ଲକଡାଉନରେ ବେସାହାରା ମହିଳାଙ୍କୁ ଖୁଆଇ ପ୍ରଶଂସା ଲୁଟିଲେ କଟକ ପୋଲିସ SI ବର୍ଷା ମହାନ୍ତି

ରାତି ଅଧରେ ରାସ୍ତାରେ ପଡ଼ିଥିବା ଜଣେ ବେସାହାରା ମହିଳାଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇଥିଲେ ବର୍ଷା । ତାହା କରିବା ତାଙ୍କର କର୍ତ୍ତବ୍ୟ ଥିଲା ବୋଲି ସେ କହିଛନ୍ତି ।

ଲକଡାଉନରେ ବେସାହାରା ମହିଳାଙ୍କୁ ଖୁଆଇ ପ୍ରଶଂସା ଲୁଟିଲେ କଟକ ପୋଲିସ SI ବର୍ଷା ମହାନ୍ତି
ବେସାହାରା ମହିଳାଙ୍କୁ ଖୁଆଇ ଦେଉଛନ୍ତି ସବ୍-ଇନସ୍ପେକ୍ଟର ବର୍ଷା ମହାନ୍ତି ।
  • News18 Odia
  • Last Updated: April 17, 2020, 5:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟରେ ଲକଡାଉନ ନିୟମକୁ କାର୍ଯ୍ୟକାରୀ କରିବା ଠାରୁ ଆରମ୍ଭ କରି କରୋନା ସନ୍ଦିଗ୍ଧଙ୍କୁ କୋଭିଡ଼-୧୯ ହସ୍ପିଟାଲରେ ଭର୍ତ୍ତି କରାଇବା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରୁଛି ପୋଲିସ । ଏହାରି ଭିତରେ କଟକର ମହିଳା ପୋଲିସ୍‌ ସବ-ଇନ୍ସିପେକ୍ଟର ବର୍ଷା ମହାନ୍ତି ରାସ୍ତାରେ ରହୁଥିବା ଜଣେ ବେସହାରା ମହିଳାଙ୍କୁ ଖାଦ୍ୟ ଖୁଆଇବାର ଏକ ଭିଡିଓ ଭାଇରାଲ୍‌ ହୋଇଛି ଓ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଭିଡିଓଟି ଭାଇରାଲ ହେବା ପରେ ଉପରିସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରଶଂସା ସାଉଁଟି ଚାଲିଛନ୍ତି ବର୍ଷା ।

ନିସ୍ତବ୍ଧ ରାତିରେ ରାସ୍ତା ଉପରେ ବସି ରହିଥିବା ଜଣେ ମାନସିକ ଭାରସାମ୍ୟ ହରେଇଥିବା ମହିଳାଙ୍କ ପାଟିକୁ ଗୁଣ୍ଡା ଗୁଣ୍ଡା କରି ଖାଦ୍ୟ ଦେଇଥିଲେ ମହିଳା ପୋଲିସ ଅଧିକାରୀ ବର୍ଷା ମହାନ୍ତି । ସେଠାରେ ଥିବା କିଛି ପୋଲିସ୍‌ କର୍ମୀଙ୍କୁ ଏହି ଦୃଶ୍ୟ ଲାଗିଥିଲା କେହି ଜଣେ ମା’ ନିଜ ଅମାନିଆ ପିଲାକୁ ଖୁଆଉଥିବା ଭଳି । ମହିଳା ଜଣକ ଏହି ପୋଲିସ ଅଧିକାରୀଙ୍କ କେହି ହୁଅନ୍ତି ନାହିଁ, କିନ୍ତୁ ଭିଡିଓରେ ଉଭୟଙ୍କ ଭୂମିକା ଅନେକଙ୍କୁ ଠିକ ସେମିତି ଲାଗିଛି ।

ଗୁରୁବାର ରାତିରେ କଟକ ଦରଘାବଜାର ଅଞ୍ଚଳର ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କଟକ ମହିଳା ଥାନାର ସବ ଇନିସପେକ୍ଟର ବର୍ଷା ମହାନ୍ତିଙ୍କ ଏହି କାର୍ଯ୍ୟକୁ ସୋସିଆଲ ମିଡ଼ିଆରେ ପ୍ରଶଂସା କରାଯାଉଥିବା ବେଳେ ପ୍ରଶଂସକଙ୍କ ତାଲିକାରେ କଟକ ଡିସିପି ମଧ୍ୟ ସାମିଲ ହୋଇଛନ୍ତି । ଏହି ପ୍ରଶଂସା ପାଇ ସେ ଖୁସି ପ୍ରକାଶ କରିବା ସହ ଏହା ତାଙ୍କର କର୍ତ୍ତବ୍ୟ ଥିଲା ବୋଲି କହିଛନ୍ତି ବର୍ଷା ।

ସବ୍-ଇନସ୍ପେକ୍ଟର ବର୍ଷା ମହାନ୍ତି


“ରାତିରେ କେହି କୁଆଡେ ନଥିବା ବେଳେ ସେହି ମହିଳା ଜଣକ ରାସ୍ତା କଡ଼ରେ ବସିଥାନ୍ତି । ବୟସରେ ସେ ମୋ’ ମା’ଙ୍କ ଭଳି । ତାଙ୍କର ଏହି ଅବସ୍ଥା ଦେଖି ମୋତେ ବହୁତ ଦୁଖଃ ଲଗିଥିଲା । ଏପରିକି ଆଖିରେ ଲୁହ ମଧ୍ୟ ଆସିଯାଇଥିଲା । ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ ଓ ତାଙ୍କ ପାଇଁ ଖାଦ୍ୟ ବରାଦ କରି ନିଜେ ତାଙ୍କୁ ଖୁଆଇ ଦେଇଥିଲି,” କହିଛନ୍ତି ବର୍ଷା ମହାନ୍ତି ।

୨୦୧୨ ମସିହାରେ ସବ-ଇନସ୍ପେକ୍ଟର ଭାବେ ଓଡ଼ିଶା ପୋଲିସରେ ଯୋଗ ଦେଇଥିବା ବର୍ଷାଙ୍କ ସ୍ୱାମୀ ଜ୍ଞାନ ରଞ୍ଜନ ମହାପାତ୍ର ମଧ୍ୟ ଜଣେ ପୋଲିସ ଅଧିକାରୀ । ବର୍ଷା କଟକ ମହିଳା ଥାନାରେ କାର୍ଯ୍ୟକତ ଥିବା ବେଳେ ଜ୍ଞାନ ରଞ୍ଜନ ଭୁବନେଶ୍ୱର ଧଉଳି ଥାନାରେ ସମାନ ପଦରେ କାର୍ଯ୍ୟରତ ଅଛନ୍ତି । ଉଭୟ ଏବେ କଟକ ମଧୁପାଟଣା ପୋଲିସ କଲୋନୀରେ ଥିବା ସରକାରୀ କ୍ୱାଟରରେ ନିଜର ଚାରି ବର୍ଷର ଛୋଟ ଝିଅ ସହିତ ରହୁଛନ୍ତି ।

କେବଳ ବର୍ଷା ନୁହଁନ୍ତି, ତାଙ୍କ ଭଳି ରାଜ୍ୟର ଅଧିକାଂଶ ପୋଲିସ କର୍ମଚାରୀ ଏବେ ଏମିତି ବେସହାରାମାନଙ୍କ ପାଇଁ ଦେବଦୂତ ପାଲଟିଛନ୍ତି । କରୋନା ଜନିତ ଲକଡାଉନ ମାଡ଼ରେ ସର୍ବାଧିକ ପ୍ରଭାବିତ ହୋଇଥିବା ଏହି ବାସହରାମାନଙ୍କ ମୁହଁରେ ଆହାର ଦେବାକୁ ସତେ ଯେମିତି ସେମାନେ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି ।

କଟକ ଡିସିପି ଅଖିଳେଶ୍ୱର ସିଂ


କେବଳ କଟକ ସହରରେ ପୋଲିସ ଦୈନିକ ୫ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଛି । ଏହା ବ୍ୟତୀତ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଲୋକଙ୍କୁ ପନିପରିବା ଓ ସଉଦା ମଧ୍ୟ ବଣ୍ଟନ କରାଯାଉଛି । ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନଗୁଡିକ ସହିତ ମିଶି ଥାନାଧିକାରୀମାନେ ଲକଡାଉନ ଦିନ ଠାରୁ ନିଜ ନିଜ ଅଞ୍ଚଳରେ ଥିବା ବେସହାରା ଲୋକଙ୍କୁ ଖାଦ୍ୟ ଦେବା କାର୍ଯ୍ୟ କରୁଛନ୍ତି ।

“ବର୍ଷା ମହାନ୍ତି ନିଶ୍ଚିତ ଭାବେ ଭଲ କାମ କରିଛନ୍ତି । ତେବେ ତାଙ୍କ ଭଳି କଟକର ଅନ୍ୟ ପୋଲିସ କର୍ମୀମାନେ ମଧ୍ୟ ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଥିବା ଶ୍ରମିକ ଓ ରିକ୍ସାଚାଳକଙ୍କୁ ନିୟମିତ ଭାବେ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି । ଏହା ବ୍ୟତୀତ ଏହି ଲକଡାଉନ ସମୟରେ ବରିଷ୍ଠ ନାଗରିକମାନଙ୍କ ଘରକୁ ଯାଇ ଔଷଧ ନେଇ ଦେବା କାର୍ଯ୍ୟ ମଧ୍ୟ କଟକର ପୋଲିସ କର୍ମୀମାନେ କରୁଛନ୍ତି,’’ କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।
First published: April 17, 2020, 5:29 PM IST
corona virus btn
corona virus btn
Loading