ସୁରତରୁ ପ୍ରବାସୀ ଓଡ଼ିଆମାନେ କେବଳ ଟ୍ରେନରେ ଫେରିବେ ବୋଲି ନିର୍ଦ୍ଦେଶ ଦେଲେ ନବୀନ

ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲାର ସମୀକ୍ଷା କରି ମୁଖ୍ୟ ମନ୍ତ୍ରୀ ଏ ପର୍ଯ୍ୟନ୍ତ ଦୁଇ କୋଟି ମିଲ୍ ଯୋଗାଇଥିବା ମିଶନ ଶକ୍ତି ମହିଳାଙ୍କୁ ପ୍ରତି ମିଲ୍ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଛନ୍ତି ।

ସୁରତରୁ ପ୍ରବାସୀ ଓଡ଼ିଆମାନେ କେବଳ ଟ୍ରେନରେ ଫେରିବେ ବୋଲି ନିର୍ଦ୍ଦେଶ ଦେଲେ ନବୀନ
ଭିଡିଓ କନଫେରେନ୍ସିଂରେ ମୁଖ୍ୟ ମନ୍ତ୍ରୀ ଅଧିକାରୀମାନଙ୍କୁ ଶୁଣୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ଓଡିଶା ଫେରୁଥିବା ବସ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବା ପରେ ସଚେତନ ହୋଇଛନ୍ତି ସରକାର । ଏଣିକି ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆଉ ବସ୍‌ ନୁହେଁ, କେବଳ ଟ୍ରେନ ଯୋଗେ ଫେରିବାକୁ ଅନୁମତି ମିଳିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୁରତରୁ ଓଡିଶା ବହୁ ଦୂର ହେଉଥିବାରୁ ଏହି ସମୟରେ ଖାଇବା ପିଇବା ଅସୁବିଧା, ଅଂଶୁଘାତ, ଶିଶୁ ଓ ମହିଳାଙ୍କ ସମସ୍ୟା ଓ ଦୁର୍ଘଟଣା ଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟରେ କରୋନା ମୁକାବିଲାକୁ ନେଇ ମୁଖ୍ୟ ମନ୍ତ୍ରୀ ଆଜି ସମୀକ୍ଷା କରିଥିବା ବେଳେ ଏହି ଅବସର କେବଳ ଟ୍ରେନ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି କହିଛନ୍ତି ।

ସମୀକ୍ଷା ବେଳେ ଦୈନିକ କରୋନା ସାମ୍ପଲ ଟେଷ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ । ବର୍ତ୍ତମାନ ଦୈନିକ ୨,୦୦୦ରୁ ୩,୦୦୦ ସାମ୍ପଲ୍‌ ପରୀକ୍ଷା ହେଉଥିବା ବେଳେ ଆଗକୁ ୧୫,୦୦୦ ସାମ୍ପୁଲ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମୁଖ୍ୟ ମନ୍ତ୍ରୀ ।

ମୁଖ୍ୟ ମନ୍ତ୍ରୀଙ୍କ ସହ ଭିଡିଓ କନଫେରେନ୍ସିଂରେ ବସିଛନ୍ତି ବରିଷ୍ଠ ଅଧିକାରୀମାନେ ।


ଚାଷୀ ଓ ଏସ୍‌.ଏଚ୍‌.ଜି. ମହିଳାଙ୍କ ଋଣ ସହାୟତା ବୃଦ୍ଧି କରିବାକୁ ବି ନିଷ୍ପତ୍ତି ନେଇଛନ୍ତି ସରକାର । କରୋନା ମହାମାରୀ ସମୟରେ ମିଶନ ଶକ୍ତି ମହିଳାମାନେ ଦୁଇ କୋଟିରୁ ଅଧିକ ମିଲ୍ ଯୋଗାଇଲେଣି । ତେଣୁ  ମିଶନ ଶକ୍ତି ମହିଳାଙ୍କୁ ପ୍ରତି ମିଲ୍ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯିବ । ସେହିପରି ଗ୍ରୀନ୍‌ ଜୋନରେ କୃଷି, ଶିଳ୍ପ, ଜୀବିକା ଓ ପରିବହନ ସ୍ୱାଭାବିକ କରାଯିବ।  ଶିଳ୍ପ ସଂସ୍ଥାର ସମସ୍ୟାର ସମାଧାନ ପାଇଁ ଏକ  ଆଦର୍ଶ ନୀତି ଆସିବ ।

ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା ଓ ବଲାଙ୍ଗୀର ଭଳି ଜିଲ୍ଲାର ଲୋକ ଅଧିକ ସଂଖ୍ୟାରେ ବାହାରେ କାମ କରୁଥିବାରୁ ସେହି ଜିଲ୍ଲାଗୁଡ଼ିକ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ । ଆଗାମୀ ଖରିଫ ଋତୁ ପାଇଁ ଚାଷୀଙ୍କୁ କିପରି ବିହନ ଓ ଚାଷୀ ଉପକରଣ ଯୋଗାଇଦିଆଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ କହିଛନ୍ତି ମୁଖ୍ୟ ମନ୍ତ୍ରୀ ।

କିଛି ଦିନ ଆଗରୁ ବିଦେଶ ଫେରନ୍ତା, ନିଜାମୁଦିନ ଓ ପଶ୍ଚିମ ବଙ୍ଗ ଫେରନ୍ତା ଲୋକେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧା ବଢାଇଥିବା ବେଳେ ଏବେ ସୁରଟ ଫେରନ୍ତା ଚିନ୍ତା ବଢାଇଲେଣି । ଏହାରି ଭିତରେ ଗଞ୍ଜାମରେ ତିନି ଜଣ ଓ କଟକର ଜଣେ ସୁରତ ଫେରନ୍ତା କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ଚିହ୍ନଟ ହେଲେଣି ।

ଗୋଟେ ପଟେ ପ୍ରବାସୀଙ୍କୁ ଫେରାଇ ଆଣିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏବେ ରାଜ୍ୟକୁ ଫେରୁଥିବା ଓଡ଼ିଆଙ୍କ ମନମାନି ବ୍ୟବହାର ବି ସରକାରଙ୍କୁ ଆସୁବିଧାରେ ପକାଇଛି । ସଙ୍ଗରୋଧରେ ରହୁଥିବା ଅନ୍ତେବାସୀଙ୍କୁ ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ । କୌଣସି ବିଶୃଙ୍ଖଳିତ ଆଚରଣ କଲେ ବରଦାସ୍ତ କରାଯିବାନି ବୋଲି ଏହି ମର୍ମରେ ସେ କହିଛନ୍ତି ।

ପ୍ରବାସୀ  ଅମାନିଆଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ବି ଚେତାବନୀ ଦେଇଛନ୍ତି । କ୍ବାରେଣ୍ଟାଇନରେ ନ ରହିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

‘‘ବାହାରୁ ଆସୁଥିବା ପ୍ରବାସୀ ସମସ୍ତେ ୧୪ ଦିନ ପୃଥକବାସରେ ରହିବା ବାଧ୍ୟତାମୂଳକ । ଯାହାର ଲକ୍ଷଣ ପ୍ରକାଶ ପାଇବ ସେହିମାନଙ୍କର ସ୍ୱାବ ପରୀକ୍ଷା ହେବ । ଯିଏ କ୍ବାରେଣ୍ଟାଇନ ନିୟମ ନ ମାନିବ, ତା’ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ,’’ କହିଛନ୍ତି ଦାସ ।

ଏବେ ରାଜ୍ୟରେ ଆଠଟି ସ୍ଥାନରେ ନମୁନା ପରୀକ୍ଷା ହେଉଛି । ଘରୋଇ ହସ୍ପିଟାଲରେ ପରୀକ୍ଷା ପାଇଁ ICMRକୁ ଅନୁରୋଧ କରାଯାଇଥିବା ମଧ୍ୟ ସୂଚନା ଦେଇଛନ୍ତି ଦାସ ।
First published: May 5, 2020, 10:38 PM IST
corona virus btn
corona virus btn
Loading