News18 Odia Digital
ଭୁବନେଶ୍ୱର: କେରଳରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ପ୍ରଥମ ଟ୍ରେନ ପହଞ୍ଚିଛି ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ । ସେଥିରେ ଅବିଭକ୍ତ କୋରାପୁଟ ଓ ଗଞ୍ଜାମ ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାର ୫୫୦ ଜଣ ପ୍ରବାସୀ ପହଞ୍ଚିଛନ୍ତି । ଆଜି ଗୁଜରାଟର ସୁରତ ଓ କର୍ଣ୍ଣାଟକର ବେଙ୍ଗାଲୁରୁରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଉ ଚାରିଟି ଟ୍ରେନ ଆସିବ ।
କେରଳରୁ ଆସି ପହଞ୍ଚିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । ପରେ ବସ୍ ଓ ବୋଲେରୋ ଯୋଗେ ସେମାନଙ୍କୁ ନିଜ ନିଜ ଜିଲ୍ଲାର କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି । ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ପହଞ୍ଚିବା ପରେ ସମସ୍ତଙ୍କର ସ୍କ୍ରିନିଂ କରାଯିବା ସହିତ ଡାହାଣ ହାତରେ ଚିହ୍ନ ମରାଯାଇଥିଲା । ତା’ପରେ ସେମାନଙ୍କୁ ଖାଦ୍ୟ ଦିଆଯାଇ ନିର୍ଧାରିତ ବସ୍ରେ ଛଡା ଯାଇଥିଲା ।
ଏହି ଅବସରରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଆର୍ଡିସି, ଜିଲ୍ଲାପାଳ, ଭୁବନେଶ୍ୱର ଡିସିପି ଓ ରେଲୱେ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରବାସୀ ଓଡ଼ିଆମାନେ ପହଞ୍ଚିବା ପରେ ସମସ୍ତେ ତାଳି ବଜାଇ ସେମାନଙ୍କୁ ସ୍ବାଗତ କରିଥିଲେ । ଆଗାମି ଦିନରେ ଏହି ପ୍ରକ୍ରିୟା ଜାରି ରହିବ । ସେଥିପାଇଁ ଖୋର୍ଦ୍ଧା ରୋଡ୍ ଷ୍ଟେସନ ପରିସରରେ ସମସ୍ତ ବ୍ୟବସ୍ଥା କରାଯାଇଛି ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କେରଳରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ରାଜ୍ୟ ସରକାରଙ୍କର ଶୁଭଯାତ୍ରା ଯୋଜନାକୁ ପ୍ରଶଂସା କରିଥିଲେ ।

ଟ୍ରେନରେ ଆସିଥିବା ଓଡ଼ିଆଙ୍କୁ ନେବା ପାଇଁ ଷ୍ଟେସନକୁ ଆସିଛି ଏକ ଡଜନରୁ ଅଧିକ ବସ୍ ।
ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ପୁଣି ଆସିବାକୁ ଥିବା ଆଉ ଚାରିଟି ଟ୍ରେନ ମଧ୍ୟରୁ ପ୍ରଥମଟି ସକାଳ ୮ଟା ୪୫ରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରୁ ଛାଡ଼ି ସାରିଛି । ଏଥିରେ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକ ଅଛନ୍ତି । ଭୁବନେଶ୍ବର ଅଭିମୁଖେ ବାହାରିଛି ଏହି ସ୍ପେଶାଲ ଟ୍ରେନ । ଏଥିରେ ମୋଟ ୧,୧୮୮ ଜଣ ଯାତ୍ରୀ ଅଛନ୍ତି । ଏଥି ପାଇଁ ଗତ ରାତିରୁ ହିଁ ପ୍ରବାସୀ ଓଡ଼ିଆମାନଙ୍କୁ ବସରେ ରେଳ ଷ୍ଟେସନକୁ ଆଣି ରଖାଯାଇଥିଲା ।
ସୁରତରୁ ମଧ୍ୟ ପ୍ରବାସୀ ଓଡ଼ିଆକୁ ନେଇ ଓଡ଼ିଶା ଅଭିମୁଖେ ଆଉ ୩ଟି ଟ୍ରେନ୍ ଆଜି ବାହାରିଛି । ସେଥିମଧ୍ୟରୁ ସକାଳ ୧୦ଟାରେ ପ୍ରଥମ ଟ୍ରେନ ସୁରତରୁ ଛାଡ଼ି ସାରିଛି । ଆଉ ଗୋଟିଏ ଟ୍ରେନ ଅପରାହ୍ଣ ୪ଟାରେ ଛାଡ଼ିଛି । ପ୍ରତ୍ୟେକ ଟ୍ରେନ୍ରେ ପ୍ରାୟ ୧,୨୦୦ ଲୋକ ଅଛନ୍ତି । ସାମାଜିକ ଦୂରତା ବଜାୟ ରଖିବା ସହ ସଂକ୍ରମଣ ଆଶଙ୍କା ଏଡ଼ାଇବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଟ୍ରେନ୍ରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଗୁଜରାଟର ଅଧିକାରୀମାନେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।