ବାଲେଶ୍ୱର: ଆଫ୍ରିକାରୁ ୯ ଦିନ ତଳେ ଫେରିଥିବା ଯୁବକଙ୍କ ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟୁ; ହତ୍ୟା ଅଭିଯୋଗ

ଗତ ଚାରି ବର୍ଷ ହେଲା ସାଉଥ ଆଫ୍ରିକାରେ କାର୍ଯ୍ୟ କରୁଥିବା ରମାକାନ୍ତ ଦାସଙ୍କ ପତ୍ନୀ ଗତ କାଲି ତାଙ୍କୁ ଭେଟି ତାଙ୍କ ସହ କଥା ହୋଇଥିଲେ । ସେ ପୂରା ଭଲ ଥିଲେ ଓ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନ ଥିଲା ବୋଲି ସେ କହିଛନ୍ତି ।

ବାଲେଶ୍ୱର: ଆଫ୍ରିକାରୁ ୯ ଦିନ ତଳେ ଫେରିଥିବା ଯୁବକଙ୍କ ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟୁ; ହତ୍ୟା ଅଭିଯୋଗ
କ୍ୱାରେଣ୍ଟାଇନ୍ କେନ୍ଦ୍ର ବାହାରେ ଉତ୍ତେଜନା ସମୟର ଏକ ଦୃଶ୍ୟ
  • News18 Odia
  • Last Updated: July 29, 2020, 10:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଭୋଗରାଇରେ ସଙ୍ଗରୋଧ କେନ୍ଦ୍ରରେ ସାଉଥ୍‌ ଆଫ୍ରିକାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି ଓ ଉତ୍ତେଜନା ଦେଖା ଦେଇଛି । ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଗ୍ରାମବାସୀମାନେ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ସଙ୍ଗରୋଧ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି । ସଙ୍ଗରୋଧ କେନ୍ଦ୍ରକୁ ଘେରି ସେଠାରେ ନିୟୋଜିତ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ବି ସେମାନେ ଆକ୍ରମଣ କରିଥିଲେ ।

ଘଟଣା ସ୍ଥଳରେ ଜଳେଶ୍ୱର ଏସଡିପିଓଙ୍କ ସମେତ ଅନ୍ୟ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହେଲେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା କମିନାହିଁ । ମୃତ ବ୍ୟକ୍ତି ରମାକାନ୍ତ ଦାସଙ୍କ ପତ୍ନୀ ସାବିତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ହତ୍ୟା କରାଯାଇଛି ।

ଗତ ଚାରି ବର୍ଷ ହେଲା ସାଉଥ ଆଫ୍ରିକାରେ କାର୍ଯ୍ୟ କରୁଥିବା ବାରବାଟିଆ ପଞ୍ଚାୟତ କଣ୍ଟାବଣିଆ ଗାଁର ବୃନ୍ଦାବନ ଦାସଙ୍କ ୪୫ ବର୍ଷୀୟ ପୁଅ ରମାକାନ୍ତ ଦାସ ସେଠାରୁ ଗତ ୨୦ ତାରିଖରୁ ଫେରିଥିଲେ । ପଞ୍ଚାୟତ ଅଧୀନ ପରିଚାଳିତ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ସଙ୍ଗରୋଧରେ ଥିଲେ । ଗତ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ପତ୍ନୀ ସାବିତ୍ରୀ ତାଙ୍କୁ ସାକ୍ଷାତ କରି କଥାବାର୍ତ୍ତା ହୋଇ ଘରକୁ ଫେରିଥିଲେ ।

‘‘ତାଙ୍କ ଦେହ ସମ୍ପୂର୍ଣ୍ଣ ଭଲ ଥିଲା । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନ ଥିଲା । ମାତ୍ର ଆଜି (ବୁଧବାର) ସକାଳେ ସଙ୍ଗରୋଧ କେନ୍ଦ୍ରରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରଚାର ହେଲା । ମୋ’ ସ୍ୱାମୀଙ୍କୁ ନିଶ୍ଚିତ ହତ୍ୟା କରାଯାଇଛି,’’ କାନ୍ଦି କାନ୍ଦି କହିଛନ୍ତି ସାବିତ୍ରୀ ।

ସରକାରୀ ଅଧିକାରୀମାନଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ର ଭିତରୁ ବାହାରକୁ ଆସିବାକୁ ଦେଉ ନାହାନ୍ତି ଲୋକେ ।


ଉତ୍ତେଜନା ଖବର ପାଇ ଭୋଗରାଇ ବିଡିଓ ସତ୍ୟଜିତ ରାଉତ, ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡଃ କମଳାକାନ୍ତ ଜେନା, ପଞ୍ଚାୟତର ଆଶା ଓ ଏ.ଏନ.ଏମ. କର୍ମୀମାନେ ସେହି ସଙ୍ଗରୋଧ କେନ୍ଦ୍ରକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏତିକି ବେଳେ ଗାଁ ଲୋକେ ଫାଟକରେ ତାଲା ପକାଇ ସେମାନଙ୍କୁ ବେଶ୍‌ କିଛି ଘଣ୍ଚା ଅଟକ ରଖିଥିଲେ ।

ସଙ୍ଗରୋଧ କେନ୍ଦ୍ର ପରିସର ବାହାରେ ଭୋଗରାଇ ତହସିଲଦାର ରାଖାଲ ଚନ୍ଦ୍ର ପରିଡ଼ା, ଭୋଗରାଇ ଥାନା ଅଧିକାରୀ ନରେନ୍ଦ୍ର ଦାସ, ତାଳସାରୀ ସାମୁଦ୍ରିକ ଥାନାର ଭାରପ୍ରାପ୍ତ ଅଧିକାରୀ ହେମନ୍ତ କୁମାର ମାଝୀ ଓ ଚନ୍ଦନେଶ୍ୱର ଫାଣ୍ଡି ଅଧିକାରୀ ବିଶ୍ୱନାଥ କର ସଦଳବଳେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ ।

ବାହାରେ ଉତ୍ତେଜନା ଲାଗି ରହିଥିବା ବେଳେ ଜଣେ ଏ.ଏନ.ଏମ. ଓ ଦୁଇ ଜଣ ଆଶା କର୍ମୀ ବିଦ୍ୟାଳୟ ପଛ ପଟେ ପାଚେରୀ ଡେଇଁ ପଳାଇ ଯାଉଥିବା ବେଳେ ଗାଁ ଲୋକେ ସେମାନଙ୍କୁ ଧରି ଅଟକ ରଖିଥିଲେ । ଉତ୍ୟକ୍ତ ଲୋକେ ଶବ ବ୍ୟବଚ୍ଛେଦ ପାଇଁ ବାହାରକୁ ଛାଡ଼ିବାକୁ ନ ଦେବାକୁ ଅଡ଼ି ବସିଥିଲେ ।

ବିଳାପ କରୁଥିବା ରମାକାନ୍ତ ଦାସଙ୍କ ଜଣେ ପରିଜନ


ମୃତ ରମାକାନ୍ତ ଦାସଙ୍କ ଉପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିଲା । ପୁଅ ସମରେଶ କଚୁଆଡି କଲେଜରେ ଯୁକ୍ତ ତିନି କଳା ପଢୁଥିବା ବେଳେ ଝିଅ ନବମ ଶ୍ରେଣୀରେ ପଢୁଛି । ତେଣୁ ଉପଯୁକ୍ତ କ୍ଷତିପୂରଣ ସାଙ୍ଗକୁ ଏହି ହତ୍ୟାକାଣ୍ଡରେ ଜଡ଼ିତ ଥିବା ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ଗାଁ ଲୋକେ ଦାବି କରିଛନ୍ତି ।

‘‘ମୋ’ ଭାଇକୁ ଏଠି ହତ୍ୟା କରାଯାଇଛି । ଏଥି ପାଇଁ କ୍ୱାରେଣ୍ଟାଇନ ସେଣ୍ଟରର ପରିଚାଳକ ଦାୟୀ । ମୋ’ ଭାଇ ଠାରେ କରୋନାର କୌଣସି ଲକ୍ଷଣ ନ ଥିଲା । ଏହା କରୋନା ମୃତ୍ୟୁ ନୁହେଁ । ତାଙ୍କୁ ହତ୍ୟା କରିବା ପରେ କରୋନା ନାଁ ଦିଆଯାଉଛି, ’’ କହିଛନ୍ତି ରମାକାନ୍ତଙ୍କ ଭାଇ ବୀରେନ୍ଦ୍ର ।

ଏହା ବି ପଢ଼ନ୍ତୁ: WATCH VIDEO: କରୋନା ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସକୁ କେହି ଉଠାଇଲେନି, ପତ୍ନୀଙ୍କ ଆଖି ଆଗରେ ମୃତ୍ୟୁ ହେଲା

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ

ଗାଁ ଲୋକେ ବିଦ୍ୟାଳୟକୁ ଚାରି ପଟୁ ଘେରି ରହିବା ସହ କେନ୍ଦ୍ର ମଧ୍ୟରୁ କାହାରିକୁ ବାହାରକୁ ବାହାରିବାକୁ ଦେଉ ନ ଥିଲେ । ଏଭଳି ପରିସ୍ଥିତିରେ ବାହାରେ ପୋଲିସ ପ୍ରଶାସନ ଲୋକଙ୍କୁ ବୁଝାଇବାକୁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା ।



ସନ୍ଧ୍ୟା ପ୍ରାୟ ୫ଟାରେ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଚଳାଇଥିଲେ । ସନ୍ଧ୍ୟାରେ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସମାଧାନର ସୂତ୍ର ବାହାରି ପାରି ନ ଥିଲା ।
Published by: Anand Shankar Thankur Das
First published: July 29, 2020, 10:28 PM IST
corona virus btn
corona virus btn
Loading