ଭୁବନେଶ୍ୱରରେ ସାମାଜିକ କଳଙ୍କ ସାଜିଛି କରୋନା; ଅନେକ ଲୋକ ଟେଷ୍ଟ କରାଇବାକୁ ଅରାଜି

କ୍ବାରେଣ୍ଟାଇନରେ ରହିବାର ଭୟ ଓ ସାମାଜିକ କଳଙ୍କର ଚିନ୍ତା ଅନେକ ଲୋକଙ୍କୁ ନିଜର କୋଭିଡ ଟେଷ୍ଟ କରାଇବାରୁ ରୋକୁଛି । ୩,୫୦୦ ଟପିଲାଣି ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏ ଯାଏଁ ୬୨ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ।

ଭୁବନେଶ୍ୱରରେ ସାମାଜିକ କଳଙ୍କ ସାଜିଛି କରୋନା; ଅନେକ ଲୋକ ଟେଷ୍ଟ କରାଇବାକୁ ଅରାଜି
ଭୁବନେଶ୍ୱରରେ ସାତଟି ହସ୍ପିଟାଲ ଓ ଲ୍ୟାବରେ କୋଭିଡ୍ ପାଇଁ ପରୀକ୍ଷା ହେଉଛି ।
  • News18 Odia
  • Last Updated: August 9, 2020, 8:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କାୟା ମେଲାଉଛି କରୋନା ଭାଇରସ୍‌ । ଆକ୍ରାନ୍ତଙ୍କ ଚିହ୍ନଟ ପାଇଁ ବିଏମସି ତରଫରୁ କୋଭିଡ ଟେଷ୍ଟ ବଢ଼ାଇ ଦିଆଯାଇଛି। ଦିନକୁ ପ୍ରାୟ ଦେଢ଼ ହଜାରରୁ ଦୁଇ ହଜାର ନମୁନା ପରୀକ୍ଷା ହେଉଛି। ଆଣ୍ଟିଜେନ, ଆଣ୍ଟିବଡି ଓ ସିରୋ-ସର୍ଭେଲିଆନ୍ସ ଭଳି ଅନେକ ପ୍ରକାର ଟେଷ୍ଟ ହେଉଛି। ହେଲେ ଅନେକ ସ୍ଥାନରେ ଦେଖାଯାଉଛି ଯେ ଲୋକେ କୋଭିଡ ଟେଷ୍ଟିଙ୍ଗ ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। କ୍ବାରେଣ୍ଟାଇନରେ ରହିବାର ଭୟ ହେଉ ବା ସାମାଜିକ କଳଙ୍କର ଶିକାର ହେବାର ଆଶଙ୍କା । ଅନେକ ଶିକ୍ଷିତ ବ୍ୟକ୍ତି ମଧ୍ୟ ଟେଷ୍ଟ ପାଇଁ ଆଗ୍ରହ ଦେଖାଉ ନ ଥିବା ଦେଖାଯାଉଛି ।

ସହରରେ ସଂକ୍ରମଣ ବଢ଼ିବା ସହିତ ରୋଗୀ ଚିହ୍ନଟ କରିବା ପାଇଁ ବଢ଼ିଛି କୋଭିଡ ଟେଷ୍ଟ। ବିଏମସି ରିପୋର୍ଟ ଅନୁଯାୟୀ ଦିନକୁ ୧,୪୦୦ରୁ ୧,୮୦୦ ପାଖାପାଖି ଟେଷ୍ଟ ହେଉଛି। ଆଜି ସୁଦ୍ଧା ରାଜଧାନୀରେ ୭୦,୧୧୪ଟି ନମୁନା ପରୀକ୍ଷା ହୋଇଛି। ଗତ ସାତ ଦିନରେ ୧୪,୬୩୪ଟି ଟେଷ୍ଟ ହୋଇଛି । ଟେଷ୍ଟିଙ୍ଗ ବଢୁଛି। ତେଣୁ ଅଧିକ ମାତ୍ରାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ହେଲେ ଦେଖାଯାଉଛି ଯେ ବସ୍ତିବାସିନ୍ଦାଙ୍କ ସମେତ ଅନେକ ଶିକ୍ଷିତ ଲୋକ କୋଭିଡ ଟେଷ୍ଟ ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । କେଉଁଠି କ୍ଵରେଣ୍ଟାଇନ ଭୟ ରହୁଛି ତ ଆଉ କେଉଁଠି ଆକ୍ରାନ୍ତଙ୍କ ପ୍ରତି ଏକ ଭିନ୍ନ ଦୃଷ୍ଟି ରହୁଥିବା ଆଶଙ୍କା ବି ରହିଛି । ତେଣୁ ସର୍ବସାଧାରଣରେ ଯାଇ ପରୀକ୍ଷା କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଲୋକେ।

‘‘ଅନେକ ଲୋକ କରୋନାକୁ ଏକ ସାମାଜିକ କଳଙ୍କ ବୋଲି ଭାବୁଛନ୍ତି। ପଜିଟିଭ ହୋଇଥିବା ଲୋକଙ୍କ ପ୍ରତି ଗୋଟେ ଭିନ୍ନ ଦୃଷ୍ଟିଭଙ୍ଗୀ ରହୁଛି । ଏହା ଯୋଗୁଁ ଲକ୍ଷଣ ଥିଲେ ବି ଲୋକେ ଭୟ କରୁଛନ୍ତି ସର୍ବସାଧାରଣରେ ଯାଇ ପରୀକ୍ଷା କରିବା ପାଇଁ। କିନ୍ତୁ ଏଥିରେ କିଛି ଭୟ କରିବାର ନାହିଁ। ଲୋକେ ସଚେତନ ହେବା ଦରକାର । ଲୋକେ ସଚେତନ ହେଲେ ସମଦୂରତା ମାନିବା ସହ ମାସ୍କ ବ୍ୟବହାର କଲେ କରୋନା ମୁକାବିଲା କରିହେବ,’’ କହିଛନ୍ତି ପଟିଆ ବାସିନ୍ଦା ଚନ୍ଦ୍ରଶେଖର ଦାସ।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଲୋକଙ୍କୁ ପରୀକ୍ଷା କରାଇବା ପାଇଁ ଲଗାତର କହୁଛନ୍ତି ।


ନିୟମିତ ଭାବେ ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ କୋଭିଡ ଟେଷ୍ଟ କରାଯାଉଛି। ଅନେକ ଲୋକ ନିଜେ ଟେଷ୍ଟ କରିବା ପାଇଁ ଆଗ୍ରହ ଦେଖାଉଛନ୍ତି, ହେଲେ ଅନେକ ପଛଘୁଞ୍ଚା ଦେଉଛନ୍ତି । ତେଣୁ ଲକ୍ଷଣ ଥିଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟେଷ୍ଟ ପାଇଁ ଅନୁରୋଧ କରିଛି ବିଏମସି । ନ ହେଲେ ଜଣଙ୍କ ପାଇଁ ଏକାଧିକ ଲୋକେ ଆକ୍ରାନ୍ତ ହେବା ଆଶଙ୍କା ରହିଛି, ଯାହାକି ପୂର୍ବରୁ ଦେଖିବାକୁ ମିଳିଛି ।

ଆଇଗିଣିଆର ଆଳୁଗଦିରେ ଜଣେ ଆକ୍ରାନ୍ତଙ୍କ ଯୋଗୁଁ ୪୧ ଜଣ ଆକ୍ରାନ୍ତ ହୋଇଥିଲେ । ସେହିପରି ମଞ୍ଚେଶ୍ୱର ଅଟାକଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ତେଣୁ ଭୟ ନ କରି ନିଜ ପାଇଁ ନିଜେ ଟେଷ୍ଟ କରିବା ଆବଶ୍ୟକ ବୋଲି କହିଛନ୍ତି ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ | ରାଜସ୍ଥାନରେ ଏକ ପାକିସ୍ତାନୀ ଶରଣାର୍ଥୀ ପରିବାରର ୧୧ ଜଣଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହେଲା

ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ

‘‘କରୋନା କୌଣସି ପ୍ରକାର ସାମାଜିକ କଳଙ୍କ ନୁହେଁ କି କୌଣସି ଏକ ବଡ଼ ରୋଗ ନୁହେଁ । ସାମାନ୍ୟ ସଚେତନତା ରଖିଲେ ଏହି ରୋଗରୁ ବର୍ତ୍ତି ହେବ। ତେଣୁ ଲୋକେ ଆଗକୁ ଆସି କୋଭିଡ ଟେଷ୍ଟ କରିବା ଦରକାର। ନ ହେଲେ ଯଦି ପଜିଟିଭ ଥିବେ ତାହେଲେ ଜଣଙ୍କ ପାଇଁ ଅନ୍ୟମାନେ ସଂକ୍ରମିତ ହେବେ। ତା’ ଠାରୁ ଭଲ ନିଜେ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ ହେବା,’’ କହିଛନ୍ତି ବିଏମସି ୱାର୍ଡ ଅଫିସର ଶରତ କୁମାର ପଣ୍ଡା।



୩,୫୦୦ ଟପିଲାଣି ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୬୨ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ୧,୩୦୦ ଉପରେ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି । ଏବେ ଯାଏଁ ଭୁବନେଶ୍ୱରରେ ୭୦,୧୧୪ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ସାତଟି ହସ୍ପିଟାଲ ଓ ଲ୍ୟାବରେ ପରୀକ୍ଷା ହେଉଥିବା ବେଳେ ବିଏମସି ପକ୍ଷରୁ ୧୪ଟି ଟିମ ବିଭିନ୍ନ ସ୍ଥାନକୁ ଯାଇ ନମୁନା ସଂଗ୍ରହ କରୁଛନ୍ତି ।
Published by: Anand Shankar Thankur Das
First published: August 9, 2020, 8:47 PM IST
corona virus btn
corona virus btn
Loading