ବାଲେଶ୍ୱରରେ କରୋନା ଭୟରେ ଅଟକିଲା ଶବଦାହ; ଗ୍ରାମବାସୀ ସହାୟତା କରୁନାହାଁନ୍ତି

ଶ୍ରୀଧର ଦଳେଇଙ୍କ ପୁଅ ନାବାଳକ ହୋଇଥିବାରୁ ସେ ଓ ତା’ ମାଆ କେବଳ ଶବ ପାଖରେ ବସି ରହି ଗତ ରାତି ସାରା ଓ ଆଜି ଦିନ ସାରା କାନ୍ଦି ଚାଲିଥିଲେ । ଏହା ଛଡା ତାଙ୍କ ପାଖରେ ଆଉ କିଛି ବିକଳ୍ପ ନ ଥିଲା ।

ବାଲେଶ୍ୱରରେ କରୋନା ଭୟରେ ଅଟକିଲା ଶବଦାହ; ଗ୍ରାମବାସୀ ସହାୟତା କରୁନାହାଁନ୍ତି
ଶବ ପାଖରେ ବସି କାନ୍ଦୁଛନ୍ତି ମୃତକଙ୍କ ନାବାଳକ ପୁଅ ଓ ସ୍ତ୍ରୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣର ଭୟ ଏମିତି ବ୍ୟାପିଛି ଯେ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଶବ ଦାହ କରିବା ପାଇଁ ତାଙ୍କ ଗ୍ରାମର ଲୋକେ ଆଗେଇ ଆସି ନାହାଁନ୍ତି । ଫଳରେ ଗତ କାଲି ଠାରୁ ମୃତକଙ୍କ ଦାଣ୍ଡ ପିଣ୍ଡାରେ ପଡ଼ି ରହିଛି ତାଙ୍କ ଶବ ।

ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ୀ ପଞ୍ଚାୟତ ଖଟନଗର ଗ୍ରାମରେ । ଗତ ଏପ୍ରିଲ୍‌ ୩୦ ତାରିଖରେ ଏହି ଗ୍ରାମର ଶ୍ରୀଧର ଦଳେଇ କୋଲକତାରୁ ଫେରିଥିଲେ । ଘରେ ପହଞ୍ଚିବା ପରେ ତାଙ୍କୁ ସାମାନ୍ୟ ଜ୍ୱର ଓ କାଶ ହୋଇଥିଲା । ପରିବାର ଓ ସ୍ଥାନୀୟ ଆଶା କର୍ମୀଙ୍କ ସହଯୋଗରେ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ହସପିଟାଲକୁ ଆମ୍ବୁଲାନ୍ସରେ ପଠାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତ୍ୟୁ ପରେ ଶ୍ରୀଧର ଦଳେଇଙ୍କ ଶବକୁ ଏକ ଆମ୍ବୁଲାନ୍ସରେ ତାଙ୍କ ଗାଁକୁ ନେଇ ଆସିଥିଲେ ପରିବାର ଲୋକେ । ହେଲେ ଗାଁ ଲୋକମାନେ କରୋନା ଭାଇରସ୍‌ ସଂକ୍ରମଣ ଭୟରେ କେହି ଶବ ପାଖକୁ ଆସି ନ ଥିଲେ । ସେମାନେ ଶବ ଦାହ ପାଇଁ ସହଯୋଗ କରିବାକୁ ମନା କରିଦେଇଥିବାରୁ ଗତ କାଲି ଠାରୁ ଶବ ଘର ବାହାରେ ପଡିରହିଛି ।

ଗ୍ରାମବାସୀମାନେ କେହି ମୃତକଙ୍କ ଘରକୁ ଆସୁନାହାଁନ୍ତି ।


କୋଲକାତାରୁ ଫେରିବା ପୂର୍ବରୁ ଦଳେଇଙ୍କୁ ଜଣ୍ଡିସ୍‌ ରୋଗ ହୋଇଥିବା ଜଣା ପଡ଼ିଛି । ସେ ସେଥି ପାଇଁ ସେଠାରେ ଚିକିତ୍ସାରେ ଥିଲେ ବୋଲି ତାଙ୍କ ପରିବାର ସୂତ୍ରରୁ କୁହାଯାଇଛି । ତାଙ୍କର ମୃତ୍ୟୁ କରୋନା ଭାଇରସ୍‌ ସଂକ୍ରମଣରେ ହୋଇ ନାହିଁ ବୋଲି କହିଛନ୍ତି ତାଙ୍କ ପତ୍ନୀ ।

ଶ୍ରୀଧର ଦଳେଇଙ୍କ ପୁଅ ନାବାଳକ ହୋଇଥିବାରୁ ସେ ଓ ତା’ ମାଆ କେବଳ ଶବ ପାଖରେ ବସି ରହି ଗତ ରାତି ସାରା ଓ ଆଜି ଦିନ ସାରା କାନ୍ଦି ଚାଲିଥିଲେ । ଏହା ଛଡା ତାଙ୍କ ପାଖରେ ଆଉ କିଛି ବିକଳ୍ପ ନ ଥିଲା । ଏହି ଘରେ ଏମିତି ଘଟଣା ଘଟୁଥିବା ବେଳେ ଗ୍ରାମବାସୀମାନେ ନିଜ ଘରେ କବାଟ ପକାଇ ରହିଥିବା ଦେଖିବାକୁ ମିଳିଥିଲା ।

ତେବେ କେତେକ ସ୍ଥାନୀୟ ସମାଜ ସେବୀଙ୍କ ଦୃଷ୍ଟିକୁ ଏହି ଅଭାବନୀୟ ଘଟଣା ଅଣାଯିବା ପରେ ସେମାନେ ସରକାରୀ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ କର୍ମୀଙ୍କ ସହାୟତାରେ ଦଳେଇଙ୍କ ଶବ ଦାହ ପାଇଁ ଆୟୋଜନ ହେଉଥିବାର ସୂଚନା ମିଳିଛି । ଗ୍ରାମବାସୀଙ୍କ ଏମିତି କାର୍ଯ୍ୟ ଆଖପାଖରେ ଚର୍ଚ୍ଚାର ବିଷୟ ହୋଇଛି ।
First published: May 4, 2020, 6:24 PM IST
corona virus btn
corona virus btn
Loading