News18 Odia Digital
ଭୁବନେଶ୍ୱର: ଲକଡାଉନ ଯୋଗୁଁ ପାଖାପାଖି ସବୁ ଲୋକ ନିଜ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ରାଜ୍ୟରେ ଏହାର ଏକ ସୁପ୍ରଭାବ ପରିଲକ୍ଷିତ ହୋଇଛି ପାରିବାରିକ ସମ୍ପର୍କରେ । ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଉନ୍ନତି ଘଟିଛି l ଦିନରାତି ଘର ଭିତରେ ସମୟ କଟୁଥିଲେ ବି ସ୍ଵାମୀ-ସ୍ତ୍ରୀଙ୍କ ମଧ୍ଯରେ ଝଗଡ଼ାଝାଣ୍ଟି ବା ପାଟିତୁଣ୍ଡ ହେଉ ନାହିଁ l ରାଜ୍ୟ ଅପରାଧ ନଥି ସଂସ୍ଥା (କ୍ରାଇମ ରେକର୍ଡ ବ୍ୟୁରୋ)ର ଏକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାନାକୁ ଆସିଛି l
ରାଜ୍ୟରେ ପୂର୍ବରୁ ପାରିବାରିକ ହିଂସାକୁ ନେଇ ଥାନାକୁ ଆସିଥିବା ୪,୩୧୬ ଜଣ ମହିଳାଙ୍କ ସହିତ ସିଧାସଳଖ କଥା ହୋଇଛନ୍ତି ପୋଲିସର ଅଧିକାରୀମାନେ । କ୍ରାଇମ ରେକର୍ଡ଼ ବ୍ୟୁରୋ (ସି.ଆର୍.ବି.) ଅନୁସାରେ ଲକଡାଉନ୍ ଆରମ୍ଭ ହେବା ଦିନରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଟେଲିଫୋନରେ ଏହି ମହିଳାମାନଙ୍କ ମତାମତ ନିଆଯାଇଥିଲା l ସେମାନଙ୍କ ମଧ୍ୟରୁ ମାତ୍ର ୩୩ ଜଣ ମହିଳା ଏବେ ବି ସ୍ଵାମୀଙ୍କ ଠାରୁ ନିର୍ଯ୍ୟାତନା ପାଉଛନ୍ତି ବୋଲି କହିଥିଲେ l
ସ୍ଵାମୀ-ସ୍ତ୍ରୀଙ୍କ ମଧ୍ଯରେ ସମ୍ପର୍କ ଭଲ ନ ଥିବା ଏହି ଅଳ୍ପ କେତେକ ପରିବାର ବିଷୟରେ ତଥ୍ୟ ସାମନାକୁ ଆସିବା ପରେ ଜିଲ୍ଲା ଏସ୍.ପି.ଙ୍କ ସ୍ତରରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଆପୋଷ ବୁଝାମଣା ଉଦ୍ୟମ ଆରମ୍ଭ କରlଯାଇଛି l
ପାରିବାରିକ ହିଂସା ମାମଲାରେ ବ୍ରେକ୍ ଲଗାଇବାକୁ ରାଜ୍ୟ ପୋଲିସ ଆରମ୍ଭ କରିଛି ଫୋନ୍-ଅପ କାର୍ଯ୍ୟକ୍ରମ l ‘ମୋ’ ସରକାର’ ଅଧୀନରେ ଥିବା କଲ୍ ସେଣ୍ଟରରୁ ପ୍ରତି ଦିନ ୩ ଶହରୁ ଅଧିକ ମହିଳାଙ୍କ ପାଖକୁ ଫୋନ କରାଯାଉଛି l ଏସ୍.ସି.ଆର୍.ବି. ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଏପ୍ରିଲ ୨୮ରେ ୩୩୪ ଜଣ ମହିଳାଙ୍କୁ ଫୋନ କରାଯାଇଥିବା ବେଳେ ୪ ଜଣ ମହିଳା ଲକଡାଉନ ସମୟରେ ନିର୍ଯ୍ୟାତନାର ଶିକାର ହେଉଥିବା ପୋଲିସକୁ କହିଛନ୍ତି l ସେହି ପରି ଏପ୍ରିଲ ୨୯ରେ ୩୪୧ ଜଣ ମହିଳାଙ୍କ ନିକଟକୁ ଫୋନ କରାଯାଇଛି l ସେଥି ମଧ୍ୟରୁ ୪ ଜଣ ମହିଳା ଏବେ ବି ନିର୍ଯ୍ୟାତନାର ଶିକାର ହେଉଥିବା କହିଛନ୍ତି l
ଏପ୍ରିଲ ୩୦ରେ ୩୩୨ ଜଣ ମହିଳାଙ୍କୁ ଫୋନ କରିଥିଲା ପୋଲିସ l ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ଏବେ ବି ଦିଆଯାଉଛି ନିର୍ଯ୍ୟାତନା l ମେ ୧ରେ ୩୩୮ ଜଣ ମହିଳlଙ୍କ ପାଖକୁ କଲ୍ କରିଛି ପୋଲିସ l ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ନିର୍ଯ୍ୟାତନାର ଶିକାର ହେଉଥିବା କଥା ପୋଲିସକୁ କହିଛନ୍ତି l
ମହିଳା ନିର୍ଯ୍ୟାତନା ରୋକିବାକୁ ଭୁବନେଶ୍ଵର ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛି କୋଭିଡ-୧୯ ମହିଳା ସେଲ୍ l ଏହି ସେଲ୍ ମାଧ୍ୟମରେ ପୀଡ଼ିତା ମହିଳାଙ୍କୁ ଫୋନ କରାଯାଉଛି l
ଗତ ଦୁଇ ବର୍ଷ ଭିତରେ ଭୁବନେଶ୍ଵରର ୨୨ଟି ଥାନାରେ ରୁଜୁ ହୋଇଥିବା ମହିଳା ନିର୍ଯ୍ୟାତନା ମାମଲାରେ ପୀଡ଼ିତା ମହିଳାଙ୍କ ସହ ଟେଲିଫୋନରେ କଥା ହୋଇଛି ପୋଲିସ l ଲକଡାଉନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୧,୧୦୦ ମହିଳାଙ୍କୁ ଫୋନ କରlଯାଇଛି l ସେଥିମଧ୍ୟରୁ ମାତ୍ର ୭ ଜଣ ମହିଳା ଏବେ ବି ସ୍ଵାମୀ ଓ ଶାଶୁ, ଶ୍ୱଶୁରଙ୍କ ଠାରୁ ନିର୍ଯ୍ୟାତନାର ଶିକାର ହେଉଥିବା କହିଛନ୍ତି l
‘‘ଲକଡାଉନର ଭଲ ସାଇଡ ଇଫେକ୍ଟ ପଡିଛି ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ ଉପରେ l ପୂର୍ବରୁ ପ୍ରତି ମାସରେ ବହୁ ସଂଖ୍ୟାରେ ପାରିବାରିକ ହିଂସା ଓ ମହିଳା ନିର୍ଯ୍ୟାତନା ମାମଲା ଆସୁଥିଲା l କିନ୍ତୁ ଏବେ ଗୋଟିଏ ହେଲେ ବି ମାମଲା ଥାନାରେ ପଞ୍ଜୀକୃତ ହେଉନାହିଁ l ଏହା ସମାଜ ପାଇଁ ଏକ ସୁଖଦ କଥା,’’ କହିଛନ୍ତି ‘ମାଧ୍ୟମ’ ଅନୁଷ୍ଠାନର କାଉନସିଲର ଅନିମା ମିଶ୍ର ।
କ୍ରାଇମ୍ ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି: ‘‘ପାରିବାରିକ ହିଂସା ତଥା ମହିଳା ନିର୍ଯ୍ୟାତନା ମାମଲାଗୁଡିକୁ ଗୁରୁତ୍ଵର ସହ ନିଆଯାଉଛି l ‘ମୋ’ ସରକାର’ କଲ ସେଣ୍ଟରରୁ ପ୍ରତିଦିନ ୩ ଶହରୁ ଅଧିକ ମହିଳାଙ୍କ ପାଖକୁ ଫୋନ କରାଯାଉଛି l ଟେଲିଫୋନରେ ସ୍ଵାମୀ-ସ୍ତ୍ରୀଙ୍କ ମଧରେ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରାଯାଉଛି l’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।