ଓଡ଼ିଶାକୁ ଏବେ ଜଳ ପଥରେ ଆସୁଛି କରୋନା ବିପଦ; ପୁରୀ, ଗଞ୍ଜାମ ଜିଲ୍ଲାରେ ପୋଲିସ ଆଲର୍ଟ

ପଶ୍ଚିମ ବଙ୍ଗରୁ ଓଡ଼ିଆମାନଙ୍କ ଫେରିବା ଯୋଗୁଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ସରକାର ସୀମାକୁ ସିଲ କଲେ । ହେଲେ ବାହାର ରାଜ୍ୟରୁ କିଛି ଓଡିଆ ଲୋକେ ଲୁଚାଛପାରେ ସମୁଦ୍ର ପଥରେ ଓଡ଼ିଶାକୁ ଫେରିବା ଆରମ୍ଭ କରିଦେଇଛନ୍ତି ।

ଓଡ଼ିଶାକୁ ଏବେ ଜଳ ପଥରେ ଆସୁଛି କରୋନା ବିପଦ; ପୁରୀ, ଗଞ୍ଜାମ ଜିଲ୍ଲାରେ ପୋଲିସ ଆଲର୍ଟ
ଦୁଇ ଦିନ ତଳେ ଚେନ୍ନାଇରୁ ଏକ ଡଙ୍ଗା କିଣି କିଛି ପ୍ରବାସୀ ଓଡ଼ିଆ ଶ୍ରମିକ ସମୁଦ୍ରରେ ଆସି ଗଞ୍ଜାମ ତଟରେ ପହଞ୍ଚିଥିଲେ ।
  • News18 Odia
  • Last Updated: April 22, 2020, 10:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବା ଭୟରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ଅନୁପ୍ରବେଶ ରୋକିବା ପାଇଁ ରାଜ୍ୟର ସବୁ ସୀମା ସିଲ କରାଯିବା ପରେ ଏବେ ସେମାନଙ୍କ ପାଇଁ ଜଳ ପଥ ପାଲଟିଛି ସାହାରା । ପଶ୍ଚିମ ବଙ୍ଗରୁ ଓଡ଼ିଆମାନଙ୍କ ଫେରିବା ଯୋଗୁଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ରାଜ୍ୟ ସରକାର ସ୍ଥଳ ପଥକୁ ସିଲ କରିଦେଲେ । ହେଲେ ବାହାର ରାଜ୍ୟରେ ଥିବା କିଛି ଓଡ଼ିଆ ଲୋକେ ଲୁଚାଛପାରେ ସମୁଦ୍ର ପଥରେ ତାମିଲ ନାଡ଼ୁ ଓ ଆନ୍ଧ୍ର ପ୍ରଦେଶରୁ ଓଡ଼ିଶାକୁ ଫେରିବା ଆରମ୍ଭ କରିଦେଇଛନ୍ତି ।

ଦୁଇ ଦିନ ତଳେ ଚେନ୍ନାଇରୁ ଏକ ଡଙ୍ଗା କିଣି କିଛି ପ୍ରବାସୀ ଓଡ଼ିଆ ଶ୍ରମିକ ଜଳ ପଥରେ ଆସି ଗଞ୍ଜାମ ତଟରେ ପହଞ୍ଚିବା ପରେ ଆନ୍ଧ୍ର ପ୍ରଦେଶ ପୁଲିସ ସେମାନଙ୍କୁ ଧରି ନେଇ କ୍ୱାରାଣ୍ଟାଇନରେ ରଖିଛି । ଏପ୍ରିଲ ୧୬ରେ ଛଅ ଜଣ ମତ୍ସ୍ୟଜୀବୀ ପୁରୀ ଉପକୁଳରେ ପହଞ୍ଚିବା ପରେ ଜଣେ ପେଣ୍ଠକଟାରେ ଓ ପାଞ୍ଚ ଜଣ କୋଣାର୍କରେ ପହଞ୍ଚିଥିଲେ । ମତ୍ସ୍ୟଜିବୀମାନେ ସେମାନଙ୍କ ବିଷୟରେ ଖବର ଦେବା ପରେ ସେମାନଘ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି  ।

କୌଣସି ପ୍ରବାସୀ ଶ୍ରମିକ ଆସି ଲୁଚିକି ରହିଲେ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସବୁ ତହସିଲଦାର, ମତ୍ସ୍ୟ ଅଧିକାରୀ ଓ ମତ୍ସ୍ୟଜିବୀଙ୍କ ସହ ନିକଟସ୍ଥ ସାମୁଦ୍ରିକ ଥାନାକୁ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କୋଣାର୍କରେ ଏକ କ୍ୱାରାଣ୍ଟାଇନ୍ କେନ୍ଦ୍ର


ଅସ୍ତରଙ୍ଗ ଅଞ୍ଚଳରେ ସମୁଦ୍ର ଭିତରେରେ ପାଟ୍ରୋଲିଂ ଚାଲିଛି। ଆଠଟି ମେରାଇନ ଥାନା ସହିତ ଟେରିଟୋରୀଆଲ ଥାନା ମଧ୍ୟ ଉପକୂଳ ଓ ସମୁଦ୍ର ବେଳାଭୂମି ଉପରେ କଡା ନଜର ରଖିଛନ୍ତି। ପୁରୀ ବେଳାଭୂମିରେ ବିଚ୍ ସ୍କୁଟରରେ ସର୍ବକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇ ପୁଲିସ ପ୍ରଶାସନ ପୁରା ଆଲର୍ଟ ରହିଛି । ଏପ୍ରିଲ ୧୬ ରେ ଚେନ୍ନାଇରୁ ଯେଉଁ କିଛି ଲୋକେ ଜଳ ପଥରେ ପୁରୀ ଆସିଥିଲେ, ସେମାନଙ୍କୁ କୋଣାର୍କରେ ଓ ଆନ୍ଧ୍ରର ମଛଲିପଟନମରେ କ୍ୱାରାଣ୍ଟାଇନରେ ରଖାଯାଇଛି  ।

‘‘ଜିଲ୍ଲାର ୧୪୦ କିଲୋମିଟର ବେଳାଭୂମିରେ ନିଆଯାଇଛି କଡା ସୁରକ୍ଷା ବ୍ୟବସ୍ଥା ।  ସମୁଦ୍ର ପଥରେ ଜିଲ୍ଲା ଭିତରକୁ ଥିବା ସମସ୍ତ ପ୍ରବେଶ ପଥ ଓ ମାଛଧରା କେନ୍ଦ୍ର ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ବାହାରୁ ସମୁଦ୍ର ପଥ ଦେଇ ଆସୁଥିବା ଯେ କୌଣସି ସନ୍ଦିଗ୍ଧ ମତ୍ସ୍ୟଜିବୀ କି ଅଣମତ୍ସ୍ୟଜିବୀଙ୍କୁ ନିୟମ ଅନୁଯାୟୀ କ୍ୱାରାଣ୍ଟାଇନକୁ ପଠାଯିବ । ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ, ତହସିଲଦାର ଓ ନିକଟସ୍ଥ ଥାନା ସହ ମେରାଇନ ଥାନାଗୁଡ଼ିକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।

ପେଣ୍ଠକଟାର ମତ୍ସ୍ୟଜିବୀ ନେତା ବି. ରବିନ୍ଦ୍ର କହିଛନ୍ତି ଯେ ମତ୍ସ୍ୟଜିବୀ ସମ୍ପ୍ରଦାୟର ସବୁଠି ସମ୍ପର୍କ ଭଲ ଥିବାରୁ ସେମାନେ ପୁରୀରୁ ଆରମ୍ଭ କରି ଚେନ୍ନାଇ ପର୍ଯ୍ୟନ୍ତ ଯେଉଁଠୁ ଚାହିଁବେ ସେଠୁ ଡଙ୍ଗା ଧରି ପୁରୀ ଆସିପାରିବେ । ଓଡିଶାର କିଛି ମତ୍ସ୍ୟଜିବୀ ଚେନ୍ନାଇରୁ ଦେଢ ଲକ୍ଷ ଟଙ୍କା ଦେଇ ଏକ ଡଙ୍ଗା କିଣି ସେଥିରେ ଜଳ ପଥରେ ପଳାଇ ଆସିଥିଲେ ବୋଲି ସେ କହିଛନ୍ତି । ‘‘ପୁରୀ ପେଣ୍ଠକଟାର ଜଣେ ମତ୍ସ୍ୟଜିବୀ ସେଥିରେ ଆସିଥିବା ବେଳେ ତାକୁ ଗଭୀର ସମୁଦ୍ରରେ ଓହ୍ଲାଇଦେବାରୁ ସେ  ପାଞ୍ଚ କିଲୋମିଟର  ସମୁଦ୍ରରେ ପହଁରି ପହଁରି ପେଣ୍ଠକଟାରେ ପହଞ୍ଚିବା ପରେ ଲୋକେ ଖବର ଦେବାରୁ ତାକୁ ବି ସଙ୍ଗରୋଧ କରି ରଖାଯାଇଛି,’’ ସେ କହିଛନ୍ତି ।

ପୁରୀରେ ଉପକୁଳ ଏକପ୍ରକାର ମୁକୁଳା ରହିଛି  । ଅସ୍ତରଙ୍ଗ, କୋଣାର୍କ, ସାତପଡା, ପୁରୀ ଓ ଚିଲିକାର ବିସ୍ତୃତ ଅଞ୍ଚଳର ଜଳପଥ ଏବେ ଉନ୍ମୁକ୍ତ ରହିଛି  । ମାଛମାରିବା ବାହାନାରେ ସେମାନେ ପୁରୀ ଉପକୁଳକୁ ପ୍ରବେଶ କରୁଛନ୍ତି । ଚେନ୍ନାଇରୁ ଜଳପଥରେ ଓଡିଶା ପହଞ୍ଚିବା ନେଇ ଜଳ ପଥ ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି ।

‘‘ପୁରୀ ଜିଲ୍ଲାରେ ମତ୍ସ୍ୟଜିବୀମାନେ ସବୁବେଳେ ସରକାରଙ୍କୁ ସହଯୋଗ କରିଆସିଛନ୍ତି । ତେଣୁ ଆମେ ପୁରା ଜାଗ୍ରତ ରହିଛୁ ଓ ସରକାରଙ୍କ ନୀତିକୁ ପାଳନ କରୁଛୁ । କେହେ ବି ସମୁଦ୍ର ପଥରେ ଆସି ପହଞ୍ଚିଲେ ତାକୁ ଧରି ପୁଲିସ କି ପ୍ରଶାସନକୁ ଜିମା ଦେବୁ,’’ କହିଛନ୍ତି ମତ୍ସ୍ୟଜିବୀ ମହାସଙ୍ଘର ଉପସଭାପତି ବାବୁଲା ପ୍ରସାଦ ରାଓ ।

ସବୁ ତହସିଲଦାର ଓ ମତ୍ସ୍ୟ ଅଧିକାରୀଙ୍କୁ ଅନୁପ୍ରବେଶ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।


ପୁରୀ ଉପକୁଳରେ ଡଙ୍ଗାରେ ଆନ୍ଧ୍ର ପ୍ରଦେଶରୁ ଜଳ ପଥରେ ଆସି ପହଞ୍ଚିବାକୁ ଗୁରୁତର ସହ ନେଇଛି ପ୍ରଶାସନ । କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ଓ କେଉଁ ପରିସ୍ଥିତିରେ ଏହା ସମ୍ଭବ ହେଲା ତା’ର ତଦନ୍ତ ଚାଲିଛି । ସମଗ୍ର ସମୁଦ୍ର ତଟର ସୁରକ୍ଷା ପାଇଁ ପୁରୀ ପୁଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି  ।  ଅସ୍ତରଙ୍ଗ ଅଞ୍ଚଳରେ ସମୁଦ୍ର ଭିତରେରେ ପାଟ୍ରୋଲିଂ ଚାଲିଛି ।

‘‘ଆଠଟି ମେରାଇନ ଥାନା ସହିତ ଟେରିଟୋରୀଆଲ ଥାନା ମଧ୍ୟ ଉପକୂଳ ଓ ସମୁଦ୍ର ବେଳାଭୂମି ଉପରେ କଡା ନଜର ରଖିଛନ୍ତି । ପୁରୀ ବେଳାଭୂମିରେ ବିଚ୍ ସ୍କୁଟରରେ ସର୍ବକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ୱାଚ୍ ଟାୱରରୁ ହ୍ୟୁମାନ ପାଟ୍ରୋଲିଂ କରାଯାଉଛି । ବାଇନାକୁଲାର ସାହାଯ୍ୟରେ ସମୁଦ୍ର ଉପରେ ନଜର ରଖାଯାଇଛି । ତେବେ ଗଞ୍ଜାମ ଅଞ୍ଚଳରେ ଡଙ୍ଗା ଜବତ ହେବା ଘଟଣାକୁ ନେଇ ସତର୍କ ରହିଛୁ  । ମ୍ୟାନପାୱର ଅଭାବ ଥିଲେ ମଧ୍ୟ ପୁରୀ ବେଳାଭୂମି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସହରରେ ବେଳାଭୂମିରେ ଡ୍ରୋନ ସାହାଯ୍ୟରେ ପାଟ୍ରୋଲିଂ କରାଯାଉଛି,’’ କହିଛନ୍ତି ପୁରୀ ଏସପି ଉମାଶଙ୍କର ଦାଶ  ।

ବିଶେଷକରି ସପ୍ତାହରେ ବୁଧବାର, ଶୁକ୍ରବାର ଓ ରବିବାର ପୁରୀର ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ସମୁଦ୍ରକୁ ଯାଇଥାନ୍ତି । ଫେରିବା ସମୟରେ ପୁଲିସ ଉପସ୍ଥିତ ରହି ସେମାନଙ୍କୁ ଯାଞ୍ଚ କରିବା ସହ ଅଜଣା ଲୋକଙ୍କ ଉପରେ କଡା ନଜର ରଖୁଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥଳ ପଥରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ଗାଁରେ ପୁରାଇ ନ ଦେବାକୁ ମୁଖ୍ୟ ମନ୍ତ୍ରୀ ସମସ୍ତ ସରପଞ୍ଚମାନଙ୍କୁ ଭିସି ମାଧ୍ୟମରେ ଶପଥ କରାଇଛନ୍ତି । ଗାଁ ଗାଁକୁ ଜଗି୍ବେ ସରପଞ୍ଚ ।

‘‘ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ଆମେ ଏଥି ପାଇଁ ତାଗିଦ କରିଛୁ । ସେମାନେ ଘର ଘର ବୁଲି ଅନୁଧ୍ୟାନ କରୁଛନ୍ତି  । ମତ୍ସ୍ୟଜିବୀମାନେ ବାହାର ଲୋକଙ୍କୁ ଡଙ୍ଗାରେ ନେଇ ଆସିବାର ସମ୍ଭାବନା ଥିବାରୁ ସ୍ଥାନୀୟ ମତ୍ସ୍ୟଜିବୀମାନେ ମଧ୍ୟ ସଜାଗ ରହିଛନ୍ତି  । ଆଉ ମୁଖ୍ୟ ମନ୍ତ୍ରୀ ଆମକୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିବା ବେଳେ ଆଜିର ଶପଥ ପାଠ ନିହାତି ଆମକୁ ମାନସିକ ସ୍ତରରେ ଜଣେ ଜଣେ ଯୋଦ୍ଧା କରିଦେଇଛି,’’ କହିଛନ୍ତି ପୁରୀ ସଦର ବ୍ଲକ ଗୋପିନାଥପୁରର ସରପଞ୍ଚ ରାଜକିଶୋର ରାଉତ ।

ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରବିନ୍ଦ୍ର ମହାନ୍ତି କହିଛନ୍ତି ଯେ ସାମଦ୍ରିକ ପଥ ଦେଇ ପ୍ରବେଶ କରୁଥିବା ଲୋକଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି  । ‘‘ଏବେ ସାମୁଦ୍ରିକ ଜଳଜୀବ ଓ ମତ୍ସ୍ୟ ସମ୍ପଦର ସୁରକ୍ଷାକୁ ନେଇ ଜୁନ ୧୪ ପର୍ଯ୍ୟନ୍ତ ଗଭୀର ସମୁଦ୍ରରେ ମାଛମରା ନିଷେଧ । ସାମୁଦ୍ରିକ ଥାନା ଅଧିକାରୀ ଓ ତହସିଲଦାରଙ୍କୁ ନେଇ ଚଢାଉ କରାଯିବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି  । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଜଳସେଚନ ବିଭାଗକୁ ଡଙ୍ଗା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ତଟ ଗାଁଗୁଡ଼ିକୁ ସଚେତନ କରାଯାଇଥିବା ବେଳେ ଦୈନିକ ଚଢାଉର ରିପୋର୍ଟ ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି,’’ ସେ କହିଛନ୍ତି ।
First published: April 22, 2020, 10:55 PM IST
corona virus btn
corona virus btn
Loading