ଏ ଥର ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ବିନା ଭକ୍ତ ସମାଗମରେ ହୋଇପାରେ; ଚାଲିଛି ମନ୍ଥନ

ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ହାତୀ ବେଶରେ ଥିବାରୁ ଭକ୍ତଙ୍କ ଭିଡ଼କୁ ଦେଖି ତାହା ମଧ୍ୟରାତ୍ର ଯାଏଁ ରହିଥାଏ । ହେଲେ ଏ ଥର ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ହେଉଥିବାରୁ ସେହି ଦିନ ସନ୍ଧ୍ୟାରେ ଠାକୁରଙ୍କ ଅଣସର ପିଣ୍ଡିକୁ ପହଣ୍ଡି ପରେ ହେବ ଅଣସର ନୀତି ।

ଏ ଥର ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ବିନା ଭକ୍ତ ସମାଗମରେ ହୋଇପାରେ; ଚାଲିଛି ମନ୍ଥନ
ମହାପ୍ରଭୁ ଶ୍ରୀ ଜଗନ୍ନାଥ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଜୁନ ୫ରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନେକ କଟକଣା ଭିତରେ ପାଳନ କରାଯିବ । କୋଭିଡ-୧୯ ଗାଇଡଲାଇନ୍ସର ଅନୁପାଳନ କରି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପହଣ୍ଡିରେ ସେବାୟତମାନଙ୍କ ସଂଖ୍ୟା କମ୍‌ କରାଯିବ । ସ୍ନାନ ପୂର୍ଣ୍ଣିମା ନୀତିରେ ସମ୍ପୃକ୍ତ ୧୦ଟି ସେବାୟତ ନିଯୋଗ ସହ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୈଠକରେ ଏ ନେଇ ପାରିତ ହୋଇଛି ଅନେକ ପ୍ରସ୍ତାବ ।

ବିନା ଭକ୍ତରେ ଏ ଥର ହେବ ସ୍ନାନ ପୂର୍ଣ୍ଣିମା । ହେଲେ ଲକଡାଉନ ସରିବା ପରେ ସରକାରଙ୍କ ନିର୍ଦ୍ଦେଶନାମା ଆସିବା ପରେ ସେ ନେଇ ହେବ ନିଷ୍ପତ୍ତି । ବିନା ପୁଲିସରେ ସ୍ନାନ ପୁର୍ଣିମା ହେବାକୁ ଥିବାରୁ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତିହାରୀ ସେବାୟତ ମହାପ୍ରଭୁଙ୍କର ପହଣ୍ଡି ଓ ସ୍ନାନ ବେଦୀରେ ସୁରକ୍ଷା ଦାୟିତ୍ୱ ନିର୍ବାହ କରିବେ । ଆବଶ୍ୟକ ପଡ଼ିଲେ ସେବାୟତମାନେ ରଥ ଟାଣିବେ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି ।

ସ୍ନାନ ପୂର୍ଣିମାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ବୈଠକ  । ପ୍ରଥମ ପର୍ଯ୍ୟାୟରେ ଦଇତାପତି ନିଯୋଗ ସହ ଆଲୋଚନା କରାଯାଇଥିଲା  । ଆଜି ଦ୍ୱୀତିୟ ପର୍ଯ୍ୟାୟରେ ସ୍ନାନ ପୂର୍ଣିମା ନୀତି ସହ ଜଡିତ ୧୦ଟି ନିଯୋଗ – ଗରାବଡୁ, ପତ୍ରିବଡୁ , ସୁଆର ବଡୁ , ସୁଆର ମହାସୁଆର, ମେକାପ, ଖୁଣ୍ଟିଆ, ପ୍ରତିହାରୀ, ପୁଷ୍ପାଳକ, ପୁଜାପଣ୍ଡା ଓ ମହାଜନ ନିଯୋଗ – ସହ ଆଲୋଚନା କରାଯାଇଛି  ।

ପୁରୀରେ ଶ୍ରୀମନ୍ଦିର


‘‘ଲକଡାଉନ ନିୟମ ଅନୁଯାୟୀ ଏବେ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ରହିଛି  । ତେବେ ଜୁନ ୧ ପରେ କଣ ଆସିବ ତାହାକୁ ଦେଖିକି ନିଷ୍ପତ୍ତି ନିଆଯିବ  । ଯେଉଁ ସେବାୟତଙ୍କର ମନ୍ଦିର ସହ ସମ୍ପର୍କ ରହିଛି ସେମାନଙ୍କ ପରିବାରର କଲ୍ୟାଣ ପାଇଁ ଜିଲ୍ଲାପାଳ ଆଲୋଚନା କରିବେ । ରଥ ନିର୍ମାଣ ସଠିକ ଭାବେ ଚାଲିଛି  । ବର୍ତ୍ତମାନର କଟକଣା ଅନୁସାରେ ଧାର୍ମୀୟ କାର୍ଯ୍ୟକ୍ରମ ମନ୍ଦିର ବାହାରେ କରାଯାଇପାରିବ ନାହିଁ  । ଦଇତାପତିମାନେ ଅଣସର ନୀତିକୁ ସ୍ନାନ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ କରିବେ ବୋଲି ପ୍ରସ୍ତାବ ଦେଇଥିଲେ  । ତେଣୁ ଆଜି ବୈଠକରେ ଆସିଥିବା ପ୍ରସ୍ତାବକୁ ନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯିବ ଓ ଶେଷରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଗତ ହୋଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ  । ସେବାୟତଙ୍କ ସଂଖ୍ୟା କମାଇ ମହାପ୍ରଭୁଙ୍କ ପହଣ୍ଡି କରାଯିବ,’’ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।

ଚନ୍ଦନ ଯାତ୍ରା ବେଳେ ସେବାୟତ ନିଯୋଗ ସହ ଆଲୋଚନା ହୋଇପାରିନଥିଲା  । ତେଣୁ ଜୁନ ୫ରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆଜି ବୈଠକ ହୋଇଛି  । ସେବାୟତମାନଙ୍କୁ କ୍ୱାରାଣ୍ଟାଇନ ବା ସଙ୍ଗରୋଧ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି  ।

‘‘୨୩ ତାରିଖ ଦିନ ଗରାବଡୁ ନିଯୋଗର ସଦସ୍ୟଙ୍କୁ କୋବିଡ-୧୯ ଗାଇଡଲାଇନ୍ସ ଉପରେ ସଚେତନତା କରାଯିବ । ଏବେ ଦିନକୁ ଶହେରୁ ଅଧିକ ଟେଷ୍ଟ କରାଯାଇଥିବା ବେଳେ ଏବେ ୨୫୦ରୁ ଅଧିକ ଟେଷ୍ଟ କରାଯାଉଛି  । ବର୍ତ୍ତମାନ ସୁଦ୍ଧା ପୁରୀ ଜିଲାରେ ୪୪ଟି ପଜିଟିଭ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ରଥ ଖଳାରୁ ପ୍ରଥମ ପର୍ଯ୍ୟାୟରେ ଯେଉଁ ଟେଷ୍ଟ ହୋଇଥିଲା ସେମାନଙ୍କର ରିପୋର୍ଟ ନେଗେଟିଭ ଆସିଛି  । ତେଣୁ ଲକଡାଉନ ସରିବା ପରେ ଜୁନ ୧ରେ କଣ ଗାଇଡଲାଇନ୍ସ ଆସୁଛି ତାହାକୁ ଦେଖି ଭକ୍ତଙ୍କ ସମାଗମ ହେବ କି ନାହିଁ କି ଗଣମାଧ୍ୟମରେ ଲାଇଭ ଟେଲିକାଷ୍ଟ ହେବ କି ନାହିଁ ସବୁ ନିଷ୍ପତ୍ତି ସେହି ସମୟରେ କରାଯିବ,’’ କହିଛନ୍ତି ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।

୧୦ଟି ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୈଠକ


ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମା ଠାରୁ ୧୫ ଦିନ ପାଳନ ହେବ ଶ୍ରୀଜିଉଙ୍କ ଅଣସର ନୀତି, ଯାହାକି ଦୀର୍ଘ ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି । ଦଇତାପତି ନିଯୋଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ନେଇ ବୈଠକରେ ନିଆଯାଇଥିଲା ପରାମର୍ଶ  । ସ୍ନାନ ପୂର୍ଣ୍ଣିମା ଦିନ ଠାରୁ ଅଣସର ନୀତି ରହୁଥିବା ବେଳେ ସେହି ଦିନ ଗଜାନନ ବେଶ ବା ହାତୀ ବେଶ ରହୁଥିବାରୁ ଭକ୍ତଙ୍କ ଭିଡ ପାଇଁ ତାହା ମଧ୍ୟରାତ୍ର ଯାଏଁ ରହିଥାଏ  । ହେଲେ ଚଳିତ ବର୍ଷ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା କରାଯାଉ ଥିବାରୁ ସେହି ଦିନ ସନ୍ଧ୍ୟାରେ ଠାକୁରଙ୍କ ଅଣସର ପିଣ୍ଡିକୁ ପହଣ୍ଡି ପରେ ହେବ ଅଣସର ନୀତି  । ଏହାକୁ ଦୀର୍ଘ ବର୍ଷ ପରେ କରିବାକୁ ନିଷ୍ପତ୍ତି ନେଇଛି ଦଇତାପତି ନିଯୋଗ  । ଆଜିର ବୈଠକରେ ଏହି ପ୍ରସ୍ତାବ ଉପରେ ସମସ୍ତ ନିଯୋଗ ପ୍ରତିନିଧି ସମର୍ଥନ କରିଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ପୁଜାପଣ୍ଡା ନିଯୋଗର ସମ୍ପାଦକ ମାଧବ ପୂଜାପଣ୍ଡା  ।

‘‘ପହଣ୍ଡି ଓ ସ୍ନାନ ନୀତିରେ କମିବ ସେବାୟତଙ୍କ ସଂଖ୍ୟା  । କୋବିଡ-୧୯ ଗାଇ଼ଡଲାଇନ୍ସ ଅନୁସାରେ କେଉଁ ସେବାୟତ ରହିବେ ତା’ର ଏକ ତାଲିକା ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ଦାଖଲ ହେବ । ଯେଉଁ ସେବାୟତମାନେ ପହଣ୍ଡିରେ ରହିବେ ସେମାନଙ୍କର କୋବିଡ-୧୯ ଟେଷ୍ଟ କରାଯିବା ସହ ସେମାନଙ୍କୁ ପାସ୍‌ ପ୍ରଦାନ କରାଯିବ । ସେମାନେ ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ । ଏଭଳି ଅନେକ ଗୁଡିଏ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା,’’ କହିଛନ୍ତି ପୂଜାପଣ୍ଡା  ।

ସ୍ନାନ ପୂର୍ଣିମାରେ ସେବାୟତଙ୍କ ସଂଖ୍ୟା ପହଣ୍ଡିରେ କମାଇବା ପାଇଁ ସମସ୍ତଙ୍କର ସହମତି ରହିଛି  । ସାମାଜିକ ଦୂରତା କିଭଳି ରହିବ ସେ ନେଇ ସେବାୟତମାନେ ମଧ୍ୟ ସଜାଗ ରହିଛନ୍ତି । ‘‘ବିନା ପୁଲିସରେ ସ୍ନାନ ପୂର୍ଣ୍ଣିମା କରିବା ପାଇଁ ସେବାୟତ ପ୍ରସ୍ତାବ ଦେଇଛନ୍ତି । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ପୂର୍ବରୁ ପ୍ରତିହାରୀ ସେବାୟତ ଏହା ସମ୍ପାଦନ କରୁଥିଲେ । ଆଉ ସେହି ଅନୁସାରେ ସେମାନେ ମହପ୍ରଭୁଙ୍କ ପହଣ୍ଡି ଓ ସ୍ନାନ ବେଦୀ ଉପରେ ସୁରକ୍ଷା ପ୍ରଦାନ କରିବାକୁ ନିଯୋଗ ପ୍ରସ୍ତାବ ଦେଇଛି  । ତେଣୁ ଆବଶ୍ୟକ ପଡିଲେ ସମସ୍ତ ଶ୍ରୀମନ୍ଦିର ସେବାୟତ ରଥ ମଧ୍ୟ ଟାଣିବେ,’’ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ  ତଥା ପ୍ରତିହାରୀ ନିଯୋଗ ସଦସ୍ୟ ମାଧବ ମହାପାତ୍ର ।

‘‘ଯେଭଳି ମହାପ୍ରଭୁଙ୍କର ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନୀତି ସମ୍ପାଦନ କରାଗଲା ସେହିଭଳି ଶ୍ରୀମନ୍ଦିର ଭିତରେ ସ୍ନାନ ପୂର୍ଣ୍ଣିମା ନୀତି ରହୁଥିବାରୁ ତାହା ସାମାଜିକ ଦୁରତ୍ୱ ରକ୍ଷାକରି କରାଯିବ  । ହେଲେ ଭକ୍ତଙ୍କ ବିନା ଏତେ ବଡ଼ ଯାତ୍ରା ହେଉଥିବାରୁ ସ୍ନାନ ବେଦୀ ସମ୍ମୁଖରେ କୌଣସି ପରଦା ଟାଣି ଆବଦ୍ଧ କରାଯିବା ଅନୁଚିତ । କାରଣ କରୋନା ଲକଡାଉନକୁ ନେଇ ଭକ୍ତ ଅନେଇ ବସିଛି କାଳିଆକୁ ଦେଖିବା ପାଇଁ  । ଆଉ ଭକ୍ତ ଓ ଭଗବାନଙ୍କ ଭିତରେ କୌଣସି ଅନ୍ତରାୟ ରହିବା ଗ୍ରହଣୀୟ ନୁହେଁ,’’ କହିଛନ୍ତି ଗରାବଡୁ ନିଯୋଗର ସମ୍ପାଦକ ରଜତ ପ୍ରତିହାରୀ  ।

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 21, 2020, 10:09 PM IST
corona virus btn
corona virus btn
Loading