ହାତ କାଟିଲେ ଛାତ୍ରୀ; ମ୍ୟାଟ୍ରିକ୍‌ ପରୀକ୍ଷା ଫଳକୁ ନେଇ ବଢ଼ିଲା ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ପିଲାମାନେ

Odisha matric results spark protests over evaluation system | ‘‘ସରକାରୀ ସ୍କୁଲର ପିଲାମାନେ ଗଧ ପିଲାମାନେ ପାଇଛନ୍ତି ୩୦୦ରୁ ଅଧିକ ନମ୍ବର; ମାତ୍ର ଆମେ ସରସ୍ୱତୀ ସ୍କୁଲରେ ପଢ଼ି, ସଂସ୍କୃତ ସ୍କୁଲରେ ପଢ଼ି, ପାଇଛୁ ୨୯୩ ନମ୍ବର! ଏମିତି କେମିତି ହେଲା? ଆମକୁ ନ୍ୟାୟ ମିଳୁ,’’ କହିଛନ୍ତି ବିକ୍ଷୋଭରେ ସାମିଲ୍ ଜଣେ ଛାତ୍ରୀ ।

ସୋମବାର ଦିନର ବିକ୍ଷୋଭ ସମୟର ତିନୋଟି ଦୃଶ୍ୟ

ସୋମବାର ଦିନର ବିକ୍ଷୋଭ ସମୟର ତିନୋଟି ଦୃଶ୍ୟ

  • Share this:
News18 Odia Digital

ଭୁବନେଶ୍ୱର: ଏ ବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଆୟୋଜିତ ନ ହୋଇ ବି ରାଜ୍ୟରେ ସର୍ବକାଳୀନ ରେକର୍ଡ଼ କରି ୯୭ ପ୍ରତିଶତରୁ ଅଧିକ ପିଲା ପାସ୍ କରିଛନ୍ତି । ତଥାପି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସେମାନଙ୍କୁ ମିଳିଥିବା ମାର୍କକୁ ନେଇ ଅସନ୍ତୋଷ ବଢ଼ିଚାଲିଛି । ଶହ ଶହ ଛାତ୍ରଛାତ୍ରୀ ମୂଲ୍ୟାୟନର ସଠିକତା ଓ ପାରଦର୍ଶିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ ଅଧିକ ମାର୍କ ଦାବି କରି ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ସୋମବାର ଦିନ ପୁରୀ, କଟକ ଓ ଭୁବନେଶ୍ବରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କ ଅଭିଭାବକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁରୀ ମଧୁବନ ସରସ୍ବତୀ ବିଦ୍ୟା ମନ୍ଦିର ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣା ଦେବା ସହ ହତା ଭିତରେ ହୋହଲ୍ଲା କରିଥିଲେ । ଜଣେ ଛାତ୍ରୀ ନିଜ ହାତ ବି କାଟି ଦେଇଥିଲେ । ପିଲାମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ କରିଥିଲେ । ପରୀକ୍ଷା ଫଳର ପୁନଃ ତର୍ଜମା କରାଯାଉ ବୋଲି ଦାବି କରିଥିଲେ ସେମାନେ ।

ଏହା ବି ପଢ଼ନ୍ତୁ | Petrol ଦର ବୃଦ୍ଧି: ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କୋର୍ଟରେ କେସ୍ ରୁଜୁ ହେଲା

କଟକର ବିଭିନ୍ନ ଶିଶୁ ମନ୍ଦିର ଆଗରେ ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକମାନଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ସ୍କୁଲ୍‌ ପକ୍ଷରୁ ବୋର୍ଡ଼କୁ ଦିଆଯାଇଥିବା ନମ୍ବର୍‌ ଛାତ୍ରଛାତ୍ରୀଙ୍କୁ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ । କିଛି ସ୍ଥାନରେ ଉତ୍ତେଜନା ଦେଖାଦେବାରୁ ପୋଲିସ ପହଞ୍ଚି ବୁଝାସୁଝା କରିଥିଲା । ଭୁବନେଶ୍ବରରେ ମଧ୍ୟ ମ୍ୟାଟ୍ରିକ୍‌ ପରୀକ୍ଷା ଫଳକୁ ନେଇ ଅସନ୍ତୋଷର ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ରହ୍ମେଶ୍ବର ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ  ଅଭିଯୋଗ କରିଥିଲେ ଯେ ନବମ ଶ୍ରେଣୀ ପରୀକ୍ଷାରେ ସେମାନେ ଭଲ ମାର୍କ ରଖିଥିଲେ ମଧ୍ୟ ବୋର୍ଡ଼ ପରୀକ୍ଷାରେ ସେମାନଙ୍କୁ କମ୍ ମାର୍କ ମିଳିଛି । ନବମ ଶ୍ରେଣୀର ମାର୍କ ମିଳିଥିବା ଖାତା ପିଲାମାନଙ୍କୁ ଦେଖାଯାଉ ଓ ମାର୍କ ବଢ଼ାଯାଉ ବୋଲି ସେମାନେ ଦାବି କରିଥିଲେ ।

ପରୀକ୍ଷା ଫଳର ପୁନଃ ତର୍ଜମା କରାଯାଉ ବୋଲି ଦାବି କରିଛନ୍ତି ଅଭିଭାବକମାନେ ।


‘‘ସରକାରୀ ସ୍କୁଲର ପିଲାମାନେ ଗଧ ପିଲାମାନେ ପାଇଛନ୍ତି ୩୦୦ରୁ ଅଧିକ ନମ୍ବର, ମାତ୍ର ଆମେ ସରସ୍ୱତୀ ସ୍କୁଲରେ ପଢ଼ି, ସଂସ୍କୃତ ସ୍କୁଲରେ ପଢ଼ି, ପାଇଛୁ ୨୯୩ ନମ୍ବର! ଏମିତି କେମିତି ହେଲା? ଏହାକୁ ଠିକ୍‌ କରାଯାଇ ଆମକୁ ନ୍ୟାୟ ମିଳୁ ବୋଲି ଆମେ ଦାବି କରୁଛୁ,’’ କହିଥିଲେ ପୁରୀରେ ବିକ୍ଷୋଭରେ ସାମିଲ୍‌ ଜଣେ ଛାତ୍ରୀ ।

ଏହା ବି ପଢ଼ନ୍ତୁ | Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛି

ଭୁବନେଶ୍ୱରରେ ଜଣେ ଆନ୍ଦୋଳନରତ ଛାତ୍ର କହିଥିଲେ, ‘‘ଆମକୁ ସ୍କୁଲ୍‌ ପକ୍ଷରୁ ମାର୍କ ଟ୍ୟାବୁଲେସନ୍‌ ସମୟରେ ଯେଉଁ ମାର୍କ ଦେଖାଯାଇଥିଲା, ମ୍ୟାଟ୍ରିକ୍‌ ରେଜଲ୍ଟରେ ତା’ ଠାରୁ ଭିନ୍ନ ମାର୍କ ଆସିଲା । ଯଦି ସ୍କୁଲ୍‌ ଆମକୁ ରେଜଲ୍ଟ ଖରାପ ଆସିବ ବୋଲି କହିଥାନ୍ତା ତାହେଲେ ଆମେ ଆଉ ଥରେ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଥାନ୍ତୁ । କିନ୍ତୁ ସ୍କୁଲ୍‌ ଆମକୁ ଭଲ ମାର୍କ ମିଳିବ ବୋଲି କହିଥିଲା । ଆମେ ଏବେ ପ୍ଲସ୍‌୨ ପାଇଁ ଅନଲାଇନ୍‌ କ୍ଲାସ୍‌ ଆରମ୍ଭ କରିସାରିଲୁଣି । ସରକାର ଗୋଟିଏ ବିକଳ୍ପ କରିଛନ୍ତି ଯେ ଆଉ ଥରେ ପରୀକ୍ଷା ଦିଅ । ଆମେ ଆଉ ଥରେ ପରୀକ୍ଷା ବିଲକୁଲ୍‌ ଦେବୁନି ।’’

ଏହା ବି ପଢ଼ନ୍ତୁ | ଏକା ଥରକେ ୧୦ଟି ଶିଶୁ ଜନ୍ମ ଦେଲେ? ହେଲେ ସେ ଗର୍ଭବତୀ ଥିଲେ! ରେକର୍ଡ଼ ଅନ୍ୟ ମହିଳାଙ୍କର

ଜଣେ ଛାତ୍ରୀ ଅଭିଯୋଗ କରିଥିଲେ ଯେ ଅଧିକାଂଶ ସ୍କୁଲର ପିଲାମାନଙ୍କୁ ୮୦ ପ୍ରତିଶତରୁ ଅଧିକ ମାର୍କ ମିଳିଥିଲେ ବି ତାଙ୍କ ସ୍କୁଲର ପିଲାମାନଙ୍କୁ ୪୦ ପ୍ରତିଶତରୁ କମ୍‌ ମାର୍କ ମିଳିଛି । ‘‘ଏଥିରୁ ବୁଝାପଡୁଛି ଯେ ରେଜଲ୍ଟରେ ପାରଦର୍ଶିତା ନାହିଁ । ଆମେ ଏହାର ସମାଧାନ ଓ ନ୍ୟାୟ ଚାହୁଁଛୁ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଭଲ ଖବର: ଜୁଲାଇ ଶେଷ ବା ଅଗଷ୍ଟରେ ଆରମ୍ଭ ହୋଇପାରେ ପିଲାମାନଙ୍କ COVID ଟିକାକରଣ

ନବମ ଶ୍ରେଣୀର ପରୀକ୍ଷା ଖାତା ଓ ମାର୍କ ଦେଖାଇବା ପାଇଁ ପିଲାମାନଙ୍କ ପକ୍ଷରୁ ହେଉଥିବା ଦାବିକୁ ଅନେକ ସ୍କୁଲ୍‌ ପାଳନ କରିପାରିବେ ନାହିଁ ବୋଲି ଲାଗୁଛି । ଭୁବନେଶ୍ୱର ବ୍ରହ୍ମେଶ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବମୋହନ ଦାସ କହିଛନ୍ତି ଯେ ସେହି ପରୀକ୍ଷା ଖାତାଗୁଡ଼ିକ ସ୍କୁଲ୍‌ ସାନିଟାଇଜେସନ୍‌ ସମୟରେ ନଷ୍ଟ ହୋଇଯାଇଥିଲା । ‘‘କିନ୍ତୁ ତା’ ପୂର୍ବରୁ ପିଲାଙ୍କ ମାର୍କଗୁଡ଼ିକ ରେକର୍ଡ଼କୁ ଉଠିସାରିଥିଲା । ସେଇଟା ପିଲାମାନେ ବୁଝିବାକୁ ପ୍ରସ୍ତୁତ ନୁହନ୍ତି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Next

‘‘କୌଣସି ପ୍ରକାର ମାର୍କ କମାଯାଇନି ଓ ମୂଲ୍ୟାୟନରେ କୌଣସି ପ୍ରକାର ତ୍ରୁଟି ହୋଇନାହିଁ । ଆମେ ଗୋଟିଏ ନିର୍ଦ୍ଦିଷ୍ଟ ନୀତିରେ ଏହି ମୂଲ୍ୟାୟନ କରିଛୁ । ଯୋଗ୍ୟତା ଆଧାରରେ ନମ୍ବର ମିଳିଛି । ତେଣୁ ସଂଶୋଧନର ଅବକାଶ ନାହିଁ । ଅସନ୍ତୋଷ ଥିଲେ ଇମ୍ପୃଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀମାନେ,’’ କହିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ଼ର ସଭାପତି ରାମାଶିଷ ହାଜରା ।



ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କହିବେ ଯେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନଙ୍କୁ ଅଭିଯୋଗର ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କ ଅସନ୍ତୋଷ ଦୂର କରିବାକୁ ଚେଷ୍ଟା କରିବେ ।
Published by:Anand S.T. Das
First published: