ବଢ଼ିବ ଲକଡାଉନ୍ ସୀମା: ଏପ୍ରିଲ ୧୪ ପରେ ଆଉ କିଛି ସପ୍ତାହ ପାଇଁ ବଢ଼ିବ ବୋଲି କହିଲେ ମୋଦି

ବୈଠକ ପରେ ଲକଡାଉନର ସୀମାକୁ ଏପ୍ରିଲ ୧୪ ପରେ ଆଉ କିଛି ସପ୍ତାହ ପାଇଁ ବଢ଼ାଯିବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇସାରିଛି ଓ କେବଳ ଆଧିକାରିକ ଘୋଷଣା ବାକି ଅଛି ବୋଲି ଜଣାପଡ଼ିଛି ।

ବଢ଼ିବ ଲକଡାଉନ୍ ସୀମା: ଏପ୍ରିଲ ୧୪ ପରେ ଆଉ କିଛି ସପ୍ତାହ ପାଇଁ ବଢ଼ିବ ବୋଲି କହିଲେ ମୋଦି
ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଦଳର ନେତାମାନଙ୍କ ସହ ବୈଠକରେ କରୁଛନ୍ତି ମୋଦି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସର ସଂକ୍ରମଣ ବଢ଼ିଚାଲିଥିବାରୁ ମାର୍ଚ୍ଚ ୨୪ ଠାରୁ ସାରା ଦେଶରେ ଜାରି ହୋଇଥିବା ତିନି ସପ୍ତାହର ଦେଶବ୍ୟାପୀ ଲକଡାଉନ ଏପ୍ରିଲ ୧୪ରେ ନ ସରି ଆଉ କିଛି ସପ୍ତାହ ପାଇଁ ବଢ଼ି ପାରେ । ଏ କଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦର ଉଭୟ ଗୃହରେ ଥିବା ବିଭିନ୍ନ ଦଳର ନେତାମାନଙ୍କୁ କହିଛନ୍ତି ।

‘‘କରୋନା ଭାଇରସ୍‌ ବିରୋଧରେ ଦେଶରେ ଚାଲିଥିବା ସଂଗ୍ରାମକୁ ସାରା ଦେଶର ଲୋକଙ୍କୁ ଏକଜୁଟ କରିଛି । କରୋନାର ପ୍ରବେଶ ଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ଆମକୁ ଲଢ଼େଇ ଜାରି ରଖିବାକୁ ପଡ଼ିବ,’’ ଆଜି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଦଳର ନେତାମାନଙ୍କ ସହ ଏକ ବୈଠକରେ କହିଛନ୍ତି ମୋଦି ।

ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଥିବାରୁ ଏହି ଲକଡାଉନର ସୀମାକୁ ଏପ୍ରିଲ ୧୪ ପରେ ଆଉ କିଛି ସପ୍ତାହ ପାଇଁ ବଢ଼ାଯିବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇସାରିଛି ବୋଲି ସୂତ୍ର କହିଛନ୍ତି । ଏହାର କେବଳ ଆଧିକାରିକ ଘୋଷଣା ମାତ୍ର ବାକି ଅଛି ବୋଲି ସେମାନେ କହିଛନ୍ତି।

ଆଧିକାରିକ ଘୋଷଣା ପୂର୍ବରୁ ଏପ୍ରିଲ୍‌ ୧୧ ତାରିଖ ଶନିବାର ସକାଳେ ଦେଶର ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ପ୍ରଧାନ ମନ୍ତ୍ରୀ ଏକ ଭିଡିଓ କନଫେରେନ୍ସ ବୈଠକ କରିବେ ବୋଲି ଜଣାପଡ଼ିଛି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓକନ୍ଫରେନ୍ସ ମାଧ୍ୟମରେ ଏକ ସର୍ବଦଳୀୟ ବୈଠକ କରି ଦେଶରେ କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ୫,୧୯୪କୁ ବୃଦ୍ଧି ପାଇଥିବା ଓ ଏହି ସଙ୍କଟରୁ ମୁକୁଳିବା ପାଇଁ ସରକାର କରୁଥିବା ଉପାୟମାନଙ୍କ ବିଷୟରେ ଆଲୋଚନା କରିଥିଲେ ।

ଗତ କିଛି ଦିନ ହେବ ଭିଡିଓ ଲିଙ୍କ୍ ମାଧ୍ୟମରେ କରୋନା ସଙ୍କଟ ବିଷୟରେ ବିଭିନ୍ନ ବୈଠକ ଜାରି ରଖିଥିବା ପ୍ରଧାନ ମନ୍ତ୍ରୀ ମୋଦି ଆଜି ଲୋକସଭା ଓ ରାଜ୍ୟସଭାରେ ମିଶି ପାଞ୍ଚ ଜଣ ସାଂସଦ ଥିବା ଦଳର ଗୃହର ନେତାମାନଙ୍କ ସହ ଆଲୋଚନା କରିଥିଲେ ।

ଏହି ବୈଠକରେ କଂଗ୍ରେସର ଗୁଲାମ ନବୀ ଆଜାଦ, ତୃଣମୂଳ କଂଗ୍ରେସର ସୁଦୀପ ବନ୍ଦୋପାଧ୍ୟାୟ, ଶିବସେନାର ସଞ୍ଜୟ ରାଉତ, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ବିଏସପିର ଏସ୍‌.ସି. ମିଶ୍ର, ଲୋକ ଜନଶକ୍ତି ପାର୍ଟିର ଚିରାଗ ପାସୱାନ, ଏନ୍‌.ସି.ପି. ମୁଖ୍ୟ ଶରଦ ପାୱାର ଓ ଡିଏମକେ ନେତା ଟି.ଆର. ବାଲୁ ପ୍ରମୁଖ ଉପସ୍ଥିତ ଥିଲେ ।

ଗତ ସପ୍ତାହରେ ପ୍ରଧାନ ମନ୍ତ୍ରୀ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବିରୋଧୀ ଦଳର କେତେକ ନେତାଙ୍କ ସହ କଥାବାର୍ତ୍ତା କରିଥିଲେ ଓ କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ସେମାନଙ୍କ ପରାମର୍ଶ ମାଗିଥିଲେ । ସେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଓ ପ୍ରଣବ ମୁଖାର୍ଜୀ ଏବଂ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ ଓ ଏଚ୍‌.ଡି. ଦେବ ଗୌଡ଼ଙ୍କ ସହ ମଧ୍ୟ କଥା ହୋଇଥିଲେ ।

ଭାରତରେ କରୋନା ଭାଇରସ୍ କାରଣରୁ ଏ ପର୍ଯ୍ୟନ୍ତ ୧୪୯ ଜଣ ଲୋକ ମୃତ୍ୟୁ ବରଣ କଲେଣି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୩୫ଟି ମୃତ୍ୟୁ ହୋଇଛି, ଯାହା ଏ ପର୍ଯ୍ୟନ୍ତ ଗୋଟିଏ ଦିନରେ ସବୁ ଠାରୁ ବଡ଼ ମୃତ୍ୟୁ ସଂଖ୍ୟା ।
First published: April 8, 2020, 3:53 PM IST
corona virus btn
corona virus btn
Loading