ଲକଡାଉନ୍ ଯୋଗୁଁ ଏଥର ଫିକା ପଡିବ ଧର୍ମର ମାସ ରମଜାନ; ମସଜିଦରେ ହେବନି ସମୂହ ନମାଜ ପାଠ

କରୋନା ଭାଇରସ୍ ଯୋଗୁଁ ପ୍ରଥମେ ରାମ ନବମୀ ଓ ପଣା ସଂକ୍ରାନ୍ତି ଫିକା ପଡ଼ିବା ପରେ ଏବେ ଆସିଛି ପବିତ୍ର ରମଜାନ୍ ମାସର ପାଳି । ରାଜ୍ୟର କୌଣସି ମସଜିଦରେ ବାଜିବ ନାହିଁ ମାଇକ୍ । ଏ ନେଇ ପୋଲିସ ନିର୍ଦ୍ଦେଶ ଜାରି କରିଛି ।

ଲକଡାଉନ୍ ଯୋଗୁଁ ଏଥର ଫିକା ପଡିବ ଧର୍ମର ମାସ ରମଜାନ; ମସଜିଦରେ ହେବନି ସମୂହ ନମାଜ ପାଠ
ଏପ୍ରିଲ୍ ୨୪ ତାରିଖ ରାତି ୧୨ଟାରୁ ଆରମ୍ଭ ହେଉଛି ରମଜାନ ମାସ ।
  • News18 Odia
  • Last Updated: April 24, 2020, 4:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଛଡାଇ ନେଇଛି ସବୁ ରଙ୍ଗ। ଫିକା ପଡିଛି ପର୍ବପର୍ବାଣି ଓ ଜାକଜମକ। ପର୍ବ ତ ପାଳନ ହେଉଛି ହେଲେ ନା ଅଛି ଖୁସି ନା ଅଛି ଆତ୍ମୀୟତା। ଦିନକ ପରେ ପବିତ୍ର ରମଜାନ। ମୁସଲିମ ସମ୍ପ୍ରଦାୟର ଲୋକମାନେ ମାସକ ଯାକ ପାଳିବେ ରୋଜା । ହେଲେ ଏଥର ମସଜିଦରେ ନୁହେଁ ଘରେ ପରିବାର ସହ ପଢ଼ିବେ ନମାଜ । ହେବନି ସମୂହ ନମାଜ କି ବାଜିବନି ମାଇକ । ସାମାଜିକ ଦୂରତା ବଜାୟ ରଖି ଦାନ ଧର୍ମ କରିବାକୁ ଆବେଦନ କରାଯାଇଛି ।

କରୋନା ନିୟମକୁ ସମ୍ପୂର୍ଣ୍ଣ ପାଳନ କରି ପର୍ବ ପାଳିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏହା ଯେଉଁଭଳି ଉଲ୍ଲଙ୍ଘନ ନ ହୁଏ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ଏପ୍ରିଲ୍‌ ୨୪ ତାରିଖ ରାତି ୧୨ଟାରୁ ଆରମ୍ଭ ହେଉଛି ରମଜାନ ମାସ । ୨୫ ତାରିଖ ବଡ଼ି ସକାଳେ ଉଠି ସେହରି ଖାଇ ଆରମ୍ଭ ହେବ ରୋଜା । ମୁସଲମାନ ସମ୍ପ୍ରଦାୟର ଲୋକେ ପାଳିବେ ଧର୍ମର ମାସ ଓ ରମଜାନ ପର୍ବ । ମାସକ ପର୍ଯ୍ୟନ୍ତ ଜହ୍ନ ଦେଖିବା ପରେ ଖାଦ୍ୟ ଗ୍ରହଣ କରିବେ । ହେଲେ ଏଥର ମସଜିଦ ରେ ନା ହେବ ପାରମ୍ପରିକ ସେହରି, ନା ହେବ ଇଫତାର, ନା ହେବ ତାରାବି ।

ରମଜାନ ମାସରେ ପ୍ରତ୍ୟେକ ଦିନ ରାତିରେ କୋରାନ ପାଠ ହୋଇଥାଏ । ମୁସଲମାନ ଲୋକମାନେ ଏକାଠି ହୋଇ ସମୂହ ନମାଜ ପାଠ କରିଥାନ୍ତି, ଯାହାକୁ ତାରବି କୁହାଯାଏ । ହେଲେ ଏଥର କରୋନା ପାଇଁ ଏହା ଅନୁଷ୍ଠିତ ହେବ ନାହିଁ । ରାଜ୍ୟର କୌଣସି ମସଜିଦରେ ବାଜିବ ନାହିଁ ଲାଉଡ଼ ମାଇକ୍‌ । ଏ ନେଇ ରାଜ୍ୟ ପୋଲିସ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଜାମା ମସଜିଦର ସଭାପତି ମହମ୍ମଦ ଶାହନୱାଜ ।

ମୁସଲମାନ ଲୋକେ ଏ ଥର ଏକାଠି ହୋଇ ନମାଜ ପାଠ କରିବେ ନାହିଁ ।


‘‘ତେବେ କେବଳ ରାଜଧାନୀବାସୀ ନୁହେଁ, ସାରା ରାଜ୍ୟବାସୀଙ୍କୁ ଆମେ ନିବେଦନ କରିଛୁ । ଧର୍ମ ମାସରେ ଦାନ ଧର୍ମ ଓ ଗରିବଙ୍କୁ ଖାଦ୍ୟ ନିଶ୍ଚିତ ଦାନ କରନ୍ତୁ ବୋଲି ସମସ୍ତଙ୍କୁ ନିବେଦନ କରିଛୁ,’’ କହିଛନ୍ତି ଜାମା ମସଜିଦ ସଭାପତି ମହମ୍ମଦ ଶାହନୱାଜ ।

ରମଜାନ ମାସ ଆରମ୍ଭ ହେବା ପୂର୍ବରୁ ମସଜିଦମାନଙ୍କ ଆଗରେ ଲାଗିଯାଏ ଗହଳି । ଲାଛା, ଖଜୁରୀ, ଫାଲୁଦା, କାଜୁ ଓ କିସମିସ୍‌ ସାଙ୍ଗକୁ ଭଳିକି ଭଳି ଖାଦ୍ୟ ଓ ପାନୀୟର ଆସର ବି ଜମେ । ଏହି ଜିନିଷକୁ ନେଇ ମାସ ସାରା ରୋଜା କରନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ । ହେଲେ ଏଥର ସବୁଠି ଖାଁ ଖାଁ । ଏହି ମାହାମାରୀ ଭିତରେ ଏହାର ନିୟମକୁ ମାନି ପାଳିବାକୁ ହେବ ରମଜାନ ବୋଲି କହିଛନ୍ତି ଲୋକେ। ଭଗବାନ ସବୁଠି ବସବାସ କରନ୍ତି । ତେବେ ଆମେ ସଜାଗ ରହି ସାମାଜିକ ଦୂରତା ବଜାୟ ରଖିଲେ ହୁଏତ ଇଦ ଧୂମ୍ ଧାମ ରେ ପାଳନ କରିପାରିବା ବୋଲି ଆଶାବ୍ୟକ୍ତ କରିଛନ୍ତି ।

କରୋନା ପାଇଁ ବନ୍ଦ ରହିଛି ମକ୍କା ଓ ମଦିନାରେ ମସଜିଦ । ଏଭଳି ସ୍ଥିତିରେ କେହି ମସଜିଦ ଆସି ଗହଳି ନ କରିବା ଓ ସାମାଜିକ ଦୂରତା ରକ୍ଷା କରି ଦାନଧର୍ମ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମେ ମାସ ୨୩ ତାରିଖରେ ଶେଷ ରୋଜା ସହ ଇଦ ପର୍ବକୁ ସମସ୍ତଙ୍କ ଅପେକ୍ଷା ରହିବ ।
First published: April 24, 2020, 4:28 PM IST
corona virus btn
corona virus btn
Loading