କରୋନା ଭୟକୁ ପଛରେ ପକାଇ ରାଜଧାନୀରେ ଲୋକଙ୍କୁ ସେବା ଯୋଗାଉଛନ୍ତି ଅନେକ ମହିଳା

ସ୍ୱାସ୍ଥ୍ୟ ସେବା ହେଉ ବା ସମାଜ ସେବା, ବିଭିନ୍ନ କ୍ଷେତ୍ରରେ ଶତାଧିକ ମହିଳା କର୍ମୀ ଲକଡାଉନ୍ ସମୟରେ ସେବା ଯୋଗାଇ ଚାଲିଛନ୍ତି ।

କରୋନା ଭୟକୁ ପଛରେ ପକାଇ ରାଜଧାନୀରେ ଲୋକଙ୍କୁ ସେବା ଯୋଗାଉଛନ୍ତି ଅନେକ ମହିଳା
ଟାଣ ଖରାରେ ବସି ପରିବା ବିକୁଛନ୍ତି ଶ୍ରୀମତୀ ।
  • News18 Odia
  • Last Updated: April 12, 2020, 7:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡ଼ାଉନ ବେଳେ ସମସ୍ତେ ନିଜ ନିଜ ଘରେ ସତର୍କ ଓ ସୁରକ୍ଷିତ ଥିବା ବେଳେ ଘରୁ ବାହାରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି କିଛି ଲୋକ। ବିଶେଷ କରି ମହିଳାମାନେ ନିଜ ପରିବାରର ଦାୟିତ୍ୱ ସହ ସମାଜର ଦାୟିତ୍ୱ ତୁଲାଇବାରେ ପଛଘୁଞ୍ଚା ଦେଇ ନାହାନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଦିନରେ ପାରଦ ଏବେ ୪୦ ଡିଗ୍ରୀ ପାଖାପାଖି ରହୁଛି । ମୁଣ୍ଡ ଉପରେ ଟାଣ ଖରା । ଛତା ଖଣ୍ଡେ ଧରି ରାଜରାସ୍ତାରେ ଗାଡି ଚେକିଂ କରୁଛନ୍ତି ଟ୍ରାଫିକ କନଷ୍ଟେବଳ ଲକ୍ଷ୍ମୀପ୍ରିୟା ମଲ୍ଲିକ । ଲକଡ଼ାଉନ ବେଳେ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟ ଘରେ ରହିଛନ୍ତି । ହେଲେ ଘରୁ ବାହାରି ନିଜ କର୍ତ୍ତବ୍ୟ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି ଲକ୍ଷ୍ମୀପ୍ରିୟା ।

‘‘ଘରେ ରହିବା ପରିବର୍ତ୍ତେ ଲୋକଙ୍କ ସେବା କରିବା ଓ ଜଣେ ପୋଲିସ୍‌ କର୍ମୀ ଭାବେ ନିଜ କର୍ତ୍ତବ୍ୟ ନିର୍ବାହନ କରିବାକୁ ମୁଁ ଅଗ୍ରାଧିକାର ଦେଇଛି । କରୋନା ଭାଇରସର ଭୟ ମୋ’ ମନରେ ରହିଛି ସତ, ହେଲେ ନିଜ କର୍ତ୍ତବ୍ୟ କରିବାରେ କେବେ ପଛଘୁଞ୍ଚା ଦେଇନି । ଏଥିରେ ମତେ ଖୁସି ମିଳୁଛି,’’ କହିଛନ୍ତି ଲକ୍ଷ୍ମୀପ୍ରିୟା ।

ସେହି ପରି ଟାଣ ଖରାରେ ପରିବା ବିକୁଥିବା ଶ୍ରୀମତୀ କହିଛନ୍ତି ଯେ ପରିବା ବିକିଲେ ହିଁ ତାାଙ୍କ ପରିବାର ଚାଲିବ । ‘‘ମୁଁ ପରିବା ବିକି ଲୋକଙ୍କ ଆବଶ୍ୟକ ବି ପୂରଣ କରୁଛି । ଆବଶ୍ୟକତା ବେଳେ ଲୋକଙ୍କୁ ସାହାଯ୍ୟ କରିପାରୁଛି । ଏଇଟା  ମୋତେ ବହୁତ ଖୁସି ଦଉଛି,’’ କହିଛନ୍ତି ସକାଳ ୭ଟାରୁ ପରିବା ବିକିବାକୁ ଛକକୁ ବାହାରି ଆସୁଥିବା ଶ୍ରୀମତୀ । ଏଥିରେ ତାଙ୍କ ସ୍ୱାମୀ ବି ତାଙ୍କୁ ସାହାଯ୍ୟ କରନ୍ତି । ପିଲାମାନଙ୍କୁ ଘରେ ଛାଡ଼ି ସ୍ୱାମୀ ସ୍ତ୍ରୀ ଚାଲିଅସନ୍ତି ପରିବା ବିକିବାକୁ । ଦିନ ୧୨ଟା ଯାଏ ପରିବା ବିକି ଘରକୁ ଫେରନ୍ତି ।

ମଥା ଉପରେ ଛଟା ଖଣ୍ଡେ ଧରି ଗାଡ଼ି ଚେକିଂରେ ଲାଗିଛନ୍ତି ଟ୍ରାଫିକ୍ କନଷ୍ଟେବଳ ଲକ୍ଷ୍ମୀପ୍ରିୟା ମଲ୍ଲିକ ।


କରୋନା ଲକଡ଼ାଉନ ବେଳେ ବି ବିଏମସି ପକ୍ଷରୁ ନିୟମିତ ସଫେଇ କାମ ଜାରି ରହିଛି । ସେଥିରେ ନିୟୋଜିତ ହୋଇଛନ୍ତି ପ୍ରାୟ ୩,୦୦୦ ସଫେଇ କର୍ମୀ । ମାସ୍କ ଓ ଗ୍ଲୋବସ୍‌ ପିନ୍ଧି ଲାଗିପଡ଼ିଛନ୍ତି କାମରେ । ସେମାନଙ୍କ ମଧ୍ୟରୁ ଜଣେ ହେଲେ ରୂପଶ୍ରୀ ନାୟକ । ସେ ସକାଳ ୫ଟା ରୁ ବାହାରି ଆସନ୍ତି ଘରୁ।

‘‘ମନରେ କରୋନା ସଂକ୍ରମଣର ଭୟ ଅଛି ସତ । ପରିବାର ଲୋକେ ବି ବାରଣ କରନ୍ତି ବାହାରକୁ ଆସିବାକୁ । ହେଲେ କର୍ତ୍ତବ୍ୟ ଆଗରେ ଅନ୍ୟ ସବୁକୁ ପଛରେ ପକେଇ ଦେଇଛି ମୁଁ,’’ କହିଛନ୍ତି ରୂପଶ୍ରୀ । ଭୋର୍‌ ୫ଟା ବେଳେ ଆସି ହାଜିରା ପକାନ୍ତି ସେ । ତା’ ପରେ ବଣ୍ଟା ହେଇ ଯାଏ କାମ । କେଉଁ ଏରିଆକୁ କିଏ ଯିବ । ଦିନ ୧୧ଟା ଯାଏ ଚାଲେ ସଫେଇ କାମ ।

ଲକ୍ଷ୍ମୀପ୍ରିୟା ଓ ରୂପଶ୍ରୀଙ୍କ ଭଳି ଆହୁରି ଅନେକ ବ୍ୟକ୍ତି ଲକଡ଼ାଉନ ବେଳେ ଅନବରତ ସେବା ଜାରି ରଖିଛନ୍ତି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହେଉ ବା ସମାଜ ସେବା । ବିଭିନ୍ନ କ୍ଷେତ୍ରରେ ଶତାଧିକ ମହିଳା କର୍ମୀ ସେବା ଯୋଗାଇ ଚାଲିଛନ୍ତି । ଏପରିକି କରୋନା ପଜିଟିଭ ପାଇଁ ସିଲ୍‌ ହୋଇଥିବା ଅଞ୍ଚଳରେ ବି ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଉଛନ୍ତି କିଛି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ।
First published: April 12, 2020, 7:51 PM IST
corona virus btn
corona virus btn
Loading