ଲିଙ୍ଗରାଜ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିଲା, ହେଲେ ଏବେ ବି କେତେକ କଟକଣା ରହିଛି
ଦୀର୍ଘ ପାଞ୍ଚ ମାସ ପରେ ଏବେ ଖୋଲିଛି ବିଶ୍ୱପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର । ଗର୍ଭଗୃହ ଦର୍ଶନ ବନ୍ଦ ଥିବାରୁ ଭକ୍ତମାନେ ଆଡ଼ କାଠ ପାଖରୁ ଦର୍ଶନ କରୁଛନ୍ତି। ମନ୍ଦିର ଭିତରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି।
ଲିଙ୍ଗରାଜ ମନ୍ଦିର ଭିତରେ ଭକ୍ତମାନେ ପ୍ରବେଶ କରୁଛନ୍ତି ।
- News18 Odia
- Last Updated: September 1, 2021, 11:56 PM IST
ଭୁବନେଶ୍ୱର: ଦୀର୍ଘ ପାଞ୍ଚ ମାସ ପରେ ଲିଙ୍ଗରାଜ ମନ୍ଦିରରେ ପୁଣି ଥରେ ଏକାଠି ହୋଇଛନ୍ତି ଭକ୍ତ ଓ ଭଗବାନ । ଭକ୍ତଙ୍କ ପାଇଁ ଖୋଲିଛି ଏକାମ୍ର କ୍ଷେତ୍ରର ଏହି ବିଶ୍ୱପ୍ରସିଦ୍ଧ ମନ୍ଦିର । ଲମ୍ବା ବ୍ୟବଧାନ ପରେ ପାଖରୁ ଭଗବାନଙ୍କ ଦର୍ଶନ ପାଇ ବିଭୋର ହୋଇଛନ୍ତି ଭକ୍ତମାନେ । ଦର୍ଶନ ବେଳେ କୋଭିଡ ଗାଇଡଲାଇନ୍ ଉପରେ ଗୁରୁତ୍ବ ଦିଆଯାଇଛି ।
ଭୁବନେଶ୍ୱର ମହାନଗର ନିଗମର ଗାଇଡ଼ଲାଇନ ଅନୁସାରେ ଅଗଷ୍ଟ ୨୩ ତାରିଖରୁ ସବୁ ଧର୍ମାନୁଷ୍ଠାନ ଖୋଲାଯାଇଥିଲା । ସେହି କ୍ରମରେ ସେପ୍ଟାମ୍ବର ୧ଠୁ ଖୋଲିଛି ଲିଙ୍ଗରାଜ ମନ୍ଦିର । ସକାଳୁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଆଗମନ ଦେଖିବାକୁ ମିଳିଥିଲା। କୋଭିଡ ନିୟମ ପାଳନ କରି ଦର୍ଶନ କରିଥିଲେ ଶ୍ରଦ୍ଧାଳୁମାନେ । ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜେସନକୁ ବାଧ୍ୟତାମୂଳକ କରାଯାଇଛି । ଶ୍ରଦ୍ଧାଳୁମାନେ ବି କୋଭିଡ ନିୟମ ଭିତରେ ଭଗବାନଙ୍କ ଦର୍ଶନ କରୁଛନ୍ତି । ଯେଉଁ ଶ୍ରଦ୍ଧାଳୁ ମାସ୍କ ପିନ୍ଧିନାହାନ୍ତି ସେମାନଙ୍କୁ ପିନ୍ଧିବା ପାଇଁ ଅନୁରୋଧ କରାଯାଉଛି । ଦୀର୍ଘ ଦିନର ବ୍ୟବଧାନ ପରେ ମନ୍ଦିର ଖୋଲିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
ଏହା ବି ପଢ଼ନ୍ତୁ | କଶ୍ମୀରରେ ବିଚ୍ଛିନ୍ନତାବାଦୀ ରାଜନୀତିର ପୁରୋଧା ସୈଦ୍ ଅଲୀ ଶାହ ଗିଲାନୀଙ୍କ ଦେହାନ୍ତ ହେଲା

ଲିଙ୍ଗରାଜ ମନ୍ଦିରରେ ଜଣେ ଭକ୍ତ ପ୍ରାର୍ଥନା କରୁଛନ୍ତି ।
ଶ୍ରଦ୍ଧାଳୁ ବିଶ୍ୱରଞ୍ଜନ ସାହୁ କହିଛନ୍ତି, ‘‘ମନ୍ଦିରରେ ପ୍ରବେଶ କରିବା ଉପରେ ଅନେକ କଟକଣା ରହିଛି ସତ, କିନ୍ତୁ ଗହଳି କମ୍ ରହିଛି। ତେଣୁ ପ୍ରଭୁ ଲିଙ୍ଗରାଜଙ୍କୁ ଭଲ ଭାବେ ଦର୍ଶନ କରିପାରିଲୁ। ସେଇଟା ଆନନ୍ଦ ଲାଗୁଛି ।’’
ଏହା ବି ପଢ଼ନ୍ତୁ | ଖାଦ୍ୟ ଅର୍ଡ଼ରରେ ବିଳମ୍ବ ହେବାରୁ ହୋଟେଲ୍ ମାଲିକଙ୍କୁ ହତ୍ୟା କଲା ସ୍ୱିଗି ଡେଲିଭରି ବୟ; ୩ ଗିରଫ
‘‘ଅଶୋକାଷ୍ଟମୀ ପୂର୍ବରୁ ମନ୍ଦିର ବନ୍ଦ ଥିଲା। ଦୀର୍ଘ ପାଞ୍ଚ ମାସ ପରେ ଏବେ ଖୋଲିଛି ମନ୍ଦିର। କିନ୍ତୁ ୧୮ ବର୍ଷରୁ କମ୍ ବୟସର ପିଲା ଓ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ଅନୁମତି ନାହିଁ । ଗର୍ଭଗୃହ ଦର୍ଶନ ବନ୍ଦ ଥିବାରୁ ଭକ୍ତମାନେ ଆଡ଼ କାଠ ପାଖରୁ ଦର୍ଶନ କରିଛନ୍ତି। ମନ୍ଦିର ଭିତରେ ସାମାଜିକ ଦୂରତ୍ୱ କିଭଳି ବଜାୟ ରହିବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ମନ୍ଦିର ଭିତରକୁ କୌଣସି ପ୍ରକାର ଭୋଗ ସାମଗ୍ରୀ ନେବାକୁ ଅନୁମତି ଦିଆଯାଉନି,’’ କହିଛନ୍ତି ମନ୍ଦିର ସେବାୟତ ରାଜକିଶୋର ମହାପାତ୍ର।
ଏହା ବି ପଢ଼ନ୍ତୁ | ସରିଲା ଆମେରିକାର ମିଶନ୍ କାବୁଲ୍; ଆଫଗାନିସ୍ତାନର ଆକାଶରେ ପୁଣି ଉଇଁଲା ତାଲିବାନୀ ସୂର୍ଯ୍ୟ
ଏକକାଳୀନ ୧୦୦ ଜଣ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଆର.ଟି.ପି.ସି.ଆର୍. ନେଗେଟିଭ୍ ରିପୋର୍ଟ ବା ଦୁଇଟି ଯାକ ଡୋଜ୍ ଟିକାକରଣ ଓ ଆଧାର କାର୍ଡ଼ ଦେଖିବା ପରେ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯାଉଛି ।
କରୋନା ଭାଇରସ୍ ସଂକ୍ରମଣ ହାର କମିଛି ସତ, ହେଲେ ଏହା ବ୍ୟାପିବାର ଭୟ ଦୂର ହୋଇନି। ତେଣୁ ମନ୍ଦିର ଦର୍ଶନ ସମୟରେ କୋଭିଡ୍ ନିୟମ ପାଳନ ଉପରେ ଦିଆଯାଇଛି ଗୁରୁତ୍ବ । ମାସ୍କ ପିନ୍ଧିବା ସହ ମନ୍ଦିର ବାହାରେ ସାମାଜିକ ଦୂରତା ପାଳନ ଉପରେ ବେଶୀ ଧ୍ୟାନ ଦିଆଯାଉଥିବା ଦେଖିବାକୁ ମିଳୁଛି ।
ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ପାଖରେ ସାନିଟାଇଜେସନ୍ ବାଧ୍ୟତାମୂଳକ ରହିଛି । ମନ୍ଦିର ଭିତରେ ପାନ ଛେପ କି ଗୁଟଖା କେହି ପକାଇ ପାରିବେ ନାହିଁ। ନିୟମ ଉଲ୍ଲଙ୍ଘନ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ବି.ଏମ୍.ସି.।






