ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ପୁରୀରେ ସଙ୍ଗରୋଧ ନିୟମ ଭାଙ୍ଗି ବାହାରେ ବୁଲି ଫଟୋ ଉଠେଇଲେ ପ୍ରବାସୀ, ଏବେ ମଜା ଚାଖୁଛନ୍ତି

ପୁରୀରେ ସଙ୍ଗରୋଧ ନିୟମ ଭାଙ୍ଗି ବାହାରେ ବୁଲି ଫଟୋ ଉଠେଇଲେ ପ୍ରବାସୀ, ଏବେ ମଜା ଚାଖୁଛନ୍ତି

ତେଲେଙ୍ଗାନାରୁ ପୁରୀ ଫେରିବା ପରେ ପ୍ରବାସୀ ଓଡ଼ିଆ ଯୁବକ ସଙ୍ଗରୋଧରେ ରହିବେ ଓ ଘରୁ ବାହାରିବେ ନାହିଁ ବୋଲି ଅଣ୍ଡରଟେକିଂ ଲେଖି ଦେଇଥିଲେ । ହେଲେ ସେ ସହରରେ ବୁଲାବୁଲି କରି ଫେସବୁକରେ ଫଟୋ ଅପଲୋଡ଼ କରିବା ପରେ ଧରାପଡ଼ିଛନ୍ତି ।

ପୁରୀରେ ସଙ୍ଗରୋଧ ନିୟମ ଭାଙ୍ଗି ବାହାରେ ବୁଲି ଫଟୋ ଉଠେଇଲେ ପ୍ରବାସୀ, ଏବେ ମଜା ଚାଖୁଛନ୍ତି
ସମୁଦ୍ର କୂଳରେ ଓ ଶ୍ରୀମନ୍ଦିର ସାମନାରେ ନିର୍ବେନ୍ଦୁ ଉଠେଇଥିବା ଫଟୋ ।
  • News18 Odia
  • Last Updated: July 14, 2020, 10:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ପଛରେ ଥିବା ପ୍ରବାସୀଙ୍କ କାରଣକୁ ନେଇ ସରକାର ଚିନ୍ତିତ, ହେଲେ କିଛି ଅମାନିଆ ପ୍ରବାସୀ ଜାଣିଶୁଣି ଏହି ଚିନ୍ତାକୁ ଆହୁରି ବଢ଼ାଉଛନ୍ତି । ତେଲେଙ୍ଗାନାରୁ ପୁରୀ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆ ଯୁବକ ସଙ୍ଗରୋଧରେ ରହି ଘରୁ ବାହାରିବେ ନାହିଁ ବୋଲି ଅଣ୍ଡରଟେକିଂ ଲେଖି ଦେବା ପରେ ବି ସହରରେ ବୁଲାବୁଲି କରି ଫେସବୁକରେ ଫଟୋ ଅପଲୋଡ଼ କରିବା ପରେ ଧରାପଡ଼ିଛନ୍ତି । ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

୩୫ ବର୍ଷୀୟ ପ୍ରବାସୀ ଓଡ଼ିଆ ଯୁବକ ନିର୍ବେନ୍ଦୁ କୁମାର ପଟ୍ଟନାୟକ ଜୁଲାଇ ୫ ତାରିଖ ଦିନ ତେଲେଙ୍ଗାନାରୁ ପୁରୀ ଫେରିଥିଲେ । ପୌର ସଂସ୍ଥା କଲ୍ୟାଣ ମଣ୍ଡପରେ ନିଜର ପଞ୍ଜୀକରଣ କରିବା ସହ ସେଥିରେ ୨୨ ନମ୍ବର ୱାର୍ଡ଼ର କୁମ୍ଭାରପଡ଼ା ଘରେ ସଙ୍ଗରୋଧରେ ରହିବେ ଓ ଘରୁ ବାହାରିବେ ନାହିଁ ବୋଲି ଅଣ୍ଡରଟେକିଂ ଲେଖି ଦେବା ପରେ ତାଙ୍କୁ ଅନୁମତି ଦିଆଯାଇଥିଲା ।

ନିର୍ବେନ୍ଦୁଙ୍କ ଘରେ ସଙ୍ଗରୋଧର ଷ୍ଟିକର ମାରିବାକୁ ଯାଇଥିବା ସରକାରୀ କର୍ମଚାରୀମାନେ ଜାଣିବାକୁ ପାଇଥିଲେ ଯେ ସେ ଘରେ ନାହାନ୍ତି । ତାଙ୍କୁ ତୁରନ୍ତ ଫୋନ କରି ଯୋଗାଯୋଗ କରାଯାଇଥିଲା ଓ କୋବିଡ ନିୟମ ଅନୁସାରେ ଘରେ ଆଇସୋଲେସନରେ ରହିବା ପାଇଁ ତାଗିଦ କରାଯାଇଥିଲା । ସେ ଘରେ ରହିବେ ବୋଲି ଫୋନରେ ସମ୍ମତି ବି ପ୍ରଦାନ କରିଥିଲେ ।

ପୁରୀରେ ଘରକୁ ଘର ବୁଲି ପ୍ରାଶାସନିକ ଅଧିକାରୀ ତଦନ୍ତ କରୁଛନ୍ତି ।


‘‘ଏହି ସୂଚନା ଆମେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ତହସିଲଦାରଙ୍କୁ ମଧ୍ୟ ଦେଇଥିଲୁ । ଗୋଟେ ଅଭିଯୋଗ ଆସିଲା ଯେ କୁମ୍ଭାରପଡ଼ାର ପ୍ରବାସୀ ଓଡ଼ିଆ ଯୁବକ ନିର୍ବେନ୍ଦୁ ଲଗାତାର ଘରୁ ବାହାରି ବୁଲାବୁଲି କରୁଛନ୍ତି  । ସେ ନେଇ ଆମେ ତାଙ୍କ ଉପରେ ନଜର ରଖିବା ପରେ ଜଣା ପଡିଲା ଯେ ଜୁଲାଇ ୧୧ ତାରିଖ ସେ ଶ୍ରୀମନ୍ଦିର ସମ୍ମୁଖକୁ ଯାଇ ସେଲଫି ନେବା ସହ ସେହି ଫଟୋ ନିଜ ଫେସବୁକ ପେଜରେ ଅପଲୋଡ କରିଛନ୍ତି । ପୁଣି ତା’ ପର ଦିନ ଅର୍ଥାତ ଜୁଲାଇ ୧୨ରେ ନିଜର ନାଲି ରଙ୍ଗର (ନମ୍ବର OD 13 N 3517)ରେ ସମୁଦ୍ର କୂଳ ଯାଇ ସେଠି ସେଲଫି ନେବା ସହ ପୁରୀ ସହର ଓ ଶ୍ରୀମନ୍ଦିର ପାଖରେ ପୁଣି ବୁଲାବୁଲି କରିବାର ଫଟୋ ଅପଲୋଡ କରିଛନ୍ତି । ଏସବୁ କୋବିଡ ନିୟମର ଖୋଲାଖୋଲି ଉଲଙ୍ଘନ,’’ କହିଛନ୍ତି କୋବିଡ ପାଇଁ ୨୨ ନମ୍ବର ୱାର୍ଡର ନୋଡାଲ ଅଫିସର ଭାବେ ନିଯୁକ୍ତ ରବି ନାରାୟଣ ମହାପାତ୍ର ।

ମହାପାତ୍ର ଓ ପୌରପାଳିକାର ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ ନିର୍ବେନ୍ଦୁଙ୍କ ଘରକୁ ଯାଇ ତଦନ୍ତ କରିବା ପରେ ସେ କୋଭିଡ୍‌ ନିୟମ ବାରମ୍ବାର ଭାଙ୍ଗିଥିବା ସ୍ପଷ୍ଟ ହୋଇଥିଲା । ଉପଜିଲ୍ଲାପାଳଙ୍କୁ ଏ ନେଇ ଅବଗତ କରାଯାଇଥିଲା ବୋଲି କହିଛନ୍ତି ପୁରୀ ତହସିଲଦାର ଆଶିଷ ସାହୁ  ।

‘‘ନିର୍ବେନ୍ଦୁଙ୍କ ନାରେ ଦୁଇ ଦୁଇ ଥର ଏଭଳି ଅଭିଯୋଗ ଆସିବା ପରେ ତାଙ୍କୁ ଘରୁ ଆମ୍ବୁଲାନ୍ସରେ ଉଠାଇ ଆଣି ଏବେ ହୋଟେଲ ରୁମାନୀରେ ପେଡ କ୍ୱାରାଣ୍ଟାଇନରେ ରଖାଯାଇଛି । କୋବିଡ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ପ୍ରଶାସନ ତରଫରୁ ତାଙ୍କ ବିରୁଦ୍ଧରେ ଡିଜାଷ୍ଟର୍‌ ମ୍ୟାନେଜମେଣ୍ଟ ଆକ୍ଟ (Disaster Management Act, 2005)ର ଦଫା ୫୧ ଓ IPCର ଦଫା ୧୮୮ ଅନୁଯାୟୀ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନିଆଯାଉଛି,’’ କହିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ ।

ଏହା ବି ପଢ଼ନ୍ତୁ: ପତି ଓ ପତ୍ନୀଙ୍କ ସହ ତାଙ୍କର ୧୨ ଓ ୮ ବର୍ଷର ପୁଅ ଝିଅ ବି ଦଉଡ଼ି ଲଗେଇ ଆତ୍ମହତ୍ୟା କଲେ

ଏହା ବି ପଢ଼ନ୍ତୁ: ପଶ୍ଚିମ ବଙ୍ଗରେ ବିଜେପି MLAଙ୍କ ଝୁଲନ୍ତା ଶବ ଏକ ଦୋକାନ ସାମନାରେ ମିଳିଲା; ହତ୍ୟା ଅଭିଯୋଗ ଆସୁଛି

ରାଜ୍ୟ ସରକାର ପ୍ରବାସୀମାନଙ୍କୁ ରହିବା ଓ ଖାଇବା ପିଇବା ପାଇଁ କ୍ୱାରାଣ୍ଟାଇନର ସବୁ ସୁବିଧା କରିଥିବା ସତ୍ତ୍ୱେ ନିର୍ବେନ୍ଦୁଙ୍କ ଭଳି କିଛି ଅମାନିଆ ପ୍ରବାସୀ ଅନ୍ୟମାନଙ୍କ ପାଇଁ ଅସୁରକ୍ଷାର ପରିବେଶ ସୃଷ୍ଟି କରୁଛନ୍ତି । ସେମାନଙ୍କୁ ନିୟନ୍ତ୍ରଣ କରିବାକୁ କଠୋର ପଦକ୍ଷେପ ନେବା ପାଇଁ ଦାବି ହେଉଛି ।
Published by: Anand ST Das
First published: July 14, 2020, 10:06 PM IST