News18 Odia Digital
ମାଲକାନଗିରି: ବିଶାଖାର ଆଖିରେ ଲୁହର ବନ୍ୟା । ତା’ର ତିନି ଛୋଟ ପୁଅ ଝିଅ କିଛି ବୁଝି ପାରୁନାହାନ୍ତି । ଏବେ ବି ବିଶ୍ୱାସ କରୁନାହାନ୍ତି ସେମାନେ ଯେ ଚେନ୍ନାଇରେ କାମ କରିଥିବା ତାଙ୍କ ବାପା ଆଉ ଏ ଦୁନିଆରେ ନାହାନ୍ତି । ହେଲେ ବିଶାଖା ଜାଣିଛି ଯେ ସତ୍ୟନାରାୟଣ ଆଉ ନାହିଁ । ନିଜ ଜୀବନ ସାଥୀକୁ ହରେଇ ସେ ଯେ ଏକା ହୋଇଯାଇଛି ଆଉ ଏତେ ବଡ଼ ପରିବାରର ବୋଝ କେମିତି ସମ୍ଭାଳିବ ତାହା ଜାଣିନି, ସେହି କଥା ମନେ ପକେଇ ସେ ଅନବରତ କାନ୍ଦି ଚାଲିଛି ।
ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଏମ୍.ପି.ଭି. ୭୩ ଗାଁ ଉପରେ ଦୁଃଖର କଳା ବାଦଲ ଘାରିଯାଇଛି । ବିଶାଖାର ପତି ସତ୍ୟନାରାୟଣ ବିଶ୍ୱାସ (ବୟସ ୪୧) ଲକଡାଉନ୍ ଯୋଗୁଁ ଚେନ୍ନାଇରେ ଖାଇବାକୁ ନ ପାଇ ପୁରୁଣା ସାଇକେଲ ଖଣ୍ଡେ କିଣି ସେଥିରେ ଘରକୁ ଫେରୁଥିଲା । ବିଶାଖା, ତା’ର ତିନି ପିଲା ଓ ତା’ ବୁଢ଼ା ଶାଶୁ ଶ୍ୱଶୁର ଅନେଇ ରହିଥିଲେ ତା’ ଫେରିବାକୁ । ହେଲେ କିଛି ଶହ କିଲୋମିଟର ଅତିକ୍ରମ କରିବା ପରେ ବାଟରେ ତା’ର ମୃତ୍ୟୁ ହେଲା ।
ତାମିଲ ନାଡ଼ୁର କପରପେଟା ପୋଲିସ ଷ୍ଟେସନରୁ ହଠାତ ଫୋନ୍ ଆସିଲା ବିଶାଖା ପାଖକୁ । ଫୋନ କରିଥିବା ପୋଲିସ୍ ଅଧିକାରୀ ଏହା ଜାଣିବା ପରେ ଯେ ବିଶାଖା ହିଁ ସତ୍ୟନାରାୟଣର ପତ୍ନୀ, ତାକୁ କହିଲେ ଯେ ସତ୍ୟନାରାୟଣର ମୃତ୍ୟୁ ହୋଇଛି ଓ ତା’ ମୃତ ଦେହ ପୋଲିସ୍ ଥାନାକୁ ଆଣି ରଖିଛି । ମୃତ ଦେହକୁ ସେଠାରୁ ନେବା ପାଇଁ ବ୍ୟବସ୍ଥା କରିବାକୁ ସେ ବିଶାଖାକୁ କହି ଫୋନ୍ କାଟିଲେ । ତା’ ପରେ ବିଶାଖାର ମଥାରେ ଯେମିତି ପାହାଡ଼ ଖସିପଡ଼ିଲା ।

ମୃତ ସତ୍ୟନାରାୟଣର ତିନି ପିଲା
‘‘ସତ୍ୟନାରାୟଣର ପରିବାର ଅତି ଗରିବ । ସେ ଏହି ଘରର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ । ଘରେ ତାଙ୍କର ବୁଢ଼ା ବାପା, ବୁଢୀ ମା’, ପତ୍ନୀ ଓ ପିଲା ତିନେଟି । ଏହି ଅସହାୟ ପରିବାର ଶବ କେମିତି ଆଣିବ ଆଉ ତା’ପରେ କେମିତି ଜୀଇଁବ ତାହା ଭାବି ଚିନ୍ତାରେ ଭାଙ୍ଗି ପଡ଼ିଛି । ସରକାର ତାଙ୍କର ଦୁଃଖ ବୁଝିଲେ ସେମାନେ ଓ ପୂରା ଗ୍ରାମବାସୀ ସରକାରଙ୍କ ନିକଟରେ ଋଣୀ ରହିବେ,’’ କହିଛନ୍ତି ଗ୍ରାମବାସୀ ରାମ ମଣ୍ଡଳ ।

ତିନି ପିଲାଙ୍କ ପାଖରେ କାନ୍ଦୁଥିବା ବିଶାଖାକୁ ଜଣେ ପଡ଼ୋଶୀ ଶାନ୍ତ୍ୱନା ଦେଉଛନ୍ତି ।
ଏହି ଗାଆଁରେ ଲକଡାଉନ ଯୋଗୁଁ ଏହା ଦ୍ୱିତୀୟ ମୃତ୍ୟୁ । ଏହି ଗାଆଁରୁ ଚେନ୍ନାଇ ଯାଇଥିବା ଆଉ ଜଣେ ଲୋକର କିଛି ଦିନ ତଳେ ସେଠାରେ ମୃତ୍ୟୁ ହୋଇଥିଲା । ତାଙ୍କ ଶବ ସେଠାରୁ ଏକ ଆମ୍ବୁଲାନ୍ସରେ ଆସିଥିଲା । ସେହି ଆମ୍ବୁଲାନ୍ସର ଭଡ଼ା ରୂପେ ୪୦,୦୦୦ ଟଙ୍କା ଗ୍ରାମବାସୀମାନେ ମିଶି ସଂଗ୍ରହ କରି ଦେଇଥିଲେ ବୋଲି କହିଛନ୍ତି ପଲ୍ଲୀ ମଙ୍ଗଳ ସମିତିର ସମ୍ପାଦକ । ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ସତ୍ୟନାରାୟଣର ଶବ ଫେରାଇ ଆଣିବାକୁ ଓ ତା’ ପରିବାରକୁ ବଞ୍ଚେଇ ରଖିବାରେ ସାହାଯ୍ୟ କରିବାକୁ ।
ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।