News18 Odia Digital
ବ୍ରହ୍ମପୁର: ଲକଡାଉନ୍ ଆରମ୍ଭ ହେବା ଦିନରୁ ଦେଶର ବିଭିନ୍ନ ରାଜ୍ୟରେ ଯେଉଁ ପ୍ରବାସୀ ଓଡ଼ିଆମାନେ ଫସି ରହିଥିଲେ ଓ ଓଡ଼ିଶା ଫେରିବାକୁ ବ୍ୟାକୁଳ ହେଉଥିଲେ, ଓଡ଼ିଶା ପହଞ୍ଚିବା ପରେ ସେମାନଙ୍କ ମଧ୍ୟରୁ କେତେକ ନିଜର ବିଶୃଙ୍ଖଳ ରୂପ ଦେଖାଇଛନ୍ତି । ଗଞ୍ଜାମରେ କିଛି ଅମାନିଆ ପ୍ରବାସୀ ଓଡ଼ିଆ ହଙ୍ଗାମା କରିଛନ୍ତି । ହିତାହିତ ଜ୍ଞାନ ଭୁଲି ସେମାନେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଭାତ ଥାଳି ଫିଙ୍ଗିଦେଇଛନ୍ତି ।
ସେମାନେ ଓଡ଼ିଶା ଫେରିବାକୁ ବ୍ୟାକୁଳ ହେଉଥିଲେ । ଘରକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ । ସରକାରୀ ସ୍ତରରେ ଉଦ୍ୟମ କରାଯାଇ ସେମାନଙ୍କୁ ଫେରାଇ ଅଣାଗଲା । ହେଲେ ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କର ବଦଳିଗଲା ରଙ୍ଗ । ସରକାରୀ ବ୍ୟବସ୍ଥାକୁ ନେଇ ସେମାନେ ଆଙ୍ଗୁଳି ଉଠାଇଲେ । କେବଳ ସେତିକି ନୁହେଁ ପ୍ରଶାସନକୁ ବି ନାଲି ଆଖି ଦେଖାଇବା ସହ ଗାଳି ଦେବାକୁ ପଛାଇଲେ ନାହିଁ ।
ଖାଇବାକୁ ନେଇ ଗଞ୍ଜାମର ଏକ କ୍ବାରେଣ୍ଟାଇନ୍ ସେଣ୍ଟରରେ ହୋହଲ୍ଲା କରିଛନ୍ତି କେତେକ ପ୍ରବାସୀ ଓଡ଼ିଆ । ଏମିତିକି ଖାଇବା ଥାଳିକୁ ତଳେ ପକାଇଦେଇଛନ୍ତି । ଏ ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭିଡିଓଟି ପୁରୁଷୋତ୍ତମପୁର ଅଞ୍ଚଳର ବୋଲି କୁହାଯାଉଛି । ଭିଡିଓରେ ସୁରତରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ଖାଇବାକୁ ନେଇ ଆପତ୍ତି ଉଠାଉଥିବା ଦେଖାଯାଉଛି । କାହିଁକି ଡେରିରେ ଖାଇବାକୁ ଦେଲ ବୋଲି କହୁଛନ୍ତି ।

କ୍ରୋଧାନ୍ୱିତ ପ୍ରବାସୀ ଓଡ଼ିଆମାନଙ୍କୁ ବୁଝାଉଛନ୍ତି ସରକାରୀ କର୍ମଚାରୀମାନେ ।
ଖାଦ୍ୟର ମାନ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ସେମାନେ । ‘‘ଆମକୁ ଛାଡ଼ି ଦିଅ । ଆମେ ଆମ ଘରକୁ ଯିବୁ’’ ବୋଲି ବାରମ୍ବାର କହୁଛନ୍ତି ଏହି ଅମାନିଆ ପ୍ରବାସୀ ଓଡ଼ିଆମାନେ । ତେବେ ସେମାନେ ଯଦି ସରକାରୀ ନିୟମ ନ ମାନନ୍ତି, ତାହେଲେ କରୋନା ସଂକ୍ରମଣ ରୋକିବାକୁ ହେଉଥିବା ସରକାରୀ ପ୍ରୟାସରେ ଏକ ବଡ଼ ବାଧା ସୃଷ୍ଟି ହେବ ଓ ଏକ ବଡ଼ ବିପଦକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀମାନେ ।
ଗଞ୍ଜାମରେ ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ଆନୁସଙ୍ଗିକ ବ୍ୟବସ୍ଥା ନ ଥିବା ଅଭିଯୋଗ କରି ଆଜି କେତେକ ସୁରତ ଫେରନ୍ତା ଚମ୍ପଟ ମାରିଥିଲେ । ଗତ କାଲି ବିଳମ୍ବିତ ରାତିରେ ସୁରତରୁ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ସେଠାରେ ରଖାଯାଇଥିଲା ।
ସେହି ପ୍ରବାସୀ ଓଡ଼ିଆମାନେ କ୍ବାରେଣ୍ଟାଇନ ସେଣ୍ଟରର ବାରିକେଡ଼ ଓ ଗେଟ୍ ଭାଙ୍ଗି ପଳାଇଥିଲେ ବୋଲି କହିଛନ୍ତି ଜଣେ ସରକାରୀ ଅଧିକାରୀ । ଏ ନେଇ କୋଦଳା ଥାନା ଓ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ବହୁ ଖୋଜାଖୋଜି କରିଥିଲେ । ପରେ ଗାଁ ଓ ବିଲ ତୋଟା ଦେଇ ଯାଉଥିବା ରାସ୍ତାରୁ ୫୦ରୁ ଅଧିକ ସୁରତ ଫେରନ୍ତା ଲୋକଙ୍କୁ କାବୁ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ସୁରତ ଫେରନ୍ତା ଫେରାର ଥିବା ବେଳେ ସେମାନଙ୍କୁ କାବୁ କରିବା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନର ଚେଷ୍ଟା ଜାରି ରହିଛି ।
ପ୍ରବାସୀ ଓଡ଼ିଆମାନଙ୍କର ଏହି କୃତ୍ୟକୁ ରାଜ୍ୟ ସରକାର ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚେତାବନୀ ଦେଇ କହିଛନ୍ତି ଯେ ଯେଉଁମାନେ ସରକାରଙ୍କ ପ୍ରୟାସ ଯୋଗୁଁ ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଯେଉଁମାନେ କ୍ୱାରେଣ୍ଟାଇନ ନିୟମର ଖିଲାଫ କରୁଛନ୍ତି ସେମାନଙ୍କୁ ସରକାରୀ ସହାୟତା ଦିଆଯିବ ନାହିଁ ଓ ଆବଶ୍ୟ ହେଲେ ଏମିତି ବିଶୃଙ୍ଖଳ ଲୋକଙ୍କୁ ଗିରଫ କରାଯିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।