କରୋନା: ଭୁବନେଶ୍ୱରରେ ସପ୍ତାହକ ଭିତରେ ୫,୦୦୦ ନମୁନାର ଲକ୍ଷ ନେଇ ଆରମ୍ଭ ହେଲା ପରୀକ୍ଷା

ଯେଉଁ ସ୍ଥାନରେ ନମୁନା ପରୀକ୍ଷା ପାଇଁ ଲୋକେ କୁଣ୍ଠାବୋଧ କରିବେ ଓ ସରକାରଙ୍କୁ ସହଯୋଗ କରିବେ ନାହିଁ ସେଠାରେ ପୋଲିସର ସାହାଯ୍ୟ ନିଆଯିବ ବୋଲି କହିଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ।

କରୋନା: ଭୁବନେଶ୍ୱରରେ ସପ୍ତାହକ ଭିତରେ ୫,୦୦୦ ନମୁନାର ଲକ୍ଷ ନେଇ ଆରମ୍ଭ ହେଲା ପରୀକ୍ଷା
ଭୁବନେଶ୍ୱରର ଏକ ଟେଷ୍ଟିଂ ସେଣ୍ଟରରେ କାର୍ଯ୍ୟରତ ଅଧିକାରୀମାନେ ।
  • News18 Odia
  • Last Updated: April 18, 2020, 11:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱ: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ସହ ଅଧିକରୁ ଅଧିକ ନମୁନା ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱରକୁ ଫୋକସରେ ରଖି ଆରମ୍ଭ ହୋଇଛି ଅଭିଯାନ। ସପ୍ତାହକ ଭିତରେ ୫,୦୦୦ ନମୁନା ପରୀକ୍ଷା ପାଇଁ  ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏନେଇ ବିଏମସିର ତିନିଟି ଜୋନର ୨୧ଟି ସେଣ୍ଟରରେ ନମୁନା ପରୀକ୍ଷା ଆରମ୍ଭ ହୋଇଛି ।

ଏହା ଭୁବନେଶ୍ୱର ପାଇଁ ସରକାରଙ୍କ ସ୍ୱତନ୍ତ୍ର ରଣନୀତିର ଏକ ଅଙ୍ଗ । ରାଜ୍ୟରେ କୋଭିଡ-୧୯ ହଟ ସ୍ପଟ ପାଲଟିଥିବା ଭୁବନେଶ୍ୱରରେ ସଂକ୍ରମଣ ରୋକିବାକୁ ଜୋରଦାର ପ୍ରୟାସ । ଏ ନେଇ ବ୍ୟାପକ ହୋଇଛି ନମୁନା ପରୀକ୍ଷା । ଭୁବନେଶ୍ୱରର ୩ଟି ଜୋନର ୨୧ଟି ସେଣ୍ଟରରେ ୨୧ଟି ଟିମ ଲୋକଙ୍କ ଠାରୁ ନମୁନା ସଂଗହ କରିଛନ୍ତି। ପ୍ରତି ଟିମରେ ଜଣେ ଡାକ୍ତର, ୨ ଜଣ ଲାବେରୋଟୋରୀ ଟେକନିସିଅନ ଓ ଜଣେ ଶିକ୍ଷକ ରହିଛନ୍ତି । ପ୍ରତି ଜୋନ ସହ ୨ଟି ଟିମ ଯୋଡି ହୋଇରହିଛନ୍ତି । ଅନ୍ୟ ୧୯ଟି ଟିମ ପ୍ରତିଦିନ ଜୋନାଲ ଡେପୁଟି କମିଶନରଙ୍କ ତାଲିକା ଅନୁସାରେ ନମୁନା ପରୀକ୍ଷା ପାଇଁ ବାହାରିବେ।

‘‘ଭୁବନେଶ୍ୱରରେ ସପ୍ତାହକ ଭିତରେ ୫ ହଜାର ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରହିଛି । ଏହା ହୋଇପାରିଲେ ସାରା ଦେଶରେ ଭୁବନେଶ୍ୱର ରେକର୍ଡ କରିବ। କାରଣ ଦେଶର ଅନ୍ୟ କୌଣସି କୋରନା ହଟ ସ୍ପଟ ସହରରେ ଏତେ ସଂଖ୍ୟକ ଟେଷ୍ଟିଙ୍ଗ ଏପର୍ଯ୍ୟନ୍ତ ହୋଇନି। ବ୍ୟାପକ ଟେଷ୍ଟିଙ୍ଗ ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବା,’’ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ।

ଟେଷ୍ଟିଂ ସେଣ୍ଚର୍ ବାହାରେ ନମୁନା ପରୀକ୍ଷା ପାଇଁ ଲାଇନ୍ ଲଗେଇ ଠିଆହୋଇଛନ୍ତି ଲୋକେ ।


ପ୍ରଥମ ପର୍ଯ୍ୟାୟରେ ପଜିଟିଭ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ଟ୍ରାଭେଲ ହିଷ୍ଟ୍ରି ଥିବା ବ୍ୟକ୍ତି, ଥଣ୍ଡା ଜ୍ୱର ଭଳି ଲକ୍ଷଣ ଦେଖା ଯାଉଥିଲେ, ପରିବା ଓ ସଉଦା ବ୍ୟବସାୟୀ, ସଫେଇ କର୍ମୀ, ହସ୍ପିଟାଲ ଷ୍ଟାଫ ମାନଙ୍କର ନମୁନା ପରୀକ୍ଷା କରାଯିବ । ସେହିପରି ବିଭିନ୍ନ ରେସିଡେଣ୍ଟ ୱେଲଫେୟାର ସଂଘ, ନାଗରିକ ସଂଗଠନ, ସାହିବସ୍ତି ମୁରବି ଓ ପୂଜା କମିଟି ସହ ମଧ୍ୟ ଆଲୋଚନା କରାଯାଇଛି । ସେମାନଙ୍କ ଅଞ୍ଚଳରେ ଥିବା ବରିଷ୍ଠ ନାଗରିକ, କୌଣସି ଲକ୍ଷଣ ଥିବା ବ୍ୟକ୍ତିଙ୍କ ତାଲିକା ଦେବାକୁ କୁହାଯାଇଛି ବୋଲି କହିଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ।

‘‘ଯେଉଁମାନେ ନମୁନା ପରୀକ୍ଷା ପାଇଁ କୁଣ୍ଠାବୋଧ କରିବେ ଏବଂ ସରକାରଙ୍କୁ ସହଯୋଗ କରିବେ ନାହିଁ ସେଠାରେ ପୋଲିସର ସାହାଯ୍ୟ ନିଆଯିବ । ନମୁନା ପରୀକ୍ଷା କେନ୍ଦ୍ରରେ ଖୁବ ଶୀଘ୍ର ରାପିଡ଼ ଟେଷ୍ଟିଙ୍ଗ କିଟ୍‌ କାର୍ଯ୍ୟକ୍ଷମ ହେବ, ଯାହା ଦ୍ୱାରା ମାତ୍ର ୧୫ ମିନିଟରେ ଟେଷ୍ଟିଙ୍ଗ ରିପୋର୍ଟ ଜଣାପଡିବ। ଏହା ଦ୍ୱାରା ଅଧିକ ନମୁନା ପରୀକ୍ଷା କରାଯାଇପାରିବ,’’ ଶ୍ରୀ ରଥ କହିଛନ୍ତି ।

ସରକାରଙ୍କ ଏଭଳି ବ୍ୟାପକ ନମୁନା ପରୀକ୍ଷା ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି। "ଆମେ ଜରୁରୀ କାମରେ ବାହାରକୁ ଯାଉଛୁ। ସଂକ୍ରମଣ ଯେ କେତେବେଳେ କାହାକୁ ହେବ କେହି ଜାଣି ନାହାନ୍ତି। ତେଣୁ ଏଭଳି ଟେଷ୍ଟ ଦ୍ୱାରା ଆମେ ନିଶ୍ଚିତ ହେଇ ଯିବୁ" ବୋଲି କହିଛନ୍ତି ୟୁନିଟ4 ବାସିନ୍ଦା ଅବନିକେତନ ପାଟଯୋଶୀ। ସେହିପରି ବିଏମସି ସଫେଇକର୍ମୀ ଶ୍ରୀନିବାସ ବାରିକ କହିଛନ୍ତି, "ରାତି ପହିଲେ ଏ ଜାଗାରୁ ସେ ଜାଗା ବୁଲି ରାସ୍ତାଘାଟ ସଫା କରୁଚୁ। କୋଉଠି ସଂକ୍ରମଣ ବ୍ୟାପିବ ଆମେ ଜାଣିନୁ। ତେଣୁ ନମୁନା ପରୀକ୍ଷା କରିଦେଲେ ଆମେ ନିଜେ ସୁରକ୍ଷିତ କି ନାହିଁ ତାହା ଜାଣି ପାରିବୁ"।

ବିଶେଷ କରି ସାଉଥଇଷ୍ଟ ଓ ସାଇଥୱେଷ୍ଟ ଜୋନରେ କରୋନା ପଜିଟିଭ ସାମ୍ନାକୁ ଆସିଛି। ତେଣୁ ଏହି ଦୁଇଟି ଜୋନ ସହ ନର୍ଥ ଜୋନରେ ମଧ୍ୟ ଏହି ନମୁନା ପରୀକ୍ଷା ବ୍ୟାପକ କରାଯାଇଛି। ତେଣୁ ସଂକ୍ରମଣ ସମ୍ପୂର୍ଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।
First published: April 18, 2020, 11:01 PM IST
corona virus btn
corona virus btn
Loading