ଗାୟିକା କନିକା କପୁର କରୋନା ଆକ୍ରାନ୍ତ ଥିବା ବିଷୟରେ ନିଜ ପୋଷ୍ଟ୍ ସୋସିଆଲ୍ ମିଡ଼ିଆରୁ ଡିଲିଟ୍ କଲେ
କନିକା ବର୍ତ୍ତମାନ ଲକ୍ଷ୍ନୌର ଏକ ହସପିଟାଲରେ କରୋନା ପାଇଁ ଚିକିତ୍ସିତ ହେଉଛନ୍ତି । ସେ ତୃତୀୟ ଥର ପରୀକ୍ଷାରେ ମଧ୍ୟ COVID-19 ପଜିଟିଭ୍ ଥିବା ଜଣାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ୨୬୬ ଜଣଙ୍କ ଭିତରୁ ୬୦ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା । ସବୁ ନେଗେଟିଭ୍ ଆସିଛି ।

ବଲିଉଡ୍ ଗାୟିକା କନିକା କପୁର
- News18 Odia
- Last Updated: March 27, 2020, 5:46 PM IST
ନୂଆ ଦିଲ୍ଲୀ: କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ବଲିଉଡ୍ ଗାୟିକା କନିକା କପୁର ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ସେହି ପୋଷ୍ଟ ଡିଲିଟ୍ କରିଦେଇଛନ୍ତି ଯେଉଁଥିରେ ସେ ତାଙ୍କ ଫଲୋଅର୍ସଙ୍କୁ ସୂଚନା ଦେଇଥିଲେ ଯେ ସେ କରୋନା ଭାଇରସ ପରୀକ୍ଷଣରେ ପଜିଟିଭ୍ ହୋଇଛନ୍ତି ।
କନିକା ବର୍ତ୍ତମାନ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (SGPGIMS) ରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ତୃତୀୟ ଥର ପରୀକ୍ଷାରେ ମଧ୍ୟ COVID-19 ପଜିଟିଭ୍ ଥିବା ଜଣାଯାଇଛି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଜାରି ରହିବ ବୋଲି ଡାକ୍ତରମାନେ କହିଛନ୍ତି ।
ଟିଲିଟ୍ କରିଦେଇଥିବା ସେହି ପୋଷ୍ଟରେ କନିକା ଏକ ଦୀର୍ଘ ବିବୃତ୍ତିରେ କହିଥିଲେ ଯେ ଚାରି ଦିନ ଧରି ତାଙ୍କର ସ୍ୱାଇନ୍ ଫ୍ଲୁର ଲକ୍ଷଣ ଥିଲା ଓ ସେ ନିଜକୁ ପରୀକ୍ଷା କରେଇବାରୁ ଏହା COVID-19 ପଜିଟିଭ୍ ବୋଲି ଜାଣିଥିଲେ। ସେ ସେହି ପୋଷ୍ଟରେ ସେ ନିଜେ ଓ ତାଙ୍କ ପରିବାର ସଦସ୍ୟମାନେ କ୍ୱାରାଣ୍ଟିନରେ ଅଛନ୍ତି ବୋଲି ମଧ୍ୟ କହିଥିଲେ ।

ବଲିଉଡ୍ ଗାୟିକା କନିକା କପୁର ‘ବେବି ଡଲ୍’ ନାଆଁରେ ପ୍ରସିଦ୍ଧ ।
‘ବେବି ଡଲ୍’ ନାଆଁରେ ପ୍ରସିଦ୍ଧ ଏହି ଗାୟିକା କହିଥିଲେ ଯେ କରୋନା ଭାଇରସ୍ରୁ ରକ୍ଷା ପାଇବାକୁ ଲୋକେ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁସରଣ କରିବା ଉଚିତ୍ ।
ଏକ ଖବରରୁ ଜଣାଯାଇଛି ଯେ ଉତ୍ତର ପ୍ରଦେଶ ଓ ଦିଲ୍ଲୀର ସରକାରୀ ଅଧିକାରୀମାନେ କନିକାଙ୍କ ସଂସ୍ପର୍ଶରେ ଆସିଥିବା ୨୬୬ ଜଣ ବ୍ୟକ୍ତିଙ୍କୁ ଖୋଜି ବାହାର କରିଥିଲେ ଓ ସେମାନଙ୍କ ଠାରୁ ସଂଗୃହିତ ୬୦ଟି ନମୁନା ପରୀକ୍ଷା ପାଇଁ ପଠାଇଥିଲେ । ସବୁଗୁଡ଼ିକ ନମୁନା ନେଗେଟିଭ୍ ଆସିଥିବା ଜଣାଯାଇଛି ।
ଅତି ସମ୍ବେଦନଶୀଳ ଏହି କରୋନା ଭାଇରସ୍ ସମସ୍ୟା ସହ ଦାୟିତ୍ୱହୀନ ଆଚରଣ ପାଇଁ କନିକାଙ୍କୁ ବହୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା । ଲଣ୍ଡନରୁ ଫେରି ସେ ରାଜସ୍ଥାନର ଜଣେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଓ ବିଜେପି ସାଂସଦ ବସୁନ୍ଧରା ରାଜେ ଓ ତାଙ୍କ ପୁଅ ଦୁଶ୍ୟନ୍ତଙ୍କ ସହ ଏକ ଜନ୍ମ ଦିନ ପାର୍ଟିରେ ଯୋଗ ଦେଇଥିଲେ। ସେ ଲକ୍ଷ୍ନୌରେ ଏକ ହୋଲି ପାର୍ଟିକୁ ମଧ୍ୟ ଯାଇଥିଲେ ।