News18 Odia Digital
ଭୁବନେଶ୍ୱର: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଖୋଲିଛି ଲିଙ୍ଗରାଜ ମନ୍ଦିର। ପୁଣି ଥରେ ମନ୍ଦିରରେ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ। ପ୍ରଥମ ପର୍ଯ୍ୟାୟରେ ଏବେ କେବଳ ସେବାୟତ ପରିବାରଙ୍କୁ ଦର୍ଶନ ସୁଯୋଗ ମିଳୁଛି। ଥର୍ମାଲ ସ୍କ୍ରିନିଂ ପରେ ମନ୍ଦିର ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁମାନେ ।
ପ୍ରଥମେ ଆଣ୍ଟିଜେନ୍ ଟେଷ୍ଟ, ତା’ ପରେ ଥର୍ମାଲ ସ୍କ୍ରିନିଂ ଓ ଅକ୍ସିମିଟର ଦ୍ବାରା ପରୀକ୍ଷା କରି ମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ କରାଯାଉଛି । ଗର୍ଭଗୃହ ଭିତରେ ଦର୍ଶନ ବାରଣ ହେତୁ କେବଳ ଆଡ଼କାଠ ପାଖରୁ ଦର୍ଶନ କରୁଛନ୍ତି ଭକ୍ତମାନେ । ଦର୍ଶନ କରି ଫେରିବା ବେଳକୁ ଅନେକ ଶ୍ରଦ୍ଧାଳୁ ଭାବ ବିହ୍ବଳ ହୋଇପଡ଼ୁଥିବା ଦେଖାଯାଉଛି ।
ଏହା ବି ପଢ଼ନ୍ତୁ | ଏହି ସପ୍ତାହରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକାକୁ ଭାରତରେ ପ୍ରୟୋଗ ପାଇଁ ମିଳିପାରେ ଅନୁମତିବର୍ତ୍ତମାନ ଧନୁ ମାସ ଚାଲିଥିବାରୁ ଭୋରରୁ ମନ୍ଦିର ଖୋଲି ଠାକୁରଙ୍କ ନୀତିକାନ୍ତି ଯଥା ମଙ୍ଗଳ ଆଳତୀ ଓ ଅବକାଶ ଆଦି କରାଯାଉଛି । ସକାଳ ୬ଟାରୁ ସେବାୟତଙ୍କ ପରିବାର ଦର୍ଶନ ପାଇଁ ମନ୍ଦିରକୁ ପ୍ରବେଶ କରୁଛନ୍ତି । ପିପିଇ କିଟ ପିନ୍ଧି ସିଂହଦ୍ୱାର ପାଖରେ ଉପସ୍ଥିତ ରହୁଛନ୍ତି ସ୍ୱାସ୍ଥ୍ୟକର୍ମୀମାନେ । ସେବାୟତ ହୁଅନ୍ତୁ ଅବା ସେମାନଙ୍କ ପରିବାର ଲୋକେ, ମନ୍ଦିର ଭିତରକୁ ଯିଏ ବି ପ୍ରବେଶ କରୁଛନ୍ତି ଆଗରୁ ସେମାନଙ୍କ ନାଁ ରେଜିଷ୍ଟର କରାଯାଉଛି । ତା ପରେ ଥର୍ମାଲ ସ୍କ୍ରିନିଂ କରାଯାଉଛି।

ଲିଙ୍ଗରାଜ ମନ୍ଦିର ପରିସରରେ ଭକ୍ତମାନଙ୍କ କୋଭିଡ ଟେଷ୍ଟିଙ୍ଗ୍ ହେଉଛି ।
‘‘ପୂଜାପର୍ବାଣୀ ସବୁ ଗଲା, ହେଲେ ଆମେ ଦିଅଁ ଦର୍ଶନ କରି ପାରି ନ ଥିଲୁ। ଯାହା ହଉ ଏବେ ସେହି ସୁଯୋଗ ପାଇଛୁ । ମହାପ୍ରଭୁଙ୍କୁ ଏତିକି ପ୍ରାର୍ଥନା ସେ ଯେତେ ଶୀଘ୍ର କରୋନାରୁ ସମାଜକୁ ମୁକ୍ତ କରନ୍ତୁ,’’ କହିଛନ୍ତି ଶ୍ରଦ୍ଧାଳୁ ସୁଧାରାଣୀ। ବହୁ ସେବାୟତଙ୍କ ପରିବାର ଲୋକେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରୁଥିବା ଦେଖାଯାଉଛି । ଦର୍ଶନ କରୁଥିବା ସେବାୟତ ପରିବାରଙ୍କୁ ଚିହ୍ନଟ କରିବା ପାଇଁ ସିଂହଦ୍ୱାର ପାଖରେ ବରିଷ୍ଠ ସେବାୟତମାନେ ନିୟୋଜିତ ହୋଇଛନ୍ତି।
ଏହା ବି ପଢ଼ନ୍ତୁ | ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେକରୋନା କଟକଣା ଭିତରେ ଲିଙ୍ଗରାଜ ମନ୍ଦିର ଖୋଲିଥିବାରୁ ବିଏମସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିର ଭିତରକୁ ଭକ୍ତମାନେ ପ୍ରବେଶ କରିବା ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ବିଏମସି ପକ୍ଷରୁ ମନ୍ଦିର ସାମ୍ନାରେ ଏକ କୋଭିଡ କ୍ୟାମ୍ପ୍ ଖୋଲାଯାଇ ଟେଷ୍ଟ କରାଯାଇଛି।
‘‘ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ଭିତରେ ଏକକାଳୀନ ୩୦ରୁ ୪୦ ଜଣ ଲୋକଙ୍କୁ ପ୍ରବେଶ ଅନୁମତି ରହିଛି,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ଏକାମ୍ର କ୍ଷେତ୍ରରେ ପ୍ରାୟ ୪,୦୦୦ ସେବାୟତ ପରିବାର ଅଛନ୍ତି । ଡିସେମ୍ବର ୨୭ରୁ ୩୧ ତାରିଖ ଯାଏଁ ସେବାୟତଙ୍କ ପରିବାର ଦର୍ଶନ କରିପାରିବେ । ନୂଆ ବର୍ଷ ଗହଳିକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ ଓ ତା’ ପରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱରବାସୀ ନିଜ ପରିଚୟ ପତ୍ର ଦେଖାଇ ଦର୍ଶନ କରିପାରିବେ । ଜାନୁଆରୀ ୬ ତାରିଖରୁ ସମସ୍ତଙ୍କ ଲାଗି ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ତେବେ ଆଗାମୀ ସୂଚନା ପର୍ଯ୍ୟନ୍ତ ଦର୍ଶନ ସମୟରେ କୋଭିଡ କଟକଣା ପାଳନ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଜଣେ ବରିଷ୍ଠ ବିଏମସି ଅଧିକାରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।