ଭଦ୍ରକରେ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ଟିକଟକ୍‌ ଭିଡିଓ କଲେ କୋଲକାତା ଫେରନ୍ତା; FIR ରୁଜୁ

ତିହିଡ଼ି ବ୍ଲକରେ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ସାମାଜିକ ଦୂରତା ନିୟମକୁ ଭୁଲି ହାତରେ ଝାଡ଼ୁ ଓ ବାଲତି ଧରି ଏକତ୍ର ନାଚଗୀତ କରିବା ଓ ଟିକଟକ୍ ଭିଡିଓ ବନେଇବା ଯୋଗୁଁ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

କୋଲକାତା ଫେରନ୍ତାଙ୍କ ନାଚଗୀତର ଏକ ଦୃଶ୍ୟ

କୋଲକାତା ଫେରନ୍ତାଙ୍କ ନାଚଗୀତର ଏକ ଦୃଶ୍ୟ

  • Share this:
News18 Odia Digital

ଭଦ୍ରକ: କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇ ଫାଇବା ପିଇବାର ସୁବନ୍ଦୋବସ୍ତ କରାଯାଇଥିବା ବେଳେ ସେମାନଙ୍କ ଭିତରୁ କେତେକଙ୍କ ବିଶୃଙ୍ଖଳ ଆଚରଣର ଉଦାହରଣ ଦେଖିବାକୁ ମିଳିଛି । କେଉଁଠି ଅବ୍ୟବସ୍ଥାକୁ ନେଇ ଅଭିଯୋଗ କରି ଲୋକେ ଚମ୍ପଟ ମାରୁଛନ୍ତି ତ ଆଉ କେଉଁଠି ସାମାଜିକ ଦୂରତା ନିୟମକୁ ଭୁଲି ନାଚଗୀତରେ ମାତିଚନ୍ତି ।

ଭଦ୍ରକର ତିହିଡ଼ି ବ୍ଲକ୍‌ର ଏକ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିବା କେତେକ କୋଲକାତା ଫେରନ୍ତା ଏକତ୍ର ହୋଇ ନାଚଗୀତରେ ମସଗୁଲ୍‌ ହୋଇଛନ୍ତି ଓ ଏହାର ଏକ ଟିକ୍‌ଟକ୍‌ ଭି଼ଡିଓ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ଲୋକେ ହାତରେ ଝାଡ଼ୁ ଧରି ଓ ବାଲଟି ଏବଂ ଥାଳି ବଜାଇ ନାଚ ଗୀତ ଓ ସିନେମା ଦୃଶ୍ୟର ଅନୁକରଣ କରୁଥିବା ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ସେମାନେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ସାମାଜିକ ଦୂରତା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି ।

ସେମାନଙ୍କ ସିନେମା ସିନ୍ ଅନୁକରଣର ଏକ ଦୃଶ୍ୟ


ଏହି ଭିଡିଓ ଲୋକଲୋଚନକୁ ଆସିବା ପରେ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ତା’ପରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏକ ଏତଲା ଦେଇଛନ୍ତି ସ୍ଥାନୀୟ ଭାଟପଡ଼ା ସରପଞ୍ଚ ସ୍ବର୍ଣ୍ଣମୟୀ ଜେନା । ତାଙ୍କ ଏତଲା ଆଧାରରେ ୬ ଜଣଙ୍କ କୋଲକାତା ଫେରନ୍ତାଙ୍କ ବିରୋଧରେ ତିହିଡ଼ି ପୋଲିସ ଏକ ମାମଲା ରୁଜୁ କରିଛି । ଏ ନେଇ ଭଦ୍ରକ ପୋଲିସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ଏତାଲା ଦେଇଥିବା ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା


‘‘କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଖାଇବା ପିଇବା ଓ ରହିବାର ସବୁ ସୁବିଧା ସତ୍ତ୍ୱେ କେତେକ ଲୋକ ବାରମ୍ବାର ଅଭିଯୋଗ କରିଆସୁଥିଲେ ଓ ମୋତେ ବଦନାମ କରିବାକୁ ଚେଷ୍ଟା କରୁଥିଲେ । ଏହି ଛଅ ଜଣଙ୍କୁ ପରୀକ୍ଷା ପରେ ନେଗେଟିଭ୍‌ ବୋଲି ଜଣାଯାଇଥିଲା । ସେମାନେ ଘରକୁ ଫେରିବାକୁ ଜିଦ୍‌ କରୁଥିଲେ, ମାତ୍ର ପ୍ରଶାସନ ସେମାନଙ୍କୁ ଆଉ କିଛି ଦିନ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବାକୁ କହିଛି । ଏବେ ସେମାନେ ଏହି ଟିକଟକ୍‌ ଭିଡିଓ କରିଥିବାରୁ ମୁଁ ସେମାନଙ୍କ ବିରୋଧରେ ଥାନାରେ ଏକ ଏତାଲା ଦେଇଛି,’’ କହିଛନ୍ତି ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା ।

ରାଜ୍ୟ ଡିଜିପି ଅଭୟ ମଧ୍ୟ କ୍ୱାରାଣ୍ଟାଇନ୍‌ ନିୟମ ଖିଲାପକାରୀଙ୍କୁ ତାଗିଦ କରିଛନ୍ତି । ନିୟମ ନ ମାନି ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ଅଭୟ ।
Published by:Anand Shankar Thankur Das
First published: