News18 Odia Digital
ଭୁବନେଶ୍ୱର: କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ପାଇଁ ଗତ ୨୩ ଦିନ ଧରି ଜାରି ଥିବା ଲକଡାଉନ ରାଜ୍ୟରେ ଛତୁ ଚାଷ ଓ ବ୍ୟବସାୟକୁ ଭୀଷଣ ଆଘାତ ଦେଇଛି । ଅନେକ ସ୍ଥାନରେ ଛତୁ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବାରୁ ଏହି ଚାଷରେ ନିୟୋଜିତ ଶହ ଶହ ପରିବାର ଆର୍ଥିକ ଅନଟନର ସାମନା କରୁଛନ୍ତି ।
ରାଜ୍ୟରେ ମୁଖ୍ୟତଃ ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅନେକ ଲୋକ ଛତୁ ଚାଷ ଓ ବ୍ୟବସାୟ କରି ଚଳନ୍ତି । ଛତୁ ଚାଷ ଏହି ପରିବାରଗୁଡ଼ିକର କୌଳିକ ବୃତ୍ତି ଓ ସେମାନଙ୍କୁ ବେଶ୍ ଦୁଇ ପଇସା ରୋଜଗାରରେ ସାହାଯ୍ୟ କରେ । ଯେ କୌଣସି ସାଧାରଣ ଦିନରେ କେବେଳ ଭୁବନେଶ୍ୱରର ବଜାରରେ ୧୫ରୁ ୨୦ ଟନ୍ ଛତୁ ବିକ୍ରି ହୋଇଥାଏ । ହେଲେ ଏବେ କରୋନା କଟକଣା ଯୋଗୁଁ ଛତୁର ବଜାରକୁ ଆସିବା ବନ୍ଦ ହୋଇଛି । ନା ଲୋକେ ଯାଇପାରୁଛନ୍ତି ବଜାରକୁ ନା ଛତୁ ଆସିପାରୁଛି ସହର ଭିତରକୁ ।
‘‘ଏଇଟା ବିବାହ, ବ୍ରତଘର ଓ ଅନ୍ୟାନ୍ୟ ଭୋଜିର ସମୟ ହୋଇଥିବାରୁ ଛତୁ ଭଲ ବିକ୍ରି ହେବ ବୋଲି ଆଶା କରିଥିଲୁ । ହେଲେ କରୋନା କଟକଣା ଯୋଗୁଁ ପାଇଁ ରାସ୍ତା ଘାଟ ଓ ଦୋକାନ ବଜାର ସବୁ ବନ୍ଦ ଅଛି । ଫଳରେ ଲକଡାଉନ ପୂର୍ବରୁ ଚାଷୀ ପକେଇଥିବା ଛତୁ ବେଡରୁ ଏବେ ଦିନକୁ ଦୁଇ ଥର ଅମଳ ହେଉଛି, ଆଉ ତାହା ସମ୍ପୂର୍ଣ୍ଣ ନଷ୍ଟ ହେଉଛି । କିଣିବାକୁ ଗ୍ରାହକ ନ ଥିବାରୁ ମାଗଣାରେ ଗାଁରେ ଲୋକଙ୍କୁ ବଣ୍ଟାଯାଉଛି,’’ କହିଛନ୍ତି ଛତୁ ଚାଷୀ ସଙ୍ଘର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାଶ ।

ଏକ ଛତୁ କ୍ଷେତ
ଅନେକ ଛତୁ ଚାଷୀ ବାହାର ରାଜ୍ୟରେ ଦାଦନ ଖଟିବାକୁ ନ ଯାଇ ଛତୁ ଚାଷକୁ ଆପଣେଇଥିଲେ । ହେଲେ ଏବେ ସେମାନଙ୍କୁ ନାହିଁ ନ ଥିବା କ୍ଷତି ସହିବାକୁ ପଡୁଛି । ବଜାରକୁ ଛତୁ ବିକ୍ରି କରିବାକୁ ଆସୁଥିବା ବେପାରୀଙ୍କୁ ବି ପୋଲିସ ଅନୁମତି ଦେଉ ନ ଥିବାରୁ ଛତୁ ବିକ୍ରି ହୋଇପାରୁ ନାହିଁ । ଫଳରେ ରାଜ୍ୟରେ ଦିନକୁ ପାଖାପାଖି ୧୦ ଟନ୍ ଛତୁ ନଷ୍ଟ ହେଉଛି ବୋଲି ସହିଛନ୍ତି ଚାଷୀମାନେ ।
ମଝିରେ କିଛି ଦିନ କରୋନା ଭାଇରସ୍ ଭୟରେ ଗାଁ ଗହଳି ରେ ଲୋକେ ଛତୁ କିଣିବାକୁ ଭୟ କରିଥିଲେ । ଏହା ଚାଷୀମାନଙ୍କ ଚିନ୍ତା ବଢ଼ାଇଥିଲା । ପୋଲିସ ପ୍ରଶାସନର କହିବା ଅନୁଯାୟୀ ଛତୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇ ନ ଥିବାରୁ ଏହାକୁ ସବୁ ସ୍ଥାନରେ ବିକ୍ରି ପାଇଁ ଅନୁମତି ଦେଇହେବ ନାହିଁ । ତେଣୁ ଛତୁ ବ୍ୟବସାୟୀ ବାଧ୍ୟ ହୋଇ ସହରକୁ ନ ଆସି ଘରେ ରହୁଛନ୍ତି ।
‘‘ଲକଡାଉନକୁ ଆହୁରି ୧୭ ଦିନ ବାକି ଥିବା ବେଳେ ରାଜ୍ୟ ସରକାର ଛତୁ ଚାଷୀମାଙ୍କୁ ସହରକୁ ଆସି ବିକ୍ରି କରିବାକୁ ଅନୁମତି ଦେଲେ ଚାଷୀ ହତାଶ ନ ହୋଇ ଦୁଇ ପଇସା ରୋଜଗାର କରି ପାରନ୍ତେ,ର’’ କହିଛନ୍ତି ପ୍ରକାଶ ଚନ୍ଦ୍ର ଦାଶ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।