତ ଦହସରା ଗ୍ରାମ ନିକଟରେ ପହଞ୍ଚିଥିବା ବେଳେ ସେହି ବାଟ ଦେଇ ଯାଉଥିବା ଓ.ଏ.ଏସ. ଅଫିସର ତଥା ତିଗିରିଆ ବ୍ଲକର ତହସିଲଦାର ପରେଶ କୁମାର ନାୟକ ସେମାନଙ୍କୁ ଦେଖି ଅଟକିଥିଲେ ।

ତହସିଲଦାର କାର ଯୋଗେ ଯାଉଥିବା ସମୟରେ ଏଭଳି ଦୃଶ୍ୟ ଦେଖି ପ୍ରବାସୀ ଶ୍ରମିକମାନଙ୍କୁ ଅଟକାଇ ପଚାରିବା ପରେ ସମସ୍ତ ତଥ୍ୟ ଜାଣିବାକୁ ପାଇଥିଲେ । ତେବେ ତହସିଲଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବହୁତ ଖରାପ ଥିଲେ ମଧ୍ୟ ତାକୁ ଖାତିରି ନ କରି ପ୍ରଚଣ୍ଡ ଖରାରେ ସେଠାରେ ପାଖାପାଖି ଦୁଇ ଘଣ୍ଟା ଧରି କଟକ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମଧ୍ୟ ପ୍ରଦେଶର ଝାବୁଆ ଜିଲ୍ଲାପାଳଙ୍କ ସହିତ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଲୋଚନା କରିଥିଲେ ପରେଶ କୁମାର ନାୟକ ।

ପରେ ତହସିଲଦାରଙ୍କ ସହଯୋଗରେ ଓ ନିୟୁଜ ୧୮ ଓଡ଼ିଆ ଡିଜିଟାଲର ଏହି ପ୍ରତିନିଧିଙ୍କ ସହାୟତାରେ ତିନୋଟି ଗାଡ଼ିରେ ଏହି ପ୍ରବାସୀ ଶ୍ରମିକମାନଙ୍କୁ ଆଣି ଆଠଗଡ଼଼ ସହରରେ ଥିବା ଏକ କ୍ବାରଣ୍ଟାଇନ ସେଣ୍ଟରରେ ରଖିବା ସହିତ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଥିଲା ।

‘‘ମଧ୍ୟ ପ୍ରଦେଶ ଝାବୁଆ ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଛି । ଦୁଇ ଦିନ ପରେ ଟ୍ରେନ ମଧ୍ୟପ୍ରଦେଶ ଯିବାର ଅଛି । ଝାବୁଆର ଜିଲ୍ଲାପାଳଙ୍କ ଠାରୁ ସୂଚନା ମିଳିବା ପରେ ଏହି ପ୍ରବାସୀମାନଙ୍କୁ ଟ୍ରେନ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଛଡାଯିବ,’’ କହିଛନ୍ତି ତିଗିରିଆ ତହସିଲଦାର ପରେଶ ନାୟକ ।

କଟକ ପ୍ରଶାସନର ଏଭଳି କାର୍ଯ୍ୟକୁ ପ୍ରବାସୀ ଶ୍ରମିକମାନେ ଧନ୍ୟବାଦ ଜଣାଇଛନ୍ତି । ଏହି ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା କରିବା ବିଷୟରେ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦେଶ ଝାବୁଆ ଜିଲ୍ଲାର ଜିଲ୍ଲାପାଳ ଏକ ଚିଠି ମେ ୧୪ରେ ଲେଖିଥିବା ଜଣାପଡିଛି ।

ଏହା ବି ପଢ଼ନ୍ତୁ: କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟ ବଢ଼େଇବାକୁ ଅର୍ଥ ମନ୍ତ୍ରୀ ଏହି ୧୧ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: ଆସୁଛି ବାତ୍ୟା: ରାଜ୍ୟରେ ସମୁଦ୍ର କୂଳରୁ ୩ କିମି ଭିତରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି

ଏହା ବି ପଢ଼ନ୍ତୁ: ମେ ୩୧ ସୁଦ୍ଧା ଏହି କାମ ନ କଲେ ମାତ୍ର ୧୨ ଟଙ୍କାରେ ମିଳୁଥିବା ବୀମାର ଲାଭ ଆପଣ ହରେଇବେ

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୬୭୨ ହେଲା
First published: