ଫନି ମହାବାତ୍ୟାର ବର୍ଷକ ପରେ ବି ପୁରୀରେ କ୍ଷତିଗ୍ରସ୍ତ ଲୋକଙ୍କ ଆଖିରୁ ଶୁଖି ନାହିଁ ଲୁହ

କ୍ଷତି ସହିଥିବା ଅନେକ ଲୋକଙ୍କୁ ଏ ପର୍ଯ୍ୟନ୍ତ ମିଳିନି ସରକାରୀ ସହାୟତା । ବାଲୁଖଣ୍ଡ ଅଭୟାରଣ୍ୟରେ ସରକାରୀ ଅବହେଳା ଯୋଗୁଁ ପଡ଼ିରହିଛି ୧୨ ଲକ୍ଷ ଭଙ୍ଗା ଗଛ । ଗତ ବର୍ଷ ଫନି ଓ ଏ ବର୍ଷ କରୋନା ଯୋଗୁଁ ଭୁଶୁଡ଼ିବା ସ୍ଥିତିରେ ଅଛି ପୁରୀର ଅର୍ଥନୀତି ।

ଫନି ମହାବାତ୍ୟାର ବର୍ଷକ ପରେ ବି ପୁରୀରେ କ୍ଷତିଗ୍ରସ୍ତ ଲୋକଙ୍କ ଆଖିରୁ ଶୁଖି ନାହିଁ ଲୁହ
ଫନୀ ମହାବାତ୍ୟାରେ ଲକ୍ଷ ଲକ୍ଷ ବଡ଼ ଗଛ ଭାଙ୍ଗିଯାଇଥିଲା । ପୁରୀରେ ୩୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ବର୍ଷେ ତଳେ ଆସିଥିବା ଫନି ମହାବାତ୍ୟାରେ ଉଜୁଡ଼ିଯାଇଥିଲା ପୁରୀ ଜିଲ୍ଲା । ବର୍ଷକ ପରେ ବି ଏହି ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅନେକ ଲୋକ ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି ଓ ପୁରୀ ସହରର ହୋଟେଲ ଶିଳ୍ପ ଅଣ୍ଟା ସଳଖି ପାରିନି ।

୮,୭୦୦ ହେକ୍ଟର ବାଲୁଖଣ୍ଡ ଅଭୟାରଣ୍ୟରେ ଏବେ ବି ପଡ଼ିରହିଛି ଫନି ବେଳେ ଭାଙ୍ଗିଯାଇଥିବା ୧୨ ଲକ୍ଷ ଗଛର ଭଗ୍ନାବଶେଷ । ଭଙ୍ଗା ଗଛର କାଠରେ ଅସଜଡ଼ା ହୋଇ ପଡ଼ି ରହିଛି ଅଭୟାରଣ୍ୟ । ସେଣ୍ଟ୍ରାଲ ଏନଭାଇରେନମେଣ୍ଟ କମିଟିର ଅନୁମତି ମିଳିଲେ ହଟିବ ପଡିରହିଥିବା କାଠ । ଜଙ୍ଗଲରେ ସବୁଜିମା ଫେରିଆସିଥିଲେ ମଧ୍ୟ ବନ୍ୟ ଜନ୍ତୁଙ୍କ ପାଇଁ ଭଙ୍ଗା ଗଛଗୁଡିକ ସାଜିଛି ବାଧକ । ତଥାପି ସରକାରୀ ସ୍ତରରେ ଚାଲିଛି ଫନି ସହାୟତା ପ୍ରଦାନ ।

ଗତ ବର୍ଷ ମେ ୩ ତାରିଖରେ ଆରମ୍ଭ ହୋଇଥିଲା ଫନି ମହାବାତ୍ୟା । ଲ୍ୟାଣ୍ଡଫଲ ହୋଇଥିଲା ପୁରୀ ଜିଲ୍ଲାର ବାଲୁଖଣ୍ଡ ଅଭୟାରଣ୍ୟରୁ ସାତପଡ଼ା ମଧ୍ୟରେ । ସେ ଦିନର ଦୃଶ୍ୟ ଓ ଜନ ଜୀବନକୁ ହୋଇଥିବା ହାନି କଥା ମନେ ପକେଇ ଅନେକ ପୁରୀ ବାସିନ୍ଦାଙ୍କ ଆଖିକୁ ଲୁହ ଆସିଯାଉଛି ।

‘‘ସମୟ ସକାଳ ସାଢେ ୮ଟାରୁ ଦିନ ୧୧ଟା ଭିତରେ ଗଲା ବର୍ଷ ମେ ୩ରେ ଫନି ମହାବାତ୍ୟା ରଚିଥିଲା ତାଣ୍ଡବ । ୨୮୦ କିଲୋମିଟର ପ୍ରତି ଘଣ୍ଟାରୁ ଅଧିକ ବେଗରେ ପବନ ଓ ବର୍ଷା ଯୋଗୁଁ ବଡ଼ ବଡ଼ ଗଛ ଭାଙ୍ଗିରୁଜି ଯାଇଥିଲା ଓ ଇଲେକ୍ଟ୍ରିସିଟି ଟାୱାର ସହ ହୋଟେଲଗୁଡିକ ମଧ୍ୟ ଧ୍ୱଂସ୍ତ ବିଧ୍ୱଂସ୍ତ ହୋଇପଡିଥିଲା । ଆମେ ସମସ୍ତେ ଭୟଭୀତ ହୋଇ ଘରେ ରହିଥିଲୁ ଓ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲୁ,’’ ଆଖିରୁ ଲୁହ ଝରାଇ କହିଛନ୍ତି ପେଣ୍ଠକଟାର ମତ୍ସ୍ୟଜୀବୀ ନେତା ବାବୁଲା ପ୍ରସାଦ  ।

ଫନୀ ସବୁ ଠୁ ବେଶୀ ଭୟାନକ ସ୍ଥିତି କରିଥିଲା ସମୁଦ୍ରକୂଳିଆ ମତ୍ସ୍ୟଜୀବୀ ସାହିରେ । ବର୍ଷା ପବନ ଯୋଗୁଁ ସମୁଦ୍ର ଢେଉ ମାଡିଆସିଥିବା ବେଳେ ଘରମାନଙ୍କରେ ଥିବା ଆଜବେଷ୍ଟସ ଉଡ଼ିଯାଇଥିଲା ଓ ଘର ଭିତରେ ପଶିଯାଇଥିଲା ବାଲି । କୂଳରେ ରଖାଯାଇଥିବା ଡଙ୍ଗାଗୁଡିକ ଉଡ଼ି ଘର ଉପରେ ମାଡ଼ି ବସିଥିଲା ଓ ସାହି ଭିତରେ ପଶିଯାଇଥିଲା । କେବଳ କରୁଣ କ୍ରନ୍ଦନ କରି ଏସବୁ ଦୃଶ୍ୟକୁ ଦେଖୁଥିଲେ ବୋଲି କହିଛନ୍ତି ୪୨ ବର୍ଷୀୟ ମତ୍ସ୍ୟଜୀବୀ କେ. ରାମାରାଓ  । ‘‘ସେ ଦିନର ଅନୁଭବ ଛାତି ଫଟେଇଦେବା ଭଳି,’’ କହିଛନ୍ତି ପେଣ୍ଠକଟା ବାସିନ୍ଦା କେ ରାମାରାଓ ।

ଫନୀ ସବୁ ଠୁ ବେଶୀ ଭୟାନକ ସ୍ଥିତି କରିଥିଲା ସମୁଦ୍ରକୂଳିଆ ମତ୍ସ୍ୟଜୀବୀ ସାହିରେ ।


ଫନିର ଠିକ୍‌ ସପ୍ତାହକ ପରେ ପୁରୀରେ କାର୍ଯ୍ୟରେ ଯୋଗଦେଇଥିଲେ ଜିଲ୍ଲାପାଳ ବଲୱନ୍ତ ସିଂ । ତାଙ୍କ ପାଇଁ ଫନି ପରେ ରେଷ୍ଟୋରେସନ ଥିଲା ସବୁ ଠୁ ବଡ଼ ଚାଲେଞ୍ଜ  । ଫନିର ଆତଙ୍କ କଥା ମନେପକାଇଲେ ତାହା ଏକ ବେଶ୍‌ ସ୍ମରଣୀୟ ଅନୁଭୁତି ବୋଲି କହିଛନ୍ତି ସିଂ ।

‘‘ଏଗାରଟି ବ୍ଲକର ୧,୭୭୨ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୧୯ ଲକ୍ଷ ଲୋକେ ସଙ୍କଟରେ ପଡିଥିଲେ । ୨,୭୮,୭୬୨ଟି ଘର ଭାଙ୍ଗି ଯାଇଥିଲା । ନଡ଼ିଆ ଚାଷୀ ବି ପ୍ରଭାବିତ ହୋଇଲେ । ପୁରୀ ଜିଲ୍ଲାରେ ୩୩ ଜଣ ଲୋକେ ମୃତ୍ୟୁ ବରଣ କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଫନୀର ୧୫ ଦିନ ପରେ ଆଗ ପୁରୀ ସହରରେ ବିଦ୍ୟୁତ ସରବରାହ ଆରମ୍ଭ କରାଯାଇଥିଲା । ତା’ର ମାସକ ପରେ ପୁରୀ ସମେତ କିଛି ବ୍ଲକ୍‌ ଓ ଦେଢ଼ ମାସ ପରେ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲା ରେ ଆରମ୍ଭ ହୋଇଥିଲା ବିଦ୍ୟତ ସେବା । ପୁଣି ୧୦ ଦିନ ପରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଘରେ ଘରେ ସାହି ସାହିରେ ପ୍ରଦାନ କରାଯାଇଥିଲା । ସରକାରଙ୍କ ସବୁ ବିଭାଗ ଅନେକ ସହଯୋଗ ଦେଇଥିବାରୁ ଫନିର କଷ୍ଟ  ଲାଘବ ହୋଇପାରିଥିଲା ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।

ଫନୀର ତାଣ୍ଡବ ଏତେ ମାତ୍ରାରେ ଥିଲା ଯେ ପୁରୀ ସହରର ମେରୁଦଣ୍ଡ କୁହାଯାଉଥିବା ହେଟେଲ ଶିଳ୍ପ ବି ସମ୍ପୂର୍ଣ ଧ୍ୱସ୍ତ ହୋଇଯାଇଥିଲା  । ପୁରୀ ଜିଲ୍ଲାରେ ୪୫୦ରୁ ଉର୍ଦ୍ଧ ହୋଟେଲର କ୍ଷୟକ୍ଷତି ହୋଇଥିବା ବେଳେ ଲଜିଂ ଓ ଧର୍ମଶାଳା ବି ପ୍ରଭାବିତ ହୋଇଥିଲା  ।

‘‘ସେ ସମୟରେ ଆଗକୁ ରଥଯାତ୍ରା ଥିବାରୁ ହୋଟେଲ ମାଲିକମାନେ ଯଥା ସମ୍ଭବ ଲାଗିପଡ଼ି ହୋଟେଲକୁ ପ୍ରସ୍ତୁତ କରିଥିଲେ  । ହେଲେ ପୁଣି ବର୍ଷେ ପରେ କରୋନା ମହାମାରୀ ପରି ଆଉ ଏକ ଦୁର୍ବିପାକ ଯୋଗୁଁ ଧରାୟାୟୀ ହୋଇଯାଇଛି ପୁରୀର ହୋଟେଲ ଶିଳ୍ପ,’’ କହିଛନ୍ତି  ଶ୍ରୀମନ୍ଦିର ସେବାୟତ ତଥା ହୋଟେଲ ଆସୋସିଏସନର ସଭାପତି ରାମକୃଷ୍ଣ ଦାଶ ମହାପାତ୍ର ।

ଫନି ଯୋଗୁଁ ଏଟିଏମ ଗୁଡିକ ଅଚଳ ହୋଇଯାଇଥିବା ବେଳେ ଏସ୍‌.ବି.ଆଇ. ପକ୍ଷରୁ କିଛି କିଓସ୍କ ମେସିନ ଦ୍ୱାରା ଟଙ୍କା କାରକାର କରାଯାଇଥିଲା । ଅନେକ ବ୍ୟାଙ୍କ୍‌ ମିଳିତ ଭାବେ ଫନିରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିଥିଲେ ।

ଫନି ମହାବାତ୍ୟାରେ ଶ୍ରୀମନ୍ଦିରରେ ବ୍ୟାପକ କ୍ଷତି ହୋଇଥିଲା । ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଥିବା ଜୟ ବିଜୟ ମୂର୍ତ୍ତି ଓ ଭିତରେ ବଟବୃକ୍ଷ ବି ଭାଙ୍ଗିଯାଇଥିଲା । ‘‘ଯେତେ କଷ୍ଟ ହେଲେ ବି ସେବାୟତମାନେ ସଠିକ ଭାବେ ନୀତି ସମ୍ପାଦନ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆକଳନ କରାଯାଇଥିବା କ୍ଷୟକ୍ଷତିର ପରିମାଣ ଥିଲା ୫୦୦ କୋଟି  ଟଙ୍କା । କିଛି ବଦାନ୍ୟ କମ୍ପାନୀ ତାହାର ଭରଣା କରି ଶ୍ରୀମନ୍ଦିରରେ କ୍ଷୟକ୍ଷତିର ମରାମତି କରିଥିଲେ,’’ କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାଶ ମହାପାତ୍ର ।

ଫନିରେ ପୁରୀ ସହରର ବେଳାଭୂମି ଓ ବଡ଼ଦାଣ୍ଡରେ ଅନେକ ଉଠା ଦୋକାନୀମାନଙ୍କର ମଧ୍ୟ କ୍ଷୟକ୍ଷତି ହୋଇଥିଲା । ଅନେକଙ୍କ ଦୋକାନ ବର୍ଷାରେ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟମାନଙ୍କ ଦୋକାନ ପବନରେ କୁଆଡ଼େ ଉଡ଼ିଯାଇଥିଲା ଯେ ଆଉ ପତ୍ତା ମିଳି ନ ଥିଲା । ଫନିର ବର୍ଷକ ପରେ ବି ପୌରସଂସ୍ଥା ପକ୍ଷରୁ ଅନେକ ଦୋକାନୀଙ୍କୁ କ୍ଷତି ପୂରଣ ମିଳି ନ ଥିବାରୁ ସେମାନେ ଅସନ୍ତୁଷ୍ଟ ଅଛନ୍ତି ବୋଲି କହିଛନ୍ତି ପୁରୀ ଉଠୀଦୋକନୀ ସଙ୍ଘର ଆବାହକ ସନ୍ତୋଷ ସାହୁ ।

ପୁରୀ ପୁଲିସମାନଙ୍କର କ୍ୱାର୍ଟର ଭାଙ୍ଗିରୁଜି ଯାଇଥିବା ବେଳେ ଅନେକ ଥାନା ଓ ଖୋଦ ଏସପିଙ୍କ କାର୍ଯ୍ୟାଳୟ ମଧ୍ୟ ଭାଙ୍ଗିରୁଜି ଯାଇଥିଲା । ହେଲେ ଫନିକୁ ନେଇ ପୁଲିସ ବିଭାଗ ପକ୍ଷରୁ ଜାରୀ ରହିଥିଲା କାର୍ଯ୍ୟ । ମହାବାତ୍ୟାର ଠିକ ଦୁଇ ଘଣ୍ଟା ପରେ ପୁଲିସ କର୍ମୀମାନେ ଲାଗିପଡିଥିଲେ କାର୍ଯ୍ୟରେ । ଓଡ୍ରାଫ, ଏନଡିଆରଏଫ ଓ ପୁଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିବା ସହ ରାସ୍ତା କ୍ଲିୟରାନ୍ସରେ ଦିନ ରାତି ନିଜ ପରିବାର ଲୋକଙ୍କୁ ଭୁଲି ସେବା ଯୋଗାଇଦେଇଥିଲେ । ପୁରୀ ଏସ୍‌.ପି.ଙ୍କ କ୍ୱାର୍ଚର ଭଙ୍ଗିଯାଇଥିବା ବେଳେ ସେ ନିଜେ ପାଞ୍ଚ ଦିନ ହେବ ଗୋଟିଏ ପୋଷାକରେ ଲୋକଙ୍କ ସେବାରେ ନିୟୋଜିତ ରହିଥିଲେ ।
First published: May 7, 2020, 7:28 PM IST
corona virus btn
corona virus btn
Loading