ସରିଲା ମାଟ୍ରିକ ଖାତା ଦେଖା; ଜୁଲାଇ ୩୧ ସୁଦ୍ଧା ଆସିବ ଫଳ; ଯୁକ୍ତ ୨ ଖାତା ଦେଖା ଅଟକି ରହିଛି
ମାଟ୍ରିକ ଫଳ ପ୍ରକାଶନ ତାରିଖ ଘୋଷଣା ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛି । ହେଲେ ଯୁକ୍ତ ଦୁଇ ଖାତା ଦେଖାରେ ବାଧକ ସାଜିଛି ଦୁଇଦିନିଆ ସଟଡାଉନ । ବିଭିନ୍ନ ଜିଲ୍ଲାରେ ସାପ୍ତାହିକ ସଟଡାଉନ ଯୋଗୁଁ ଅଧ୍ୟାପକମାନେ ମୂଲ୍ୟାଙ୍କନ କେନ୍ଦ୍ରକୁ ଯାଇପାରୁ ନାହାନ୍ତି ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: July 13, 2020, 4:56 PM IST
ଭୁବନେଶ୍ୱର: କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ମାଟ୍ରିକ ଖାତା ଦେଖା ଆରମ୍ଭ ଓ ଫଳ ପ୍ରକାଶନରେ ଅହେତୁକ ବିଳମ୍ବ ହେବା ପରେ ଏବେ ଖାତା ଦେଖା (matric evaluation) ସରିଥିବା ଜଣାପଡ଼ିଛି । ଟାବୁଲେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ପୂର୍ବରୁ ଯେମିତି କୁହାଯାଇଥିଲା ଯେ ଜୁଲାଇ ମାସ ଶେଷ ସୁଦ୍ଧା ଫଳ ପ୍ରକାଶ କରାଯିବ, ଆଜି ଖୋଦ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ୩୧ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ (Odisha matric exam date)।
‘‘ଖାତା ଦେଖା ସମ୍ପୂର୍ଣ୍ଣ ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଛି। ମୁଁ ପ୍ରତ୍ୟେକ ଦିନ ବୋର୍ଡ଼ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛି । ସେମାନେ ମଧ୍ୟ ଜୁଲାଇ ୩୧ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବେ ବୋଲି କହିଛନ୍ତି,’’ କହଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଏ ବର୍ଷ ରାଜ୍ୟରେ ୫,୬୦,୮୯୧ ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା (matric examinations) ଦେଇଛନ୍ତି । ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମୋଟ ୨,୮୮୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଶେଷ ହୋଇଥିଲା । ତେବେ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ଖାତା ଦେଖା ହୋଇ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ବାତିଲ ହୋଇଥିଲା । ଏହା ପରେ ଲକଡାଉନ ଓ ସଟଡାଉନ ଯୋଗୁଁ ପୁଣି ଥରେ ବାତିଲ ହୋଇଥିଲା ଖାତା ଦେଖା । ମେ ୨୦ ତାରିଖ ପରେ ୬,୦୦୦ ଅଧିକ ମୁଲ୍ୟଙ୍କନକାରୀ ନିଯୁକ୍ତ କରାଯାଇ ୬୯ଟି କେନ୍ଦ୍ରରେ ଆରମ୍ଭ ହୋଇଥିଲା ଖାତା ଦେଖା।

ମ୍ୟାଟ୍ରିକ୍ ଖାତା ଦେଖା କରୋନା ସଂକ୍ରମଣ ଯୋଗୁଁ ଦୁଇ ଥର ବାତିଲ୍ ହୋଇଥିଲା ।
ମାଟ୍ରିକ ଫଳ ପ୍ରକାଶନ ତାରିଖ ଘୋଷଣା ଛାତ୍ରଛାତ୍ରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି । ହେଲେ ଯୁକ୍ତ ଦୁଇ ଖାତା ଦେଖାରେ ବାଧକ ସାଜିଛି ଦୁଇଦିନିଆ ସଟଡାଉନ । ଗୋଟିଏ ପଟେ ବିଭିନ୍ନ ଜିଲ୍ଲାରେ ସାପ୍ତାହିକ ସଟଡାଉନ ଯୋଗୁଁ ଅଧ୍ୟାପକମାନେ କେନ୍ଦ୍ରକୁ ଯାଇପାରୁ ନାହାନ୍ତି । ଆଜି ବି ଅନେକ କେନ୍ଦ୍ର କଣ୍ଟେନମେଣ୍ଟ ଜୋନରେ ରହିଛି । ଏହା ବଡ଼ ସମସ୍ୟା ସୃଷ୍ଟି କରୁଛି। ତେଣୁ ଯୁକ୍ତ ଦୁଇ ଫଳ ପ୍ରକାଶନ ବିଳମ୍ବ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
‘‘ଯୁକ୍ତ ଦୁଇ ଖାତା ଦେଖା କେମିତି ଦେଖା ହେବ ଓ ଅଧ୍ୟାପକ କିଭଳି କେନ୍ଦ୍ରରେ ପହଞ୍ଚିବେ, ସେ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇବୁ,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଜୁନ ୧ ତାରିଖରୁ ୩୭ଟି ଅନଲାଇନ କେନ୍ଦ୍ରରେ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ବିଜ୍ଞାନ ବିଷୟର କେମେଷ୍ଟ୍ରି ବା ରସାୟନ ବିଜ୍ଞାନକୁ ଛାଡ଼ି ଦେଲେ ପ୍ରାୟ ସମସ୍ତ ବିଷୟର ଖାତା ଦେଖା ଶେଷ ହୋଇଛି । ଜୁନ ୧୬ରୁ ବାଣିଜ୍ୟ ବିଭାଗର ଅନଲାଇନ ମୂଲ୍ୟାୟନ ଆରମ୍ଭ ହୋଇଛି । କଳା ବିଭାଗର ଅଫଳାଇନ ଖାତାଦେଖାରେ ବ୍ୟାହତ ହୋଇଛି ।
ଏହା ବି ପଢ଼ନ୍ତୁ: ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା
ଏହା ବି ପଢ଼ନ୍ତୁ: ହେମା ମାଳିନୀ କରୋନା ପଜିଟିଭ ହୋଇଥିବା ଖବର ଆସିଲା; ଅଭିନେତ୍ରୀ ଭିଡିଓରେ ଏହି ଉତ୍ତର ଦେଲେ
ସଟଡାଉନ ଯୋଗୁଁ ଖାତାଦେଖା ଅଟକି ରହିଛି ଓ ଯେତିକି ଖାତା ବାକି ଅଛି ସେ ସବୁ ଅନଲାଇନରେ ଦେଖିବା ଜୁଲାଇ ମାସ ସୁଦ୍ଧା ଶେଷ ହୋଇପାରିବ ନାହିଁ ବୋଲି ଜଣେ କେନ୍ଦ୍ର ସୁପରିଟେଣ୍ଡେଣ୍ଡ କହିଛନ୍ତି । ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଦୁଇ ମାସ ଘୁଞ୍ଚିବା ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛି ।