ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଲକଡାଉନରେ ଜଣେ ସୁନ୍ଦର ବଗିଚା ବନେଇଲେ, ଆଉ ଜଣେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କଲେ

ଲକଡାଉନରେ ଜଣେ ସୁନ୍ଦର ବଗିଚା ବନେଇଲେ, ଆଉ ଜଣେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କଲେ

ବ୍ୟବହାର ଅନୁପଯୋଗୀ ସାମଗ୍ରୀ ବ୍ୟବହାର କରି ଘରେ ସୁନ୍ଦର ବଗିଚା ବନେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଉପ-ନିର୍ଦେଶିକା ଡଃ ସିପ୍ରା ନାୟକ । ସମାଜସେବୀ ମାନସ ପଟ୍ଟନାୟକ ପାଖାପାଖି ୫୦,୦୦୦ ଓଡ଼ିଆ ଶ୍ରମିକଙ୍କୁ ସାହାଯ୍ୟ କରିଛନ୍ତି ।

ଲକଡାଉନରେ ଜଣେ ସୁନ୍ଦର ବଗିଚା ବନେଇଲେ, ଆଉ ଜଣେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କଲେ
ଡଃ ସିପ୍ରା ନାୟକ ନିଜ ଘରେ ବନେଇଥିବା ବଗିଚା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନରେ କାର୍ଯ୍ୟରୁ ମିଳିଥିବା ଫୁରସତର ସୁବ୍ୟବହାର କରିଛନ୍ତି ଅନେକ ଲୋକ । ଘରର ଅନାବନା ଜିନିଷରେ ଗଛ ଲଗେଇ ସୁନ୍ଦର ଭାବରେ ଏକ ଫୁଲ ବଡିଚା ସଜେଇଛନ୍ତି ଗଣ ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଡକ୍ଟର ସିପ୍ରା ନାୟକ ଓ ତାଙ୍କ ଶିକ୍ଷାବିତ ପତି ଉପେନ୍ଦ୍ର ନାଥ ମହାନ୍ତି। ମୋବାଇଲ ମାଧ୍ୟମରେ ରାଜ୍ୟ ବାହାରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ  ସାହାଯ୍ୟ କରୁଛନ୍ତି ଯୁବ ସମାଜସେବୀ ମାନସ ପଟନାୟକ ।

ସିପ୍ରା ନାୟକଙ୍କତ ଘର ଭିତର ବାହାର ସବୁଠି ଗଛ ଆଉ ଗଛ। ଗଛରେ ଖୁବ୍‌ ସୁନ୍ଦରଭାବେ ନିଜ ଘରକୁ ସଜାଇଛନ୍ତି ସେ ଓ ତାଙ୍କ ସ୍ୱାମୀ । ଘର ଅଗଣାରେ ପୁରୁଣା ଟାୟାର ଓ ପୁରୁଣା ବୋତଲ ଆଦି ବ୍ୟବହାର ଅନୁପୋଯୋଗୀ ପଦାର୍ଥକୁ ପାତ୍ର ବନେଇ ଛୋଟ ବଡ଼ ଫୁଲ ଗଛକୁ ସଜାଇଛନ୍ତି ଦୁହେଁ । କେବଳ ଫୁଲ ନୁହେଁ ଲେମ୍ବୁ, ସପୁରୀ ଓ ଲାଙ୍କ ଭଳି ଗଛ ବି ଶୋଭାପାଉଛି ତାଙ୍କ ଘର ଅଗଣାରେ ।

ସରିଯାଇଥିବା ମଶାମରା ଲିକ୍ୱିଡରେ ବି ଲାଗିଛି ଗଛ । ଘରର ଭିତର ପାର୍ଶ୍ୱରେ ଭଙ୍ଗା ଚପଲ ଷ୍ଟାଣ୍ଡ, ନଡିଆ ଖୋଳ ଓ ଦୀପରେ ଲାଗିଛି ରଙ୍ଗ ବେରଙ୍ଗର ଗଛ । ଲକଡାଉନ ସମୟରେ ଏ ସବୁ କରିଛନ୍ତି ବୋଲି କହିଛନ୍ତି ସିପ୍ରା । କେବଳ ସେ ନୁହଁନ୍ତି, ତାଙ୍କ ପରିବାରର ସମସ୍ତ ସଦସ୍ୟ ଲାଗିପଡ଼ିଥାନ୍ତି ଗଛ ଲଗାଇବା କାମରେ ।

ଡଃ ନାୟକଙ୍କ ଘରେ ଗ୍ରୀଲରେ ସଜାଯାଇଥିବା ବଗିଚା


‘‘ଚାକିରୀ ସମୟରେ ସମୟ ମିଳୁ ନ ଥିଲ । ଲକଡାଉନ ସମୟରେ ଭରପୁର ସମୟ ମିଳିଲା । ଅନାବନା ଜିନିଷକୁ ଡେକୋରେଟର ଭଳି ସଜାଇଲୁ । ଗଛ ପ୍ରତି ଆଗ୍ରହ ଥିଲା । ଲକଡାଉନ ପାଇଁ ବାହାରୁ କୁଣ୍ଡ ନ ମିଳିବାରୁ ଘରେ ଯାହା ଥିଲା ପ୍ଲାଷ୍ଟିକ ଓ ଭଙ୍ଗା ଜିନିଷରେ ଗଛ ଲଗାଇଲୁ । ଲକଡ଼ାଉନ ସମୟରେ ଘର କାମକୁ ନେଇ ଆକଟିଭ୍‌ ହୋଇଛୁ । ସ୍ୱାମୀ, ବୋହୁ, ନାତୁଣୀ ସମସ୍ତେ କାମରେ ଲାଗିଥାନ୍ତି । ସକାଳେ ଯୋଗ ଓ ସନ୍ଧ୍ୟାରେ ପ୍ରାର୍ଥନା ଭଜନ କରି ସମୟ କଟିଥାଏ,’’ କହିଛନ୍ତି ସିପ୍ରା ।

ସମାଜସେବୀ ମାନସ ପଟ୍ଟନାୟକ ଲକଡାଉନ୍‌ ସମୟକୁ ରାଜ୍ୟ ବାହାରେ ଫସିରହିଥିବା ଶ୍ରମିକଙ୍କୁ ସାହାଯ୍ୟ କରିବାରେ ବିତାଉଛନ୍ତି । ଲକଡାଉନରେ ବିଭିନ୍ନ ସ୍ଥାନରେ ଫସିଥିବା ଶ୍ରମିକଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡିଥିଲା । ମାନସ ଘରେ ରହି ସରକାରଙ୍କ ଲକଡାଉନ ନିୟମକୁ ମାନି ନିଜେ ଗଢ଼ିଥିବା ସଂସ୍ଥା ଓଡ଼ିଶା ଡିଷ୍ଟ୍ରେସ୍‌ ମ୍ୟାପିଂ ଆଣ୍ଡ ଇଣ୍ଟରଭେନସନ ଇନିସିଏଟିଭ ଦ୍ୱାରା ପାଖାପାଖି ୫୦ ହଜାର ଓଡ଼ିଆ ଶ୍ରମିକଙ୍କୁ ସାହାଯ୍ୟ କରିଛନ୍ତି ।

ସମାଜ ସେବୀ ମାନସ ପଟ୍ଟନାୟକ


‘‘ବରିଷ୍ଠ ସାମ୍ବାଦିକ, ସ୍ବେଚ୍ଛାସେବୀ ଓ ସମାଜସେବୀଙ୍କୁ ନେଇ ଏହି ଗ୍ରୁପ ବନେଇଛୁ । ଏଇ ଗ୍ରୁପ ଜରିଆରେ ଅସୁବିଧାରେ ପଡିଥିବା ଶ୍ରମିକମାନଙ୍କ ସମସ୍ୟାର ଖବର ଆସେ । ଯେଉଁ ଅଞ୍ଚଳର ଶ୍ରମିକ ଅସୁବିଧାରେ ଥା’ନ୍ତି ଆମେ ତାଙ୍କ ସହ ଯୋଗାଯୋଗ କରୁ । ତା’ପରେ ତୁରନ୍ତ ଓଡିଶା ସରକାରଙ୍କ ସମେତ ଶ୍ରମିକ ଫସିଥିବା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ସେମାନଙ୍କ ସମସ୍ୟା ଆଣୁ । ଟ୍ୱିଟ କରି ସୋସିଆଲ ମିଡ଼ିଆ ମାଧ୍ୟମରେ ସରକାରଙ୍କୁ ନିବେଦନ କରୁ,’’ ସେ କହିଛନ୍ତି ।

ଅନ୍ୟ ପ୍ରଦେଶରେ ରହିଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଓଡ଼ିଆ ଶ୍ରମିକଙ୍କୁ ରାସନ ଓ ଖାଦ୍ୟ ପହଞ୍ଚେଇବା ପାଇଁ ଅନୁରୋଧ କରେ ତାଙ୍କ ସଙ୍ଗଠନ । କେବଳ କୋଭିଡ-୧୯ ନୁହେ, ପୂର୍ବରୁ ୧୯୯୯ ମହାବାତ୍ୟା ଓ ଗଲା ବର୍ଷର ଫନି ମହା ବାତ୍ୟା ସମୟରେ ବି ଅନେକ ଲୋକଙ୍କୁ ସାହଯ୍ୟ କରିଛନ୍ତି ମାନସ ପଟ୍ଟନାୟକ ।
First published: May 4, 2020, 1:19 PM IST