ଲକଡାଉନ୍ ଯୋଗୁଁ ଭୁବନେଶ୍ୱରରେ ଅନେକ ଲୋକ ପୂର୍ବ ଧନ୍ଦା ଛାଡ଼ି ପରିବା ଦୋକାନୀ ସାଜିଛନ୍ତି

କରୋନା ଭାଇରସ୍ ଓ ଲକଡାଉନ୍ ଅନେକ ଲୋକଙ୍କ ଜୀବିକାକୁ ସଙ୍କଟରେ ପକେଇଛି । ହେଲେ କିଛି ଲୋକ ସାହସ ରଖି ନିଜର ଜୀବିକା ବଦଳାଇଛନ୍ତି ଓ ଅର୍ଥ ରୋଜଗାର ପାଇଁ ଚେଷ୍ଟା କରୁଛନ୍ତି ।

ଲକଡାଉନ୍ ଯୋଗୁଁ ଭୁବନେଶ୍ୱରରେ ଅନେକ ଲୋକ ପୂର୍ବ ଧନ୍ଦା ଛାଡ଼ି ପରିବା ଦୋକାନୀ ସାଜିଛନ୍ତି
ଆଖୁ ରସ ବିକିବା ଛାଡ଼ି ପରିବା ବିକୁଛନ୍ତି ପର୍ଶୁରାମ ଲେଙ୍କା ।
  • News18 Odia
  • Last Updated: April 17, 2020, 6:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱ: କରୋନା ଭାଇରସ୍‌ ମହାମାରୀ ଯୋଗୁଁ ଜାରି ହୋଇଥିବା ଲକଡାଉନ୍‌ ଅନେକ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲାଇଦେଇଛି । ଅନେକଙ୍କ ଜୀବିକାକୁ ସଙ୍କଟରେ ପକେଇଛି । ହେଲେ କିଛି ଲୋକ ସାହସ ରଖି ନିଜର ଜୀବିକା ବଦଳାଇଛନ୍ତି ଓ ଅର୍ଥ ରୋଜଗାର ପାଇଁ ଚେଷ୍ଟା କରୁଛନ୍ତି । ସେମାନେ ପ୍ରାୟ ସମସ୍ତେ ପରିବା ବିକିବା ଆରମ୍ଭ କରିଛନ୍ତି ।

ଦୀର୍ଘ ଆଠ ବର୍ଷ ହେଲା ରାଜଧାନୀ ଭୁବନେଶ୍ୱରରେ ଆଖୁ ରସ ବିକି ଆସୁଥିବା ପର୍ଶୁରାମ ଲେଙ୍କା ଏବେ ସାଜିଛନ୍ତି ପରିବା ବିକାଳୀ । ବୟସ ପାଖାପାଖି ୪୫ । ତିନି ଝିଅ, ଗୋଟିଏ ପୁଅ ଓ ପତ୍ନୀଙ୍କୁ ନେଇ ତାଙ୍କ ପରିବାର । ବର୍ଷର ଅନ୍ୟ ସମୟରେ ଯେତିକି ରୋଜଗାର ହୋଇଥାଏ କେବଳ ଖରା ଦିନେ ପ୍ରାୟ ସେତିକି ରୋଜଗାର ହୋଇଥାଏ । କିନ୍ତୁ କରୋନା ମହାମାରୀ ପାଇଁ ସରକାର ଲକଡାଉନ୍‌ ଘୋଷଣା କରିବା ପରେ ଚିନ୍ତାରେ ପଡିଯାଇଥିଲେ ପର୍ଶୁରାମ । ତେବେ ପରିବାର ପ୍ରତିପୋଷଣ ପାଇଁ ନିଜର ବେଉସା ବଦଳାଇ ଏବେ ସେ ବ୍ରହ୍ମେଶ୍ୱର ଛକ ବ୍ରିଜ ଉପରେ ନିଜ ପତ୍ନୀଙ୍କ ସହ ପନି ପରିବା ବିକୁଛନ୍ତି ।

ନିଜ ଆଖୁ ପେଡ଼ା ମେସିନ ପାଖରେ ମୁଣ୍ଡ ଉପରେ ଜରି ପାଲ ଟାଣି ପରବା ଦୋକାନ କରିଛନ୍ତି ପର୍ଶୁରାମ । ‘‘ସରକାର ଖାଦ୍ୟ ଜିନିଷ ବିକିବାକୁ ମନା କରିଛନ୍ତି । ମାଛ, ମେଡିସିନ ଆଉ ପରିବା ବିକିବା ପାଇଁ କହିଛନ୍ତି । ତେବେ ମାଛ ଆଉ ମେଡିସିନ ବେପାର ତ  ମୁଁ ଜାଣିନି, ତେଣୁ ପରିବା ବିକୁଛି । ପରିବାର ଚଳାଉଛି,’’ ସେ କହିଛନ୍ତି ।

ଏମିତି ଆଉ ଜଣେ ହେଉଛନ୍ତି ଯାଜପୁର ଜିଲ୍ଲାର ସୁଦାମ ମଲ୍ଲିକ । ବୃତ୍ତିରେ ସେ ଜଣେ ରାଜ ମିସ୍ତ୍ରୀ । ଏବେ କାମ ବନ୍ଦ ହୋଇଥିବା ଯୋଗୁଁ ସେ ବି ପାଲଟିଛନ୍ତି ପରିବା ଦୋକାନୀ । ନିଜ ଆଠ ବର୍ଷର ପୁଅ ଓ ସ୍ତ୍ରୀଙ୍କୁ ସାଙ୍ଗରେ ଧରି କଣା ଜରିପୋଲ ତଳେ ରାସ୍ତା କଡ଼ରେ ପରିବା ବିକୁଛନ୍ତି ସେ ।

‘‘ରାଜମିସ୍ତ୍ରୀ କାମ କରି ଗୁଜୁରାଣ ମେଣ୍ଟାଉଥିଲି । ଲକଡାଉନ୍‌ ଯୋଗୁଁ ଘରକୁ ଯାଇ ହେଲାନି । ପିଲା ଛୁଆ ଏଠି ରହିଲେ ଖାଇବେ କଣ? ଆମ ଗାଁ ସେଆଡ଼େ ଥିବାରୁ ଆମକୁ ଏଠି କିଏ ଖାଇବାକୁ ଦେବ? ବାଧ୍ୟ ହୋଇ ପରିବା ବିକୁଛି । ଦିନକୁ ୫୦୦ ଟଙ୍କାର ପରିବା ଆଣୁଛି ବିକିବା ପାଇଁ । ସେ ପୁଣି ଶୁଖିଯିବାରୁ ମୂଳ ପଇସା ବି ଉଠୁନି,’’ କହିଛନ୍ତି ସୁଦାମ ।

ସୁଦାମ ଓ ପର୍ଶୁରାମଙ୍କ ଭଳି ବହୁ ଲୋକ କରୋନା ମହାମାରୀ ପାଇଁ ନିଜର ବେଉସା ବଡ଼ଲାଇଛନ୍ତି । ନୟାପଲ୍ଲୀ  ନୂଆସହି ଅଞ୍ଚଳରେ ଫୁଟପାଥରେ ଦୋକାନ କରଥିବା ଅନେକ ଲୋକ ଏମିତି ନୂଆ ବେପାରରେ ନିୟୋଜିତ । ତାଙ୍କ ଭିତରେ ଅଛନ୍ତି ପୂର୍ବରୁ ଜଳଖିଆ ଦୋକାନ କରିଥିବା ଅମୀନ ସାହୁ, ଯିଏ ଏବେ ଫଳ ଓ ପରିବା ବିକୁଛନ୍ତି । ସେମିତି ମନେଜ ପାତ୍ର ନିଜ ଟ୍ରାଭେଲସ୍‌  ଓ ଜଳଖିଆ ଦୋକାନ ବନ୍ଦ ରଖି ଏବେ ପରିବା ବିକୁଛନ୍ତି । ଭାସ୍କର ବି ଦହିବରା ବିକିବା ଛାଡ଼ି ଆଳୁ ପିଆଜ ବିକୁଛନ୍ତି ।
First published: April 17, 2020, 6:40 PM IST
corona virus btn
corona virus btn
Loading