ଆଶଙ୍କା ସତ ହେଲା: କଟକର ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ କରୋନା ବିସ୍ଫୋରଣ

ଏକା ଥରେ ୫୫ ଜଣଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଛି । ଏହି କର୍କଟ ଚିକିତ୍ସା କେନ୍ଦ୍ରରୁ ନିଆଯାଇଥିବା ବାକି ଶତାଧିକ ସ୍ୱାବ ରିପୋର୍ଟ ଆସିଲେ ସଂକ୍ରମଣ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି ।

ଆଶଙ୍କା ସତ ହେଲା: କଟକର ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ କରୋନା ବିସ୍ଫୋରଣ
ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରକୁ ନେଇ କରାଯାଉଥିବା ଆଶଙ୍କା ସତ ହୋଇଛି । ଏହି କର୍କଟ ଚିକିତ୍ସା କେନ୍ଦ୍ରରେ ଘଟିଛି କରୋନା ବିସ୍ଫୋରଣ । ଗତ ରାତିରେ ଏକା ଥରେ ୫୫ ଜଣଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଛି । ସେଥି ମଧ୍ୟରେ ୧୮ ଜଣ କର୍କଟ ରୋଗୀ ଥିବା ବେଳେ ଜଣେ ନର୍ସ ଓ ଅନ୍ୟ ୩୬ ଜଣ ରୋଗୀଙ୍କ ସମ୍ପର୍କୀୟ ।

ଏହା କେବଳ ୩ ଦିନ ତଳେ ପରୀକ୍ଷା ପାଇଁ ଯାଇଥିବା ୨୦୮ ଜଣଙ୍କ ମଧ୍ୟରୁ ଅଧା ଲୋକଙ୍କ ରିପୋର୍ଟ । ବାକି ଅଧା ଲୋକଙ୍କ ରିପୋର୍ଟ ଆସିବା ବାକି ରହିଛି । ଶୁକ୍ରବାର ଅପରାହ୍ଣରେ ସେହି ରିପୋର୍ଟ ହସ୍ତଗତ ହେବ । ସେହି ରିପୋର୍ଟରେ ମଧ୍ୟ ଅଧିକ ଭୟଙ୍କର ସତ୍ୟ ଲୁଚି ରହିଥିବା କୁହାଯାଉଛି । ଏହି ନୂଆ ମାମଲାକୁ ମିଶାଇ କର୍କଟ ଚିକିତ୍ସା କେନ୍ଦ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୭୧ରେ ପହଞ୍ଚିଛି।

ଏହି ୫୫ ଜଣ ନୂଆ ରୋଗୀଙ୍କୁ NDRFର ୩ ଟି ଗାଡ଼ିରେ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ରବିବାର ଦିନ ଦୁଇ ଜଣ ନର୍ସଙ୍କୁ ମିଶାଇ ମୋଟ ୭ ଜଣଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣା ପଡ଼ିବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂରୁ ୨୦୮ ଜଣଙ୍କୁ ଚିହ୍ନଟ କରାଯାଇ ସମସ୍ତଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିଲା । ବିଶେଷ କରି ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ୱାର୍ଡ଼ ଭିତରେ ରଖାଯାଇଥିଲା ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଗତ ସପ୍ତାହକ ମଧ୍ୟରେ ଶତାଧିକ କର୍କଟ ରୋଗୀ ନିଜର ନିୟମିତ ଚିକିତ୍ସା ସାରି କିମ୍ବା କର୍କଟ ଚିକିତ୍ସା ବନ୍ଦ ହୋଇ ଯିବା ପରେ ନିଜ ନିଜ ସମ୍ପର୍କୀୟଙ୍କ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ନିଜ ଘରକୁ ଫେରିଛନ୍ତି। ଏବେ ସେମାନଙ୍କୁ ନେଇ ଚିନ୍ତା ବଢ଼ିଛି । ଏବେ ଚିହ୍ନଟ ହୋଇଥିବା ଏତେ ସଂଖ୍ୟକ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିବାକୁ ଯାଉଛି ପ୍ରଶାସନ।

ତେବେ ଏହା ଏକ ‘‘ଘଡ଼ିସନ୍ଧିର ମୁହୂର୍ତ୍ତ" ବୋଲି କହିଛନ୍ତି କର୍କଟ ଚିକିତ୍ସା କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଡ଼ାକ୍ତର ସୁଶୀଲ କୁମାର ଗିରି । ‘‘ଏତେ ସବୁ ପରେ ମଧ୍ୟ କର୍କଟ ରୋଗୀଙ୍କ ଚିକିତ୍ସା ଜାରୀ ରଖିବା ଦରକାର । କୌଣସି ହସ୍ପିଟାଲକୁ ସଟ୍‌ଡାଉନ କରିହେବ ନାହିଁ । କର୍କଟ ରୋଗୀ କରୋନା ଆକ୍ରାନ୍ତ ହେଲେ ପ୍ରଥମେ ତାଙ୍କର କରୋନା ଚିକିତ୍ସା ହେବା ଦରକାର । ଅନ୍ୟଥା କରୋନା କର୍କଟ ରୋଗକୁ ଅଧିକ ବଢ଼ାଇ ଦେବ,’’ ସେ କହିଛନ୍ତି ।

ତେବେ କର୍କଟ କେନ୍ଦ୍ରର ଏହି ୫୫ଟି ନୂଆ ମାମଲାକୁ ମିଶାଇ କଟକ ଜିଲ୍ଲାରେ ଗତ କାଲି ମୋଟ ୮୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆଠଗଡ଼ରୁ ୧୩ ଜଣ ଏସ.ସି.ବି.ର ଆଇ ସୋଲେସନ ୱାର୍ଡରୁ ୧୧ ଜଣ, ତିଗିରିଆରୁ ଚାରି ଜଣ ଏବଂ ଟାଙ୍ଗୀରୁ ଦୁଇ ଜଣ ସଂକ୍ରମିତ ଅଛନ୍ତି । କଟକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୭୦୫ରେ ପହଞ୍ଚିଛି।

ଜିଲ୍ଲା ତଥା ସହର ମଧ୍ୟରେ ଦେଖା ଦେଇଥିବା ଏହି କରୋନା ବିସ୍ଫୋରଣକୁ ଦୃଷ୍ଟି ରେ ରଖି ଆଜି କଟକ ଜିଲ୍ଲା ପ୍ରଶାସନ କିଛି ବଡ଼ ନିଷ୍ପତ୍ତି ନେଇ ପାରେ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।
First published: July 3, 2020, 4:13 PM IST
corona virus btn
corona virus btn
Loading