ଏଥର ଗଡ଼ିଲା ନାହିଁ ଲିଙ୍ଗରାଜଙ୍କ ରୁକୁଣା ରଥ; କରୋନା ଲାଗି ଭାଙ୍ଗିଲା ୧୪୦ ବର୍ଷର ପରମ୍ପରା

ଆଜି ଅଶୋକାଷ୍ଟମୀ । ପ୍ରତି ବର୍ଷ ଏହି ଦିନରେ ବାବା ଲିଙ୍ଗରାଜ ରଥରେ ବସି ମାଉସୀ ଘରକୁ ଯାଆନ୍ତି ବୁଲିବାକୁ । ସେଠି ଛଅ ଦିନ ରହିବା ପରେ ପୁଣି ସେଇ ରଥରେ ବିଜେ ହୁଅନ୍ତି ମନ୍ଦିରକୁ । ହେଲେ କରୋନା ଭାଇରସର ସଂକ୍ରମଣ ଓ କଟକଣା ଯୋଗୁଁ ଏ ଥର ରୁକୁଣା ରଥ ଯାତ୍ରା ବାତିଲ୍ ହୋଇଛି ।

ଏଥର ଗଡ଼ିଲା ନାହିଁ ଲିଙ୍ଗରାଜଙ୍କ ରୁକୁଣା ରଥ; କରୋନା ଲାଗି ଭାଙ୍ଗିଲା ୧୪୦ ବର୍ଷର ପରମ୍ପରା
ମଙ୍ଗଳବାର ଆସନ୍ନ ସନ୍ଧ୍ୟାର ମାନ୍ଦା ଆଲୁଅରେ ଲିଙ୍ଗରାଜ ମନ୍ଦିର ପାଖରେ ଠିଆହୋଇଥିବା ରୁକୁଣା ରଥ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଲାଗିଥିବା ଲକଡାଉନ୍‌ ଯୋଗୁଁ ଏ ଥର ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାକୁ ବନ୍ଦ ରଖିଛି ପ୍ରଶାସନ । ଆଜି ଅଶୋକାଷ୍ଟମୀ ଥିବାରୁ ହେବାର ଥିଲା ରୁକୁଣା ରଥଯାତ୍ରା । ଏଥି ପାଇଁ ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା । ଏପରିକି ରଥ ନିର୍ମାଣ ମଧ୍ୟ ସରିଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଛି ।

ପ୍ରତି ବର୍ଷ ଅଶୋକାଷ୍ଟମୀ ରେ ବାବା ଲିଙ୍ଗରାଜ ରଥରେ ବସି ମାଉସୀ ଘରକୁ ଯାଆନ୍ତି ବୁଲିବାକୁ। ମାଉସୀ ଘରେ ଛଅ ଦିନ ରହିବା ପରେ ପୁଣି ସେଇ ରଥରେ ବିଜେ ହୁଅନ୍ତି ମନ୍ଦିରକୁ । ହେଲେ ଏଥର ଅଶୋକାଷ୍ଟମୀରେ ପ୍ରଭୁଙ୍କ ମାଉସୀ ଘର ଯାତ୍ରାରେ ବିଘ୍ନ ଆସିଛି । କରୋନା ଭାଇରସର ସଂକ୍ରମଣ ଓ କଟକଣା ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଏ ଥର ବନ୍ଦ ରଖାଯାଇଛି ।

ଲକଡାଉନ୍‌ ଜାରିଥିବାରୁ ବାହାରେ ପାଞ୍ଚ ଜଣରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ । ତେଣୁ ମାତ୍ର ପାଞ୍ଚ ଜଣ ସେବାୟତଙ୍କୁ ନେଇ ପରମ୍ପରା ପାଳନ କରିବାକୁ ନେଇ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ସେବାୟତମାନେ ଚିନ୍ତାରେ ଥିଲେ । ସମସ୍ତଙ୍କ ମତ ଥିଲା ଯେ ମାତ୍ର ପାଞ୍ଚ ଜଣଙ୍କୁ ନେଇ ଏତେ ବଡ଼ ଯାତ୍ରା କରିବା ଅସମ୍ଭବ ।

ଲିଙ୍ଗରାଜ ମନ୍ଦିର ଓ ପାଖରେ ଠିଆହୋଇଥିବା ରୁକୁଣା ରଥ


ରଥ ତିଆରି ତ ଆଗରୁ ସରିଥିଲା, ହେଲେ ଅନିଶ୍ଚିତତା ଯୋଗୁଁ ଗତ କାଲି ମରିଚିକୁଣ୍ଡ ପାଣିକୁ ନିଲାମ କରାଯାଇ ନ ଥିଲା । ରଥ ଖଳାରେ ରଥ ଏବେ ବି ଛିଡ଼ା ହୋଇଛି । ରଙ୍ଗ କାମ ସରିବା ପରେ କପଡ଼ା ଲାଗି ହେବା ବାକି ଥିଲା । ଗତ କାଲି ସନ୍ଧ୍ୟାରେ ରୁକୁଣା ରଥ ଏ ଥର ଟଣା ହେବ ନାହିଁ ବୋଲି ନିଷ୍ପତ୍ତି ହେବା ପରେ ତାହା ଆଉ କରାଯାଇ ନ ଥିଲା ।

ରୁକୁଣା ରଥଯାତ୍ରା ମହାପ୍ରଭୁ ଲିଙ୍ଗରାଜଙ୍କର ୧୪୦ ବର୍ଷର ପାରମ୍ପରିକ ଯାତ୍ରା । ‘‘ସବୁ ପ୍ରଭୁଙ୍କ ଇଚ୍ଛା । ଯେଉଁ କାମ ଲକ୍ଷ ଲକ୍ଷ ଭକ୍ତ ମିଶି ସମାପନ କରନ୍ତି, ତାହା ପାଞ୍ଚ ଜଣରେ ହୋଇପାରି ନ ଥାନ୍ତା । କରୋନା ଭାଇରସ୍‌ ପରି ମହାମାରୀରୁ ରାଜ୍ୟ ଓ ଦେଶ ମୁକ୍ତି ପାଉ ବୋଲି ଆମେ ପ୍ରାର୍ଥନା କରୁଛୁ,’’ କହିଛନ୍ତି ଦଇତା ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ।

କାରିଗରମାନେ ରଥରେ ରଙ୍ଗ ଲଗେଇବା କାମ ପୂରା କରିଥିଲେ । ବାକି ଥିଲା କପଡ଼ାଲାଗି ।


‘‘ଦୀର୍ଘ ବର୍ଷ ଧରି ପ୍ରଭୁଙ୍କ ଏହି ଯାତ୍ରା ଏକାମ୍ର କ୍ଷେତ୍ରରେ ଚାଲି ଆସୁଥିଲା । ଏ ଥର କରୋନା ଭାଇରସ୍‌ କାରଣରୁ ଏହା ହୋଇ ନ ପାରିବା ବଡ଼ ଦୁର୍ଭାଗ୍ୟର କଥା । ସବୁ କଟକଣା ସତ୍ତ୍ୱେ ସରକାର ଚେଷ୍ଟା କରି ଶୃଙ୍ଖଳାରେ କରେଇ ଦେଇଥିଲେ ଭଲ ହୋଇଥାନ୍ତା । ଏହି ପରମ୍ପରା ଭାଙ୍ଗି ନ ଥାନ୍ତା,’’ କହିଛନ୍ତି କଂଗ୍ରେସ ବିଧାୟ ସୁରେଶ କୁମାର ରାଉତରାୟ ।

ରୁକୁଣା ରଥ କରୋନା କଟକଣା କାରଣରୁ ବାତିଲ୍‌ ହେବା ପରେ ଗୁରୁବାର ହେବାକୁ ଥିବା ରାମ ନବମୀ ଉତ୍ସବ ପାଳନ ବି ଅନିଶ୍ଚିତତା ଭିତରେ ରହିଛି।
First published: April 1, 2020, 5:04 PM IST
corona virus btn
corona virus btn
Loading