କେନ୍ଦୁଝରରେ ଲୋକଙ୍କ ଘରେ ଚାଉଳ ଆଦି ରାସନ୍ ସାମଗ୍ରୀ ପହଞ୍ଚାଉଛନ୍ତି ଜଣେ ମହିଳା ସରପଞ୍ଚ

କରୋନାର ଦ୍ବିତୀୟ ଲହର ଅନେକ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ ଅନ୍ନପୂର୍ଣ୍ଣା ଘର ଘର ବୁଲି ଲୋକଙ୍କୁ ସଚେତନ ବି କରୁଛନ୍ତି । ପଞ୍ଚାୟତର ଅଧିକାଂଶ ଗରିବ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଉପରେ ତାଙ୍କର ଏହି କାର୍ଯ୍ୟର ସୁପ୍ରଭାବ ପଡ଼ୁଛି ।

କେନ୍ଦୁଝରରେ ଲୋକଙ୍କ ଘରେ ଚାଉଳ ଆଦି ରାସନ୍ ସାମଗ୍ରୀ ପହଞ୍ଚାଉଛନ୍ତି ଜଣେ ମହିଳା ସରପଞ୍ଚ
ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ; (ଡାହାଣ) ସେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
ଅଭୟ କୁମାର ମହାପାତ୍ର | News18 Odia Digital

କେନ୍ଦୁଝର: କରୋନା ଭାଇରସ୍‌ ସଂକ୍ରମଣର ଦ୍ବିତୀୟ ଲହରରେ ଲୋକେ ଘରୁ ବାହାରିବାକୁ ଡରୁଥିବା ବେଳେ ଜନ ସେବାରେ ନିଜ ଆଗ୍ରହ ଓ ସାହସ ଦେଖାଇଛନ୍ତି ଜଣେ ମହିଳା ସରପଞ୍ଚ । ହିତାଧିକାରୀଙ୍କ ଘରେ ରାସନ୍ ସାମଗ୍ରୀ ପହଞ୍ଚାଇବା ସହ ଘର ଘର ବୁଲି ଲୋକଙ୍କୁ ସଚେତନ ବି କରାଉଛନ୍ତି ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ।

ଘଟଗାଁ ବ୍ଲକର ମୁକୁନ୍ଦପୁରପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ପଞ୍ଚାୟତର ହିତାଧିକାରୀମାନଙ୍କର ଚାଉଳ ଆଦି ରାସନ୍ ସାମଗ୍ରୀ ସେମାନଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି । ଫଳରେ କରୋନା ସଂକ୍ରମଣ ସମୟରେ କାମଧନ୍ଦା ହରାଇଥିବା ଲୋକେ ରାସନ୍ ପାଇଁ ଅଧିକ ଖର୍ଚ୍ଚାନ୍ତ ନ ହୋଇ ଘରେ ରହି ଜିନିଷ ପାଇ ପାରୁଛନ୍ତି । ଅନ୍ନପୂର୍ଣ୍ଣାଙ୍କ ଏହି ପ୍ରୟାସ ଯୋଗୁଁ ଉପକୃତ ହେଉଛନ୍ତି ୧,୫୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀ । ତାଙ୍କର ଏହି କାର୍ଯ୍ୟ ସାରା ରାଜ୍ୟ ପାଇଁ ସୃଷ୍ଟି କରିଛି ଏକ ଉଦାହରଣ ।

ଏହା ବି ପଢ଼ନ୍ତୁ | Bengal Polls 2021: ଖେଲା ହୋବେ! ବିଜୟ ଖୁସିରେ ବେଙ୍ଗଲରେ ୫୦,୦୦୦ ଫୁଟବଲ୍ ବାଣ୍ଟିବେ ମମତା ବାନାର୍ଜୀ

କରୋନାର ଦ୍ବିତୀୟ ଲହର ଅନେକ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ ଅନ୍ନପୂର୍ଣ୍ଣା ଘର ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଲୋକଙ୍କୁ ମାସ୍କ ପିନ୍ଧିବା ଓ ଲଗାତର ହାତ ଧୋଇବା ଆଦି କାର୍ଯ୍ୟ ସେ ନିଜେ ତଦାରଖ କରୁଛନ୍ତି । ପଞ୍ଚାୟତର ଅଧିକାଂଶ ଲୋକ ଗରିବ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କର ଏହି ସଚେତନତା କାର୍ଯ୍ୟ ସେମାନଙ୍କ ଉପରେ ସିଧା ପ୍ରଭାବ ପକାଉଥିବା ଦେଖାଯାଉଛି ।

ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ (ଡାହାଣ) ପ୍ରୟାସକୁ ଲୋକେ ପ୍ରଶଂସା କରିଛନ୍ତି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bengal Results: ‘ଦିଦି ଦିଦି…’ ଦୋହରାଇ ଟ୍ୱିଟରରେ ଲୋକେ BJPକୁ ଖୁବ୍ ପରିହାସ କରୁଛନ୍ତି

‘‘କୋଭିଡର ଏହି ଦ୍ବିତୀୟ ଲହରରେ ଲୋକଙ୍କ ପାଖରେ କାମ ଧନ୍ଦା ନାହିଁ । ଏଥି ପାଇଁ ମୁଁ ଚିନ୍ତା କଲି ଲୋକଙ୍କ ପାଖରେ କିପରି ଭାବେ ରାସନ୍ ସାମଗ୍ରୀ ପହଞ୍ଚି ପାରିବ । ତେଣୁ ସରପଞ୍ଚଙ୍କ ରିଲିଫ୍ ପାଣ୍ଠି ଓ ପଞ୍ଚାୟତର ନିଜସ୍ବ ପାଣ୍ଠିରୁ ଦୁଇଟି ଅଟୋର ବ୍ୟବସ୍ଥା କଲି । ୧୦ କିଲୋମିଟର ପରିସରରେ ଥିବା ଲୋକେ କିପରି ନିଜ ଘରେ ରାସନ୍ ପାଇବେ ତା’ର ବ୍ୟବସ୍ଥା କରିଛି । ମୁଁ ନିଜେ ଏହାର ତଦାରଖ କରୁଛି,’’ କହିଛନ୍ତି ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ।

ଏହା ବି ପଢ଼ନ୍ତୁ | Relianceର Oxygen ଯୋଗାଣକୁ ସୁପ୍ରିମ୍ କୋର୍ଟରେ ସ୍ୱାଗତ କରାଗଲା; ମୁକେଶ ତଦାରଖ କରୁଛନ୍ତି

ମୁକୁନ୍ଦପୁରପାଟଣା ପଞ୍ଚାୟତରେ ୧୦ କିଲୋମିଟର ଦୂରରୁ ଆସୁଥିବା ଲୋକଙ୍କୁ ୧ ଟଙ୍କିଆ ଚାଉଳ ପାଇଁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ଦୁଇ ମାସର ରାସନ୍ ସାମଗ୍ରୀ ଲୋକଙ୍କ ଘରେ ପହଞ୍ଚିବା ଫଳରେ ହିତାଧିକାରୀମାନେ ଉପକୃତ ହୋଇ ପାରିବେ । ପୂର୍ବରୁ ମଧ୍ୟ ଏହି ସରପଞ୍ଚଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନା ପାଇଁ ଏହି ଗ୍ରାମ ପଞ୍ଚାୟତ ରାଜ୍ୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ ।

ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍କୋର୍ଟ୍

‘‘ପଞ୍ଚାୟତର ପାଖାପାଖି ୧,୫୦୦ ହିତାଧିକାରୀ ପଞ୍ଚାୟତକୁ ଚାଉଳ ପାଇଁ ଆସିଲେ ଗହଳି ହେବାର ସମ୍ଭାବନା ରହିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ହୋଇଥିବାରୁ ଯିବା ଆସିବା ଖର୍ଚ୍ଚ ବହନ କରିବା ସେମାନଙ୍କ ପାଇଁ କଷ୍ଟକର ହେବ । ଏଥି ପାଇଁ ସରପଞ୍ଚ ଲୋକଙ୍କ ଘରେ ଚାଉଳ ପହଞ୍ଚାଇବାର ନିଷ୍ପତ୍ତି ନେଇଛନ୍ତି । ଏହି କାମ ପାଇଁ ମାସକୁ ଆମକୁ ୧୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡି଼ବ । ତାହା ଆମେ ସରପଞ୍ଚଙ୍କ ରିଲିଫ୍ ଫଣ୍ଡ୍‌ ଓ ପଞ୍ଚାୟତର ନିଜସ୍ବ ପାଣ୍ଠିରୁ ଭରଣା କରିବୁ,’’ କହିଛନ୍ତି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ରାଉତ ।



‘‘ମୁକୁନ୍ଦପୁରପାଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଲୋକଙ୍କ ଘରେ ରାସନ୍ ସାମଗ୍ରୀ ପହଞ୍ଚାଇବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ପୂର୍ବରୁ ମଧ୍ୟ ଅନେକ ଯୋଜନାରେ ମୁକୁନ୍ଦପୁରପାଟଣା ଗ୍ରାମ ପଞ୍ଚାୟତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ବାରା ସମ୍ମାନିତ ହୋଇଛି,’’ କହିଛନ୍ତି ଘଟଗାଁ ବିଡିଓ ନାରାୟଣ ସାହୁ ।
Published by: Anand ST Das
First published: May 2, 2021, 10:47 PM IST