ଲକଡାଉନ୍ ଯୋଗୁଁ ଭୁଶୁଡ଼ିବା ଉପରେ ପୁରୀ ସହରର ହୋଟେଲ୍ ଶିଳ୍ପ; ସରକାରୀ ସହାୟତାକୁ ଅପେକ୍ଷା

ଗ୍ରୀଷ୍ମ ଛୁଟିରେ ପୁରୀ ପର୍ଯ୍ୟଟକଙ୍କର ସର୍ବାଧିକ ପ୍ରିୟ ସ୍ଥାନ ଭିତରେ ଥାଏ । ସହରର ହୋଟେଲଗୁଡ଼ିକରେ ଟୁରିଷ୍ଟମାନଙ୍କ ଭିଡ଼ ଥାଏ । ମାତ୍ର ଏ ବର୍ଷ ଲକଡାଉନ୍ ଯୋଗୁଁ ସବୁ ବୁକିଂ କ୍ୟାନସଲ ହୋଇଛି ।

ଲକଡାଉନ୍ ଯୋଗୁଁ ଭୁଶୁଡ଼ିବା ଉପରେ ପୁରୀ ସହରର ହୋଟେଲ୍ ଶିଳ୍ପ; ସରକାରୀ ସହାୟତାକୁ ଅପେକ୍ଷା
ଶୁନଶାନ୍ ବେଳାଭୂମି ସାମନାରେ ଠିଆ ହୋଇଛି ପୁରୀ ହୋଟେଲ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଗତ ବର୍ଷ ମେ ୩ରେ ମହାବାତ୍ୟା ଫନି ଯୋଗୁଁ ଉଜୁଡିଯାଇଥିଲା ଆନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀ । ଆଉ ଏବେ କରୋନା ଭାଇରସକୁ ନେଇ ଜାରି ଥିବା ଲକଡାଉନ ଯୋଗୁଁ ଭଶୁଡିଯିବାକୁ ବସିଛି ପୁରୀ ସହରର ଅର୍ଥନୀତି । ଏ ବର୍ଷ ଗ୍ରୀଷ୍ଣକାଳୀନ ଛୁଟିରୁ ଭଲ ଦି’ ପଇସା କମାଇବାକୁ ବ୍ୟବସାୟୀମାନେ ଲକ୍ଷ୍ୟ ରଖିଥିଲେ ଓ ଆଗକୁ ରଥ ଯାତ୍ରା ଥିବାରୁ ଭଲ ବୁକିଂ ବି ରହିଥିଲା । ହେଲେ ଏବେ ତାହା ବାତିଲ ହୋଇଗଲାଣି ।

ଆନ୍ତର୍ଜାତୀୟ ପର୍ଯ୍ୟଟନ ସହରରେ ୪୩୦ରୁ ଅଧିକ ହୋଟେଲ ଓ ଲଜିଂ ଅଛି । ଗତ ବର୍ଷର ଖରାପ ଆର୍ଥିକ ସ୍ଥିତି ସହିବା ପରେ ସେମାନେ ଟିକିଏ ଅଣ୍ଟା ସଳଖିବା ବେଳକୁ ପୁଣି କରୋନା ମାଡ଼ ହେଲା । ତେଣୁ ଶହ ଶହ ହୋଟେଲ୍‌ ମାଲିକ ଓ ଲକ୍ଷାଧିକ କର୍ମଚାରୀ ଏବେ ଆର୍ଥିକ ଦୁରାବସ୍ଥାକୁ ନେଇ ଚିନ୍ତାରେ ।

‘‘ଫନି ମହାବାତ୍ୟାର ସ୍ମୃତି ଏବେ ବି ତାଜା ଅଛି । ଏବେ କରୋନାକୁ ନେଇ ଲକଡାଉନ ପୁଣି ଦୋହଲାଇ ଦେଇଛି ହୋଟେଲ ଶିଳ୍ପର ମେରୁଦଣ୍ଡ । ଅଣ୍ଟା ଭାଙ୍ଗିଦେଇଛି ପର୍ଯ୍ୟଟନ ଶିଳ୍ପର । ରୁଗ୍ଣ ହୋଇପଡିଲେଣି ପୁରୀ ସହରର ହୋଟେଲ ଶିଳ୍ପ । ଗତ ବର୍ଷ ଫନିରେ ହୋଟେଲଗୁଡିକ ଭାଙ୍ଗିରୁଜି ଯାଇଥିବା ବେଳେ ଏ ଥର ରଥ ଯାତ୍ରା ପାଇଁ ଧାର ଉଧାର କରି ସଜାଡି ହେଇଥିଲେ ସେମାନେ । ଏ ବର୍ଷ ଟିକିଏ ଲାଭ କରିବେ ବୋଲି ଭାବିଥିବା ବେଳେ ପଡିଲା କରୋନା ଚଡ଼କ । ସାରା ଦେଶ ଲକଡାଉନରେ ବନ୍ଦ ଅଛି । ତେଣୁ ହୋଟେଲ ଶିଳ୍ପ ଦୀର୍ଘ ଦେଢ଼ ମାସ ହେଲା ଠପ ହୋଇଯାଇଛି,’’ କହିଛନ୍ତି ପୁରୀ ହୋଟେଲ ମାଲିକ ସଙ୍ଘର ସମ୍ପାଦକ ରାଜକିଶୋର ପାତ୍ର ।

ଗ୍ରୀଷ୍ମ ଛୁଟିରେ ପୁରୀ ପର୍ଯ୍ୟଟକଙ୍କର ସର୍ବାଧିକ ପ୍ରିୟ ଡେଷ୍ଟିନେସନ ଭିତରେ ଗୋଟିଏ ଥାଏ । ସହରର ହୋଟେଲମାନଙ୍କରେ ଟୁରିଷ୍ଟମାନଙ୍କ ଭିଡ଼ ଥାଏ । ମାତ୍ର ଏ ବର୍ଷ ଲକଡାଉନ୍‌ ଯୋଗୁଁ ସବୁ ବୁକିଂ କ୍ୟାନସଲ ହୋଇଛି ବୋଲି ସେ କହିଛନ୍ତି । ‘‘ବାକି ଯାହା ବୁକିଂ ଥିଲା ତାହାକୁ ମଧ୍ୟ ହୋଟେଲମାନଙ୍କ ପକ୍ଷରୁ ବାତିଲ କରାଯାଇଛି । କେବେ ସ୍ୱାଭାବିକ ହେବ ସ୍ଥିତି ସେ ନେଇ ଆମେ ଚିନ୍ତାରେ ରହିଛୁ,’’ କହିଛନ୍ତି ପାତ୍ର ।

ବେଳାଭୂମି ଖାଁ ଖାଁ ଲାଗୁଛି ।


‘‘ଗତ ବର୍ଷରୁ ଫନି ପରେ ଅନେକ ହୋଟେଲ ମାଲିକଙ୍କୁ ସରକାରୀ ସହାୟତା ମିଳିନାହିଁ । କିଛି ହୋଟେଲ ମାଲିକ ହୋଟେଲ ଚଳାଇବା ପାଇଁ ଧାର ଉଧାର କରିବା ସହ ବ୍ୟାଙ୍କ ଲୋନ କରି ହୋଟେଲ ସଜାଡ଼ିଛନ୍ତି । ଏବେ ଦୁଇ ବର୍ଷ ହେଲା ଦୁର୍ବିପାକ ଯୋଗୁଁ ସୁଧ ହାର ବଢ଼ିବା ସହ କିସ୍ତି ଦେବାକୁ ମଧ୍ୟ ଅସମର୍ଥ ହେଲେଣି ସେମାନେ । ଲାଗୁଛି ହୋଟେଲ ଶିଳ୍ପ ଧୀରେ ଧୀରେ ଧ୍ୱଂସ ହୋଇଯିବ । ତେଣୁ ଶ୍ରମ ବିଭାଗ ପକ୍ଷରୁ ହୋଟେଲ ପକ୍ଷରୁ କରାଯାଉଥିବା ଜମା ରାଶିରୁ ସରକାର କର୍ମଚାରୀଙ୍କୁ କିଛି ସହାୟତା ଦେବା ଉଚିତ । ତା’ ସହ ବିଦ୍ୟୁତ ଦେୟକୁ ବର୍ତ୍ତମାନ କମର୍ସିଆଲ ଇଣ୍ଡଷ୍ଟ୍ରୀ ରେଟରେ ନ ନେଇ ସେଥିରେ ରିହାତି ଦିଆଯିବା ଉଚିତ,’’ କହିଛନ୍ତି ପୁରୀ ହୋଟେଲ ମାଲିକ ସଙ୍ଘର ଆବାହକ ତଥା ଭିକ୍ଟୋରିଆ ଗ୍ରୁପ ଅଫ ହୋଟେଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦେବାଶିଷ କୁମାର ।

ପୁରୀରେ ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ଓ ସ୍ୱର୍ଣାଭ ବେଳାଭୂମି ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ପ୍ରତି ବର୍ଷ ସମର ଭ୍ୟାକେସନରେ ପୁରୀ ବେଷ୍ଟ ଫ୍ୟାମିଲି ଡେଷ୍ଟିନେସନ ଭିତରେ ଗଣାଯାଏ । ପର୍ଯ୍ୟଟକମାନେ ସମୁଦ୍ରରେ ସ୍ନାନ କରନ୍ତି, ବେଳାଭୂମିରେ ବୁଲନ୍ତି ଓ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି । ଏଥି ପାଇଁ ଖାଲି ବଙ୍ଗୀୟ ଟୁରିଷ୍ଟ ନୁହେଁ, ଅନେକ ବିଦେଶୀ ଟୁରିଷ୍ଟ ବି ଆସନ୍ତି । ଗତ ବର୍ଶ ମେ ମାସରେ ମହାବାତ୍ୟା ଫନି ଯୋଗୁଁ କ୍ଷୟକ୍ଷତି ହୋଇଥିଲା ହୋଟେଲ । ପୁରୀ ଜିଲ୍ଲାର ୮୦ ଭାଗ ହୋଟେଲ ଓ ଲଜିଂର ସ୍ଥିତି ବହୁତ ଖରାପ ହୋଇଯାଇଥି୍ଲା । ତେଣୁ ଜୁଲାଇରେ ରଥ ଯାତ୍ରାକୁ ନେଇ ବହୁ କମ ଦିନ ଭିତରେ ହୋଟେଲ ଶିଳ୍ପ ଠିଆ ହୋଇ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିଥିଲା ।

‘‘ଗତ ବର୍ଷର କ୍ଷତିକୁ ପୂରଣ କରିବା ପାଇଁ ଚଳିତ ବର୍ଷ ପ୍ରସ୍ତୁତ ହେବା ବେଳକୁ ସିଜିନ ଆରମ୍ଭରୁ କରୋନା ଚଡ଼କ ପଡ଼ିଲା । ପୁଣି ଦୋହଲିଗଲା ପର୍ଯ୍ୟଟନ ଶିଳ୍ପ ସହ ହୋଟେଲ ଶିଳ୍ପ । କେବେ ଲକଡାଉନ ସ୍ୱାଭାବିକ ହେବ ଓ ଟୁରିଷ୍ଟ ପୁଣି ଆସିବେ ତାହା ଏବେ ଆମମାନଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି,’’ କହିଛନ୍ତି ଫରେନ ଟୁର ଅପରେଟର ତଥା ୱାଇଲ୍ଡ ଗ୍ରାସ ହୋଟେଲ ମାଲିକ ଯୁଗବ୍ରତ କର ।

ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା କୃତିରେ ଅଛି କରୋନା ବାର୍ତ୍ତା ।


ପର୍ଯ୍ୟଟନ ଶିଳ୍ପକୁ ପୁରୀ ସହରର ଲାଇଫଲାଇନ ଭାବେ ଦେଖାଯାଏ । ତେଣୁ ଦେଶରେ କରୋନାକୁ ନେଇ ଲକଡାଉନ ସ୍ଥିତି ଥିବା ବେଳେ ପୁରୀ ସହରରେ ଲୋକେ କେମିତି ଚଳିବେ ତାହାକୁ ନେଇ ଚିନ୍ତାରେ । ପୁରୀକୁ ତୀର୍ଥଯାତ୍ରୀ, ଶ୍ରଦ୍ଧାଳୁ ବା ପର୍ଯ୍ୟଟକ ନ ଆସିଲେ ସମସ୍ତଙ୍କ ପେଟପାଟଣା ପ୍ରଭାବିତ ହେବ । ଉଠାଦୋକାନୀଙ୍କ ଠାରୁ ଆରମ୍ଭ କରି ବୁଲା ବିକାଳୀ, ଫଟୋଗ୍ରାଫର, ରିକ୍ସା ଚାଳକ ଓ ଅଟୋ ଟାକ୍ସି ଡ୍ରାଇଭର୍‌ ସମସ୍ତେ ପ୍ରଭାବିତ ହେବେ ।

‘‘କେତେ ଦିନ ସରକାର ସହାୟତା ଦେବେ? ଗତ ବର୍ଷ ଫନି ସହାୟତା ମିଳିବ ବୋଲି କୁହାଗଲା, ହେଲେ ହୋଟେଲ ମାଲିକମାନେ କିଛି ପାଇଲେ ନାହିଁ । ତେଣୁ କରୋନାର ପ୍ରଭାବ ଯୋଗୁଁ ଏବେ ଧରାଶାୟୀ ହେବାକୁ ଯାଉଛି ହୋଟେଲ ଶିଳ୍ପ । ଏହି ଶିଳ୍ପ ବଞ୍ଚି ରହିବା ପାଇଁ ସରକାରୀ ସହାୟତା ନିହାତି ଆବଶ୍ୟକ,’’ କହିଛନ୍ତି ପୁରୀର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ।

ପୁରୀ ଜିଲ୍ଲାରେ ହୋଟେଲ, ଲଜିଂ, ଧର୍ମଶାଳା ଓ କଟେଜ ଆଦିକୁ ମିଶାଇ ପ୍ରାୟ ଲକ୍ଷାଧିକ ଲୋକେ ଗୁଜୁରାଣ ମେଣ୍ଟାନ୍ତି  । ଏହି କରୋନା ସମୟରେ ସେମାନଙ୍କୁ କାଢ଼ିଲେ ଆଉ କାମ କରିବାକୁ ଲୋକ ମିଳିବେ ନାହିଁ  । ତେଣୁ ସେମାନଙ୍କୁ ହୋଟେଲ ମାଲିକମାନେ ଯତ୍ କିଞ୍ଚିତ ସହାୟତା ଦେଉଛନ୍ତି ।

‘‘ମାତ୍ର ଆମେ କେତେଦିନ ଦେଇପାରିବୁ? ତେଣୁ ଆମେ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ହୋଟେଲ ପକ୍ଷରୁ କରାଯାଉଥିବା ଜମା ରାଶିରୁ କର୍ମଚାରୀଙ୍କୁ କିଛି ସହାୟତା ଦିଆଯିବା ଉଚିତ । ତା’ ସହ ବିଦ୍ୟୁତ ଦେୟକୁ ବର୍ତ୍ତମାନ କମର୍ସିଆଲ ଇଣ୍ଡଷ୍ଟ୍ରୀ ରେଟରେ ନ ନେଇ ସେଥିରେ ରିହାତି ଦିଆଯିବା ଉଚିତ । ସେପଟେ ସରକାରୀ ସହାୟତା ନ ମିଳିଲେ ଭୁଶୁଡ଼ିଯିବ ହୋଟେଲ ଶିଳ୍ପ  । କିଛି ସେବାୟତଙ୍କର ହୋଟେଲ ମଧ୍ୟ ରହିଥିବାରୁ ଯାତ୍ରୀ ନ ଆସିଲେ କୁଆଡୁ ସେମାନେ ଆୟ କରିବେ ଯେ ହୋଟେଲ ଚଲାଇବେ?’’ ପଚାରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ତଥା ହୋଟେଲ ମାଲିକ ପ୍ରେମାନନ୍ଦ ଦାଶ ମହାପାତ୍ର ।
First published: May 1, 2020, 9:52 PM IST
corona virus btn
corona virus btn
Loading