ରାଜ୍ୟରେ କରୋନା: ଜୁଲାଇ ମାସ ଘାତକ ହେଉଛି; ହସପିଟାଲରେ ବେଡ ଓ ICU ସଂଖ୍ୟା ବଢ଼ାଇବେ ସରକାର

ଜୁଲାଇରେ ପାଖାପାଖି ପ୍ରତି ଦିନ ଗୋଟେ ପରେ ଗୋଟେ ରେକର୍ଡ଼ ଭାଙ୍ଗି ଚାଲିଛି କରୋନା ଭାଇରସ୍ । ଏହି ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ଼ ଭାଙ୍ଗିଥିବା ବେଳେ ମୃତ୍ୟୁ ସଂଖ୍ୟା ଗତ ମାସ ତୁଳନାରେ ଡବଲ ହୋଇଛି ।

ରାଜ୍ୟରେ କରୋନା: ଜୁଲାଇ ମାସ ଘାତକ ହେଉଛି; ହସପିଟାଲରେ ବେଡ ଓ ICU ସଂଖ୍ୟା ବଢ଼ାଇବେ ସରକାର
ବର୍ତ୍ତମାନ ରାଜ୍ୟର ମୋଟ ୩୫ଟି କୋଭିଡ଼ ହସ୍ପିଟାଲରେ ୫,୫୭୭ଟି ବେଡ଼ ସହ ୩୧୨ଟି ଆଇସିୟୁ ଅଛି ।
  • News18 Odia
  • Last Updated: July 11, 2020, 10:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା ସଂକ୍ରମଣ ମାମଲାରେ ଓଡ଼ିଶା ପାଇଁ ଘାତକ ପ୍ରମାଣିତ ହେଉଛି ଜୁଲାଇ ମାସ । ଆଗକୁ ବି ସ୍ଥିତି ଜଟିଳ ହେବାର ଆଶଙ୍କା ଦେଖାଦେଇଛି । ବର୍ତ୍ତମାନର ସ୍ଥିତିକୁ ଦେଖି କୋଭିଡ଼ ହସ୍ପିଟାଲରେ ଅଧିକ ବେଡ଼ର ଆବଶ୍ୟକତା ଅନୁଭୂତ ହେଲାଣି । ସେଇଥି ପାଇଁ ବେଡ୍‌ ସଂଖ୍ୟା ଅଧିକ ବଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ବର୍ତ୍ତମାନ ରାଜ୍ୟର ମୋଟ ୩୫ଟି କୋଭିଡ଼ ହସ୍ପିଟାଲରେ ୫,୫୭୭ଟି ବେଡ଼ ସହ ୩୧୨ଟି ଆଇସିୟୁ ଥିବା ବେଳେ ଆଉ ୧,୪୨୬ଟି ବେଡ଼ ସହ ୧୫ଟି ଆଇସିୟୁ ପାଇଁ ସରକାର ଅନୁମୋଦନ ଦେଇଛନ୍ତି । ଏହି କ୍ରମରେ ହାଇଟେକ ମେଡ଼ିକାଲ କଲେଜରେ ଅତିରିକ୍ତ ୫୦୦ଟି ବେଡ଼, ସମ ହସ୍ପିଟାଲ ଅଧୀନରେ ଦୁଇଟି ସ୍ଥାନରେ ଜାମୁଝରୀରେ ୩୦୦ ଓ ଜଟଣୀରେ ୫୦୦ ବେଡ଼ ଏବଂ ନୀଳାଚଳ ଡ଼ିସିଏଚରେ ୧୨୬ଟି ବେଡ଼ ସହ ୧୫ଟି ଆଇସିୟୁ ପାଇଁ ସରକାର ଅନୁମୋଦନ ଦେଇଛନ୍ତି ।

ଜୁଲାଇରେ ପାଖାପାଖି ପ୍ରତି ଦିନ ଗୋଟେ ପରେ ଗୋଟେ ରେକର୍ଡ଼ ଭାଙ୍ଗି ଚାଲିଛି କରୋନା ଭାଇରସ୍‌ । ଏହି ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ଼ ଭାଙ୍ଗିଥିବା ବେଳେ  ମୃତ୍ୟୁ ସଂଖ୍ୟା ଗତ ମାସ ତୁଳନାରେ ଡବଲ ହୋଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬କୁ ବୃଦ୍ଧି ପାଇଛି । ଜୁନ ୨୦ରୁ ଜୁଲାଇ ୧୧ ମଧ୍ୟରେ ରାଜ୍ୟରେ ୫,୪୬୧ ଜଣ ସଂକ୍ରମିତ ହେଲେଣି । ଏହା ପୂରା ଜୁନ ମାସର ସଂକ୍ରମିତଙ୍କ ସଂଖ୍ୟାକୁ (୫,୧୧୭) ପାର୍‌ କରିଯାଇଛି ।

ILSର ନିର୍ଦ୍ଦେଶକ ଅଜୟ ପରିଡ଼ା


କରୋନା କାରଣରୁ ବଢ଼ୁଥିବା ମୃତ୍ୟୁ ସଂଖ୍ୟା ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୬୧ ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ସେଥିରୁ କେବଳ ଜୁଲାଇ ମାସରେ ୩୬ଟି ମୃତ୍ୟୁ ହୋଇଛି । ଏପ୍ରିଲ ମାସରେ ମାତ୍ର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମେ ମାସରେ ୬ ଜଣ ଓ ଜୁନ ମାସରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା । ହେଲେ ଜୁଲାଇ ମାସର ୧୧ ଦିନ ମଧ୍ୟରେ ୩୬ ଜଣଙ୍କର ପ୍ରାଣ ଗଲାଣି । କେବଳ ଜୁଲାଇ ପହିଲାକୁ ଛାଡ଼ିଦେଲେ  ପ୍ରତି ଦିନ ଏକାଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି ।

ପାଞ୍ଚଟି ଜିଲ୍ଲା – ଗଞ୍ଜାମ,ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ – ସରକାରଙ୍କ ମୁଣ୍ଡ ବିନ୍ଧା ବଢ଼ାଇଛି । ଗଞ୍ଜାମରେ ସ୍ଥିତି ସର୍ବାଧିକ ଜଟିଳ ହୋଇଛି  । ଗଞ୍ଜାମରେ ମେ ୨ରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୩,୬୩୪ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । କିନ୍ତୁ ଜୁଲାଇ ମାସ ଘାତକ ସାଜିଛି ଗଞ୍ଜାମ ପାଇଁ । କେବଳ ଜୁଲାଇ ମାସରେ ଗଞ୍ଜାମରେ ୨,୨୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣଙ୍କର ପ୍ରାଣ ଗଲାଣି ଏହ ମାସ । ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ମୋଟ ୩୬ ଜଣଙ୍କ ମୃତ୍ୟୁ ଘଟିଲାଣି । ମେ ମାସରେ ୩ ଜଣ, ଜୁନରେ ୧୧ ଜଣ ଓ ଜୁଲାଇରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି ।

ଗଞ୍ଜାମରେ ସ୍ଥତିକୁ ଆୟତ୍ତ କରିବା ନେଇ ସରକାର ଓ ପ୍ରାଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଥିବା ସତ୍ତ୍ୱେ ସ୍ଥିତି ବେକାବୁ ହେବାରେ ଲାଗିଛି । ସ୍ଥାନୀୟ ସଂକ୍ରମିତ ଅଧିକ ଚିନ୍ତା ବଢ଼ାଇଛନ୍ତି । କେବଳ ଜୁଲାଇ ମାସରେ ଗଞ୍ଜାମରେ ୧,୫୦୫ ଜଣ ସ୍ଥାନୀୟ ସଂକ୍ରମତି ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ: କରୋନା: ₹୫,୪୦୦ର ରେମଡେସିଭିର୍ ଔଷଧକୁ ₹୨୦,୦୦୦ରେ ବିକି ଗିରଫ ହେଲେ ଦୋକାନୀ ଓ ସହଯୋଗୀ

ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣର ସ୍ଥିତି ଏ ଭଳି ଜଟିଳ ହେବାର କାରଣ କହିବା ମୁସ୍କିଲ ବୋଲି କହିଛନ୍ତି ଆଇଏସଏଲ (ILS) ନିର୍ଦ୍ଦେଶକ ଡଃ ଅଜୟ ପରିଡ଼ା । ‘‘ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି । ଅଧିକ ପ୍ରବାସୀ ଆସିବା ସହିତ ପରୀକ୍ଷା ବଢ଼ିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଏପରି ବଢ଼ୁଛି,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: July 11, 2020, 10:42 PM IST
corona virus btn
corona virus btn
Loading