କରୋନା ସଂକ୍ରମଣ ବଢ଼ୁଥିବାରୁ ଦେଶରେ ଏପ୍ରିଲ୍ ୧୪ ପରେ ଲକଡାଉନର ସୀମା ବଢ଼ିପାରେ

ପ୍ରଧାନ ମନ୍ତ୍ରୀ ମୋଦି କହିଥିଲେ ଯେ ଏହି ସପ୍ତାହରେ ଦେଶରେ ତିନି ସପ୍ତାହ ପାଇଁ ଲାଗୁ ହୋଇଥିବା ଲକଡାଉନକୁ ପର୍ଯ୍ୟାୟକ୍ରମେ ଉଠାଯିବ । ମାତ୍ର ସରକାର ହୁଏତ ତାହା ନ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ଓ ଲକଡାଉନକୁ ଅତି କମରେ ଆଉ ଦୁଇ ସପ୍ତାହ ପାଇଁ ବଢ଼େଇପାରନ୍ତି ।

କରୋନା ସଂକ୍ରମଣ ବଢ଼ୁଥିବାରୁ ଦେଶରେ ଏପ୍ରିଲ୍ ୧୪ ପରେ ଲକଡାଉନର ସୀମା ବଢ଼ିପାରେ
ମୁମ୍ବାଇରେ ଏକ କରୋନା ଭାଇରସର ଛବି ଥିବା କାନ୍ଥ ପାଖ ଦେଇ ଜଣଏ ଲୋକ ଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ/ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୪ ଠାରୁ ଜାରି ହୋଇଥିବା ତିନି ସପ୍ତାହର ଦେଶବ୍ୟାପୀ ଲକଡାଉନ ଏପ୍ରିଲ ୧୪ରେ ସରିବା କଥା । ହେଲେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଥିବାରୁ ଏହି ଲକଡାଉନର ସୀମାକୁ ଏପ୍ରିଲ ୧୪ ପରେ ବଢ଼ାଯାଇପାରେ ବୋଲି ସଙ୍କେତ ମିଳୁଛି ।

ଶନିବାର ସକାଳ ପର୍ଯ୍ୟନ୍ତ ଭାରତରେ ୨,୯୦୨ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ ଓ ୬୮ ଜଣଙ୍କର ମୃତ୍ୟୁ ଘଟିଥିଲା । ବିଭିନ୍ନ ରାଜ୍ୟରେ ନୂଆ ନୂଆ ସ୍ଥାନରୁ ସଂକ୍ରମିତ ଲୋକେ ଚିହ୍ନଟ ହେଉଥିବାରୁ ତିନି ସପ୍ତାହ ପାଇଁ ଜାରି ହୋଇଥିବା ଜାତୀୟ ଲକଡାଉନକୁ ଜନସାଧାରଣ ମାନନ୍ତୁ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏହି ସାଙ୍ଘାତିକ ଶ୍ୱାସକ୍ରିୟା ରୋଗରୁ ଏ ପର୍ଯ୍ୟନ୍ତ ମାତ୍ର ୧୮୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣର ମାମଲା ପୂର୍ବ ଅପେକ୍ଷା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଲକଡାଉନ୍‌ ବଢ଼ାଯିବାର ସଙ୍କେତ ସେଠାରୁ ପ୍ରଥମେ ଆସିଛି । ଆଜି ମହାରାଷ୍ଟ୍ରରୁ କୋଭିଡ-୧୯ର ୪୭ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହି ୪୭ ଜଣଙ୍କ ମଧ୍ୟରୁ ମୁମ୍ବାଇରେ ୨୮ ଜଣ ଚିହ୍ନଟ ହୋଇଛନ୍ତି । ଆଜିର ମାମଲା ମିଶି ମହାରାଷ୍ଟ୍ରରେ କରୋନା ଭାଇରସ ପଜିଟିଭ୍‌ ବ୍ୟକ୍ତିଙ୍କ ସଂଖ୍ୟା ୫୩୭କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର କହିଛନ୍ତି ଯେ ଏପ୍ରିଲ ୧୪ ପରେ ରାଜ୍ୟରେ ଲକଡାଉନ୍‌ ଜାରି ରହିବ କି ନାହିଁ ତାହା ଲୋକେ ଲକଡାଉନ୍‌ ପାଇଁ ଦିଆଯାଇଥିବା ସରକାରୀ ନିର୍ଦ୍ଦେଶନାମା ପାଳନ କରୁଛନ୍ତି କି ନାହିଁ ତାହା ଉପରେ ନିର୍ଭର କରିବ । ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ରାଜନୈତିକ, ଧାର୍ମିକ କିମ୍ବା କ୍ରୀଡା ସମ୍ବନ୍ଧୀୟ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅନୁମତି ଦିଆଯିବ ନାହିଁ । ସେ ଏହା ବି କହିଛନ୍ତି ଯେ ଯେଉଁ ଲୋକେ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ବିଭାଜନକାରୀ ବାର୍ତ୍ତା ପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେ


ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପ କହିଛନ୍ତି, ‘‘ଯଦି ଲୋକେ ଲକଡାଉନର ନିୟମକୁ ଗମ୍ଭୀରତାର ସହିତ ପାଳନ କରିବେ ନାହିଁ ଓ କରୋନା ଭାଇରସ ସଂକ୍ରମଣର ମାମଲା ବଢ଼ିବାରେ ଲାଗିବ, ତାହେଲେ ଲକଡାଉନର ସୀମାକୁ ବଢ଼େଇବା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ । ମୁମ୍ବାଇ ଓ ମହାରାଷ୍ଟ୍ରର ସହରାଞ୍ଚଳରେ ଲକଡାଉନକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।’’

ଏହା ପୂର୍ବରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଏହି ସପ୍ତାହରେ ଦେଶରେ ତିନି ସପ୍ତାହ ପାଇଁ ଲାଗୁ ହୋଇଥିବା ଲକଡାଉନକୁ ପର୍ଯ୍ୟାୟକ୍ରମେ ଖୋଲାଯିବ । ମାତ୍ର ବିଶେଷଜ୍ଞଙ୍କ କହିବା ଅନୁସାରେ ସରକାର ହୁଏତ ତାହା ନ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ଓ ଲକଡାଉନକୁ ଏପ୍ରିଲ ୧୪ ପରେ ଅତି କମରେ ଆହୁରି ଦୁଇ ସପ୍ତାହ ପାଇଁ ବଢ଼େଇପାରନ୍ତି ।

ମହାରାଷ୍ଟ୍ରରେ କରୋନା ଭାଇରସ୍ ଦ୍ୱାରା ସୃଷ୍ଟି ହୋଉଥିବା କୋଭିଡ-୧୯ ରୋଗରେ ଏ ପର୍ଯ୍ୟନ୍ତ ୨୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏପ୍ରିଲ ୧୪ରେ ଶେଷ ହେବାକୁ ଥିବା ଲକଡାଉନର ସମୀକ୍ଷା କରିବାକୁ କୋନ୍ଦ୍ର ସରକାର ଯୋଜନା କରୁଥିବା ଜଣାଯାଇଛି । ତେବେ ତିନି ଜଣ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କୌଣସି ନିଷ୍ପତ୍ତି ପ୍ରତ୍ୟେକ ରାଜ୍ୟର ସ୍ଥିତିର ଆକଳନ ଓ ସେଠାକାର ଅଧିକ ପ୍ରଭାବିତ ଜିଲ୍ଲାମାନଙ୍କର ସ୍ଥିତି ଉପରେ ନିର୍ଭର କରିବ ।
First published: April 4, 2020, 4:40 PM IST
corona virus btn
corona virus btn
Loading