ଲକଡାଉନରେ ପୋଷା ବିଲେଇମାନଙ୍କ ପାଇଁ ଖାଦ୍ୟ କିଣିବାକୁ ଯିବାକୁ ହାଇ କୋର୍ଟ ଅନୁମତି ଦେଲେ

ଘରେ ତିନୋଟି ବିଲେଇ ଓ ଦୁଇଟି ବିଲେଇ ଛୁଆ ପାଳିଥିବା ଏହି ବ୍ୟକ୍ତିଙ୍କୁ ବିଲେଇମାନଙ୍କ ପାଇଁ ଖାଦ୍ୟ କିଣିବାକୁ ବାହାରକୁ ଯିବା ପାଇଁ ଏକ ଗାଡ଼ି ପାସ୍ ପୋଲିସ୍ ନ ଦେବା ପରେ ସେ ହାଇ କୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ ।

ଲକଡାଉନରେ ପୋଷା ବିଲେଇମାନଙ୍କ ପାଇଁ ଖାଦ୍ୟ କିଣିବାକୁ ଯିବାକୁ ହାଇ କୋର୍ଟ ଅନୁମତି ଦେଲେ
ପଶୁ ଖାଦ୍ୟକୁ ଏକ ‘‘ଜରୁରୀ ସାମଗ୍ରୀ’’ ବୋଲି ବିବେଚନା କରିଛନ୍ତି କେରଳ ହାଇ କୋର୍ଟ । (ରୟଟର୍ସ୍ ଛବି)
  • News18 Odia
  • Last Updated: April 10, 2020, 4:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଥିରୁଅନନ୍ତପୁରମ୍‌: ବର୍ତ୍ତମାନର ଦେଶବ୍ୟାପୀ ଲକଡାଉନ୍‌ ସମୟରେ ବାହାରକୁ କିଣାକିଣି ପାଇଁ ବାହାରିବା ପୋଲିସର ଚେକିଂ ଯୋଗୁଁ ଏକ ଦୁରୁହ ବ୍ୟାପାର ହୋଇଥିବା ବେଳେ ନିଜ ବିଲେଇମାନଙ୍କ ପାଇଁ ଖାଦ୍ୟ କିଣିବାର ଆଗ୍ରହ ଆଗରେ ସବୁ କଟକଣା ହାର୍‌ ମାନିଛି । କେରଳର ଜଣେ ବ୍ୟକ୍ତି ପୋଲିସ ଠାରୁ ଅନୁମତି ନ ପାଇ ଏତେ ନାରାଜ ହେଲେ ଯେ ସେ ହାଇ କୋର୍ଟର ଦ୍ୱାରସ୍ଥ ହେଲେ, ଆଉ ହାଇ କୋର୍ଟ ନିଜ ଆଦେଶରେ ତାଙ୍କୁ ବିଲେଇମାନଙ୍କ ପାଇଁ ଖାଦ୍ୟ କିଣିବାକୁ ବାହାରକୁ ଯିବାକୁ ଅନୁମତି ବି ଦେଲେ ।

ଘରେ ତିନୋଟି ବିଲେଇ ଓ ଦୁଇଟି ବିଲେଇ ଛୁଆ ପାଳିଥିବା ଏନ. ପ୍ରକାଶ ନାମକ ଏହି ଆବେଦନକାରୀଙ୍କୁ ନିଜ ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ କିଣିବାକୁ ବାହାରକୁ ଯିବା ପାଇଁ ଏକ ଗାଡ଼ି ପାସ୍ ଦେବାକୁ ପୋଲିସ୍‌ ମନା କରିବା ପରେ ସେ ହାଇ କୋର୍ଟରେ ଏକ ପିଟିସନ୍‌ ଦାୟର କରିଥିଲେ ।

‘‘ପଶୁ ଖାଦ୍ୟ’’କୁ ଏକ ‘‘ଜରୁରୀ ସାମଗ୍ରୀ’’ ବୋଲି ବିବେଚନା କରି କେରଳ ହାଇ କୋର୍ଟ କହିଛନ୍ତି ଯେ ବିଲେଇମାନଙ୍କୁ ଭୋକିଲା ରଖିଲେ ଆବେଦନକାରୀଙ୍କ ଘରେ ଏକ ବଡ଼ ସମସ୍ୟା ସୃଷ୍ଟି ହେବାରୁ ରୋକିବା ପାଇଁ କୋର୍ଟ୍‌ ଏହି ମାମଲାରେ ହସ୍ତକ୍ଷେପ କରି ତାଙ୍କୁ ପଶୁ ଖାଦ୍ୟ କିଣିବାକୁ ଯିବା ପାଇଁ ଆଦେଶ ଦେଇଛନ୍ତି ।

ପ୍ରକାଶ ନିଜ ଆବେଦନରେ କହିଥିଲେ ଯେ ଲକଡାଉନ୍‌ ସମୟରେ କୋଚିନ ପେଟ୍‌ ହସ୍ପିଟାଲ ନାମକ ଦୋକାନକୁ ନିଜ ବିଲେଇମାନଙ୍କ ପାଇ ଖାଦ୍ୟ କିଣିବାକୁ ଯିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ସେହି ଦୋକାନରେ ମିଳୁଥିବା ‘‘ମିଓ-ପର୍ସିଆନ୍‌ ବିସ୍କୁଟ୍‌’’ ତାଙ୍କ ପୋଷା ବିଲେଇମାନେ ଖାଆନ୍ତି ବୋଲି ସେ କୋର୍ଟଙ୍କୁ କହିଥିଲେ । ଏହି ବିସ୍କୁଟ୍‌ ନ ଖାଇ ତାଙ୍କ ବିଲେଇମାନେ ରହି ପାରିବେ ନାହିଁ ବୋଲି ସେ କୋର୍ଟଙ୍କୁ ଜଣାଇଥିଲେ ।

ପ୍ରକାଶଙ୍କ ପୋଷା ବିଲେଇମାନେ ‘‘ମିଓ-ପର୍ସିଆନ୍ ବିସ୍କୁଟ୍’’ ଖାଆନ୍ତି ବୋଲି ସେ କୋର୍ଟଙ୍କୁ କହିଥିଲେ । (ରୟଟର୍ସ୍ ଛବି)


ସେ ଆହୁରି ମଧ୍ୟ କହିଥିଲେ ଯେ ସେ ନିଜେ ସମ୍ପୂର୍ଣ୍ଣ ନିରାମିଶାଷୀ ହୋଇଥିବାରୁ ତାଙ୍କ ଘରେ ଆମିଷ ଖାଦ୍ୟ ରନ୍ଧା ହୁଏ ନାହିଁ । ତେଣୁ ବିଲେଇମାନଙ୍କ ପାଇଁ ଆମିଷ ଖାଦ୍ୟ ତାଙ୍କୁ ସର୍ବଦା କିଣିବାକୁ ହିଁ ପଡ଼େ ।

ପ୍ରକାଶ କେବଳ ସାତ କିଲୋ ‘‘ମିଓ-ପର୍ସିଆନ୍‌ ବିସ୍କୁଟ୍‌’’ କିଣିବାକୁ ଚାହୁଁଛନ୍ତି ଓ ସେତକରେ ପୂରା ଲକଡାଉନ୍‌ ସମୟ ତାଙ୍କ ବିଲେଇମାନେ ଚଳିଯିବେ ବୋଲି ନିଜ ଆବେଦନରେ କହିଥିଲେ । ଏଥି ପାଇଁ ସେ ପଶୁମାନଙ୍କ ପ୍ରତି ନିଷ୍ଠୁରତା ନିବାରଣ ଆଇନ୍‌ (Prevention of Cruelty to Animals Act)ର ଧାରାର ଉପଯୋଗ କରିଥିଲେ ।

ନିଜ କଥାକୁ ଆହୁରି ପ୍ରମାଣଯୋଗ୍ୟ କରିବା ପାଇଁ ପ୍ରକାଶ କେରଳ ମୁଖ୍ୟ ମନ୍ତ୍ରୀ ପିନାରାଇ ବିଜୟନଙ୍କ ଏକ ବିବୃତ୍ତିକୁ ମଧ୍ୟ ନିଜ ଆବେଦନରେ ସାମିଲ୍‌ କରିଥିଲେ ଯେଉଁଥିରେ ମୁଖ୍ୟ ମନ୍ତ୍ରୀ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ ।

ପ୍ରକାଶଙ୍କ ସପକ୍ଷରେ ରାୟ ଦେଇ ହାଇ କୋର୍ଟର ଜଷ୍ଟିସ୍ ଏ. ଜୟଶଙ୍କରନ୍ ନାମ୍ବିଆର ଓ ଜଷ୍ଟିସ୍‌ ଶାଜି ପି. ଚଲେଙ୍କର ଏକ ଖଣ୍ଡପୀଠ ତାଙ୍କୁ ନିଜ ଯାତ୍ରାର ଉଦ୍ଦେଶ୍ୟର ଆତ୍ମ-ଘୋଷଣା କରି ସେହି ଦୋକାନକୁ ଯିବାକୁ ଅନୁମତି ଦେଇଥିଲେ । ଏ ସମ୍ପର୍କରେ ଏକ ଆଦେଶ କୋର୍ଟଙ୍କ ତରଫରୁ ପୋଲିସକୁ ବି ଦିଆଯାଇଥିଲା ।

‘‘ଅନ୍ୟ ଜୀବଜନ୍ତୁଙ୍କ ପ୍ରତି ଏକ ସୁସ୍ଥ ସମ୍ମାନ ରଖିବା ଓ ସେମାନଙ୍କ ଅଧିକାରକୁ ମଞ୍ଜର କରିବା ଆମେ ସବୁ ନାଗରିକମାନଙ୍କ ପାଇଁ ଆଉ ଏକ ପସନ୍ଦ ନାପସନ୍ଦର ବିଷୟ ନୁହେଁ, ବରଂ ଆମ ସମସ୍ତଙ୍କୁ ନିୟନ୍ତ୍ରଣ କରୁଥିବା ସମ୍ବିଧାନ ଅନୁଯାୟୀ ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ,’’ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି ।
First published: April 10, 2020, 4:37 PM IST
corona virus btn
corona virus btn
Loading