ଲକଡାଉନ୍: ‘‘ଯଦି ନେବାକୁ ଆସି ପାରିବ ତ ଆସ,’’ ୨୦୦ କି.ମି. ଚାଲି ସାରି ମରିବା ଆଗରୁ ସେ କହିଥିଲା

୨୦୦ କ.ମି. ଚାଲି ସେ ଭୟଙ୍କର ଭାବେ ଥକି ପଡ଼ିଥିଲା । ଲକଡାଉନ୍ ଯୋଗୁଁ ତାକୁ ଘରକୁ ନେବାକୁ ତା’ ପରିବାରରୁ କେହି ଆସିପାରି ନ ଥିଲେ । ଯେତେବେଳେ ସେମାନେ ପହଞ୍ଚିଥିଲେ, ସେମାନଙ୍କ ପାଇଁ ସେଠି ତା’ ମୃତ ଦେହ ଥିଲା ।

ଲକଡାଉନ୍: ‘‘ଯଦି ନେବାକୁ ଆସି ପାରିବ ତ ଆସ,’’ ୨୦୦ କି.ମି. ଚାଲି ସାରି ମରିବା ଆଗରୁ ସେ କହିଥିଲା
ଦିଲ୍ଲୀରେ ଜଣେ ପ୍ରବାସୀ ଶ୍ରମିକ ନିଜ ପିଲାକୁ ଧରି ଚାଲିଛି । (ଏ.ପି.; ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 30, 2020, 7:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଆଗ୍ରା: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଏବେ ସମଗ୍ର ଦେଶରେ ୨୧-ଦିନିଆ ଲକଡାଉନ୍ ଜାରି ଅଛି । ଏହି ସମୟରେ ଶନିବାର ଦିନ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ନିଜ ଘରକୁ ଫେରିବା ପାଇଁ ୨୦୦ କିଲୋମିଟର ବାଟ ଚାଲିବା ପରେ ମୃତ୍ୟୁ ବରଣ କରିଛି । ମୃତ୍ୟୁ ପରେ ସେହି ବ୍ୟକ୍ତିର ଏକ ରେକର୍ଡ଼ ହୋଇଥିବା ଫୋନ୍‌ କଲ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜୀବନରେ ଶେଷ ଥର ପାଇଁ କଥା କହୁଛି, ଆଉ କହୁଛି: ‘‘ଯଦି ନେବାକୁ ଆସି ପାରିବ ତ ଆସି ପହଞ୍ଚି ଯାଅ‘‘।

ଲକଡାଉନ୍‌ ଯୋଗୁଁ ରଣବୀର ସିଂ ନାମକ ଏହି ବ୍ୟକ୍ତିକୁ ତା’ ଘରକୁ ନେବାକୁ ତା’ ପରିବାରର କୌଣସି ସଦସ୍ୟ ଆସିପାରି ନ ଥିଲେ । ଯେତେବେଳେ ସେମାନେ ଆସି ପହଞ୍ଚିଥିଲେ, ସେମାନଙ୍କ ପାଇଁ ସେଠି ରଣବୀରର ମୃତ ଦେହ ଥିଲା ।

ଇଂରାଜୀ ଖବରକାଗଜ ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ’ ଅନୁଯାୟୀ ଏହି ୪୨ ସେକେଣ୍ଡର ଅଡିଓ କଲରେ ଗୋଟିଏ ପାର୍ଶ୍ୱରୁ ଏକ ସ୍ୱର ଆସୁଛି, ଯେଉଁଥିରେ ରଣବୀରକୁ କେହି ଜଣେ କହୁଛି: ‘‘କାହାକୁ କୁହ ସେ ତୁମକୁ ମୁରୈନା ପର୍ୟ୍ୟନ୍ତ ଲିଫ୍ଟ ଦେବ ।’’ ତା’ପରେ ଆଉ ଏକ ସ୍ୱର ଆସୁଛି, ଯେଉଁଥିରେ କୁହାଯାଉଛି: ‘‘୧୦୦ ନମ୍ବରକୁ କଲ୍‌ କର । ସେଠି ଆମ୍ବୁଲାନ୍ସ ଅଛି କି? ସେମାନେ ତୁମକୁ ଏଠି ଆଣି ଛାଡ଼ିଦେଇ ପାରିବେ କି?’’ ତା’ପରେ କିଛି ସମୟର ବିରତି ପରେ ରଣବୀର କହୁଛି: ‘‘ଯଦି ନେବାକୁ ଆସି ପାରିବ ତ ଆସି ପହଞ୍ଚି ଯାଅ‘‘।

ରଣବୀର ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲା । ରେଷ୍ଟୁରାଣ୍ଟ ବନ୍ଦ ଥିବାରୁ ସେ ପାଦରେ ନିଜ ଗାଁ ଯିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ରାସ୍ତାରେ ତା’ର ମୃତ୍ୟୁ ହୋଇଯାଇଥିଲା ।

ଗୋଟେ ପ୍ରବାସୀ ଶ୍ରମିକ ପରିବାର ଦିଲ୍ଲୀରୁ ଘରକୁ ଫେରିବାକୁ ଚାହିଁ ରହିଛି । (ଏ.ପି.)


ମିଡିଆ ରିପୋର୍ଟ ଅନୁଯାୟୀ ରଣଭୀର ଦିଲ୍ଲୀରୁ ନିଜ ଗାଁ ଅଭିମୁଖେ ଯାଉଥିଲା । ସକାଳେ ଆଗ୍ରା ପହଞ୍ଚିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲା । ଶନିବାର ସକାଳ ସାଢ଼େ ଛଅଟା ବେଳେ ସିକନ୍ଦରା ପୋଲିସ ଷ୍ଟେସନ ଅଞ୍ଚଳରେ ରାସ୍ତା କଡ଼ରେ ତା’ର ମୃତ୍ୟୁ ଘଟିଥିଲା । ତା’ ସମ୍ପର୍କୀୟମାନେ ମୃତ୍ୟୁର କାରଣକୁ ଭୋକ ଓ ଶୋଷ ବୋଲି କହିଥିବା ବେଳେ ସିକନ୍ଦରା ପୋଲିସ ଷ୍ଟେସନର ଅଫିସର୍‌ କୁଲଦୀପ ସିଂ କହିଛନ୍ତି ଯେ ମୃତ୍ୟୁର କାରଣ ହେଉଛି ହୃଦଘାତ । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଉଛି ।

ରଣବୀର ସିଂଙ୍କ ସହିତ ଚାଲି ଚାଲି ଆସିଥିବା ଦୁଇ ଜଣ ଲୋକ କହିଛନ୍ତି ଯେ ଲକଡାଉନ୍‌ ଯୋଗୁଁ ହଠାତ୍‌ ଆସିଥିବା ବେକାରୀ ସେମାନଙ୍କୁ ଦିଲ୍ଲୀରୁ ଗାଁକୁ ଯିବାକୁ ବାଧ୍ୟ କରିଥିଲା । ସେମାନେ କହିଛନ୍ତି ଯେ ଜଣେ ସ୍ଥାନୀୟ ଦୋକାନୀ ଆସି ତାଙ୍କୁ ସାହାଯ୍ୟ କରିବାକୁ ଚାହିଁଥିଲା ଓ ରଣବୀରଙ୍କୁ ଚା ବିସ୍କୁଟ ଯାଚିଥିଲା, କିନ୍ତୁ ସେ ମୃତ୍ୟୁ ମୁଖରୁ ବଞ୍ଚି ପାରି ନ ଥିଲା ।

କୁହାଯାଉଛି ଯେ ରଣବୀର ସିକନ୍ଧରା ଅଞ୍ଚଳରେ କୈଳାସ ମୋଡ଼ରେ ପହଞ୍ଚିବା ମାତ୍ରେ ତା’ ଦେହ ଖରାପ ଲାଗିବା ଆରମ୍ଭ କରିଥିଲା । ଏଭଳି ପରିସ୍ଥିତିରେ ସେ ରାସ୍ତା କଡ଼ରେ ବସିପଡ଼ିଥିଲା । ଏହି ସମୟରେ ତାଙ୍କର ଉଭୟ ସାଥୀ ଆଗକୁ ବଢ଼ିଯାଇଥିଲେ । ରଣବୀର ଜଣେ ଦୋକାନୀଙ୍କୁ କହିଥିଲା ଯେ ତା’ ଛାତିରେ ଯନ୍ତ୍ରଣା ହେଉଛି । ଦୋକାନୀ ଘରୁ ଚା ଓ ବିସ୍କୁଟ ଆଣି ତାକୁ ଖାଇବାକୁ ଦେଇଥିଲା । ହେଲେ ତା’ ପରେ ରଣବୀରର ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇଯାଇଥିଲା । କିଛି ସମୟ ପରେ ତା’ର ମୃତ୍ୟୁ ହୋଇଥିଲା । ତା’ପରେ ପୋଲିସର ସହାୟତାରେ ତା’ ପରିବାରର ସଦସ୍ୟମାନଙ୍କୁ ତା’ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା ।
First published: March 30, 2020, 7:53 PM IST
corona virus btn
corona virus btn
Loading