ମହାପ୍ରଭୁଙ୍କ ରଥ ଯାତ୍ରା: ଭଉଁରୀ ତିଥିରେ ରଥ ଖଳାରେ ହେଲା ତିନି ରଥର ଅଖ ଚକ ସଂଯୋଗ ବିଧି

କରୋନା ଓ ଲକଡାଉନର ସବୁ ନିୟମ ମାନି ରଥର ଅଖ ଚକ ଡେରା ନୀତି ଭଉଁରୀ ତିଥିରେ ଶୃଙ୍ଖଳିତ ଭାବେ ସରିବା ପରେ ଜୁନ ୫ରେ ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପ୍ରଶାସନ ।

ମହାପ୍ରଭୁଙ୍କ ରଥ ଯାତ୍ରା: ଭଉଁରୀ ତିଥିରେ ରଥ ଖଳାରେ ହେଲା ତିନି ରଥର ଅଖ ଚକ ସଂଯୋଗ ବିଧି
ମହାପ୍ରଭୁଙ୍କ ରଥର ଚକ ଅଖ ସହିତ ବିଧି ମୁତାବକ ସଂଯୋଗ ହୋଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ବିଧି ଶ୍ରୀମନ୍ଦିର ଭିତରେ କରାଯାଇଥିବା ବେଳେ ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ରଥ ଖଳାରେ କରାଯାଇଛି ତିନି ରଥର ଅଖ ଚକ ସଂଯୋଗ ବିଧି । ଚଳିତ ବର୍ଷ ପ୍ରଥମ ଥର କରି ରଥ ନିର୍ମାଣ ପାଇଁ ରଥଖଳାକୁ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କର ଆଜ୍ଞମାଳକୁ ତିନି ପୁଜାପଣ୍ଡା ସାମନ୍ତ ଆଣି ଦେବା ପରେ ଅଖ ଚକ ଡେରା ନୀତି ସମ୍ପନ୍ନ ହୋଇଛି  ।

କରୋନାକୁ ନେଇ ରଥ ନିର୍ମାଣ ହେବାକୁ ନେଇ ଯେଉଁ ଅନିଶ୍ଚିତତା ଦେଖାଦେଇଥିଲା ଏବେ ରଥର ପ୍ରାରମ୍ଭିକ କାର୍ଯ୍ୟ ଅଖ ଚକ ଡେରା ନୀତି ହେବା ପରେ ଏବେ ରଥଯାତ୍ରା ହେବା ନେଇ ସୃଷ୍ଟି ହୋଇଛି ସମ୍ଭାବନା । ତେବେ ମହାପ୍ରଭୁଙ୍କ ଇଚ୍ଛାରେ ତାଙ୍କ କାର୍ଯ୍ୟ କରାଯାଉଛି ବୋଲି କହି ସମସ୍ତ ରଥ ନିର୍ମାଣ ସେବକ ନିଜକୁ ଠାକୁରଙ୍କ ପାଖରେ ସମର୍ପଣ କରିଦେଇଛନ୍ତି ।

‘‘ଅକ୍ଷୟ ତୃତୀୟାରେ ଯେଭଳି ରଥ ନିର୍ମାଣ ଅନୁକୁଳ ଶ୍ରୀମନ୍ଦିର ଭିତରେ କରାଗଲା ସେହି ଦିନ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା ରଥ ନିର୍ମାଣ ହେବ କି ନାହିଁ  । ତା ପରେ ୧୩ ଦିନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଲା ରଥ ନିର୍ମାଣ ଆରମ୍ଭ କରିବା ପାଇଁ । ଆଉ ଯୁଦ୍ଧକାଳୀନ ଭିତ୍ତିରେ ମହାପ୍ରଭୁଙ୍କୁ ଡାକି ତିନି ମହାରଣାମାନେ ତୁମ୍ଭ ଅନୁକୁଳ କରିଥିଲେ । ହେଲେ ଅସମ୍ଭବ କାମକୁ ସମ୍ଭବ କରନ୍ତି ମହାପ୍ରଭୁ  । ରାତି ଦିନ ରଥଖଳାରେ ଲାଗି ତିନି ରଥର ଛଅଟି ଚକକୁ ସମ୍ପୂର୍ଣ କରିବା ପରେ ତିନୋଟି ଅଖକୁ ମଧ୍ୟ ହାଣି ପ୍ରସ୍ତୁତ କରାଗଲା । ଆଉ ଆଜି ଭଉଁରୀ ତିଥିରେ ଯେତେବେଳେ ଆଜ୍ଞାମାଳ ରଥ ଖଳାରେ ପହଞ୍ଚିଲା, ସେତେବେଳେ ଲାଗିଲା ଯେ ମହାପ୍ରଭୁ ଚାହୁଁଛନ୍ତି ପବିତ୍ର ଘୋଷଯାତ୍ରା ପାଇଁ ତାଙ୍କ ରଥକୁ ପ୍ରସ୍ତୁତ କରାଯାଉ ବୋଲି,’’ ଭାବବିହ୍ୱଳ ହୋଇ କହିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ।

ରଥର ଅଖକୁ ଚକ ସହିତ ସଂଯୋଗ କରୁଛନ୍ତି ମହାରଣାମାନେ ।


ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର କହିଛନ୍ତି ଯେ କରୋନାକୁ ନେଇ କାହାରି ଆଶା ନ ଥିଲା ଏ ବର୍ଷ କାଳିଆ ସାଆନ୍ତଙ୍କ ରଥ ଗଡିବ ବୋଲି । ‘‘କେତେ ଦୁଃଖ ଲାଗିଥିଲା ମହାପ୍ରଭୁଙ୍କ ସେବାରୁ ଏବର୍ଷ ବଞ୍ଚିତ ହେବି । ଫନିରେ ଘର ଭାଙ୍ଗି ଥିଲେ ଏ ଯାବତ ଜରି ପକାଇ ରହୁଛି  । ମାତ୍ର ଚଳିତ ବର୍ଷ ରଥ କାମ ହେଲେ କିଛି ପାରିଶ୍ରମିକ ପାଇଲେ ଘର ନିର୍ମାଣ କରିବି । ହେଲେ ଆଜ୍ଞମାଳ ଆସି ଯେତେବେଳେ ପୂଜାପଣ୍ଡା ସାମନ୍ତ ରଥ ଚକାରେ ରଖିଦେଲେ ସେତେବେଳେ ମୁଁ ଅନୁଭବ କଲି ବାସ୍ତବରେ କାଳିଆର ଇଚ୍ଛାରେ ସବୁ ହେଉଛି  । ସେପଟେ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଅନ୍ୟପଟେ ମହାପ୍ରଭୁ ଆମମାନଙ୍କୁ ସୁସ୍ଥ ରଖି ତାଙ୍କ ରଥ ନିର୍ମାଣ କାମ କରାଉଛନ୍ତି  । ଆଉ ଆଜିର ରଥର ଅଖ ଚକ ସଂଯୋଗ ନୀତି ଦେଖିବା ପରେ ଆଖିରୁ ଲୁହ ଝରିଗଲା,’’ ସେ କହିଛନ୍ତି ।

ଶ୍ରୀମନ୍ଦିରର ବାହାର ଚନ୍ଦନ ଯାତ୍ରାର ୨୧ ଦିନିଆ ଶେଷ ଦିନକୁ କୁହାଯାଏ ଭଉଁରୀ ଯାତ୍ରା  । କରୋନା ଗାଇଡଲାଇନ୍ସରେ ଭଉଁରୀ ଯାତ୍ରା ଶ୍ରୀମନ୍ଦିର ଭିତରେ ପାଳନ କରାଯାଇଛି  । ହେଲେ ରଥଖଳାକୁ କିଭଳି ସାମାଜିକ ଦୂରତ୍ୱ ରଖି ଆଜ୍ଞମାଳ ବିଜେ କରିବ ସେ ନେଇ ସମସ୍ତଙ୍କର ଚିନ୍ତା ରହିଥିଲା । ଆଜ୍ଞାମାଳ ବିଜେ ନୀତିକୁ  ନେଇ ଶ୍ରୀମନ୍ଦିର ପ୍ରଶାସନ ,ପରିଚାଳନା କମିଟି ସଦସ୍ୟ ଓ ପୂଜାପଣ୍ଡା ନିଯୋଗ ସହ ଆଲୋଚନା କରାଯାଇଥିଲା । ସେହି ଅନୁସାରେ ସକାଳ ଧୂପ ସରିବା ପରେ ଯାତ ଭୋଗ ବଢ଼ିବା ବେଳେ ଶ୍ରୀମନ୍ଦିରର ରତ୍ନ ସିଂହାସନରୁ ତିନି ବାଡ଼ର ପୁଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କର ଅଧର ଚୁମ୍ବିତ ଆଜ୍ଞାମାଳ ଧରି ବାହାରିଥିଲେ  । ନ ଥିଲା ଆଡମ୍ବର  । ଜଣେ ବୈଜୟନ୍ତୀ, ଛତାର, ବିଜେ କାହାଳିଆ ଓ ଦୁଇ ଜଣ ଜେଟିପିଙ୍କ ସହିତ ତିନି ପୂଜାପଣ୍ଡା ସାମାଜିକ ଦୂରତ୍ୱ ରଖି ମନ୍ଦିରରୁ ବାହାରି ରଥଖଳାରେ ପହଞ୍ଚିଥିଲେ । ତା’ ପରେ ଗଜପତିଙ୍କ ଶ୍ରୀନଅର ପାଖରେ ଅପେକ୍ଷା କଲେ ।

‘‘ବିଧି ଅନୁସାରେ ପ୍ରଥମେ ତାଳଧ୍ୱଜ ରଥର ନାହାକା ଚକ ଓ ଅଖ ସଂଯୋଗ କରାଯାଇଥିବା ବେଳେ ପରେ ନନ୍ଦିଘୋଷ ରଥ ଓ ଶେଷରେ ଦର୍ପଦଳନ ରଥର ବିଧି କରାଯାଇଥିଲା  । ତା ପରେ ପାଣି ପଡ଼ି ଶୋଧ ହେବା ପରେ ସେହି ପର୍ଯ୍ୟାୟରେ ପୂଜାପଣ୍ଡା ସାମନ୍ତ ତିନି ରଥର ଚକ ଉପରେ ଆଜ୍ଞମାଳ ରଖି ଦେଇ ସମର୍ପଣ କରିଥିଲେ  । ତେଣୁ ଯେଭଳି ଆଜ୍ଞାମାଳ ବିଜେ ନୀତି କରାଗଲା ଓ କରୋନା ଗାଇଡଲାଇନ୍ସ ଅନୁପାଳନ କରାଗଲା ସେହିଭଳି ସ୍ନାନ ପୁର୍ଣିମା ନୀତି ବି କରାଯିବ,’’ କହିଛନ୍ତି  ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାଶ ମହାପାତ୍ର ।

ରଥର ଚକକୁ ପାଣି ପକାଇ ଶୋଧ କରୁଛନ୍ତି ଜଣେ ମହାରଣା ।


‘‘କେତେବେଳେ ରଥ ଠିଆ ହେବ ସେହି ମୁହୁର୍ତକୁ ଥିଲା ଅପେକ୍ଷା । ସକାଳୁ ଶ୍ରୀମନ୍ଦିର ପ୍ରଶାସନ ଅଫିସ ସମ୍ମୁଖରେ ତିନି ରଥର ନାହାକା ଅଖକୁ ପ୍ରସ୍ତୁତ କରି ରଖାଯିବା ପରେ ଛଅଟି ଚକକୁ ଟେକିକି ଆଣି ପ୍ରତିଟି ଅଖ ପାଖରେ ରଖିଥିଲୁ । ଅଖରେ ଗ୍ରିସ୍‌ ଲଗାଯାଇ ଥିବାବେଳେ ଚକର ତୁମ୍ଭ ବିନ୍ଧରେ ମଧ୍ୟ ଗ୍ରିଲ ଲଗାଯାଇଥିଲା  । ତା ପରେ ପାଣିଆ ସେବାୟତ ତିନି ରଥର ଅଖ ଓ ଚକରେ ପାଣି ଢାଳି ଶୋଧ କରିଥିଲେ । ପରେ କମାର ସେବକମାନେ ସେମାନଙ୍କର ଚକା ଅନୁକୁଳରେ ପ୍ରଥମ ଜୋକିଆ କଣ୍ଟା ବାଡେଇ ମାଳ ମାହାର୍ଦ୍ଧ ଦେଇ ଅନୁକୁଳ କରିଥିଲେ  । ତା ପରେ ଆଜ୍ଞାମାଳ ବିଜେ କରିବା ପରେ ପୂଜାପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆମେ ୨୦ ଜଣ ଭୋଇ ସେବକ ପ୍ରତିଟି ରଥରେ ଚକ ଓ ଅଖ ସଂଯୋଗ କରିଥିଲେ । ହେଲେ ତା‘ର ମଧ୍ୟ ବିଧି ରହିଛି । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଶେଷରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥର ନାହାକା ଅଖରେ ଚକ ସଂଯୋଗ କରିବା ପରେ ପ୍ରଥମ ହରିବୋଲ ପଡ଼ିଥିଲା । ସମୁଦାୟ ଭୋଇ ସେବକଙ୍କ ନଅଟି ହରିବୋଲରେ ରଥ ନିର୍ମାଣ ଶେଷ ହୋଇଥାଏ । ତେବେ ରଥ ଠିଆ ହେବା ପରେ ଯେଉଁ ଖୁସି ତାହା ଅବର୍ଣ୍ଣନୀୟ । ତେଣୁ ଅଖ ଚକ ସଂଯୋଗ ପରେ ମନରେ ଗୋଟେ ଉତ୍ସାହ ଆସିଲା ଯେ ମହାପ୍ରଭୁ ତାଙ୍କ କାମ ପାଇଁ ନିଜେ ନିର୍ଦ୍ଦେଶ ଦେଲେ ଓ ତାଙ୍କ କାମ ସେ ହିଁ କଲେ । ନ ହେଲେ ଏତେ କମ ଦିନରେ ରଥର ଅଖ ଚକ ଠିଆ ହେବା କେବଳ ତାଙ୍କରି ଆର୍ଶିବାଦ,’’ କହିଛନ୍ତି  ଭୋଇ ସର୍ଦ୍ଧାର ରବି ଭୋଇ ।

ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି ଯେ ରଥ ନିର୍ମାଣର ଅୟମାରମ୍ଭ ହୋଇଥିଲା ଅକ୍ଷୟ ତୃତୀୟାରେ, ହେଲେ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ ହେଉଛି ଅର୍ଥାତ ମହାପ୍ରଭୁ ବିଶ୍ୱକର୍ମାଙ୍କୁ ଆଦେଶ ଦେଇଛନ୍ତି । ‘‘ସମସ୍ତଙ୍କର ଆଶା ଓ ଆକାଙ୍କ୍ଷା ଆଜି ଦୂରୀଭୁତ ହୋଇଛି  । ଆଜ୍ଞମାଳ ବିଜେ ମାନେ ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ବିଶ୍ୱକର୍ମା ରୂପେ ଆବିର୍ଭାବ ହୋଇ ନିଜେ ରଥ ନିର୍ମାଣ କରିବାକୁ ଆସିଛନ୍ତି । ଶ୍ରୀଅଙ୍ଗରୁ ଆଜ୍ଞମାଳ ରଥକଳାରେ ପହଞ୍ଚିବା ପରେ ଏବେ କରୋନା ମହାମାରୀ ସମାଜରୁ ଦୂରେଇ ଯିବ ଓ ଘୋଷଯାତ୍ରା ସୁରୁଖୁରରେ ହେବ । ତାହାହିଁ ବାର୍ତ୍ତା ଦେଇଛନ୍ତି ମହାପ୍ରଭୁ,’’ ସେ କହିଛନ୍ତି ।

ଭଉଁରୀ ତିଥିରେ ରଥର ଅଖ ଚକ ଡେରା ନୀତି ଶୃଙ୍ଖଳିତ ଭାବେ ସରିଥିବା ବେଳେ ଜୁନ ୫ରେ ସ୍ନାନ ପୂର୍ଣ୍ଣିମା କରିବା ପାଇଁ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପ୍ରଶାସନ । ଲକଡାଉନ ଥ୍ରୀ ସରିବା ପରେ ମେ ୧୮ରେ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ପବିତ୍ର ଘୋଷଯାତ୍ରା ହେବ କି ନାହିଁ  ।

ଏହା ବି ପଢ଼ନ୍ତୁ: ମୁଣ୍ଡରେ ବସ୍ତା, ହାତରେ ବାଲଟି, କଟକରୁ ମଧ୍ୟ ପ୍ରଦେଶ ବାହାରିଲେ ୪୭ ଲୋକ; ସାହାଯ୍ୟ ପାଇଲେ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି

ଏହା ବି ପଢ଼ନ୍ତୁ: ମେ ୩୧ ସୁଦ୍ଧା ଏହି କାମ ନ କଲେ ମାତ୍ର ୧୨ ଟଙ୍କାରେ ମିଳୁଥିବା ବୀମାର ଲାଭ ଆପଣ ହରେଇବେ

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୬୭୨ ହେଲା
First published: May 15, 2020, 11:37 PM IST
corona virus btn
corona virus btn
Loading