News18 Odia Digital
ତିରୁଅନନ୍ତପୁରମ୍: କେରଳରେ କରୋନା ଭାଇରସ୍ ମୁକାବିଲାରେ ନିୟୋଜିତ ଜଣେ ଡାକ୍ତରାଣୀଙ୍କ ସହ କିଛି ଲୋକ ଅସମ୍ବେଦନଶୀଳ ବ୍ୟବହାର କରିଥିବା ଯୋଗୁଁ ତାଙ୍କୁ ଓ ତାଙ୍କ ଟିମର ସଦସ୍ୟମାନଙ୍କୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି ।
କେରଳର ରାଜଧାନୀ ଥିରୁଅନନ୍ତପୁରମରେ କରୋନା ଭାଇରସ୍ (Coronavirus) ଡ୍ୟୁଟିରେ ଥିବା ଜଣେ ଡାକ୍ତରାଣୀ ଓ ତାଙ୍କ ଦଳ ଉପରେ ଶୁକ୍ରବାର ଦିନ ଆକ୍ରମଣ କରାଯାଇଥିଲା । କେତେକ ଲୋକ ସେମାନଙ୍କ କାରକୁ ଘେରି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଏହି ୨୫ ବର୍ଷ ବୟସ୍କା ଡାକ୍ତରାଣୀଙ୍କ କାମ ରାଜଧାନୀର ଏକ ଗ୍ରାମାଞ୍ଚଳରେ ଥିଲା । ସେହି କ୍ଷେତ୍ର ଏକ କଣ୍ଟେନମେଣ୍ଟ ଜୋନ୍ (containment zone) ଥିଲା ଓ ତାଙ୍କ ଦଳ ସେଇଠି ନିୟୋଜିତ ଥିଲେ ।
କଣ୍ଟେନମେଣ୍ଟ ଜୋନରେ ପହଞ୍ଚିବା ପରେ ସେ କମ୍ୟୁନିଟି ହେଲଥ୍ ସେଣ୍ଟରରେ ପହଞ୍ଚି ପିପିଇ କିଟ୍ ପିନ୍ଧି ସ୍ୱାବ ନମୁନା ନେବାକୁ କାରରୁ ବାହାରକୁ ବାହାରିବା ବେଳେ ହିଁ ତାଙ୍କୁ ଅତି କମରେ ୫୦ ଜଣ ଲୋକଙ୍କ ଭିଡ ଘେରିଗଲା । ଡାକ୍ତରାଣୀ କହିଛନ୍ତି ଯେ ତାଙ୍କୁ ଓ ତାଙ୍କ ଟିମକୁ ସେହି ସମୟରେ ସେ ଅଞ୍ଚଳରେ ଚାଲିଥିବା ବିରୋଧ ବିଷୟରେ ଜଣା ନ ଥିଲା । ଡାକ୍ତରାଣୀଙ୍କ ସହ ତାଙ୍କ କାରରେ ଦୁଇ ଜଣ ଷ୍ଟାଫ୍ ନର୍ସ ଓ ଜଣେ ଟେକ୍ନିସିଆନ ଥିଲେ ।
ଏହି ବର୍ଷ ଏମବିବିଏସ୍ (MBBS) ପଢ଼ା ସାରିଥିବା ଓ ମାତ୍ର ୧୦ ଦିନ ପୂର୍ବରୁ ଚାକିରି ଆରମ୍ଭ କରିଥିବା ଯୁବ ଡାକ୍ତରାଣୀ କହିଛନ୍ତି, ‘‘ଆମ କାରର ଚାରି ପାଖରେ ଲୋକ ଥିଲେ । ଲୋକେ ରାଗରେ ପାଟି କରୁଥିଲେ । ମୁଁ ଡ୍ରାଇଭରକୁ କୌଣସି ପରିସ୍ଥିତିରେ କାରର ଝରକା ନ ଖୋଲିବାକୁ କହିଥିଲି ।’’

କେରଳର ମୁଖ୍ୟ ମନ୍ତ୍ରୀ ପିନରାଇ ବିଜୟନ
‘‘ଭିଡ଼ ଯୋଗୁଁ କାର୍ ଆଗକୁ ଯାଇପାରିଲା ନାହିଁ । ଲୋକେ ଡ୍ରାଇଭର ବସିଥିବା ଝରକାକୁ ଜୋରରେ ପିଟୁଥିଲେ । ଆମ ଡ୍ରାଇଭର ସେମାନଙ୍କୁ ଆମକୁ ଯିବାକୁ ଦେବାକୁ ବୁଝାଇବା ପାଇଁ ଝରକାର କାଚ ତଳକୁ କରିଥିଲେ । ଠିକ୍ ସେତିକି ବେଳେ ସେମାନଙ୍କ ମଧ୍ୟରୁ ଜଣେ ଆମ କାର୍ ଭିତରେ ମୁଣ୍ଡ ପଶାଇ ସେଇଠି କାଶି ଦେଲେ । ତା’ପରେ ସେ ଆମକୁ କହିଲେ ‘ଯଦି ଆମକୁ କରୋନା ହୋଇଛି, ତାହେଲେ ତୁମକୁ ବି ହେବା ଉଚିତ୍ ।’ ଆମେ ତ ଏଥିରେ ଆଶ୍ଚର୍ଯ୍ୟ ହୋଇଗଲୁ,’’ କହିଛନ୍ତି ଯବୁ ଡାକ୍ତରାଣୀ ।
ମହାମାରୀ ଯୋଗୁଁ କେରଳରେ ଗ୍ରାମାଞ୍ଚଳରେ ଡ୍ୟୁଟି କରିବା ଡାକ୍ତରମାନଙ୍କ ପାଇଁ ବାଧ୍ୟତାମୂଳକ ବୋଲି ସେ କହିଛନ୍ତି । ଏହି ଡାକ୍ତରାଣୀ ଓ ତାଙ୍କ ଡ୍ରାଇଭରଙ୍କ ସମେତ ତାଙ୍କ ଟିମରେ ଥିବା ଅନ୍ୟ ଚାରି ଜଣ ସଦସ୍ୟ ବର୍ତ୍ତମାନ କ୍ୱାରେଣ୍ଟାଇନରେ ଅଛନ୍ତି । ସାତ ଦିନ ପରେ ସେମାନଙ୍କର କରୋନୋ ଭୂତାଣୁ ପାଇଁ ସ୍ୱାବ୍ ଯାଞ୍ଚ କରାଯିବ । ଯଦି ସେମାନଙ୍କ ରିପୋର୍ଟ ନେଗେଟିଭ ଆସେ ତାହେଲେ ସେମାନେ ଡ୍ୟୁଟିକୁ ଫେରିବେ ।
ଏହା ବି ପଢ଼ନ୍ତୁ:
ଏନକାଉଣ୍ଟରର ଦିନକ ଆଗରୁ ସୁପ୍ରିମ୍ କୋର୍ଟରେ ଦାଖଲ ପିଟିସନରେ କୁହାଯାଇଥିଲା ଯେ ଦୁବେକୁ ମାରିଦେବ UP ପୋଲିସ୍
ଏହି ଘଟଣାରେ କେରଳର ମୁଖ୍ୟ ମନ୍ତ୍ରୀ ପିନରାଇ ବିଜୟନ (Kerala CM Pinarayi Vijayan) କହିଛନ୍ତି, ‘‘ରାଜନୈତିକ ସ୍ୱାର୍ଥ ଥିବା କିଛି ଲୋକ ନିରୀହ ସ୍ଥାନୀୟ ଲୋକଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରିଥିଲେ । କେରଳର ଲୋକମାନଙ୍କର ବୁଝିବା ଶକ୍ତି ଅଛି ଓ ସେମାନେ ସାହାଯ୍ୟ ବି କରୁଛନ୍ତି । କିନ୍ତୁ ସେମାନଙ୍କୁ ଉସକାଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।