ଶ୍ରମିକଙ୍କ ପାଇଁ ₹୧୦୦ କୋଟି ପ୍ୟାକେଜକୁ ନେଇ ବିତର୍କ; ଶ୍ରମିକ ନେତା କହିଲେ ସ୍ୱଚ୍ଛତା ଲୋଡ଼ା

ସାମାଜିକ କର୍ମୀମାନେ ଏହି ଯୋଜନାକୁ ସ୍ୱାଗତ କରିଥିବା ବେଳେ ଏହି ମହତ ଉଦ୍ୟମକୁ ସ୍ଵଚ୍ଛତା ଭିତ୍ତିରେ ପରିଚାଳନା କରାଗଲେ ଏହାର ପ୍ରକୃତ ଉଦ୍ଦେଶ୍ୟ ସାଧନ ହୋଇ ପାରିବ ବୋଲି ଶ୍ରମିକ ନେତାମାନେ କହିଛନ୍ତି ।

ଶ୍ରମିକଙ୍କ ପାଇଁ ₹୧୦୦ କୋଟି ପ୍ୟାକେଜକୁ ନେଇ ବିତର୍କ; ଶ୍ରମିକ ନେତା କହିଲେ ସ୍ୱଚ୍ଛତା ଲୋଡ଼ା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 25, 2020, 5:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାର ପୌରାଞ୍ଚଳ ଶ୍ରମିକମାନଙ୍କ ପାଇଁ କିଛି ଦିନ ତଳେ ଘୋଷିତ କରିଥିବା ୧୦୦ କୋଟି ଟଙ୍କାର ପ୍ୟାକେଜକୁ ନେଇ ରାଜ୍ୟରେ ବିତର୍କ ଚାଲିଛି । କୋଭିଡ-୧୯ର ମୁକାବିଲା ସମୟରେ ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ଶ୍ରମଭିତ୍ତିକ କାର୍ଯ୍ୟର ସୁଯୋଗ ସୃଷ୍ଟି କରିବା ପାଇଁ ହୋଇଥିବା ଏହି ଯୋଜନା ଦ୍ବାରା ସହରାଞ୍ଚଳରେ ବସବାସ କରୁଥିବା ୨୦ ଲକ୍ଷ ଲୋକ ଉପକୃତ ହୋଇ ପାରିବେ । ସାମାଜିକ କର୍ମୀମାନେ ଏହାକୁ ସ୍ୱାଗତ କରୁଥିବା ବେଳେ ଏହି ମହତ ଉଦ୍ୟମକୁ ସ୍ଵଚ୍ଛତା ଭିତ୍ତିରେ ପରିଚାଳନା କରାଗଲେ ଏହାର ପ୍ରକୃତ ଉଦ୍ଦେଶ୍ୟ ସାଧନ ହୋଇ ପାରିବ ବୋଲି ଶ୍ରମିକ ନେତାମାନେ ମତ ବ୍ୟକ୍ତ କରିଛନ୍ତି ।

‘ଉନ୍ନତି’ କାର୍ଯ୍ୟକ୍ରମ ଅଧୀନରେ ପରିଚାଳିତ ଏହି ଯୋଜନାର ନାଁ ରହିଛି UWEI ବା ପୌରାଞ୍ଚଳ ଶ୍ରମ ଭିତ୍ତିକ କାର୍ଯ୍ୟକ୍ରମ, ଯାହା ଅଧୀନରେ ସହରାଞ୍ଚଳର ଶ୍ରମଜୀବୀମାନେ ପାଇପାରିବେ ସ୍ଵତନ୍ତ୍ର ରୋଜଗାର ସୁବିଧା । ମୁଖ୍ୟତଃ ପରିମଳ ବ୍ୟବସ୍ଥାର ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟ, ବର୍ଜ୍ୟ ବସ୍ତୁ ପରିଚାଳନା, ଜଳାଶୟ ଖନନ ଓ ବର୍ଷା ଜଳ ପରିଚାଳନା ସମେତ ସହରାଞ୍ଚଳରେ ସୌନ୍ଦର୍ଯ୍ୟକରଣ ଆଦି ବିଭିନ୍ନ କାମରେ ନିୟୋଜିତ ହେବେ ଏହି ଶ୍ରମିକ । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ସିଧାସଳଖ ମଜୁରୀ ଟଙ୍କା, ଯେଉଁଥିରେ ୧୧୪ଟି ପୌରାଞ୍ଚଳର ପ୍ରାୟ ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ ବୋଲି ସରକାର କହିଛନ୍ତି ।

‘‘କୋଭିଡ-୧୯ ମୁକାବିଲା ସମୟରେ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମ ବାସ୍ତବରେ ପ୍ରଶଂସାଯୋଗ୍ୟ । ହୁଏତ ପରିମାଣରେ ଏହା ଛୋଟ ହୋଇପାରେ । ହେଲେ ଏ ଭଳି କଷ୍ଟକର ସମୟରେ ଏହାର ଆବଶ୍ୟକତା ବହୁତ ଥିଲା । ଗ୍ରାମାଞ୍ଚଳର କଥା ଛାଡ଼ନ୍ତୁ, ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଏଭଳି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଏବେ କାମଧନ୍ଦା ନାହିଁ । ଦି’ ଓଳି ଖାଦ୍ୟ ସେମାନେ ପାଉ ନାହାଁନ୍ତି । ତେଣୁ ସବୁ ଦୃଷ୍ଟିରୁ ଏହା ପ୍ରଶଂସାଯୋଗ୍ୟ,’’ କହିଛନ୍ତି ସିୱାଇଏସଡଡ଼ି ଅଧ୍ୟକ୍ଷ ଜଗଦାନନ୍ଦ ।

ସାମାଜିକ କର୍ମୀ ଅଭିଜିତ ଦାସ କହିଛନ୍ତି: ‘‘ଅନେକ ଲୋକ ଜୀବିକା ଅନ୍ୱେଷଣରେ ସାଧାରଣତଃ ସହରକୁ ଚାଲି ଆସିଥାନ୍ତି । ଏବେ ଲକଡାଉନ ସେମାନଙ୍କ ପାଇଁ ବାଧକ ସାଜିଛି । ସରକାରୀ ଓ ବେସରକାରୀ ଭାବେ ସେମାନଙ୍କୁ କିଛିଟା ସହାୟତା ମିଳୁଥିଲେ ମଧ୍ୟ ତାର କିଛି ମାନେ ନାହିଁ । ତେଣୁ ସରକାରଙ୍କ ଏ ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ ।’’

‘‘ଏଭଳି ବ୍ୟବସ୍ଥାକୁ ବିଭିନ୍ନ ଶ୍ରମିକ ସଂଗଠନ ସ୍ୱାଗତ କରିଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ନେଇ ଆମେ ପ୍ରଶ୍ନ ଉଠାଇବା ସ୍ଵାଭାବିକ । ଅନେକ ସମୟରେ ମହତ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଉଦ୍ୟମ ବାଟବଣା ହୋଇଥାଏ,’’ କହିଛନ୍ତି ଶ୍ରମିକ ନେତା ସ୍ୱର ଜେନା । ଏହି ଯୋଜନାରେ ସରକାର ଅଧିକ ସ୍ଵଚ୍ଛତା ଅବଲମ୍ବନ କରିବା ଦରକାର ବୋଲି କହିଛନ୍ତି ଶ୍ରମିକ ନେତା ଅଳି କିଶୋର ପଟ୍ଟନାୟକ ।

ଏହି କାର୍ଯ୍ୟକ୍ରମ ଅଧୀନରେ ଲୋକ ସଂଖ୍ୟା ଆଧାରରେ ସମସ୍ତ ପୌରାଞ୍ଚଳ ପାଇଁ ସରକାର ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା କରିଥିବା ସ୍ପଷ୍ଟ କରିଛନ୍ତି । ୧୦୦ କୋଟି ଟଙ୍କାର ପାକେଜ ମଧ୍ୟରୁ କେବଳ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ୧୦ କୋଟି ଟଙ୍କା ମିଳିବାକୁ ଥିବା ବେଳେ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ମହାନଗର ନିଗମ ପ୍ରତ୍ୟେକ ପାଇବେ ୫ କୋଟି ଲେଖାଏଁ ଟଙ୍କା । ପୁରୀ, ବାଲେଶ୍ଵର, ବାରିପଦା ଓ ଭଦ୍ରକ ପୌରାଞ୍ଚଳ ପ୍ରତ୍ୟେକ ପାଇବେ ୧ କୋଟି ୬୭ ଲକ୍ଷ ଟଙ୍କା ଓ ରାଜ୍ୟରେ ଥିବା ସମସ୍ତ ୬୧ଟି NAC ପାଇବେ ପ୍ରତ୍ୟେକ ୩୬ ଲକ୍ଷ ଟଙ୍କା । ଅମୃତ ସିଟି ଯୋଜନା ଭୁକ୍ତଥିବା ସହରକୁ ବାଦ ଦେଲେ ରାଜ୍ୟର ସମସ୍ତ ୪୪ଟି ମୁନିସିପାଲଟି ପାଇବେ ପ୍ରତ୍ୟେକ ୯୪ ଲକ୍ଷ ଟଙ୍କା ।
First published: April 25, 2020, 5:22 PM IST
corona virus btn
corona virus btn
Loading