କରୋନା ଆଣିଲା ଜୀବିକାରେ ମୋଡ଼; ଜୀବନ ପାଇଁ ତାକୁ ଆଦରି ନେଲେ କଟକର ଶହ ଶହ ଲୋକ

ଏସି ରୁମରେ ବସି ମୋବାଇଲ୍ ଫୋନ୍ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଅଟୋ ଚାଳକ ଓ ଜୋତା ଦୋକାନୀ, ଏବେ ସେମାନେ ପୂର୍ବ ପେଶା ଛାଡ଼ି ପାଲଟିଛନ୍ତି ପରିବା ଦୋକାନୀ । କରୋନା ଓ ଲକଡାଉନ୍ ଆଣିଛି ଅନେକ ଲୋକଙ୍କ ଜୀବିକାରେ ବଡ଼ ପରିବର୍ତ୍ତନ ।

କରୋନା ଆଣିଲା ଜୀବିକାରେ ମୋଡ଼; ଜୀବନ ପାଇଁ ତାକୁ ଆଦରି ନେଲେ କଟକର ଶହ ଶହ ଲୋକ
ଅଟୋ ଚାଳକ ନିରଞ୍ଜନ ନାୟକ ଏବେ ପରିବା ବିକାଳୀର ଭୂମିକାରେ ଅଭ୍ୟସ୍ତ ହେଉଛନ୍ତି ।
  • News18 Odia
  • Last Updated: March 31, 2020, 11:01 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କରୋନା ଭାଇରସ୍‌ ଜନିତ ଲକଡାଉନ୍ ସମାଜର ଆର୍ଥିକ ସଂରଚନାରେ ଏକ ବଡ ଧରଣର ପରିବର୍ତ୍ତନ ଆଣିବା ଆରମ୍ଭ କରିଛି । ଦେକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ଥିବା ହେତୁ ବହୁ ଲୋକଙ୍କ ଜୀବନ ଜୀବିକା ଉପରେ ଆଘାତ ଲାଗିଛି । ଏହି ପ୍ରତିକୁଳ ପରିସ୍ଥିତିରେ ପରିବାର ପ୍ରତିପୋଷଣ ପାଇଁ କଟକ ସହରର ଅନେକ ଲୋକ ନିଜ ନିଜର ମୂଳ ପେଶା ଛାଡ଼ି ଏବେ ବ୍ୟବସାୟ ଆରମ୍ଭ କରିଛନ୍ତି ।

କଟକ ବାଦମବାଡ଼ିରେ ଖୋଲିଥିବା ଅସ୍ଥାୟୀ ପରିବା ମାର୍କେଟରେ ଏ ଭଳି ଅନେକ ଲୋକଙ୍କୁ ଦେଖିବାକୁ ମିଳୁଛି ଯେଉଁମାନେ ନିଜ ନିଜର ମୂଳ ପେଶାକୁ ଛାଡ଼ି  ପରିବା ବ୍ୟବସାୟକୁ ଆପଣେଇ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାଦାମବାଡ଼ିର ଖୁଣ୍ଟିଆ ଲେନ୍‌ ବାସିନ୍ଦା ନିରଞ୍ଜନ ନାୟକ । ସେ ପୂର୍ବରୁ ପେଶାରେ ଥିଲେ ଜଣେ ଅଟୋ ଚାଳକ । ବ୍ୟାଙ୍କରୁ ଋଣ ଆଣି ଅଟୋ ଖଣ୍ଡେ କିଣିଥିଲେ । କରୋନା ଭାଇରସ୍‌ ଜନିତ ଲକଡାଉନ୍‌ ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଥିବାରୁ ସପ୍ତାହେ ଧରି ଘରେ ବସି ରହିବା ପରେ ଏବେ ଅଟୋ ଛାଡି ବାଦାମବାଡ଼ିରେ ବିକ୍ରି କରୁଛନ୍ତି ପରିବା ।

‘‘ତିନି ମାସ ପାଇଁ ବ୍ୟାଙ୍କ ସିନା କିସ୍ତି ନେବ ନାହିଁ, କିନ୍ତୁ ରୋଜଗାର ନ କଲେ ମୋ ପିଲା ଖାଇବେ କଣ? ଘର ଚଳିବ କେମିତି? ଅନ୍ୟ ଉପାୟ ନ ପାଇ ଶେଷରେ ମୁଁ ପରିବା ବେପାର କରୁଛି । ଦେଖାଯାଉ ଆଗକୁ କଣ ହେଉଛି,” କହିଛନ୍ତି ନିରଞ୍ଜନ ।

ଆଗରୁ ଚପଲ ଦେକାନ କରିଥିବା ସୁନିଲ ରାଉତ ଏବେ ଆଳୁ ପିଆଜ ବିକୁଛନ୍ତି ।


ସେହି ଭଳି ବାଦାମବାଡ଼ିରେ ଚପଲ ଦେକାନ କରିଥିବା ସୁନିଲ ରାଉତଙ୍କ ବି ସମାନ ସମସ୍ୟା ଓ ସମାଧାନ । ୧୭ ବର୍ଷ ଧରି ଚପଲ ଦୋକାନ କରି ସେଥିରୁ ମିଳୁଥିବା ଅର୍ଥରେ ପିଲାଙ୍କ ପାଠ ପଢା ଠାରୁ ଆରମ୍ଭ କରି ଘର ଖର୍ଚ୍ଚ ପର୍ଯ୍ୟନ୍ତ ସବୁ କିଛି ଚଳାଉଥିଲେ ସୁନିଲ। କିନ୍ତୁ ଦଶ ଦିନ ହେଲା ତାଙ୍କ ଦେକାନ ବନ୍ଦ । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦୋକାନ ବ୍ୟତୀତ କଟକ ସମେତ ଭାରତର ସବୁ ସହରରେ ଅନ୍ୟ ସବୁ ବ୍ୟବସାୟ ଉପରେ କଟକଣା ଲାଗିଛି । ତେଣୁ ପରିବାର ପାଳିବା ପାଇଁ ସୁନିଲ ଏବେ ଆଳୁ ପିଆଜ ବିକ୍ରି କରୁଛନ୍ତି ।

“ମୁଁ ଜଣେ ବ୍ୟବସାୟୀ, ଆଜ୍ଞା । ସମୟ ଥିଲା ମୁଁ ଅନ୍ୟ କିଛି ବିକ୍ରି କରୁଥିଲି, କିନ୍ତୁ ଏବେ ପରିସ୍ଥିତିରେ ପଡ଼ି ପରିବା ବିକ୍ରି କରୁଛି । ପରିବା ବ୍ୟବସାୟ ବିଷୟରେ ଧାରଣା ନ ଥିବାରୁ ଏବେ ଅନ୍ୟ ପରିବା ନ ବିକି କେବଳ ଆଳୁ ପିଆଜ ହିଁ ବିକ୍ରି କରୁଛି । ବଳିଲେ ଘରକୁ ନେଇ ଯାଉଛି, ପୁଣି ପର ଦିନ ଆଣି ବିକ୍ରି କରୁଛି । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଏହି କରୋନା କେମିତି ପୂରା ବିଶ୍ବରୁ ଚାଲିଯାଉ," ଯୋଡ଼ ହସ୍ତରେ କହିଛନ୍ତି ସୁନିଲ ।

କେବଳ ବାଦାମବାଡି ନୁହେଁ, ସହରର ବିଭିନ୍ନ ଗଳି କନ୍ଦିରେ ଏବେ ନୂଆ କରି ପରିବା ଦେକାନ କରି ଦିନକୁ ଦୁଇ ଓଳି ଖାଇବା ଯୋଗାଡ କରୁଛନ୍ତି ଶହ ଶହ ଲୋକ । ତେବେ ଏହି ଜଟିଳ ପରିସ୍ଥିତି ଦିନେ ନା ଦିନେ ପରିବର୍ତ୍ତିତ ହେବ ଓ ପୁଣି ନିଜ ନିଜ ପୂର୍ବ ପେଶାକୁ ଲୋକେ ଫେରିବେ ବୋଲି ବିଶ୍ବାସ ରହିଛି ପ୍ରାୟ ସମସ୍ତଙ୍କର ।
First published: March 31, 2020, 11:01 AM IST
corona virus btn
corona virus btn
Loading