ପୁଣି କରୋନା ଡର! ବ୍ରିଟେନରୁ ଫେରି ଭୁବନେଶ୍ୱର ଆସିଥିବା ଯୁବକ ପଜିଟିଭ୍, ହସପିଟାଲରେ ଭର୍ତ୍ତି

ବ୍ରିଟେନରୁ ଫେରୁଥିବା ଯାତ୍ରୀମାନଙ୍କ ବିଷୟରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଆଗୁଆ ଜଣାଇବାକୁ ସବୁ ଏୟାରଲାଇନକୁ କୁହାଯାଇଛି । କରୋନା ଲକ୍ଷଣ ଥିବା ୫୫ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଯାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।

ପୁଣି କରୋନା ଡର! ବ୍ରିଟେନରୁ ଫେରି ଭୁବନେଶ୍ୱର ଆସିଥିବା ଯୁବକ ପଜିଟିଭ୍, ହସପିଟାଲରେ ଭର୍ତ୍ତି
ଭୁବନେଶ୍ୱର ବିମାନବନ୍ଦରକୁ ଦୈନିକ ପ୍ରାୟ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଯାଉଛି।
  • News18 Odia
  • Last Updated: December 24, 2020, 1:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବ୍ରିଟେନରେ ବ୍ୟାପିଥିବା କରୋନା ଭାଇରସ ସଂକ୍ରମଣର ଦ୍ୱିତୀୟ ଲହରର ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ଆରମ୍ଭ ହୋଇଥିବା ପରି ଲାଗୁଛି । ବ୍ରିଟେନରୁ ଫେରିଥିବା ଜଣେ ୩୪ ବର୍ଷୀୟ ଯୁବକ ବୁଧବାର ଦିନ କରୋନା ପଜିଟିଭ୍ ଥିବା ଜଣାପଡ଼ିବା ପରେ ତାଙ୍କୁ ଏକ ସରକାରୀ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ସତର୍କତାମୂଳକ ପଦକ୍ଷେପ ଭାବରେ ସେଠାରେ ଚାଲିଥିବା ବିମାନ ସେବା ପାଇଁ ସାନି ମାର୍ଗଦର୍ଶିକା ଜାରି କରିଛନ୍ତି । ବ୍ରିଟେନରୁ ଫେରୁଥିବା ଯାତ୍ରୀମାନଙ୍କ ବିଷୟରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଆଗୁଆ ଜଣାଇବାକୁ ସବୁ ଏୟାରଲାଇନକୁ କୁହାଯାଇଛି । କରୋନା ଲକ୍ଷଣ ଥିବା ୫୫ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଯାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।

ଏହା ବି ପଢ଼ନ୍ତୁ | ଆସନ୍ତା ସପ୍ତାହରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକାକୁ ଭାରତରେ ପ୍ରୟୋଗ ପାଇଁ ମିଳିପାରେ ଅନୁମତି

ବ୍ରିଟେନରୁ ଫେରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚୁଥିବା ଯାତ୍ରୀମାନଙ୍କର କରୋନା ପରୀକ୍ଷା କରିବା ପାଇଁ ଭୁବନେଶ୍ୱର ନଗର ନିଗମ ତରଫରୁ ଏଆରପୋର୍ଟ ଟର୍ମିନାଲରେ ଏକ କିଓସ୍କ ସ୍ଥାପନ କରାଯାଇଛି ।

ଏହି ବ୍ୟକ୍ତି ବ୍ରିଟେନରୁ ଫେରି ଭୁବନେଶ୍ୱରରେ ଡିସେମ୍ବର ୧୮ରେ ପହଞ୍ଚିଥିଲେ ଓ ଏକ ଘରୋଇ ଲାବୋରେଟୋରୀରେ କରୋନା ପରୀକ୍ଷା କରାଇଥିଲେ ବୋଲି ଜଣେଇଛି ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍ (ବିଏମସି) । ‘‘ତାଙ୍କର ସାମାନ୍ୟ ଫ୍ଲୁ ଭଳି ଲକ୍ଷଣ ଥିଲା । ତାଙ୍କୁ ଏକ ସରକାରୀ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି,’’ କହିଛି ବିଏମସି ।

ଏହା ବି ପଢ଼ନ୍ତୁ | ‘‘ମା ଦେଖ୍, ମୁଁ ଶିକାର କରିଛି!’’ ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

‘‘ବ୍ରିଟେନ ଫେରନ୍ତାଙ୍କ ପାଇଁ ୧୪ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି। ବିମାନବନ୍ଦରରେ ସ୍ବତନ୍ତ୍ର ହେଲ୍ପ ଡେସ୍କ ସ୍ଥାପିତ ହୋଇଛି । ସେଠି ଯାତ୍ରୀଙ୍କ ଉଭୟ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ କରାଯାଉଛି । ରିପୋର୍ଟ ନ ଆସିବା ଯାଏଁ ଯାତ୍ରୀଙ୍କୁ ସରକାରୀ ଅଥବା ପେଡ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ,’’ କହିଛନ୍ତି ବିଏମସିର ଜେଡିସି ଅଂଶୁମାନ ରଥ ।

ବ୍ରିଟେନରେ ବ୍ୟାପୁଥିବା କରୋନାର ଏକ ନୂଆ ପ୍ରକାର ଷ୍ଟ୍ରେନ ଏହି ଯୁବକଙ୍କୁ ଆକ୍ରାନ୍ତ କରିଛି କି ନା ତା’ ଉପରେ ଅନୁସନ୍ଧାନ ଚାଲିଥିବା ଜଣେଇଛି ବିଏମସି । ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ଯୁବକଙ୍କ ସମ୍ପର୍କ ଅନୁସନ୍ଧାନ (କଣ୍ଟାକ୍ଟ ଟ୍ରେସିଂ) ଶେଷ ହୋଇସାରିଛି ବୋଲି ବିଏମସି କହିଛି । ତାଙ୍କର କୋଭିଡ୍‌ ଷ୍ଟ୍ରେନ୍ ଜାଣିବା ପାଇଁ ଆରଏମଆରସି (RMRC) ମାଧ୍ୟମରେ ସ୍ପାଇକ୍ ଜେନୋମ ସିକ୍ୱେନ୍ସିଂ ଉପରେ ପରୀକ୍ଷା କରାଯାଉଥିବା ଏକ ଟ୍ୱିଟ୍‌ କରି ଜଣାଇଛି ନଗର ନିଗମ ।

ଏହା ବି ପଢ଼ନ୍ତୁ | ଭାରତରେ ତିଆରି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟିକାର ୨ଟି ଡୋଜ୍ ୯୦% ପ୍ରଭାବଶାଳୀ

ଭୁବନେଶ୍ୱର ବିମାନବନ୍ଦରକୁ ଦୈନିକ ପ୍ରାୟ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଯାଉଛି। କିନ୍ତୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। କରୋନା ଭୂତାଣୁର ଏହି ନୂଆ ଷ୍ଟ୍ରେନ ପୂର୍ବ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଅଧିକ ସଚେତନତା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଗତ କିଛି ଦିନ ହେବ ବ୍ରିଟେନର ଦକ୍ଷିଣ ଓ ପୂର୍ବ ଅଂଶରେ କୋଭିଡ୍-୧୯ ମାମଲାରେ ଦ୍ରୁତ ବୃଦ୍ଧି ଦେଖାଯାଉଛି । କରୋନା ଭାଇରସର ଏକ ନୂଆ ପ୍ରକାର (SARS-CoV-2) ଏହାର କାରଣ ବୋଲି କୁହାଯାଉଛି । ଏହି ତଥ୍ୟ ଜଣାପଡ଼ିବା ପରେ ଭାରତ ସମେତ ଅନ୍ୟାନ୍ୟ ଦେଶ ବ୍ରିଟେନରୁ ଆସୁଥିବା ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବ୍ରିଟେନକୁ ଯାତ୍ରା କରିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି ।



‘‘କୋଭିଡର ନୂଆ ଷ୍ଟ୍ରେନର ମୁକାବିଲା ପାଇଁ ସରକର ଏସଓପି ଜାରି କରିବା ପରେ ସବୁ ସ୍ତରରେ ପ୍ରସ୍ତୁତି ଚାଲିଛି । ପୂର୍ବ ପରି ଏବେ ବି ଟେଷ୍ଟିଙ୍ଗ, ନମୁନା ସଂଗ୍ରହ ଓ ଚିକିତ୍ସା ଜାରି ରହିଛି। ନୂଆ ଷ୍ଟ୍ରେନକୁ ନେଇ ଆତଙ୍କିତ ହେବା କଥା ନୁହେଁ, ବରଂ ଅଧିକ ସାବଧାନ ରହିବା ଜରୁରୀ । କୋଭିଡ୍ ନିୟମ କଡ଼ାକଡ଼ି ମାନିବା ଜରୁରୀ,’’ କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।
Published by: Anand Shankar Thankur Das
First published: December 24, 2020, 1:50 AM IST