ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»OPINION: ଯେବେ ଲୋକଙ୍କ ସଙ୍କଟ ବେଳେ PM ମୋଦି ସଙ୍କଟମୋଚକ ହୋଇଛନ୍ତି, ସାହାଯ୍ୟ କରିଛନ୍ତି

OPINION: ଯେବେ ଲୋକଙ୍କ ସଙ୍କଟ ବେଳେ PM ମୋଦି ସଙ୍କଟମୋଚକ ହୋଇଛନ୍ତି, ସାହାଯ୍ୟ କରିଛନ୍ତି

Many Don't Know How PM Narendra Modi Always Helps People in Their Hard Times | ଯେଉଁ ମୋଦିଙ୍କ ନାଁକୁ ସାମନାରେ ରଖି ମୁସଲମାନମାନଙ୍କ ଭୋଟ୍‌ର ଠିକାଦାରୀ କରୁଥିବା ନେତାମାନେ ଦେଶର କୋଟି କୋଟି ମୁସଲମାନମାନଙ୍କୁ ଭୟଭୀତ କରାନ୍ତି, ସେହି ମୋଦି ରୋଗଗ୍ରସ୍ତ ଫାତିମା ଲିଆକତଙ୍କ ଭୟଭୀତ ପରିବାରକୁ ସାହସ ଓ ସାହାଯ୍ୟ ଦେଇଥିଲେ ।

OPINION: ଯେବେ ଲୋକଙ୍କ ସଙ୍କଟ ବେଳେ PM ମୋଦି ସଙ୍କଟମୋଚକ ହୋଇଛନ୍ତି, ସାହାଯ୍ୟ କରିଛନ୍ତି
ଅଧିକାଂଶ ମୁସଲିମମାନଙ୍କ ମଧ୍ୟରେ ମୋଦିଙ୍କ ଛବି ଠାରୁ ଅଲଗା ତାଙ୍କ ପ୍ରକୃତ ସ୍ୱଭାବ (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
ବ୍ରଜେଶ କୁମାର ସିଂ

ନିକଟରେ ଟିଭି ଆଙ୍କର୍ ଓ ସାମ୍ବାଦିକା ରୁବିକା ଲିଆକତଙ୍କ ଏକ ଟ୍ୱିଟ୍ ଦେଖିବାକୁ ମିଳିଥିଲା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ଏକ ଚିଠିକୁ ଉଦ୍ଧୃତ କରି ତାଙ୍କ ଦୁଃଖ ସମୟରେ ତାଙ୍କୁ ଉତ୍ସାହିତ କରିଥିବାରୁ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ । ବାସ୍ତବରେ ରୁବିକାଙ୍କ ମା’ ଡକ୍ଟର ଫାତିମା ଲିଆକତଙ୍କର ଏହି ମେ ମାସ ୨୮ ତାରିଖରେ ମୃତ୍ୟୁ ହୋଇଗଲା । ତାହା ଜାଣି ପ୍ରଧାନ ମନ୍ତ୍ରୀ ମୋଦି ପଠାଇଥିବା ଏକ ସମବେଦନା ବାର୍ତ୍ତା କେବଳ ଲୋକାଚାର ନ ଥିଲା, ବର୍ଂ ତାହା ସ୍ୱର୍ଗତା ଫାତିମା ଲିଆକତଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇ ସମ୍ବେଦନଶୀଳତାରେ ପରିପୂର୍ଣ୍ଣ ଥିଲା ।

ରୁବିକା ଓ ମୁଁ ପରସ୍ପରକୁ ବହୁତ ଦିନରୁ ଜାଣି ନ ଥିଲୁ ।ଚାରି ବର୍ଷ ପୂର୍ବେ ଆମେ ଏଖ ମିଡି଼ଆ ସଙ୍ଗଠନର ଦୁଇଟି ଭିନ୍ନ ଚ୍ୟାନେଲ୍‌ ପାଇଁ କାମ କରୁଥିଲୁ । ଲିଫ୍ଟରେ କେବେ କେବେ ଭେଟ ହେଉଥିଲା । ଭାବିଲି ମୁଁ ରୁବିକାକୁ ଫୋନ୍‌ କରିବା ଉଚିତ କାରଣ ଯେକେହି ବ୍ୟକ୍ତିଙ୍କ ପକ୍ଷରେ ନିଜ ମା’କୁ ହରାଇବା ଏମିତି ଏକ କ୍ଷତି ଯାହା କେବେ ପୂରଣ ହୋଇପାରିବ ନାହିଁ ।

ଏହା ବି ପଢ଼ନ୍ତୁ | ମାସ ଜେଲ୍ରେ ରହିବା ପରେ ମୁକୁଳିଲେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀ; ମୁହଁରେ ହସ ଥିଲା

ସାମ୍ବାଦିକ ରୁବିକାଙ୍କ ମାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି଼ବାରୁ ମୋଦି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ

ଯେତେବେଳେ ମୁଁ ରୁବିକାକୁ ଫୋନ୍‌ କଲି, ମୁଁ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଚିଠିର କାହାଣୀ ବୁଝିଲି । ମେ ମାସ ୨ ତାରିଖ ଦିନ ରୁବିକାଙ୍କ ମା’ ଫାତିମା ଲିଆକତ ହଠାତ୍ ଅସୁସ୍ଥ ହୋଇପଡି଼ଥିଲେ । ନିଜ ମା’ଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ରୁବିକା ନୋଏଡାରୁ ଉଦୟପୁରକୁ ଚାଲିଯାଇଥିଲେ, ଯେଉଁଠି ତାଙ୍କ ପରିବାର ରହୁଥିଲେ । ମା’ ଫାତିମା ଲିଆକତ ଜୀବବିଜ୍ଞାନରେ ପି.ଏଚ୍‌.ଡି. କରିବା ପରେ ଦୀର୍ଘ ଦିନ ଧରି ପାଣିରେ ରହୁଥିବା ପ୍ରାଣୀମାନଙ୍କ ଉପରେ କ୍ଷତିକାରକ ଧାତୁର ପ୍ରଭାବ ଉପରେ ଗବେଷଣା କରିଆସୁଥିଲେ । ମା’ଙ୍କ ଅସୁସ୍ଥତାର ପ୍ରଥମ ଦିନରେ ରୁବିକାଙ୍କୁ ଲାଗିଲା ବୋଧ ହୁଏ ରମଜାନ୍‌ ମାସରେ ଉପବାସ କରୁଥିବା କାରଣରୁସେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ଯେଉଁଥିରେ ଲୋକେ ସାଧାରଣତଃ ବାନ୍ତି କରନ୍ତି ।

ପ୍ରଧାନ ମନ୍ତ୍ରୀ ମୋଦି ରୁବିକା ଲିଆକତଙ୍କୁ ଲେଖିଥିବା ଚିଠି


କିନ୍ତୁ ଫାତିମା ଲିଆକତଙ୍କ ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଖରାପ ହୋଇଗଲା ।ତାଙ୍କ କିଡନୀ, ଯକୃତ ଓ ହୃଦୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବା ଆରମ୍ଭ କଲା ।କରୋନା କାଳରେ ରୁବିକାଙ୍କୁ ଲାଗୁଥିଲା କରୋନା ହେତୁ ଏ ସବୁ ଘଟୁନାହିଁ ତ? ଡାକ୍ତରଖାନାରେ ଭର୍ତ୍ତି ହେବାର ସମୟ ଆସିଗଲା ।ସେହି ରୋଗ ଯେ ଅତି ବିପଜ୍ଜନକ, ତାହା ରୁବିକା ଓ ତାଙ୍କ ସାନ ଭଉଣୀ ଅଞ୍ଜୁମ୍ ମଧ୍ୟ ଅନୁଭବ କରୁଥିଲେ ।ମା’ ଫାତିମା ମଧ୍ୟ ତାହା ହିଁ ଅନୁଭବ କରିଥିଲେ । ସେ ନିଜେ ବିଜ୍ଞାନର ପଣ୍ଡିତ ଥିଲେ ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ଛୁଆ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ବାପା ମଲେ

ଏଭଳି ପରିବେଶରେ ଇଦ୍ ପର୍ବ ପହଞ୍ଚିଲା ।ଇଦ୍ କ’ଣ ପାଳନ କରିବେ? ପିତା ଲିଆକତ୍‌ ଅମରଙ୍କୁ ଦୁଇ ଭଉଣୀ ଘରେ ରହିବାକୁ କହି ଉଭୟେ ଉଦୟପୁରର ପାରସ୍ ଜେ.କେ. ହସ୍ପିଟାଲର ଆଇସିୟୁରେ ନିଜ ମା’ଙ୍କ ଶଯ୍ୟା ନିକଟରେ ଠିଆ ହୋଇଥିଲେ । ଶୁକ୍ରବାର ମଇ ୧୪ ତାରିଖ ଦିନ, ମାନେ ଇଦ୍ ଦିନ, ଯେତେବେଳେ ସୁଖ ପରିବର୍ତ୍ତେ ମାଆଙ୍କ ଅସୁସ୍ଥତା ଯୋଗୁଁ ଦୁଇ ଭଉଣୀଙ୍କ ଚେହେରା କଳା ପଡ଼ିଯାଇଥିଲା, ସେତିକି ବେଳେ ରୁବିକାଙ୍କ ଫୋନ୍ ବାଜିଲା ।କୌଣସି ଫୋନ୍‌ ନମ୍ବର ଦିଶୁ ନ ଥିଲା । ପରଦାରେ ନୋ କଲର୍ ID ଲେଖାଯାଇଥିଲା ।ରୁବିକା ଫୋନ୍ ଉଠାଇବେ କି ନା ବୁଝିପାରି ନ ଥିଲେ । ଯେତେବେଳେ ସେ ଫୋନ୍‌ ଉଠାଇଲେ, ସେ ଜାଣିଲେ ପ୍ରଧାନ ମନ୍ତ୍ରୀ ତାଙ୍କ ସହ କଥା ହେବାକୁ ଚାହୁଁଥିଲେ ।

ରୁବିକା କଳ୍ପନା କରି ନ ଥିଲେ ଯେ PM ମୋଦି ସିଧାସଳଖ ଫୋନ୍‌ କରିବେ

ରୁବିକା ଆଶ୍ଚର୍ଯ୍ୟ ହୋଇଗଲେ । ଇଦ୍ ଦିନ କରୋନାର ଭୟଙ୍କର ବାତାବରଣ ଓ ମା’ଙ୍କ ଅସୁସ୍ଥତା ମଧ୍ୟରେ, ଯେତେବେଳେ କୌଣସି ସମ୍ପର୍କୀୟ ବି ତାଙ୍କ ପାଖକୁ ଫୋନ୍‌ କରୁ ନ ଥିଲେ, ସେତେବେଳେ ଦେଶର ପ୍ରଧାନ ମନ୍ତ୍ରୀଙ୍କ ଠାରୁ ଏକ କଲ୍‌ ଆସିଥିଲା ।

ରୁବିକା ଲିଆକତ ପ୍ରଧାନ ମନ୍ତ୍ରୀଙ୍କୁ ପଠାଇଥିବା ଉତ୍ତର ଚିଠି


ରୁବିକା କିଛି ବୁଝିବା ପୂର୍ବରୁ ଏକ କଣ୍ଠ ସ୍ୱର ଆସିଲା: ‘ରୁବିକା ଜୀ, ଆପଣଙ୍କୁ ଇଦ୍ ପର୍ବର ବହୁତ ଶୁଭକାମନା କରୁଛି ।’ ଯେତେବେଳେ ରୁବିକା ନିଜ ମା’ଙ୍କ ଅସୁସ୍ଥତା ବିଷୟରେ କହିଲେ, ସେତେବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ତାଙ୍କ ବିଷୟରେ ବିସ୍ତୃତ ଭାବରେ ପଚାରି ବୁଝିଲେ ଓ ପୂରା ମାମଲା ଜାଣିବା ପରେ ଆଇସିୟୁ ବେଡରେ ପଡ଼ିଥିବା ଫାତିମା ଲିଆକତଙ୍କ ସହ କଥା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ରୁବିକା ନିଜ ମା’ଙ୍କୁ ଫୋନ୍ ଦେଇଥିଲେ । ମାଆ ନିଜେ କଥା ହେବା ଅବସ୍ଥାରେ ନ ଥିଲେ ।ଯେତେବେଳେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଠାରୁ ଫୋନ୍‌ ଆସିଛି ବୋଲି ସେ ଶୁଣିଲେ ତାଙ୍କ ଆଖି ତ ମେଲା ହୋଇ ରହିଗଲା! ପ୍ରଧାନ ମନ୍ତ୍ରୀ ମୋଦି କହିଥିଲେ, ‘ମୁଁ ନିଶ୍ଚିତ ଯେ ଆପଣ ନିଜ ସମସ୍ତ ସାହସ ସହିତ ଲଢ଼ିବେ ଓ ଏହି ରୋଗକୁ ପରାସ୍ତ କରିବେ ।’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯେବେ ଦୌଡ଼ ରାଣୀ ଦୂତୀ ଚାନ୍ଦ୍ କହିଥିଲେ ‘‘ସେ ମୋସାବିତ୍ରୀ, ମୁଁ ତାସତ୍ୟବାନ ’’

ଫାତିମା ଲିଆକତ କିଛି କହିପାରିଲେ ନାହିଁ, କିନ୍ତୁ ହାତ ବଢ଼ାଇ ଝିଅକୁ ସୂଚାଇ ଦେଲେ ଯେ ସେ ଏହି ଯୁଦ୍ଧରେ ସମ୍ପୂର୍ଣ୍ଣ ସାହସ ସହିତ ଲଢ଼ିବେ । ମୋଦିଙ୍କ ଏହି ଫୋନ୍‌ କଲ୍ ଇଦ୍ ଦିନ ପ୍ରାୟ ପାଞ୍ଚ-ସାତ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଫୋନ୍ ରଖିବା ପୂର୍ବରୁ ପ୍ରଧାନ ମନ୍ତ୍ରୀ ରୁବିକାଙ୍କୁ କୌଣସି କଥା ବିଷୟରେ ଚିନ୍ତା ନ କରିବାକୁ ଆଶ୍ୱାସନା ଦେଇ କହିଥିଲେ ଯେ ଯଥା ସମ୍ଭବ ସବୁ ସହାୟତା ଯୋଗାଇ ଦିଆଯିବ ।

ରୁବିକାଙ୍କ ମାଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ବ୍ୟବସ୍ଥା କରିଥିଲେ ମୋଦି

ସେହି ଦିନ ପରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କଠାରୁ ଆଉ ଫୋନ୍‌ ଆସି ନ ଥିଲା, କିନ୍ତୁ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରତି ଦିନ ରୁବିକାଙ୍କୁ କଲ୍‌ ଆସୁଥିଲା । ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ନିଆଯାଉଥିଲା । କେବଳ ସେତିକି ନୁହେଁ, ଏହି ରୋଗର ମୁକାବିଲା ପାଇଁ ସମସ୍ତ ଉତ୍ତମ ପରାମର୍ଶ ଓ ଔଷଧ ଯୋଗାଇ ଦିଆଯାଇଥିଲା । ଏପରିକି ଏ.ଆଇ.ଆଇ.ଏମ୍.ଏସ୍. ଦିଲ୍ଲୀର ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ ନିଜେ ଉଦୟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଫାତିମା ଲିଆକତଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ମାର୍ଗଦର୍ଶନ କରିବା ଜାରି ରଖିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲା

ଉଦୟପୁରର ଡାକ୍ତରମାନଙ୍କ ଆଶ୍ଚର୍ଯ୍ୟର ସୀମା ନ ଥିଲା । ‘ହେଉଛି କ’ଣ?’ ସେମାନେ ଭାବୁଥିଲେ । ଗୋଟିଏ ପଟେ ଏତେ ଖ୍ୟାତିସମ୍ପନ୍ନ ଡାକ୍ତର ଗାଇଡ୍ କରୁଛନ୍ତି, ଆଉ ଅନ୍ୟ ପଟେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲଙ୍କ କାର୍ଯ୍ୟାଳୟ ଯେକୌଣସି ଆବଶ୍ୟକୀୟ ଔଷଧ ଯୋଗାଇବା ପାଇଁ ପ୍ରସ୍ତୁତ ରହିଛି । ସର୍ବୋତ୍ତମ ଚିକିତ୍ସା ପାଇ ଫାତିମା ଲିଆକତ ୨୬ ଦିନ ପର୍ଯ୍ୟନ୍ତ ନିଜ ଅସୁସ୍ଥତା ସହିତ ଲଢ଼ିଥିଲେ । କିନ୍ତୁ ଯାହା ଘଟିବାକୁ ଅଛି ତାକୁ ଏଡ଼ାଇବା ସମ୍ଭବ ନୁହେଁ । ଶେଷରେ ସେ ମେ ୨୮ ତାରିଖରେ, ଯେତେବେଳେ ତାଙ୍କୁ ଉଦୟପୁରରୁ ଦିଲ୍ଲୀକୁ ଏୟାର ଆମ୍ବୁଲାନ୍ସ ଯୋଗେ ଆଣିବାକୁ ପ୍ରସ୍ତୁତି ଚାଲିଥିଲା, ସେ ମୃତ୍ୟୁ ବରଣ କରିଥିଲେ ।ଫାତିମା ଲିଆକତଙ୍କ ମୃତ୍ୟୁ ସ୍ୱାଭାବିକ ଭାବରେ ସମଗ୍ର ପରିବାର ପାଇଁ ଗଭୀର ଆଘାତ ଓ ଦୁଃଖର କାରଣ ଥିଲା ।କେବଳ ରୁବିକା ନୁହେଁ, ତାଙ୍କ ପିତା ମଧ୍ୟ ଏହି ଦୁଃଖ ସମୟରେ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଖରେ ଠିଆ ହୋଇଥିବା ନେଇ ବହୁତ ସନ୍ତୁଷ୍ଟ ହୋଇଥିଲେ । ସବୁ ଦିଗରୁ ଏତେ ସାହାଯ୍ୟ କରାଯାଇଥିଲା ଯେ ପୂରା ପରିବାରର ସାହସ ବଢ଼ିବାକୁ ଲାଗିଥିଲା ।

ରୁବିକାଙ୍କ ଅଭିଜ୍ଞତା ମୁସଲମାନମାନଙ୍କ ମଧ୍ୟରେ ମୋଦିଙ୍କ ପ୍ରତିଷ୍ଠିତ ଭାବମୂର୍ତ୍ତିର ବିପରୀତ ଥିଲା

ରୁବିକା ଓ ତାଙ୍କ ପିତା କିମ୍ବା ସାନ ଭଉଣୀଙ୍କ ପାଇଁ ପି.ଏମ୍‌. ମୋଦିଙ୍କ ସେହି ରୂପ ସମ୍ପୂର୍ଣ୍ଣ ନୂଆ ଥିଲା । ରୁବିକାଙ୍କର ମୋଦିଙ୍କ ସହ ପରିଚୟ ଅଧିକ ପୁରୁଣା ନ ଥିଲା । ୨୦ ଫେବୃଆରୀ ୨୦୧୯ରେ ରୁବିକା ପ୍ରଥମ ଥର ପାଇଁ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ସହ ମୁହାଁମୁହିଁ ସାକ୍ଷାତ କରିଥିଲେ, ଯେତେବେଳେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସୁଲେମାନଙ୍କ ସମ୍ମାନାର୍ଥେ ଆୟୋଜିତ ମଧ୍ୟାହ୍ନ ଭୋଜନରେ ରୁବିକାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ରୁବିକା ଓ ତାଙ୍କ ପରିବାର ବୁଝିପାରିଲେ ନାହିଁ ଯେ ଗତ ଦୁଇ ଦଶନ୍ଧି ଧରି କାହିଁକି ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତି ନିଜ ମୁସଲମାନ ସମାଜରେ ଏକ ଭିଲେନ୍ ଭାବରେ ସୃଷ୍ଟି ହୋଇଛି । କାହିଁକି କୁହାଯାଏ ଯେ ମୁସଲମାନମାନେ ମୋଦିଙ୍କୁ ଭୟ କରୁଛନ୍ତି ତାହା ସେମାନେ ବୁଝିପାରୁ ନ ଥିଲେ । ତାଙ୍କ ପରିବାର ପାଇଁ ସବୁଠାରୁ କଷ୍ଟକର ସମୟରେ ମୋଦି ସେମାନଙ୍କ ସହ ପଥର ପରି ଠିଆ ହୋଇଥିଲେ ଓ ପ୍ରତ୍ୟେକ ସମସ୍ୟା ଦୂର କରିବାକୁ ଚେଷ୍ଟା କରିଥିଲେ ।ଯେଉଁ ମୋଦିଙ୍କ ନାଁକୁ ସାମନାରେ ରଖି ମୁସଲମାନମାନଙ୍କ ଭୋଟର ଠିକାଦାରୀ କରୁଥିବା ନେତାମାନେ ଦେଶର କୋଟି କୋଟି ମୁସଲମାନମାନଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରନ୍ତି, ସେହି ମୋଦି ରୋଗଗ୍ରସ୍ତ ଫାତିମା ଲିଆକତଙ୍କ ଭୟଭୀତ ପରିବାରକୁ ସାହସ ଦେବାକୁ ସବୁ ଉଦ୍ୟମ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା

ରୁବିକାଙ୍କ ମାଙ୍କ ମୃତ୍ୟୁକୁ ପରେ ମୋଦି ଦୁଃଖରେ ଚିଠି ଲେଖିଥିଲେ

ରୁବିକା ଓ ତାଙ୍କ ପରିବାର ପାଇଁ ଏହା ମୋଦିଙ୍କର ଏମିତି ରୂପ ଥିଲା ଯାହାକୁ ସେମାନେ କେବେ ଦେଖି ନ ଥିଲେ କିମ୍ବା ଶୁଣି ନ ଥିଲେ । ଫାତିମା ଲିଆକତଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଧାନ ମନ୍ତ୍ରୀ ମୋଦି ଏକ ସମବେଦନା ବାର୍ତ୍ତା ପଠାଇଥିଲେ, ଯେଉଁଥିରେ ସେ କେବଳ ରୁବିକାଙ୍କ ମା’ଙ୍କ ବିଷୟରେ ବିସ୍ତୃତ ଭାବରେ ଲେଖି ନ ଥଲେ, ବରଂ ତାଙ୍କ ପରିବାରକୁ ମଧ୍ୟ ଶାନ୍ତ୍ୱନା ଦେଇଥିଲେ । ପି.ଏମ୍‌. ମୋଦୀଙ୍କ ଠାରୁ ଏହି ଚିଠି ପାଇବା ପରେ ରୁବିକାଙ୍କ ପିତା ଭାବପ୍ରବଣ ହୋଇପଡି଼ଥିଲେ । ସେ ଝିଅମାନଙ୍କୁ କହିଥିଲେ ଯେ ଏହି ଦୁଃଖ ସମୟରେ ପ୍ରଥମେ ଆସିଥିବା ଫୋନ୍ ଓ ପରେ ଆସିଥିବା ଚିଠିକୁ ଲିଆକତ୍‌ ପରିବାର କେବେ ବି ଭୁଲି ପାରିବ ନାହିଁ । ପରିବାରର ଯେକୌଣସି ସଦସ୍ୟ କେମିତି କଳ୍ପନା କରିପାରିଥାନ୍ତେ ଯେ ଗତ ସାତ ବର୍ଷ ଧରି ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନ ମନ୍ତ୍ରୀ ମୋଦି ଉଦୟପୁରର ଏହି ସରଳ ପରିବାରର ବଡ଼ ଦୁଃଖ ସମୟରେ ତାଙ୍କ ସହ ଠିଆ ହେବେ? ନିଜ ଭାବପ୍ରବଣତାର ଜୁଆରରେ ରୁବିକା ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ ଏକ ଚିଠି ଲେଖିଥିଲେ: ‘‘ମୋ’ ମା ଘରର ପ୍ରଧାନ ଥିଲେ ।ଯେତେବେଳେ ଦେଶର ପ୍ରଧାନ ତାଙ୍କ ଅବସ୍ଥା ବିଷୟରେ ବୁଝିଥିଲେ, ସେହି ମୁହୂର୍ତ୍ତଟି ଆମ ପୂରା ପରିବାର ପାଇଁ ଅତି ଆତ୍ମୀୟ ଥିଲା ।’’

ବିନା ହଲ୍ଲାରେ ଲୋକଙ୍କୁ ସାହାଯ୍ୟ କରିବା ମୋଦିଙ୍କ ପୁରୁଣା ପ୍ରକୃତି

ଏହା ନୁହେଁ ଯେ ଏହି ଘଟଣା ମୋଦି ଦେଶର ପ୍ରଧାନ ମନ୍ତ୍ରୀ ହୋଇ ବି ଅସୁବିଧା ସମୟରେ ଲୋକଙ୍କ ଘରର ପ୍ରଧାନ ଭାବରେ ନିଜେ ଦାୟତ୍ୱ ନେବାର ଏକ ମାତ୍ର କାହାଣୀ । ଏମିତି ଶହ ଶହ ଘଟଣା ଅଛି, କିନ୍ତୁ ଅଧିକାଂଶ ଲୋକ ଏ ସବୁ କଥା କହିବାକୁ ଆଗକୁ ଆସନ୍ତି ନାହିଁ କାରଣ ସେମାନେ ଭାବନ୍ତି ଯେ ଯଦି ସେମାନେ ମୋଦିଙ୍କ ମାନବିକ ଓ ଦୟାବାନ ପ୍ରକୃତିକୁ ଦର୍ଶାଉଥିବା ସେହି ସବୁ ଘଟଣାକୁ ସାର୍ବଜନୀନ କରନ୍ତି, ତେବେ ଲାଗିବ ଯେମିତି ସେମାନେ ପ୍ରଧାନ ମନ୍ତ୍ରୀଙ୍କ ସହ ନିଜ ନିକଟତାକୁ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି । ଏପରିକି ପ୍ରଧାନ ମନ୍ତ୍ରୀ ମୋଦି ନିଜେ ଏହି ଘଟଣାଗୁଡ଼ିକ ବିଷୟରେ ସର୍ବସାଧାରଣରେ କେବେ କିଛି ଉଲ୍ଲେଖ କରିନାହାଁନ୍ତି । କାହାକୁ ନ ଜଣାଇ ସେ ଲୋକଙ୍କୁ ସାହାଯ୍ୟ କରିଚାଲିଥାନ୍ତି । କିନ୍ତୁ ଯାହାଙ୍କୁ ବି ସେ ସାହାଯ୍ୟ କରିଛନ୍ତି, ସେହି ଘଟଣା ତାଙ୍କ ଜୀବନର ଏକ ଅବିସ୍ମରଣୀୟ ଅଂଶ ହୋଇ ରହିଯାଇଛି ।

ଅରବିନ୍ଦ କେଜରିୱାଲ ଲଗାତର କାଶରେ ପୀଡ଼ିତ ଥବା ବେଳେ ମୋଦି ତାଙ୍କୁ ଏଥିରୁ ମୁକ୍ତିର ଉପାୟ କହିଥିଲେ । (ଫାଇଲ ଫଟୋ)


ଏମିତି ଏକ ସଦ୍ୟ ଅନୁଭୂତି ଜଣେ ବରିଷ୍ଠ ସାମ୍ବାଦିକ ତଥା ବର୍ତ୍ତମାନ ଦେଶର ସୂଚନା କମିଶନର ଭାବରେ କାର୍ଯ୍ୟ କରୁଥିବା ଉଦୟ ମାହୁରକରଙ୍କ ସହ ଘଟିଛି । ପ୍ରାୟ ୩୫ ବର୍ଷ ଧରି ତାଙ୍କର ମୋଦିଙ୍କ ସହ ସମ୍ପର୍କ । ଏପ୍ରିଲ୍ ମାସରେ ତାଙ୍କ ପତ୍ନୀ ସ୍ମିତା ମହୁରକର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିଲେ । ସେତେବେଳେ ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ତୀବ୍ର ହେବାରେ ଲାଗିଥିଲା ।ସ୍ମିତାଙ୍କ ଅମ୍ଳଜାନ ସ୍ତର ହଠାତ୍ ଦ୍ରୁତ ଗତିରେ ଖସିବାକୁ ଲାଗିଲା । ସାଧାରଣତଃ ଶରୀରରେ ଏସ୍‌.ପି.ଓ. ସ୍ତର ୯୫ରୁ ଅଧିକ ରହେ, ମାତ୍ର ତାହା ୫୫କୁ ଖସିଗଲା । ଏତେ ନିମ୍ନ ଅମ୍ଳଜାନ ସ୍ତରରେ ଲୋକେ ପ୍ରାୟତଃ କୋମାକୁ ଯାଆନ୍ତି ଓଜୀବନ ଯିବାର ସମ୍ଭାବନା ଥାଏ । ଉଦୟ ମାହରୁକର ବି ଏମିତି ମନ୍ଦ କଥା ଚିନ୍ତା କରିବା ଆରମ୍ଭ କରିଥିଲେ ।ସେ କିଛି ବୁଝିପାରୁ ନ ଥିଲେ । ଦିଲ୍ଲୀର ଡାକ୍ତରଖାନାଗୁଡ଼ିକର ଅବସ୍ଥା ଗୁରୁତର ଥିଲା ।କେଉଁଠିକୁ ଯିବେ, କ’ଣ କରିବେ? ଅବସାଦଗ୍ରସ୍ତ ଅବସ୍ଥାରେ ନିଜ ପତ୍ନୀଙ୍କ ଅବସ୍ଥା ବିଷୟରେ ପି.ଏମ୍‌. ମୋଦିଙ୍କ ବ୍ୟକ୍ତିଗତ ସହାୟକଙ୍କୁ ସେ ସୂଚନା ଦେଲେ । ମୋଦିଙ୍କୁ ଏହାର ସୂଚନା ଶୀଘ୍ର ଦିଆଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସାମ୍ନାରେ ଜଗନ୍ନାଥଙ୍କ ବିଗ୍ରହ, ପରଦାରେ ବାତ୍ୟାର ଗତି ପଥ: ‘ୟାସ୍ବିଷୟରେ ଖବର ରଖୁଥିଲେ CM ନବୀନ ପଟ୍ଟନାୟକ

ବରିଷ୍ଠ ସାମ୍ବାଦିକ ଉଦୟ ମାହୁରକରଙ୍କ ପତ୍ନୀଙ୍କ ଜୀବନ ରକ୍ଷା କଲେ ମୋଦି

ଆଗାମୀ ପାଞ୍ଚ ମିନିଟରେ ଯାହା ଘଟିଲା ​​ସେ ବିଷୟରେ ଉଦୟ ମାହୁରକର ଧାରଣା ପାଇଥିଲେ ଯେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଛଡ଼ା ରାମ ମନୋହର ଲୋହିଆ ହସ୍ପିଟାଲର ଅଧୀକ୍ଷକ ଏ.କେ. ସିଂ ରାଣା ବି ତାଙ୍କୁ ଫୋନ୍‌ କଲେ । ସ୍ମିତା ମାହୁରକରଙ୍କୁ ୭ ଏପ୍ରିଲରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୧୯ ଦିନର ଚିକିତ୍ସା ପରେ ୨୬ ଏପ୍ରିଲରେ ସେ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ।ଏହା ତାଙ୍କ ପାଇଁ ଏକ ନୂଆ ଜୀବନ ଥିଲା । ଏହି ସମୟରେ ପ୍ରଧାନ ମନ୍ତ୍ରୀ ମୋଦି ନିଜେ ଫୋନ୍‌ କରି ଦୁଇ ଥର ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ ।ତାଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ସୂଚନା ପଠାଇବା ଜାରି ରଖିଥିଲେ । ମାହୁରକର କେମିତି ଭୁଲି ପାରିବେ ଯେ ଗତ ବର୍ଷ ଯେତେବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା, ତା’ର କିଛି ଘଣ୍ଟା ମଧ୍ୟରେ ପ୍ରଧାନ ମନ୍ତ୍ରୀ ତାଙ୍କୁ ଫୋନ୍‌ କରି ଶାନ୍ତ୍ୱନା ଦେଇଥିଲେ ଏବଂ ପରେ ତାଙ୍କୁ ସମବେଦନା ବାର୍ତ୍ତା ପଠାଇଥିଲେ, ଯେଉଁଥିରେ ତାଙ୍କ ପିତା ଜେ.ଜି. ମାହୁରକରଙ୍କ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟଗୁଡି଼କ ଉଲ୍ଲେଖ କରାଯାଇଥିଲା । ମାହୁରକର ଏହି ଅଭିଜ୍ଞତାକୁ କେବେ ବି ଭୁଲି ପାରିବେ ନାହିଁ ।ମାହୁରକର ମୋଦିଙ୍କ ପ୍ରାଶାସନିକ କାର୍ଯ୍ୟ ଉପରେ ଦୁଇଟି ବହି ଲେଖିଛନ୍ତି ।

କରୋନା କାଳରେ ମୋଦି ଶହ ଶହ ଲୋକଙ୍କୁ ଫୋନ୍‌ କରି ତାଙ୍କ କଥା ବୁଝିଛନ୍ତି

କରୋନାର ପ୍ରାୟ ଦେଢ଼ ବର୍ଷ ମଧ୍ୟରେ ଦେଶର ହଜାର ହଜାର ଲୋକ ମୋଦିଙ୍କ ବ୍ୟକ୍ତିତ୍ୱର ଏହି ବିଶେଷ ଅଂଶକୁ ଅନୁଭବ କରିଛନ୍ତି । ବିଶେଷ କରି ସେହି ଲୋକମାନଙ୍କୁ, ଯେଉଁମାନେ ମୋଦିଙ୍କୁ ରାଜନୀତିରେ କୌଣସି ପ୍ରକାରେ ଉପକୃତ କରିପାରିବେ ନାହିଁ, ତାଙ୍କ ସଙ୍କଟ ସମୟରେ ମୋଦି ଫୋନ୍‌ କରିଛନ୍ତି ଓ ସାହାଯ୍ୟର ହାତ ବଢ଼ାଇଛନ୍ତି । ଦଶନ୍ଧି ଦଶନ୍ଧିର ପୁରୁଣା ମାନବିକ ସମ୍ପର୍କର ଉଷ୍ମତା ଯେ କେତେ ତାହା ମୋଦି କ୍ରମାଗତ ଭାବରେ ଲୋକଙ୍କୁ ହୃଦୟଙ୍ଗମ କରାଇଛନ୍ତି ।କେତେବେଳେ ସେ ଜାମସେଦପୁରର ଜନ ସଙ୍ଘ ଯୁଗର ଜଣେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ଫୋନ୍‌ କରିଛନ୍ତି, ଯିଏ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି, ତ ଆଉ ବେଳେବେଳେ ସେ କରୋନାରେ ପୀଡି଼ତ ହୋଇଥିବା ସଙ୍ଘ ଜୀବନର ତାଙ୍କ ପୁରୁଣା ସହଯୋଗୀମାନଙ୍କୁ ବି ଫୋନ୍‌ କରିଛନ୍ତି । କେବଳ ଗୁଜୁରାଟରେ ଏମିତି ସଙ୍ଘ ଅଧିକାରୀ ଓ କାର୍ଯ୍ୟକର୍ତ୍ତା ଅନେକ ଅଛନ୍ତି । ପ୍ରବୀଣଭାଇ ଓତିଆ, ମୁକୁନ୍ଦ ରାଓ ଦେବଭାନକର, ଭଗୀରଥଭାଇ ଦେଶାଇ ଓ ହରିଶଭାଇ ରାୱଲଙ୍କ ଭଳି ସଙ୍ଗଠନର ଅନେକ ପୁରୁଣା କାର୍ଯ୍ୟକର୍ତ୍ତା ଓ ପ୍ରଚାରକଙ୍କୁ ଫୋନ୍ କରି ତାଙ୍କ ବିଷୟରେ ପଚାରି ବୁଝିଛନ୍ତି ମୋଦି । କିନ୍ତୁ ଏ କଥା ନୁହେଁ ଯେ ପ୍ରଧାନ ମନ୍ତ୍ରୀ ମୋଦି କେବଳ ସେହି ଲୋକଙ୍କୁ ଫୋନ୍‌ କରନ୍ତି ଓ ସାହସ ପ୍ରଦାନ କରନ୍ତି ଯେଉଁମାନଙ୍କର ତାଙ୍କ ସହ ବୈଚାରିକ ସମାନତା ଥାଏ । ସେ ଅସୁବିଧା ସମୟରେ ଦୃଷ୍ଟିକୋଣରେ ସମାନତା ନ ଥିବା ଅନେକ ଲୋକଙ୍କୁ ଫୋନ୍‌ କରିଛନ୍ତି ଓ ସାହାଯ୍ୟର ହାତ ବଢ଼ାଇଛନ୍ତି ।

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

ନିଜ ସମାଲୋଚକମାନଙ୍କ ସ୍ୱାସ୍ଥ୍ୟ କଥା ବି ବୁଝନ୍ତି ମୋଦି

ଗତ ବର୍ଷ ଦିଲ୍ଲୀର ଜଣେ ବରିଷ୍ଠ ସାମ୍ବାଦିକଙ୍କ ସହ ଏମିତି ଅନୁଭୂତି ହୋଇଥିଲା । ସତ୍ତାକୁ ବିରୋଧ କରିବା ପାଇଁ ଜଣାଶୁଣା ଏକ ଇଂରାଜୀ ଖବରକାଗଜର ସ୍ଥାନୀୟ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିବା ଏହି ସାମ୍ବାଦିକ ଏକ ଗୁରୁତର ରୋଗ ସହ ଯୁଝୁଥିଲେ । ତାଙ୍କ ଅସୁସ୍ଥତା ଖବର ତାଙ୍କର ଜଣେ ସାଥୀଙ୍କ ମାଧ୍ୟମରେ ପି.ଏମ୍‌. ମୋଦିଙ୍କ ନିକଟରେ ପହଞ୍ଚିଥିଲା । ହଠାତ୍ ଦିନେ ସକାଳେ କୌଣସି କଲର୍ ID ନ ଥିବା ଏକ ଫୋନ୍‌ କଲ୍‌ ଏହି ସାମ୍ବାଦିକଙ୍କ ଫୋନକୁ ଆସିଲା । ଅସୁସ୍ଥତା କାରଣରୁ ସାମ୍ବାଦିକ ଫୋନ୍ ଉଠାଇ ନ ଥିଲେ । ହସ୍ପିଟାଲରେ ପ୍ରବେଶ କରିବା ବେଳେ ସେ ଶେଷରେ ଫୋନ୍ ଉଠାଇଲେ ।ସେପଟୁ ଏକ କଣ୍ଠ ସ୍ୱର ଆସିଲା ଓ କହିଲା ଯେ ପ୍ରଧାନ ମନ୍ତ୍ରୀ କଥା ହେବାକୁ ଚାହୁଁଛନ୍ତି ।ଏହି ସାମ୍ବାଦିକଙ୍କ ପାଇଁ ଏହା ଏହି ପ୍ରକାରର ପ୍ରଥମ ଅନୁଭୂତି ଥିଲା ୨୦୧୪ ନିର୍ବାଚନ ପରେ କିଛି ସାଧାରଣ କାର୍ଯ୍ୟକ୍ରମରେ ପି.ଏମ୍‌. ମୋଦିଙ୍କୁ ସେ ଭେଟିଥିଲେ, କିନ୍ତୁ ପୂର୍ବରୁ କେବେ ପ୍ରଧାନ ମନ୍ତ୍ରୀ ତାଙ୍କୁ ଫୋନ୍‌ କରି ନ ଥିଲେ । ବୈଚାରିକ ସ୍ତରରେ ଉଭୟଙ୍କ ମଧ୍ୟରେ କୌଣସି ସମାନତା ନ ଥିଲା ।ଏହି ସାମ୍ବାଦିକ ନିଜେ ମୋଦିଙ୍କୁ ସମାଲୋଚନା କରି ବଡ଼ ବଡ଼ ରିପୋର୍ଟ ଲେଖିଥିଲେ । ଏବେ ସାମ୍ବାଦିକ ଚକିତ ହେଲେ ଓ କ’ଣ ଘଟୁଛି କିଛି ବୁଝିପାରିଲେ ନାହିଁ ।

ଏହା ବି ପଢ଼ନ୍ତୁ | ବଲାଙ୍ଗିରର ଏହି କୋଭିଡ୍ ନର୍ସ ମାସର ଗର୍ଭବତୀ ହୋଇ ବି ସାହସର ସହ ରୋଗୀ ସେବା କରିଚାଲିଛନ୍ତି

ଟଫ୍‌ ମୋଦିଙ୍କ ସମ୍ବେଦନଶୀଳତା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି

ପ୍ରଧାନ ମନ୍ତ୍ରୀ ଏହି ସାମ୍ବାଦିକଙ୍କୁ ଦୁଇ ଥର ଫୋନ୍‌ କଲେ । ମୋଦିଙ୍କ ରାଜନୀତିକୁ ଅନେକ ଥର ସମାଲୋଚନା କରିଥିବା ଏହି ସାମ୍ବାଦିକଙ୍କ ପାଇଁ ଏତେ ବ୍ୟସ୍ତତା ସତ୍ତ୍ୱେ ପ୍ରଧାନ ମନ୍ତ୍ରୀ କେମିତି କଥାବାର୍ତ୍ତା କରିବାକୁ ସମୟ ବାହାର କଲେ ତା’ର ରହସ୍ୟ ସେ ଆଜି ପର୍ଯ୍ୟନ୍ତ ବୁଝିପାରି ନାହାନ୍ତି ବୋଲି କହିଛନ୍ତି । ଏହା ଗୋଟେ ସାଧାରଣ କଥା ନୁହେଁ ଯେ ଭାରତର ପ୍ରଧାନ ମନ୍ତ୍ରୀ କୌଣସି ସାମ୍ବାଦିକଙ୍କୁ ଫୋନ୍‌ କରିବେ, ତାହା ବି ବିନା କୌଣସି ସ୍ୱାର୍ଥ ବା ଉଦ୍ଦେଶ୍ୟରେ । ଏହି ସାମ୍ବାଦିକଙ୍କ ଜୀବନରେ ତାଙ୍କ ପାଖକୁ କୌଣସି ପ୍ରଧାନ ମନ୍ତ୍ରୀଙ୍କ ଫୋନ୍‌ ଆସିବାର ତାହା ପ୍ରଥମ ଘଟଣା ଥିଲା । ପି.ଏମ୍‌. ମୋଦିଙ୍କ ସେହି ଫୋନ୍ କଲ୍‌ ଏହି ସାମ୍ବାଦିକଙ୍କୁ ନିଜ ଅସୁସ୍ଥତା ସହ ଲଢ଼ିବାକୁ ଉତ୍ସାହିତ କରିଥିଲା । ବିଶେଷତଃ ସାଧାରଣତଃ ସାମ୍ବାଦିକମାନଙ୍କ ସାମ୍ନା କରୁ ନ ଥିବା ପି.ଏମ୍‌. ମୋଦି କେମିତି ଦୁଃଖ ସମୟରେ ସମବେଦନା ଓ ସାହାଯ୍ୟର ହାତ ବଢ଼ାଇବାକୁ ଏତେ ଶୀଘ୍ର ଆସନ୍ତି ତାହା ଭାବି ଏହି ସାମ୍ବାଦିକ ଆଜି ଯାଏଁ ଆଶ୍ଚର୍ଯ୍ୟ ହେଉଛନ୍ତି । ସେ ଏହା ବି ଜାଣନ୍ତି ଯେ ଆଜି ମୋଦି କେବଳ ଦେଶରେ ନୁହେଁ, ବିଶ୍ୱ ରାଜନୀତିରେ ସେହି ଉଚ୍ଚ ପଦବୀ ହାସଲ କରିସାରିଛନ୍ତି ଯେଉଁଠି ତାଙ୍କ ଭଳି ସାମ୍ବାଦିକଙ୍କୁ ପ୍ରଭାବିତ କରିବାର କୌଣସି ଆବଶ୍ୟକତା ନାହିଁ ।

ଏହା ବି ପଢ଼ନ୍ତୁ | ସୋନୁ ସୁଦ୍ ମିଛୁଆ? ତାଙ୍କ ସାହାଯ୍ୟ ଉପରେ ପ୍ରଶ୍ନ ଉଠାଇଲେ ଗଞ୍ଜାମ ଜିଲ୍ଲାପାଳ; ସୋନୁ ଜବାବ ଦେଲେ

ଗରିବ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ବି ମୋଦି ଚିନ୍ତା କରୁଛନ୍ତି

ଏମିତି ଏକ ବ୍ୟକ୍ତିଗତ ଅଭିଜ୍ଞତା ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ କାର୍ଯ୍ୟ କରୁଥିବା ଅନ୍ୟ ଜଣେ ବରିଷ୍ଠ ସାମ୍ବାଦିକଙ୍କର ବି ଅଛି । ନିଜ ପଦର ମର୍ଯ୍ୟାଦା ଯୋଗୁଁ ସେ ନିଜ ନାମ ସାର୍ବଜନୀନ କରିବାକୁ ଚାହୁଁନାହାଁନ୍ତି, କିନ୍ତୁ ସେ କୁହନ୍ତି ଯେ ଯେତେବେଳେ ତାଙ୍କ ପତ୍ନୀ ଗୁରୁତର ଅସୁସ୍ଥ ଥିବାରୁ ସେ ଅସୁବିଧାରେ ପଡ଼ିଥିଲେ, ସେତେବେଳେ ମୋଦି ଆଗୁଆ ପଦକ୍ଷେପ ନେଇ ତାଙ୍କୁ ଚିକିତ୍ସା ପାଇଁ ବେଙ୍ଗାଲୁରୁରେ ଥିବା ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥାନକୁ ଯିବାକୁ କହିଥିଲେ । ଯୋଗ ଓ ନ୍ୟାଚୁରୋପାଥୀ ସମ୍ବନ୍ଧୀୟ ଚିକିତ୍ସା ତଥା ପ୍ରଶିକ୍ଷଣ ପାଇଁ ଦେଶ ତଥା ବିଶ୍ୱରେ ନିଜ ସଂକ୍ଷିପ୍ତ ନାମ ‘ବ୍ୟାସା’ରେ ପ୍ରସିଦ୍ଧ ଏହି ଅନୁଷ୍ଠାନରେ ସେହି ସାମ୍ବାଦିକ ନିଜ ପତ୍ନୀଙ୍କୁ ନେଇ ଯେତେବେଳେ ପହଞ୍ଚିଲେ ସେଠାରେ ମୋଦିଙ୍କ ସୂଚନା ଅନୁଯାୟୀ ପୂର୍ବରୁ ହିଁ ତାଙ୍କ ପାଉଁ ସବୁ ବ୍ୟବସ୍ଥା ହୋଇସାରିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ସଙ୍ଘର ବରିଷ୍ଠ ପ୍ରଚାରକ ତଥା ବିବେକାନନ୍ଦ କେନ୍ଦ୍ରର ପ୍ରତିଷ୍ଠାତା ସ୍ୱର୍ଗତ ଏକନାଥ୍‌ ରାଣାଡ଼େଙ୍କ ପ୍ରେରଣାରେ ପ୍ରତିଷ୍ଠିତ ଏହି ସଂସ୍ଥାନରେ ସେ ଦେଖିଲେ ଯେ ମୋଦି ତାଙ୍କ ପରି ଅନେକ ଲୋକଙ୍କୁ ସେଠାକୁ ପଠାଉଛନ୍ତି ଓ ଚିକିତ୍ସା ପାଇଁ ବ୍ୟବସ୍ଥା କରିଛନ୍ତି । ସେମାନଙ୍କ ମଧ୍ୟରେ ଗୁଜୁରାଟରୁ ଆସିଥିବା ଏକ ଶିଶୁ ବି ଥିଲା, ଯାହାର ପରିବାର ଗରିବ ଥିଲା, କିନ୍ତୁ ତା’ ଚିକିତ୍ସାର ସବୁ ଖର୍ଚ୍ଚ ମୋଦି ବହନ କରିଥିଲେ । ସେହି ଶିଶୁର ଚିକିତ୍ସା କରି ମୋଦି କୌଣସି ରାଜନୈତିକ ଫାଇଦା ପାଇବାକୁ ଯାଉ ନ ଥିଲେ, ବରଂ ଏହା ତାଙ୍କ କରୁଣାମୟ ବ୍ୟକ୍ତିତ୍ୱର ଏକ ଝଲକ ଦେଖାଉଥିଲା । ମୋଦିଙ୍କ ଅଧିକାଂଶ ସମାଲୋଚକ ତାଙ୍କୁ ଜଣେ କଠୋର ରାଜନେତା ବୋଲି ମନେ କରନ୍ତି, ଯାହାଙ୍କ ହୃଦୟରେ ଦୟା ପରି ଭାବ ନାହିଁ । ମାତ୍ର ତାହା ଏକ ଭୁଲ୍‌ ଧାରଣା ବୋଲି ସେହି ସାମ୍ବାଦିକ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ | ରାଜ୍ୟରେ ରୋଗୀ ପରିବହନ ପାଇଁ ସରକାର ଧାର୍ଯ୍ୟ କରିଥିବା ଆମ୍ବୁଲାନ୍ସ ଭଡ଼ାରେ ଅକ୍ସିଜେନ୍ବି ସାମିଲ୍ଅଛି

ଯେତେବେଳେ ମିଡି଼ଆ ଜଗତର ଏକ ବଡ଼ ବ୍ୟକ୍ତି ମୋଦିଙ୍କ ଫୋନ୍ ପାଇ ଚକିତ ହେଲେ

ମୋଦି ପ୍ରାୟତଃ ନିଜ ବ୍ୟକ୍ତିତ୍ୱର ନରମ ଓ ମଖମଲି ଦିଗ ଦ୍ୱାରା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି ।ଗଣମାଧ୍ୟମ ଜଗତର ସେହି ବଡ଼ ବ୍ୟକ୍ତିତ୍ୱ ସାମ୍ବାଦିକ-ସମ୍ପାଦକ ଭାବରେ ନିଜ କାର୍ଯ୍ୟକାଳ ସମୟରେ ମୋଦିଙ୍କ ଉପରେ ଆକ୍ରମଣକାରୀ ଆଭିମୁଖ୍ୟ ରଖିଥିଲେ ଓ ଜେ.ଏନ୍‌.ୟୁ.ରେ ଅଧ୍ୟୟନ କରିଥିବାରୁ କମ୍ୟୁନିଷ୍ଟ ଚିନ୍ତାଧାରାରେ ପ୍ରଭାବିତ ଥିଲେ ।ଯେତେବେଳେ ସେ ଏକ ବୃହତ ମନୋରଞ୍ଜନ କମ୍ପାନୀର ଏସିଆ ଅପରେସନର ନେତୃତ୍ୱ ନେଉଥିଲେ, ପ୍ରଧାନ ମନ୍ତ୍ରୀ ମୋଦି ତାଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ।ଅଗଷ୍ଟ ୨୦୧୯ରେ ଯେତେବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ତାଙ୍କୁ ପ୍ରଥମେ ଫୋନ୍‌ କରି ଶାନ୍ତ୍ୱନା ଦେଇଥିବା ଲୋକଙ୍କ ମଧ୍ୟରେ ଥିଲେ ପ୍ରଧାନ ମନ୍ତ୍ରୀ ମୋଦି । ଗଣମାଧ୍ୟମ ଜଗତର ସେହି ମହାରଥୀ ସେଦିନ ମୋଦିଙ୍କ ଫୋନ୍ ଆସିବ ବୋଲି କଳ୍ପନା କରି ନ ଥିଲେ, କିନ୍ତୁ ଯେତେବେଳେ କୌଣସି କଲର୍ ID ନ ଥିବା କଲ୍‌ ଆସିଥିଲା ତାଙ୍କୁ ଲାଗିଥିଲା ହୁଏତ ତାଙ୍କର କୌଣସି ଶିଷ୍ୟଙ୍କ ପାଖରୁ ଏକ କଲ୍‌ ଆସୁଛି । କିନ୍ତୁ ଏମିତି ନୁହେଁ ଯେ ପ୍ରଧାନ ମନ୍ତ୍ରୀ ହେବା ପରେ ହିଁ ମୋଦିଙ୍କ ବ୍ୟକ୍ତିତ୍ୱର ଏହି ଅଦୃଶ୍ୟ ଦିଗଗୁଡ଼ିକ ସାମ୍ନାକୁ ଆସିଛି ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ HIV COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍ 

ଗୁଜୁରାଟର ଜଣେ ସାମ୍ବାଦିକଙ୍କ ଜୀବନ ରକ୍ଷା କରିବାକୁ ବିମାନ ପଠାଇଥିଲେ ମୋଦି

ଅହମଦାବାଦର ସାମ୍ବାଦିକ ନିର୍ଣ୍ଣୟ କପୁର କେମିତି ଭୁଲି ପାରିବେ ଯେ ୨୦୦୪ରେ ଯଦି ତାଙ୍କ ଜୀବନ ବଞ୍ଚିଥିଲା ତାହା ସେଥିରେ ସେହି ସମୟରେ ଗୁଜୁରାଟର ମୁଖ୍ୟ ମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ? ସେହି ଦିନ ଥିଲା ୨୦ ଜାନୁୟାରୀ ୨୦୦୪ । ନିର୍ଣ୍ଣୟ ନିଜ କ୍ୟାମେରାମ୍ୟାନ ଉମେଶ ଚୌହାନଙ୍କ ସହ ରିପୋର୍ଟ କରିବାକୁ କଚ୍ଛ ଜିଲ୍ଲାର ମୁଖ୍ୟାଳୟ ଭୁଜରେ ପହଞ୍ଚିଥିଲେ । ୨୬ ଜାନୁୟାରୀ ୨୦୦୧ରେ କଚ୍ଛରେ ଆସିଥିବା ଭୟଙ୍କର ଭୂମିକମ୍ପର ତିନି ବର୍ଷ ପୂରିବା ଅବସରରେ ସେଠାରେ ସ୍ଥିତିର ଅନୁଧ୍ୟାନ କରିବାକୁ ସେ ଯାଇଥିଲେ । ଟିଭି ପାଇଁ ସେ ନିଜ ବିଶେଷ ରିପୋର୍ଟ କରିବା ପୂର୍ବରୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯନ୍ତ୍ରଣା ବଢ଼ିବାରେ ଲାଗିଲା । ନିର୍ଣ୍ଣୟ ଅହମଦାବାଦରେ ଥିବା ନିଜ ନିୟମିତ ଡାକ୍ତରଙ୍କୁ ଫୋନ୍‌ କଲେ । ତାଙ୍କ ଠାରୁ ସବିଶେଷ ତଥ୍ୟ ଜାଣିବା ପରେ ସେହି ଡାକ୍ତର ଭୁଜରେ ଥିବା ଜଣେ ଡାକ୍ତରଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଥିଲେ। ହେଲେ ନିର୍ଣ୍ଣୟ ସେଠାରେ ପହଞ୍ଚିବା ବେଳକୁ ତାଙ୍କ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା । ସେ ଚେତାଶୂନ୍ୟ ହେବା ଆରମ୍ଭ କରିଥିଲେ, ଯନ୍ତ୍ରଣା ବଢ଼ିବାକୁ ଲାଗିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଓଡ଼ିଆ ଅଭିନେତ୍ରୀ ଅପ୍ସରା ରାଣୀ ନାରୀଙ୍କ ସମଲିଙ୍ଗୀ ପ୍ରେମ ଉପରେ ଆଧାରିତ ଫିଲ୍ମରେ ନଜର ଆସୁଛନ୍ତି

ଭୁଜରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଲାଗିଲା ନିର୍ଣ୍ଣୟଙ୍କୁ ହୃଦଘାତ ହୋଇଛି ।ତେଣୁ ସେ ତାଙ୍କୁ ରକ୍ତ ପତଳା କରିବା ଔଷଧ ଦେବା ଆରମ୍ଭ କଲେ । ଭୁଜରେ ଅଧିକ ଭଲ ଚିକିତ୍ସା ସମ୍ଭବ ନ ଥିଲା । ସେତିକି ବେଳେ ନିର୍ଣ୍ଣୟଙ୍କ ଟିଭି ପ୍ରତିଷ୍ଠାନରୁ ଏକ କଲ୍‌ ଆସିଲା । ତାଙ୍କ ସହ ଥିବା କ୍ୟାମେରାମ୍ୟାନ୍ ଉମେଶ ସ୍ଥିତି ବିଷୟରେ ବର୍ଣ୍ଣନା କଲେ। ଦିଲ୍ଲୀର ଆସାଇନମେଣ୍ଟ ଡେସ୍କରୁ ଏହି ସୂଚନା ଅନୁଷ୍ଠାନର ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ରଜତ ଶର୍ମାଙ୍କୁ ଦିଆଗଲା । ମୋଦିଙ୍କ ସହ ରଜତ ଶର୍ମାଙ୍କ ପରିଚୟ ବହୁତ ପୁରୁଣା ଥିଲା । ରଜତ ଶର୍ମା ଏକ ଫୋନ୍‌ କରି ନିର୍ଣ୍ଣୟଙ୍କ ସଙ୍କଟମୟ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମୋଦିଙ୍କୁ ସୂଚନା ଦେଇ ତାଙ୍କ ସାହାଯ୍ୟ ଲୋଡି଼ଲେ । ବିଳମ୍ବ ନ କରି ତୁରନ୍ତ ସହାୟତା ଯୋଗାଇଦେବାକୁ ମୋଦି ପ୍ରତିଶୃତି ହେଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | IPS ଅଫିସର୍ ସାଗରିକା ନାଥ କହିଲେ: ‘‘ଜଣେ ଦୃଢ଼ ମହିଳା ମୋତେ ଲାଳନ ପାଳନ କରିଥିବାରୁ ମୁଁ ଆଜି ଦୃଢ଼’’

ରଜତ ଶର୍ମାଙ୍କ ଫୋନ୍‌ ରଖି ମୋଦି ତାଙ୍କ ଅଧସ୍ତନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଅହମଦାବାଦର ଷ୍ଟର୍ଲିଂ ହସପିଟାଲରୁ ଆବଶ୍ୟକୀୟ ଜୀବନ ସହାୟତା ଉପକରଣ ସହିତ ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଟିମକୁ ବିମାନ ବନ୍ଦରକୁ ପଠାଇବା ପାଇଁ । ତା’ ସହିତ ରାଜ୍ୟ ସରକାରଙ୍କ ଏକ ବିମାନକୁ ଭୁଜକୁ ଉଡ଼ି ଯିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ । ଗୁଜୁରାଟ ସରକାରଙ୍କ ସେହି ବିମାନ ଅହମଦାବାଦରୁ ଡାକ୍ତରୀ ଦଳଙ୍କୁ ନେଇ ଉଡ଼ାଣ ଭରିଲା । କଚ୍ଛ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା । ଭୁଜ୍ ଡାକ୍ତରଖାନାରୁ ନିର୍ଣ୍ଣୟ କପୁରଙ୍କୁ ରାଜ୍ୟ ସରକାରଙ୍କ ସେହି ସ୍ୱତନ୍ତ୍ର ବିମାନରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅହମଦାବାଦ ବିମାନ ବନ୍ଦରକୁ ଆଣି ସେଠାରୁ ଷ୍ଟର୍ଲିଂ ହସ୍ପିଟାଲକୁ ନେଇ ଚିକିତ୍ସା କରାଗଲା ।ତାଙ୍କର ଏକ ଅତି ଜରୁରୀ ଅପରେସନ୍ କରାଯିବା ପରେ ତାଙ୍କ ଜୀବନ ରକ୍ଷା ହେଲା ।

ଏହା ବି ପଢ଼ନ୍ତୁ | ଝାରସୁଗୁଡ଼ାରେ ଯୁବତୀକୁ ଜଣ ବଳାତ୍କାର କଲେ; ଭିଡିଓ ଭାଇରାଲ୍ ହେବା ପରେ ଜଣେ ଧରାପଡ଼ିଲା

ନିର୍ଣ୍ଣୟ କପର୍‌ ସୁସ୍ଥ ହେବା ପରେ ଦିନେ ତାଙ୍କ ପାଖକୁ ମୋଦିଙ୍କ ଏକ ଫୋନ୍‌ କଲ୍‌ ଆସିଲା । ତାଙ୍କର କେମିତି ସେହି ସଙ୍କଟପୂର୍ଣ୍ଣ ଅବସ୍ଥା ହେଲା ବୋଲି ସେ ପଚାରିଲେ । ନିର୍ଣ୍ଣୟ କହିଲେ ଯେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି଼ ଯାଇଥିଲା । ମୋଦି ତାଙ୍କ କଥା କାଟି କହିଥିଲେ ଯେ ହଠାତ୍ କିଛି ହୁଏ ନାହିଁ ।‘‘ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅ ।ତୁମକୁ ତୁମ ପରିବାର ଆବଶ୍ୟକ କରେ ।’’ ଏବେ ୧୭ ବର୍ଷ ପରେ ବି ନିର୍ଣ୍ଣୟ ସେହି ଘଟଣାକୁ ଭୁଲିପାରି ନାହାନ୍ତି । ଯଦି ମୋଦି ସେଦିନ ତୁରନ୍ତ କାର୍ଯ୍ୟ କରି ନ ଥାନ୍ତେ ତା’ହେଲେ ତାଙ୍କ ଜୀବନ ରକ୍ଷା ହୋଇପାରି ନ ଥାନ୍ତା ୨୦୦୨ର ଗୁଜୁରାଟ ଦଙ୍ଗା ପରେ ଗଣମାଧ୍ୟମ ଯେମିତି ଭାବେ ମୋଦିଙ୍କ ଉପରେ ଆକ୍ରମଣ କରିଥିଲା, ସେଥିରୁ କଳ୍ପନା କରାଯାଇପାରିବ ନାହିଁ ଯେ ମୋଦି କୌଣସି ସାମ୍ବାଦିକଙ୍କ ଜୀବନ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ଏକ ସ୍ୱତନ୍ତ୍ର ବିମାନ ପଠାଇ ସବୁ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଥିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଭୁବନେଶ୍ୱର ଶିକ୍ଷୟିତ୍ରୀ ଆତ୍ମହତ୍ୟା: ଛାତ୍ରରୁ ପ୍ରେମିକ ସାଜିଥିବା ଯୁବକ ବାହା ହେବାକୁ ରାଜି ହେଲାନି

କଷ୍ଟରେ ଥିବା ଲୋକଙ୍କୁ ସାହାଯ୍ୟ କରିବା ମୋଦିଙ୍କର ସବୁଠୁ ବଡ଼ ପ୍ରାଥମିକତା

ମୋଦିଙ୍କ ବ୍ୟକ୍ତିତ୍ୱର ଏହି ବିଶେଷ ଦିଗ ୨୦୦୪ର ମାର୍ଚ୍ଚ ମାସର ଶେଷ ଦିନରେ ମୋ’ ଦୃଷ୍ଟିରେ ବି ପଡ଼ିଥିଲା । ଦିନକ ପୂର୍ବରୁ, ଅର୍ଥାତ ମାର୍ଚ୍ଚ ୩୦ରେ ତତ୍କାଳୀନ ଉପ-ପ୍ରଧାନ ମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ‘ଭାରତ ଉଦୟ ଯାତ୍ରା’ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ସ୍ଥାନ ପୋରବନ୍ଦରରୁ ଆରମ୍ଭ ହୋଇଥିଲା । ଯାତ୍ରାର ଦ୍ୱିତୀୟ ଦିନରେ ଗୁଜୁରାଟରେ ଆଡଭାନୀଙ୍କ ଶେଷ କାର୍ଯ୍ୟକ୍ରମ ସାବରକଣ୍ଠା ଜିଲ୍ଲାର ମୁଖ୍ୟାଳୟ ହିମ୍ମତନଗରରେ ହୋଇଥିଲା । ତାହା ଗ୍ରୀଷ୍ମ ଦିନ ଥିଲା ।କ୍ରମାଗତ ଦୁଇ ଦିନ ଗ୍ରାଷ୍ମ ଲହରୀ ମଧ୍ୟରେ ସେହି ଯାତ୍ରା କଭର୍ କରିବା ବେଳେ ମୁଁ କେତେବେଳେ ହିଟ୍‌ ଷ୍ଟ୍ରୋକରେ ଆକ୍ରାନ୍ତ ହେଲି ଜାଣି ପାରିଲି ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଲା: ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲାବନ୍ଧୁ

ଆଡଭାନୀଙ୍କ ଯାତ୍ରା ହିମ୍ମତନଗରରେ ପହଞ୍ଚିବା ପୂର୍ବରୁ ମଧ୍ୟ ମୁଁ ସେଠାରେ ପହଞ୍ଚିଯାଇଥିଲି ।ଭାବିଥିଲି ମୁଁ ସେହି କାର୍ଯ୍ୟକ୍ରମକୁ ସେଇଠି କଭର୍ କରି ଅହମଦାବାଦ ଫେରିଯିବି ।କିନ୍ତୁ ହିମ୍ମତନଗରରେ ଆଡଭାନୀଙ୍କ ସଭା ଆରମ୍ଭ ହେବା ପୂର୍ବରୁ ମୋ’ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା ।ମାର୍ଚ୍ଚ ୩୧, ୨୦୦୪ର ସେହି ସନ୍ଧ୍ୟାରେ ମୋତେ ଉଚ୍ଚ ଜ୍ୱର ହେଲା ଓ ବାନ୍ତି ଆରମ୍ଭ ହୋଇଗଲା । ମୋ’ ଦେହ କମ୍ପିବା ଆରମ୍ଭ କଲା ।ସାଥିରେ ଥିବା କ୍ୟାମେରାମ୍ୟାନ୍‌ ରାମମଣି ପାଣ୍ଡେ ତୁରନ୍ତ ନିକଟସ୍ଥ ଏକ ଲଜରେ ଏକ ରୁମ୍‌ ଭଡ଼ାରେ ନେଲେ ଓ ମୁଁ ସେଠାକୁ ଯାଇ ବିଛଣାରେ ପଡ଼ିଗଲି । ମୋ’ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା ।ସେତିକି ବେଳେ ନରେନ୍ଦ୍ର ମୋଦିଙ୍କ ପି.ଏ. ଓମ୍‌ ପ୍ରକାଶଙ୍କଠାରୁ ଏକ କଲ୍‌ ଆସିଲା । ଟିଭି ସାମ୍ବାଦିକମାନଙ୍କ ଦୁନିଆ ସେତେବେଳେ ବହୁତ ଛୋଟ ଥିଲା ।ସେତେବେଳେ ଅଳ୍ପ ଚ୍ୟାନେଲ୍‌ ଥିଲେ ଓ ଅଳ୍ପ ସାମ୍ବାଦିକ ଥିଲେ ।ଓମ୍‌ ପ୍ରକାଶ ମୋତେ ହିମ୍ମତନଗରର ସଭାରେ ନ ଦେଖି ମୋ ବିଷୟରେ ଜାଣିବାକୁ ଫୋନ୍‌ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଅଦ୍ଭୁତ ଶିଶୁ କନ୍ୟା; ତା ୨ଟି ମୁଣ୍ଡ, ୩ଟି ହାତ, ୪ଟି ଆଖି ୪ଟି କାନ ଅଛି

ମୁଁ ଠିକରେ କଥା ବି ହୋଇ ପାରି ନ ଥିଲି । ମୁଁ ଓମ୍‌ ପ୍ରକାଶଙ୍କୁ କହିଲି ଯେ ମୋ’ ଦେହ ଖରାପ ହୋଇଯାଇଛି, ମୋତେ ବହୁତ ଜ୍ୱର ଆସିଛି ।ଏହା ଶୁଣି ସେ ତୁରନ୍ତ ହିମ୍ମତନଗରରେ ଆଡଭାନୀଙ୍କ ସଭାରେ ଉପସ୍ଥିତ ଥିବା ମୋଦିଙ୍କୁ ସେହି ସୂଚନା ଦେଲେ । ଫୋନକୁ ହାତରେ ନେଇ ମୋଦି ମୋ’ ସହ କଥା ହେଲେ ଓ ମୋ’ ଦେହ ବିଷୟରେ ପଚାରି ବୁଝିଲେ । ସେ ମୋତେ କହିଲେ, ‘‘ଭୟ କରନି । ତୁମର କିଛି ହେବନି । ମୁଁ ବ୍ୟବସ୍ଥା କରିଦେବି।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଦିନେ କେନ୍ଦ୍ରାପଡ଼ାରେ ରିକ୍ସା ଚଳାଇ ପେଟ ପୋଷୁଥିଲା ଶେଖ୍ହାଇଦର୍‌; ପାଲଟିଗଲା ବଡ଼ ଗ୍ୟାଙ୍ଗଷ୍ଟର୍

ମୋଦିଙ୍କ ସହ କଥା ସରିବା ପରେ ମୋ’ ଅବସ୍ଥା ଆହୁରି ବିଗିଡି଼ଗଲା ।ମୁଁ ହତାଶ ହୋଇପଡ଼ିଲି ।ମୋ’ ସହକର୍ମୀ କ୍ୟାମେରାମ୍ୟାନ୍‌ କ’ଣ କରିବ କିଛି ଚିନ୍ତା କରିପାରୁ ନ ଥିଲା । ଏତିକି ବେଳେ କିଛି ଲୋକ ମୋ’ ହୋଟେଲର ରୁମ୍‌ ଭିତରକୁ ପ୍ରବେଶ କଲେ ।ମୋ’ର ଏତିକି ମନେ ଅଛି ଯେ ସେମାନେ ମୋତେ କାନ୍ଧରେ ବୋହି ନେଇ କୁଆଡ଼େ ନେଇଗଲେ ଓ ମୁଁ ଖୁବ୍‌ ବିରୋଧ କରୁଥିଲି ।ଶେଷରେ ମୁଁ ରାତି ତିନିଟା ବେଳେ ଆଖି ଖୋଲିଲାରୁ ଜାଣିଲି ଯେ ମୁଁ ଏକ ଡାକ୍ତରଖାନାର ଶଯ୍ୟାରେ ଥିଲି ।ନର୍ସ ମୋତେ କହିଲେ ଯେ ମୋତେ ରାତି ପ୍ରାୟ ୧୦ଟାରେ ସେଠାକୁ ଅଣାଯାଇଥିଲା ଓ ମୋ’ ଅବସ୍ଥା ଖୁବ୍‌ ଖରାପ ଥିଲା ।ଯଦି ଠିକ୍ ସମୟରେ ଚିକିତ୍ସା କରାଯାଇ ନ ଥାନ୍ତା ତାହେଲେ ଡିହାଇଡ୍ରେସନ୍ ଯୋଗୁଁ ମୋ’ ଦେହ ଖୁବ୍‌ ଖରାପ ହୋଇଯାଇଥାନ୍ତା ।ମୁଁ ଦେଖିଲି ମୋ’ ବାହୁରେ ଗ୍ଲୁକୋଜ ବୋତଲରେ ଏକ ଛୁଞ୍ଚି ଲାଗିଛି । ଡାକ୍ତର ସକାଳେ ଆସି ମୋ’ ସ୍ୱାସ୍ଥ୍ୟ ଯାଞ୍ଚ କରି କହିଲେ ମୋତେ ଆଉ କିଛି ଦିନ ସେଇଠି ରହିବାକୁ ପଡି଼ବ। କିନ୍ତୁ ମୁଁ ଜିଦ୍‌ କରି ନିଜକୁ ଡିସଚାର୍ଜ କରେଇଲି। ଅହମଦାବାଦ ଯିବା ବେଳେ ଡାକ୍ତର କଡ଼ା ଚେତାବନୀ ଦେଇ କହିଲେ ଯଦି ପୁଣି ମୋତେ ଲୁ ଲାଗେ ତେବେ ମୁଁ ଆଉ ବଞ୍ଚିବି ନାହିଁ ।ତେଣୁ ମୁଁ ଘରେ ରହିବା ଉଚିତ ବୋଲି ସେ କହିଥିଲେ । ମୁଁ ଘରକୁ ଫେରି ପତ୍ନୀଙ୍କୁ ସବୁ କଥା କହିବାରୁ ସେ ଚିନ୍ତିତ ହେଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସମ୍ବଲପୁରରେ ରାସ୍ତାରେ ସ୍ତ୍ରୀ ସ୍ୱାମୀକୁ ଚପଲରେ ପିଟିଲା, କହିଲା, ‘‘ହାରମଜାଦା, ତତେ ମୁଁ ହାଣିଦେବି’’

୨୦୧୦ ମସିହା ଆସୁ ଆସୁ ମୁଁ ସେହି ଘଟଣା ଭୁଲିଯିବାକୁ ଆରମ୍ଭ କରିଥିଲି । ଗୁଜୁରାଟର ତତ୍କାଳୀନ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଇଶ୍ରତ୍‌ ଜହାଁ ଏନକାଉଣ୍ଟର୍‌ ମାମଲାରେ ସିବିଆଇ ଅଭିଯୁକ୍ତ କରିବା ପରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ସେତେବେଳେ ମୁଖ୍ୟ ମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ପ୍ରଫୁଲ୍ଲଭାଇ ପଟେଲଙ୍କୁ ନୂଆ ଗୃହ ମନ୍ତ୍ରୀ କରିଥିଲେ, ଯିଏ ବର୍ତ୍ତମାନ ତିନୋଟି ୟୁନିଅନ୍ ଟେରିଟୋରୀର ପ୍ରଶାସକ ଅଛନ୍ତି । ୨୦୧୦ର ବିଧାନ ସଭାର ଶୀତକାଳୀନ ଅଧିବେଶନରେ ପ୍ରଫୁଲ୍ଲଭାଇ ପଟେଲଙ୍କ ସହ ମୋ’ର ସହ ଦେଖା ହୋଇଗଲା । ମୁଁ ତାଙ୍କୁ ଔପଚାରିକତା ଦେଖାଇ କହିଲି ଯେ ମୁଁ ତାଙ୍କ ସହିତ କେବେ ସାକ୍ଷାତ କରି ନାହିଁ, ତେଣୁ ସମୟ ବାହାର କରି ତାଙ୍କୁ ଭେଟିବାକୁ ଆସିବି ।କିନ୍ତୁ ଆମେ ଏକାଠି ଲିଫ୍ଟରେ ପ୍ରବେଶ କରିବା ପରେ ପ୍ରଫୁଲ୍ଲଭାଇ କହିଲେ, ‘‘ମୁଁ ଆପଣଙ୍କୁ ପୂର୍ବରୁ ଭେଟିଛି ଓ ଆପଣଙ୍କୁ ଭଲ ଭାବରେ ଜାଣିଛି ।’’ ମୋ’ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ନିଜ ସ୍ମୃତି ଶକ୍ତି ଉପରେ ମୋ’ର ପୂରା ବିଶ୍ୱାସ ଥିଲା, ତେଣୁ ମୁଁ ତାଙ୍କ କଥାକୁ ବିରୋଧ କଲି ।ସେ ମୋତେ କହିଲେ ଯେ ୩୧ ମାର୍ଚ୍ଚ ୨୦୦୪ର ସେହି ସନ୍ଧ୍ୟାରେ ନରେନ୍ଦ୍ର ମୋଦି ହିମ୍ମତନଗରର ସେହି ସଭା ସ୍ଥଳରୁ ତାଙ୍କୁ ଆଦେଶ ଦେଇଥିଲେ ମୋତେ ହସପିଟାଲରେ ଭର୍ତ୍ତି କରାଇ ମୋ’ ସ୍ୱାସ୍ଥ୍ୟଲାଭର ସବୁ ବ୍ୟବସ୍ଥା କରିବାକୁ ଓ ସେ ତାହା କରାଇଥିଲେ ।

ମୋଦିଙ୍କ ଆଦେଶରେ ପ୍ରଫୁଲ୍ଲ ପଟେଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ

ପ୍ରଫୁଲ୍ଲଭାଇ ପଟେଲ ସେତେବେଳର ଛୋଟ ସହର ହିମ୍ମତନଗରରେ ମୋତେ ଖୋଜି ଖୋଜି ସେହି ଲଜର ରୁମରେ ପହଞ୍ଚିଥିଲେ ଓ ମୋ’ ପ୍ରତିରୋଧ ସତ୍ତ୍ୱେ ମୋତେ କାନ୍ଧରେ ବୋହି ସିଡ଼ିରୁ ଓହ୍ଲାଇ ହସ୍ପିଟାଲକୁ ନେଇଥିଲେ । ଡାକ୍ତରଖାନାରେ ମୋତେ ଭର୍ତ୍ତି କରିବା ପରେ ପ୍ରଫୁଲ୍ଲଭାଇ ରାତି ଦୁଇଟା ପର୍ଯ୍ୟନ୍ତ ମୋ’ ମୁଣ୍ଡ ପାଖରେ ବସିଥିଲେ ଓ ମୋ’ ଉପରୁ ବିପଦ ହଟିବା ପରେ ସେ ମୋ’ କୁଶଳ ବିଷୟରେ ମୋଦିଙ୍କୁ ଫୋନ୍‌ କରି ଜଣାଇବା ପରେ ହିଁ ରାତି ଅଧରେ ନିଜ ଘରକୁ ଫେରିଥିଲେ । ଏହା ମୋଦିଙ୍କର ଏହି ରୂପ ବିଷୟରେ ମୁଁ ସର୍ବସାଧାରଣରେ କେବେ ଆଲୋଚନା କରି ନାହିଁ । ଯଦି ତାହା କରିଥାନ୍ତି, ତାହେଲେ ହୁଏତ ମୋଦିଙ୍କ ପାଇଁ ପ୍ରଚାର କରୁଛି ବୋଲି ବିବେଚନା କରାଯାଇଥାନ୍ତା, କାରଣ ତାଙ୍କ ବିଷୟରେ କିଛି ବି ସକାରାତ୍ମକ କଥା କହିବା ଏ ଦେଶରେ ଦୀର୍ଘ ଦିନ ଧରି ନିନ୍ଦନୀୟ ହୋଇଆସିଛି ।



ଏବେ ମୋଦି ଯେଉଁ ଉଚ୍ଚତାରେ ପହଞ୍ଚିଛନ୍ତି ସେଠାରୁ ଏହି ପରି କାହାଣୀ ସବୁ ସାର୍ବଜନୀନ ହେଉ କି ନ ହେଉ ତାଙ୍କୁ କିଛି ଫରକ ପଡ଼ିବ ନାହିଁ । କିନ୍ତୁ ମୋଦିଙ୍କ ରୂପ ବିଷୟରେ ଦେଶବାସୀଙ୍କୁ ପରିଚିତ କରାଇବାରେ ଏହି କାହାଣୀ ସବୁ ସହାୟକ ହୋଇପାରେ । ସେ ଯେ ଜଣେ ଆକ୍ରମଣାତ୍ମକ ରାଜନେତା ନୁହନ୍ତି, ବରଂ ଗଭୀର ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଇଁ ସେ ଜଣେ ସଙ୍କଟମୋଟକ ହୋଇ ସେମାନଙ୍କୁ ସାହସ ଦେଇଆସିଛନ୍ତି ଓ ସବୁ ପ୍ରକାରର ସାହାଯ୍ୟ କରିଆସିନ୍ତି, ତାହା ଦେଶବାସୀ ଜାଣିବା ଆବଶ୍ୟକ । ଏହି ଅଳ୍ପ କେତେକ ବଛା-ବଛା କାହାଣୀକୁ ଶହ ଶହ ପ୍ରକୃତ ଘଟଣାର ପ୍ରତିନିଧୀ ଛବି ଭାବରେ ଗ୍ରହଣ କରାଯାଇପାରେ ।
Published by: Anand ST Das
First published: June 13, 2021, 11:59 PM IST