ଲକଡାଉନ ୪.୦ରେ ଲାଗିଥିବା ସାମାଜିକ କଟକଣାକୁ ଅନେକ ନାପସନ୍ଦ କରୁଛନ୍ତି

ସାମାଜିକ କାର୍ଯ୍ୟକ୍ରମ ଭିତରେ ବିବାହ ଉତ୍ସବ ଆୟୋଜନ କରିବାକୁ ତ ଅନୁମତି ମିଳିଛି, ହେଲେ ଏଥିରେ ୫୦ ଜଣରୁ ଅଧିକ ଲୋକ ଯୋଗ ଦେବାକୁ ଅନୁମତି ମିଳିବ ନାହିଁ ।

ଲକଡାଉନ ୪.୦ରେ ଲାଗିଥିବା ସାମାଜିକ କଟକଣାକୁ ଅନେକ ନାପସନ୍ଦ କରୁଛନ୍ତି
ଅନୁଗୁଳରେ ଏପ୍ରିଲରେ ଏକ ବିବାହରେ ଲକଡାଉନ୍‌ କଟକଣା ଯୋଗୁଁ ବର କନ୍ୟାଙ୍କୁ ମିଶାଇ ମୋଟ ପାଞ୍ଚ ଜଣ ଲୋକ ଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମେ ୩୧ ପର୍ଯ୍ୟନ୍ତ ଥିବା ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ଏହାର ପୂର୍ବ ପର୍ଯ୍ୟାୟ ତୁଳନାରେ କେତେକ କଟକଣାକୁ ସରକାର କୋହଳ କରିଛନ୍ତି ଓ କିଛି କଟକଣାକୁ ବଳବତ୍ତର ରଖିଛନ୍ତି । ବିଶେଷ କରି ସାମାଜିକ କାର୍ଯ୍ୟକ୍ରମ ଉପରେ ଲାଗିଥିବା କଟକଣାକୁ କଡ଼ାକଡ଼ି କରାଯିବା ନିଷ୍ପତ୍ତିକୁ ନେଇ ଉଠିଛି ବିତର୍କ ।

ସାମାଜିକ କଟକଣାକୁ କିଛିଟା କୋହଳ କରାଯିବା ଉଚିତ ବୋଲି ଅନେକ ଲୋକଙ୍କ ମତ ଥିବା ବେଳେ ସ୍ବାସ୍ଥ୍ୟ ସେବା ପରିଚାଳନା ବିଶେଷଜ୍ଞ ତଥା ପୂର୍ବତନ ସରକାରୀ ଅଧିକାରୀଙ୍କ ମତରେ ସାମାଜିକ ଦୂରତ୍ୱ ଲାଗି ଏଭଳି ବ୍ୟବସ୍ଥା ହୋଇଛି, ଯାହାକୁ ଲୋକେ ଠିକଭାବେ ଅନୁପାଳନ କରିବା ଦରକାର ।

ଲକଡାଉନ ୪.୦ର ଗାଇଡ଼ଲାଇନ ଅନୁସାରେ ସାମାଜିକ କାର୍ଯ୍ୟକ୍ରମ ଭିତରେ ବିବାହ ଉତ୍ସବକୁ ଅନୁମତି ମିଳିଛି, ହେଲେ ଏଥିରେ ୫୦ ଜଣରୁ ଅଧିକ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ମିଳିବ ନାହିଁ । ସେହି ଭଳି କୌଣସି ମୃତକଙ୍କ ଶୁଦ୍ଧି କ୍ରିୟାରେ ୨୦ରୁ ଅଧିକ ବ୍ୟକ୍ତି ବିଶେଷ ସାମିଲ ହୋଇପାରିବେ ନାହିଁ। ଏଭଳି ଗାଇଡ଼ ଲାଇନକୁ ନେଇ ଉଠିଛି ଚର୍ଚ୍ଚା।

‘‘ଏହି ନିଷ୍ପତ୍ତି ଦ୍ୱାରା ପ୍ରକୃତ ଉଦ୍ଦେଶ୍ୟ କିଛି ବି ସାଧିତ ହେବ ନାହିଁ। କାରଣ ଏଭଳି ନିୟମ ଭିତରେ କେହି ବିବାହ ଉତ୍ସବ ଆୟୋଜନ କରିପାରିବେ ନାହିଁ କିମ୍ବା କରିବାକୁ ଆଗ୍ରହୀ ହେବେ ନାହିଁ। ମାତ୍ର ୫୦ ଜଣଙ୍କୁ ନେଇ ବିବାହ ଉତ୍ସବ ଆୟୋଜନ କରିବା ଅସମ୍ଭବ । ଆମ ଭିତରୁ ଅନେକ ଆଶା କରୁଥିଲେ ଲକଡାଉନ ୪.୦ରେ ଏ ନେଇ କିଛିଟା କୋହଳ ନିଷ୍ପତ୍ତି ନେଇ ପାରନ୍ତି ସରକାର । ତା’ ଦ୍ୱାରା ୨ ମାସରୁ ଅଧିକ ସମୟ ଧରି ବନ୍ଦ ପଡିଥିବା ଆମ ବ୍ୟବସାୟ କିଛି ମାତ୍ରାରେ ଆରମ୍ଭ ହୋଇ ପାରିବ । ଏବେ ଆମେ ଅପେକ୍ଷା କରିଛୁ ଲକଡାଉନ ୪.୦ ସରିବାକୁ,’’ କହିଛନ୍ତି ମଣ୍ଡପ ପରିଚାଳକ ପର୍ଶୁରାମ ଜେନା ।

ଅନ୍ତେଷ୍ଟି କ୍ରିୟା ମଧ୍ୟ ମାତ୍ର ୨୦ ଜଣଙ୍କ ଭିତରେ ସୀମିତ ହେବା ଅସମ୍ଭବ ବୋଲି ରାଜଧାନୀ ବାସିନ୍ଦା ମତ ଦେଇଛନ୍ତି । ଭୁବନେଶ୍ୱର ବାସିନ୍ଦା ନିରଞ୍ଜନ ପୁହାଣ କହିଛନ୍ତି: ‘‘ସାମାଜିକ ଦୂରତ୍ୱ ନିୟମ ଭିତରେ ଲୋକେ ସବୁ କାମ କରିବା ପାଇଁ ଏବେ ଖୁବ ସଚେତନ। ତେଣୁ ଅନ୍ତେଷ୍ଟି କ୍ରିୟାରେ ମାତ୍ର ୨୦ ଜଣଙ୍କୁ ଅନୁମତି ପ୍ରଦାନ କରାଯିବା ଗ୍ରହଣୀୟ ନୁହେଁ। ସରକାର ଏହାକୁ ପୁନଃବିଚାର କରିବା ଦରକାର ।’’

କିଛି ସାମାଜିକ କଟକଣା ସହିତ ହୋଟେଲ ରେସ୍ତୋରାଁ ନ ଖୋଲି ଖାଦ୍ୟ ପାର୍ସଲର ବ୍ୟବସ୍ଥା ଲାଗି ଅନୁମତି ପ୍ରଦାନ କରାଯିବା, ତଥା ଚା' ଓ ପାନ ଦୋକାନ ଖୋଲିବାକୁ ଅନୁମତି ଦେବାକୁ ନେଇ ବି ଉଠିଛି ବିତର୍କ । ଅନେକ ହୋଟେଲ ବ୍ୟବସାୟୀ ଏହାକୁ ନାପସନ୍ଦ କରିଛନ୍ତି । ‘‘ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି, ଯାହା ସ୍ୱାଗତଯୋଗ୍ୟ ।  କିନ୍ତୁ ଲୋକେ ଏହାକୁ ଅନୁପାଳନ କରିବା ଉଚିତ । କାରଣ ବର୍ତ୍ତମାନର ସ୍ଥିତିକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି,’’ କହିଛନ୍ତି ସ୍ୱାସ୍ଥ୍ୟ ସେବା ପରିଚାଳନା ବିଶେଷଜ୍ଞ ଭାରତ କୁମାର ବେହେରା ।

ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ସହଦେବ ସାହୁ କହିଛନ୍ତି: ‘‘ଆବଶ୍ୟକତା ଅନୁସାରେ ସରକାର ନିୟମ କରିଛନ୍ତି । କିନ୍ତୁ ଲୋକଙ୍କ ମାନସିକତା ଯାହା, ସେଥିରେ ଏ ସବୁର ସଠିକ ଅନୁପାଳନ ହେବା ସମ୍ଭବ ନୁହେଁ । ତେଣୁ ସରକାରୀ ସ୍ତରରେ ଏ ଭଳି ନିୟମକୁ ଗୁରୁତ୍ୱ ଦିଆଯିବା ଦରକାର ।’’

ପୂର୍ବରୁ ଲକ୍ ଡାଉନ ୧,୨ ଓ ୩ ରେ ଅନେକ ନିୟମକୁ ଲୋକମାନେ ସଠିକ ଅନୁପାଳନ କରିଥିବା ଦେଖିବାକୁ ମିଳିଥିଲା । ତେଣୁ ଅବସ୍ଥା ଅନୁସାରେ ସରକାରୀ ନିଷ୍ପତ୍ତି ଠିକ ବୋଲି ଅନେକଙ୍କ ମତ ।

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 23, 2020, 2:21 PM IST
corona virus btn
corona virus btn
Loading