ଏତେ ସଂଖ୍ୟାରେ ଫେରୁଥିବା ପ୍ରବାସୀ ଓଡ଼ିଆମାନେ ଏବେ ପଞ୍ଚାୟତ ପାଇଁ ଏକ ଚ୍ୟାଲେଞ୍ଜ

କେତେକ ସରପଞ୍ଚ କ୍ବାରେଣ୍ଟିନ ସେଣ୍ଟରକୁ ଆସୋଲେସନ ସେଣ୍ଟର ଭାବେ ନ ରଖି ଆକ୍ଟିଭିଟି ସେଣ୍ଟରରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି, ଫଳରେ ପ୍ରବାସୀମାନେ ଘରକୁ ଯିବାକୁ ବ୍ୟଗ୍ର ହେବେନି ।

ଏତେ ସଂଖ୍ୟାରେ ଫେରୁଥିବା ପ୍ରବାସୀ ଓଡ଼ିଆମାନେ ଏବେ ପଞ୍ଚାୟତ ପାଇଁ ଏକ ଚ୍ୟାଲେଞ୍ଜ
ଯାଜପୁରରେ ଏକ କ୍ୱାରେଣ୍ଟାଇନ୍ ସେଣ୍ଟର୍ ବାହାରେ ସରକାରୀ ଅଧିକାରୀମାନେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପଶ୍ଚିମ ବଙ୍ଗ, ଗୁଜୁରାଟ, କେରଳ, ମହାରାଷ୍ଟ୍ର ଓ ନୂଆ ଦିଲ୍ଲୀ ଆଦି ରାଜ୍ୟରୁ ଲଗାତର ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରିବାରେ ଲାଗିଛନ୍ତି । ଏବେ ସୁଦ୍ଧା ପଞ୍ଜୀକୃତ ପ୍ରାୟ ୫ ଲକ୍ଷ ଓଡ଼ିଆ ପର୍ଯ୍ୟୟକ୍ରମେ ରାଜ୍ୟକୁ ଫେରିବାକୁ ଥିବା ବେଳେ ସରକାରୀ ସୂଚନା ଅନୁସାରେ ଫେରିଲେଣି ୪୦,୦୦୦ରୁ ଅଧିକ । ଏତେ ସଂଖ୍ୟକ ପ୍ରବାସୀଙ୍କ ଘର ବାହୁଡା ଏବେ ପଞ୍ଚାୟତ ପ୍ରତିନିଧିଙ୍କ ଲାଗି ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଏବେ ପଞ୍ଚାୟତ ଅଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟରେ ତିଆରି କ୍ବାରେଣ୍ଟିନ ସେଣ୍ଟରର ତଦାରଖରେ କଟୁଛି ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରୀନାମଣୀ ବେହେରାଙ୍କର ସମୟ । ଏହି କେନ୍ଦ୍ରକୁ କୌଣସି ସମୟରେ ବି ଆସିପାରନ୍ତି କରୋନା ପଜିଟିଭ ରୋଗୀ । କେନ୍ଦ୍ରରେ ଯେଭଳି ସେମାନଙ୍କର କିଛି ବି ଅସୁବିଧା ନ ହୁଏ ସ ନେଇ ସେ ତତ୍ପର।

‘‘ମୁଖ୍ୟ ମନ୍ତ୍ରୀ ଆମର ଶପଥ ନେଇଛନ୍ତି ଯେ ଆମେ ରାଜ୍ୟକୁ କରୋନା ମୁକ୍ତ କରିବୁ। ଏଥି ପାଇଁ ଯେତେ କଷ୍ଟ ସ୍ୱୀକାର କରିବାକୁ ପଡୁ ନା କାହିଁକି, ଆମେ ତାକୁ କରି ଦେଖାଇବୁ । ସେଥି ପାଇଁ ଆମେ କ୍ବାରେଣ୍ଟିନ ସେଣ୍ଟରକୁ ଆସୋଲେସନ ସେଣ୍ଟର ଭାବେ ନୁହେଁ, ଆକ୍ଟିଭିଟି ସେଣ୍ଟର ରେ ପରିଣତ କରିବୁ । ସବୁ ପ୍ରସ୍ତୁତି ଶେଷ ହୋଇଛି,’’ କହିଛନ୍ତି ରୀନାମଣୀ ।

ଗଞ୍ଜାମରେ ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଉଗ୍ର ପ୍ରବାସୀ ଓଡ଼ିଆମାନେ ଖାଦ୍ୟ ଥାଳି ଫିଙ୍ଗିଦେଇଥିଲେ ।


ଶିଶୁପାଳ ଗଡ଼ ଗ୍ରାମ ପଞ୍ଚୟତର ସରପଞ୍ଚ ଇତିଶ୍ରୀ ଚମ୍ପତିଙ୍କ ସମୟ କଟୁଛି ତାଙ୍କ ପଞ୍ଚାୟତ ଅଧୀନରେ ତିଆରି ହୋଇଥିବା ଦୁଇଟି କ୍ବାରେଣ୍ଟିନ ସେଣ୍ଟରର ତଦାରଖ ଓ ପ୍ରସ୍ତୁତିରେ । କରୋନାକୁ ହଟାଇବା ଦିଗରେ ମୁଖ୍ୟ ମନ୍ତ୍ରୀଙ୍କ ଆଦେଶ ଅନୁପାଳନ କରିବାରେ ସେ ତତ୍ପର ଥିବା କହିଛନ୍ତି ।

‘‘ଆମ ଆଗରେ ଏବେ ବଡ଼ ଚ୍ୟାଲେଞ୍ଜ ହେଲା ରାଜ୍ୟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ କ୍ବାରେଣ୍ଟିନ ସମୟ । ୧୪ ଦିନ ଧରି ସେମାନଙ୍କୁ କିଭଳି ପରିବେଶ ଭିତରେ ରଖାଗଲେ ସେମାନେ ଘରକୁ ଯିବାକୁ ବ୍ୟଗ୍ର ହେବେନି, ତାହାର ବ୍ୟବସ୍ଥା କରିବା କଷ୍ଟକର । ସ୍ଥାନୀୟ ଲୋକଙ୍କ ସହଯୋଗ ମିଳିବା ମଧ୍ୟ ଏକ ବଡ଼ ଚାଲେଞ୍ଜ । ଅନେକ ଅଞ୍ଚଳରେ କ୍ବାରେଣ୍ଟିନ ସେଣ୍ଟରକୁ ନେଇ ସ୍ଥାନୀୟ ଲୋକଙ୍କ ସହଯୋଗ ମିଳୁନାହିଁ । ପ୍ରବାସୀଙ୍କ ସଂଖ୍ୟା ବଢ଼ିଲେ ଏହା ଆଗକୁ ଅଧିକ ସମସ୍ୟାକୁ ଆମନ୍ତ୍ରଣ କରିବା ସମ୍ଭାବନା ଅଧିକ । ତଥାପି ଆମେ ପ୍ରସ୍ତୁତି ଜାରି ରଖିଛୁ,’’ କହିଛନ୍ତି ଚମ୍ପତି ।

ଏହି ଦୁଇ ଜନ ପ୍ରତିନିଧିଙ୍କ ପରି ସାରା ରାଜ୍ୟରେ ପ୍ରବାସୀ ଫେରନ୍ତା ଓଡ଼ିଆଙ୍କୁ ନେଇ ସରପଞ୍ଚମାନେ ତତ୍ପର ହୋଇଉଠିଛନ୍ତି । ଅନ୍ୟ ପକ୍ଷରେ ପଞ୍ଚାୟତ ଅଧିକାରୀମାନେ ଏହାକୁ ଗୁରୁତ୍ୱର ସହିତ ବିଚାରକୁ ନେବାକୁ ମତ ରଖିଛନ୍ତି ।

‘‘ପଞ୍ଚାୟତ ସ୍ତରରେ ସବୁ ପ୍ରସ୍ତୁତି ସରିଛି ।ଏ ଯାଏଁ କେବଳ ଶିଶୁପାଳ ଗଡ଼ ଗ୍ରାମ ପଞ୍ଚାୟତରେ ୭୦ ଜଣ ଅନଲାଇନ ପଞ୍ଜୀକରଣ କରିସାରିଛନ୍ତି । ଆମର ଉଦ୍ୟମ ରହିବ ସେମାନେ ଫେରିଲେ ଯେମିତି ସିଧା କ୍ବାରେଣ୍ଟିନ କେନ୍ଦ୍ରକୁ ଆସିବେ,’’ କହିଛନ୍ତି ଶିଶୁପାଳ ଗଡ଼ ଗ୍ରାମ ପଞ୍ଚାୟତର ନୋଡାଲ ଅଫିସର ସୁନୀଲ କୁମାର ନନ୍ଦ ।

ଶିଶୁପାଳ ଗଡ଼ ଗ୍ରାମବାସୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ ସରକାରୀ ଅନୁରୋଧ କ୍ରମେ ଗ୍ରାମବାସୀମାନେ ସହଯୋଗ କରିବେ । ‘‘ଏହା ଗ୍ରାମର ସ୍ୱାଭିମାନର କଥା।  ଫେରୁଥିବା ଲୋକ ବି ଆମ ଗ୍ରାମର। ତେଣୁ ବିରୋଧ କରିବୁ ନାହିଁ, ବରଂ ସହଯୋଗ କରିବୁ,’’ ସେ କହିଛନ୍ତି ।

ପୂର୍ବରୁ କରୋନା ମୁକାବିଲାରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଥିବା ଓଡ଼ିଶା ପ୍ରବାସୀ ଓଡ଼ିଆଙ୍କ କ୍ବାରେଣ୍ଟିନ ପରିଚାଳନାରେ ଦେଶରେ ଏକ ଉଦାହରଣ ସୃଷ୍ଟି କରିବ ବୋଲି ଅନେକଙ୍କ ମତ ।
First published: May 7, 2020, 10:30 PM IST
corona virus btn
corona virus btn
Loading