News18 Odia Digital
ଭୁବନେଶ୍ୱର: ରାଜ୍ୟରେ ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ପଞ୍ଚାୟତ ସ୍ତରରେ ଆୟୋଜିତ କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକରେ ଦିନକୁ ଦିନ ହଙ୍ଗାମା ବଢ଼ିବାରେ ଲାଗିଛି । ଅଧିକାଂଶ ଅଭିଯୋଗ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ବିଷୟରେ ଆସୁଛି । ତାଜା ମାମଲା ପୁରୀ ଜିଲ୍ଲାର ନିମାପଡ଼ାରୁ ଆସିଛି । ସେଠାରେ ଥିବା ସୁରତ ଫେରନ୍ତାମାନେ ଏକ ଭିଡିଓ ବନେଇ ଖାଦ୍ୟପେୟ ବିଷୟରେ ଅଭିଯୋଗ କରିଛନ୍ତି ।
ନିମାପଡ଼ାରେ ଆୟୋଜିତ ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରର ଏହି ଭିଡିଓ ଭାଇରାଲ ହୋଇଛି । ନିମାପଡ଼ା ବାମନାଳ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରେ ପଲିଥିନରେ ପ୍ରବାସୀ ଓଡିଆଙ୍କ ପାଇଁ ଖାଦ୍ୟ ଅଣାଯାଉଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରୁଥିବାର ଭିଡିଓ ଭାଇରାଲ ହୋଇଛି । ଏହି ଶିବିର ରେ ସୁରଟରୁ ଆସି ରହୁଛନ୍ତି ପ୍ରବାସୀ ଓଡିଆମାନେ ।
ସେମାନଙ୍କୁ ଅଧାପେଟ ଖାଇବାକୁ ଦିଆଯାଉଥିବା ଅଭିଯୋଗ କରିବା ସହିତ ଏଥି ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଭିଡିଓ ମାଧ୍ୟମରେ ସେମାନେ ଅନୁରୋଧ କରିଛନ୍ତି ।

ପାଣି ଫିଲଟର୍ କାମ କରୁ ନ ଥିବା ଅଭିଯୋଗ ବି ହୋଇଛି ଏହି ଭିଡିଓରେ ।
ସାମନାକୁ ଆସିଥିବା ଭାଇରାଲ୍ ଭିଡିଓରେ କେତେକ ପ୍ରବାସୀ ଓଡ଼ିଆ ପୁରୁଷ କାର୍ଡ଼ବୋର୍ଡ଼ରେ ତିଆରି ଥାଳିରେ ଥିବା ଭାତ ଓ ତରକାରୀ ସହିତ ବସିରହିଥିବାର ଦୃଶ୍ୟ ଅଛି । ପାଖରେ ଥୁଆହୋଇଛି ପଲିଥିନରେ ଆସିଥିବା ଭାତ ଓ ତରକାରୀ । ସେମାନେ କହିଛନ୍ତି ଯେ ସେମାନଙ୍କୁ ପେଟ ପୂରା ଖାଇବାକୁ ଦିଆଯାଉ ନାହିଁ ଓ ପଞ୍ଚାୟତର କୌଣସି କର୍ମଚାରୀ ସେମାନଙ୍କ ଖାଇବା ପିଇବା ବିଷୟରେ ବୁଝୁନାହାନ୍ତି । ଆଉ ଏକ ଭିଡିଓରେ କେତେକ ପ୍ରବାସୀ ଓଡ଼ିଆ ସେମାନଙ୍କୁ ପିଇବା ପାଇଁ ସ୍ୱଚ୍ଛ ପାଣି ମିଳୁ ନ ଥିବା ଅଭିଯୋଗ କରିଛନ୍ତି ।
କିଛି ଦିନ ତଳେ ଗଞ୍ଜାମର ଏକ କ୍ୱାରେଣ୍ଟାଇନ ସେଣ୍ଟରରୁ ଏମିତି ଏକ ଅଭିଯୋଗ ଭରା ଭିଡିଓ ଆସିଥିଲା । ସେଥିରେ ପ୍ରବାସୀ ଓଡ଼ିଆମାନେ ଖାଦ୍ୟ ଯୋଗାଣ ଓ ପରିବେଷଣ ପ୍ରକ୍ରିୟାରେ ଥିବା କଥିତ ତ୍ରୁଟି ଯୋଗୁଁ କ୍ଷୁବ୍ଧ ହୋଇ ଖାଦ୍ୟ ଥାଳି ଫିଙ୍ଗିଦେଇଥିବା ଦେଖିବାକୁ ମିଳିଥିଲା ।
ରାଜ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଅତିଥି ମନେ କରି ସେମାନଙ୍କ ଉଚିତ ଯତ୍ନ ନେବାକୁ ରାଜ୍ୟ ସରକାର ପଞ୍ଚାୟତମାନଙ୍କୁ କହିଥିବା ବେଳେ ବିଶୃଙ୍ଖଳ ଆଚରଣ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ସାବଧାନ ବି କରାଇଛନ୍ତି । ବିଶୃଙ୍ଖଳ ଆଚରଣ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଖୋଦ୍ ମୁଖ୍ୟ ମନ୍ତ୍ରୀ କହିଛନ୍ତି ।
ଏହା ବି ପଢ଼ନ୍ତୁ:
ଗଞ୍ଜାମରେ ଆମାନିଆ ପ୍ରବାସୀ ଓଡ଼ିଆମାନେ ହଙ୍ଗାମା କଲେ, ଭାତ ଥାଳି ଫିଙ୍ଗିଦେଲେ
ଏହା ବି ପଢ଼ନ୍ତୁ:
ଭଦ୍ରକରେ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଟିକଟକ ଭିଡିଓ କଲେ କୋଲକାତା ଫେରନ୍ତା; FIR ରୁଜୁ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।